Unknown

 

 

 

 

 

 

 

 

 

 

ପ୍ରେମଚନ୍ଦଙ୍କ କାହାଣୀ

ଅନୁବାଦକ

ଶ୍ରୀ ଗୋପୀନାଥ ପଟ୍ଟନାୟକ

 

 

 

 

 

 

 

 

 

 

 

 

ସ୍ନେହମୟୀ ମୋର ବୋଉର

ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ।

 

ସୂଚିପତ୍ର

 

୧.

କଫନ୍‌

୨.

ଦୁଇଟା ବଳଦର କାହାଣୀ

୩.

ନିମନ୍ତ୍ରଣ

୪.

ହିଂସା ଓ ପରମଧର୍ମଃ

୫.

ବିଧାତା

୬.

ବଡ଼ ଭାଇ

୭.

ଚୋରୀ

୮.

ଲଟରୀ

୯.

ବିଷମ ସମସ୍ୟା

୧୦.

ଲାଞ୍ଚ୍ଥନା

Image

 

ମନ୍ତବ୍ୟ

 

ହିନ୍ଦୀ ସାହିତ୍ୟର ଉପନ୍ୟାସ ସମ୍ରାଟ ପ୍ରେମଚନ୍ଦ ଯେ, କେବଳ ଔପନାସିକ ଥିଲେ ତା’ ନୁହେଁ, ସେ ଜଣେ ବିଖ୍ୟାତ ଗାଳ୍ପିକ ମଧ୍ୟ । ତାଙ୍କର କେତୋଟି ମାତ୍ର ଗଳ୍ପ ଓଡ଼ିଆ ଭାଷାର ରୂପ ଧାରଣ କରି ପ୍ରକାଶ ପାଇଛି । ତାଙ୍କର ଲେଖା ପଢ଼ିଲେ ଜଣାଯାଏ ସତେ ଯେମିତି ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରୁଛି ।

 

ଗଳ୍ପଗୁଡ଼ିକ ପାଠକ ମନକୁ ରୁଚିକର ବୋଧ ହେଲେ ନିକଟ ଭବିଷ୍ୟତ୍‌ରେ ପ୍ରେମଚନ୍ଦଙ୍କର ଆଉ କେତୋଟି ଗଳ୍ପର ଅନୁବାଦ ପ୍ରକାଶ କରିବାକୁ ସାହସୀ ହେବୁ ।

 

ପ୍ରେମଚନ୍ଦଙ୍କ ସର୍ବଶ୍ରେଷ୍ଠ ଉପନ୍ୟାସ ଗୋଦାନ ଓ ଗବନ ଓଡ଼ିଶାର ସୁବିଦିତ ଲେଖକ ଶ୍ରୀ ଗୋଲକବିହାରୀ ଧଳଙ୍କଦ୍ୱାରା ଅନୁବାଦିତ ହୋଇ ପ୍ରକାଶ ପାଇଛି ଏବଂ ତାହା ପାଠକବର୍ଗଙ୍କ ମଧ୍ୟରେ ଚହଳ ପକାଇ ଦେଇଛି ।

 

ଆଶାକରୁ ପ୍ରେମଚନ୍ଦଙ୍କର ସମସ୍ତ ଲେଖନୀ ଓଡ଼ିଆ ଭାଷାରେ ରୂପାନ୍ତରିତ ହୋଇ ପ୍ରକାଶ ପାଇବ ।

 

–ପ୍ରକାଶକ–

Image

 

ପ୍ରେମଚନ୍ଦଙ୍କ ସଂକ୍ଷିପ୍ତ ଜୀବନୀ

 

୧୮୮୦ ଖ୍ରୀଷ୍ଟାବ୍ଦ ଜୁଲାଇ ୩୧ ତାରିଖ ଶନିବାର ଦିନ ବନାରସଠାରୁ ଚାରି ମାଇଲ ଦୂର ଲମହୀ ଗ୍ରାମରେ, ଏକ ନିମ୍ନ ମଧ୍ୟବିତ୍ତ କୁଳୀନ କାୟସ୍ଥ ପରିବାରରେ ଶ୍ରୀ ପ୍ରେମଚନ୍ଦଙ୍କର ଜନ୍ମ-। ପିତାଙ୍କ ନାମ ମୁନ୍‌ସୀ ଅଜାୟବଲାଲ । ବାଲ୍ୟକାଳରେ ପ୍ରେମଚନ୍ଦଙ୍କର ନାମ ଥିଲା ଧନପତ୍‌ରାୟ; ସମସ୍ତେ କିନ୍ତୁ ତାଙ୍କୁ ‘ନବାବ’ ବୋଲି ଡାକୁଥିଲେ । ସାତବର୍ଷ ବୟସରେ ପ୍ରେମଚନ୍ଦଙ୍କର ମାତୃବିୟୋଗ ଘଟେ । ଅବଶ୍ୟ ଏହାର ବହୁ ପୂର୍ବରୁ ତାଙ୍କର ଜୀବନାକାଶରେ ଦୁଃଖର କଳା ବଉଦ ଘୋଟି ଆସିଥାଏ । ଏକ ଦିଗରେ ମାତୃବିୟୋଗ ଏବଂ ଅନ୍ୟ ଦିଗରେ ବିମାତାଙ୍କର ଶୁଭକାମନା ଚିରଦିନ ଲାଗି ତାଙ୍କ ଜୀବନରେ ସୃଷ୍ଟି କରେ ଅନ୍ତଃପୀଡ଼ା ଏବଂ ସଂଘର୍ଷ-। ଯଦିଓ ସେ ବିମାତାଙ୍କ ପ୍ରତି କର୍ତ୍ତବ୍ୟ ପାଳନରେ କେବେ ତ୍ରୁଟି କରି ନଥିଲେ ତଥାପି ବିମାତାଙ୍କର ନିର୍ମଳ ସ୍ନେହର ଅଭାବରୁ ଜୀବନ ତାଙ୍କର ଦୁଃଖମୟ ହୋଇ ଉଠିଥିଲା । ବାହାରେ ତାଙ୍କର ପରିବାର ନିଜର ସମ୍ମାନ ରକ୍ଷା କରି ଚଳୁଥିଲେ ମଧ୍ୟ ଭିତିରି ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା-। ସୁତରାଂ ପ୍ରେମଚନ୍ଦଙ୍କର ବାଲ୍ୟାବସ୍ଥା ଘୋର ଦୁଃଖ ଏବଂ ଦାରିଦ୍ର୍ୟ ଭିତରେ କଟିଗଲା । ତାଙ୍କର ଲେଖାରୁ ଜଣାଯାଏ ଯେ, ସେ ନିଜେ ପିତାଙ୍କ ଜୀବିତାବସ୍ଥାରେ ବାରଅଣାରୁ ଅଧିକ ଦାମର ଜୋତା କେବେ ପିନ୍ଧି ନଥିଲେ ଏବଂ ତାଙ୍କର ଜାମାପାଇଁ ଗଜ ଚାରିଅଣାରୁ ଅଧିକ ଦାମର କନା କେବେ କିଣା ଯାଇ ନଥିଲା ।

 

୧୮୯୫ ସାଲରେ, ବନାରସର ଏକ ହାଇସ୍କୁଲରେ ସେ ପଢ଼ା ଆରମ୍ଭ କଲେ ଏବଂ ପ୍ରତ୍ୟହ ଗାଁରୁ ସ୍କୁଲ୍‍କୁ ଯା–ଆସ କରିବାକୁ ଲାଗିଲେ । ସେ ସେତେବେଳେ ନବମ କ୍ଲାସ୍‍ର ଛାତ୍ର ସେତେବେଳେ ତାଙ୍କର ବିବାହ ସମ୍ପାଦିତ ହୋଇଥିଲା । ଏବଂ ଦୁର୍ଭାଗ୍ୟବଶତଃ ସେଇ ବର୍ଷହିଁ ତାଙ୍କର ପିତୃବିୟୋଗ ଘଟିଲା । ପ୍ରେମଚନ୍ଦଙ୍କର ସମସ୍ତ ଆଶା ଆକାଂକ୍ଷା ଏବଂ ସଂକଳ୍ପ ମାଟିରେ ମିଶିଗଲା । ନିଜର ସ୍ତ୍ରୀ, ସାବତ ମା ଓ ସାବତଭାଇଙ୍କର ଭରଣପୋଷଣର ଗୁରୁଦାୟିତ୍ୱ ତାଙ୍କରି ମୁଣ୍ଡ ଉପରେ ବୋଝ ଭଳି ଲଦି ହୋଇଗଲା । କୌଣସି ପ୍ରକାରେ ସେ ସ୍କୁଲ୍ ଦରମାରୁ ଛାଡ଼ି ପାଇଲେ ଏବଂ ବନାରସରେ ମାସିକ ପାଞ୍ଚ ଟଙ୍କାର ଏକ ଟିଉସନ୍ ଯୋଗାଡ଼ କରି, ପ୍ରତି ମାସରେ ଦୁଇଟଙ୍କା ନିଜ ଖର୍ଚ୍ଚପାଇଁ ରଖି ଅବଶିଷ୍ଟ ତିନି ଟଙ୍କା ଘର ଖର୍ଚ୍ଚପାଇଁ ପଠାଇବାକୁ ଲାଗିଲେ । ଧାର ଉଧାର କରି କୌଣସି ପ୍ରକାରେ ସେ ଘର ଚଳାଇବାକୁ ଲାଗିଲେ । ପହିଲୁ ତ ତାଙ୍କ ପ୍ରତି ବିମାତାଙ୍କର ସ୍ନେହ ଆଶ୍ୱାସନାର ଘୋର ଅଭାବ ଦେଖା ଦେଇଥାଏ । ପୁଣି ସେ ନିଜ ସ୍ତ୍ରୀଙ୍କଠାରୁ ତିଳେହେଲେ ସ୍ନେହ ପାଇ ପାରିଲେନି । ଏ ରକମ ଅଭାବ, ଅସୁବିଧା ଏବଂ ଘୋର ବାଧାବିଘ୍ନର ସମ୍ମୁଖୀନ ହୋଇ କୌଣସି ପ୍ରକାରେ ସେ ୨ୟ ଶ୍ରେଣୀରେ ମେଟ୍ରିକ୍ୟୁଲେସନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଉଚ୍ଚ ଶିକ୍ଷାପାଇଁ ପହିଲୁ ତାଙ୍କର ଉଚ୍ଚାଭିଳାଷ ଥାଏ; କିନ୍ତୁ ପ୍ରଭାବଶାଳୀ ସୁପାରିସ୍ ପାଇ ମଧ୍ୟ ଗଣିତରେ ନିଜର ଅଶେଷ ଦୁର୍ବଳତା ଲାଗି କଲେଜରେ ନାମ ଲେଖାଇ ପାରିଲେ ନାହିଁ । ନିଜର ଗଣିତ ଜ୍ଞାନ ନେଇ ପ୍ରେମଚନ୍ଦ ଲେଖି ଯାଇଛନ୍ତି–‘ଗଣିତ ଶିକ୍ଷା ମୋ ପକ୍ଷରେ ଗୌରୀଶଙ୍କର ଶୃଙ୍ଗ ଆରୋହଣ ସଦୃଶ୍ୟଥିଲା ।’ ତଥାପି ଉଚ୍ଚ ଶିକ୍ଷା ନିମିତ୍ତ ତାଙ୍କର ଆଶା ବଳବତୀ ରହିଥିଲା ।

 

ଏଭଳି ଦୁଃଖ, ନିରାଶ ଏବଂ ଅଭାବରେ ଅଗ୍ନିକୁଣ୍ଡ ଭିତରେ ଦଗ୍ଧ ହେଉ ହେଉ ୧୮୯୯ ସାଲରେ ଜଣେ ଦୟାଳୁ ହେଡ଼୍‍ମାଷ୍ଟର ମାସିକ ଅଠର ଟଙ୍କାରେ ନିଜ ସ୍କୁଲ୍‍ରେ ତାକୁ ସହକାରୀରୂପେ ଗ୍ରହଣ କଲେ । ଏଇ କାର୍ଯ୍ୟରେ ସେ ସନ୍ତୁଷ୍ଟ ନଥିଲେବି ତାଙ୍କ ପରିବାରର ଆର୍ଥିକ ଅବସ୍ଥାରେ ସାଧାରଣ ଉନ୍ନତି ଦେଖା ଦେଇଥିଲା । ସେଇଠୁ ତାଙ୍କ ଶିକ୍ଷକଜୀବନର ଆରମ୍ଭ ହୁଏ ଏବଂ ତାଙ୍କର ଚାକିରି ଜୀବନ ଶିକ୍ଷା କ୍ଷେତ୍ରରେହିଁ କଟେ । ୧୯୦୪ରେ ସେ ଏଲାହାବାଦ ଟ୍ରେନିଙ୍ଗ୍ କଲେଜରୁ ଜେ.ସି.ଟି ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲେ ଏବଂ ସେଇ କଲେଜର ପ୍ରିନ୍‌ସିପାଲ ମହୋଦୟ ତାଙ୍କ ଉପରେ ଗଭୀର ପ୍ରୀତ ହୋଇ ତାଙ୍କୁ କଲେଜ ମଡ଼େଲ ସ୍କୁଲ୍‍ର ହେଡ଼୍‍ମାଷ୍ଟର ନିଯୁକ୍ତ କଲେ । ୧୯୦୮ରେ ସେ ସ୍କୁଲ୍ ସମୂହର ସବ୍‌ଇନ୍‌ସପେକ୍ଟର ପଦକୁ ଉନ୍ନୀତ ହେଲେ । ୧୯୧୦ ଯେତେବେଳେ ଗଣିତ ଐଚ୍ଛିକ ବିଷୟ ହେଲା ସେ ଆଇ.ଏ. ଏବଂ ପରେ ପରେ ବି.ଏ. ପରୀକ୍ଷା ଦେଇ ପାସ୍‍କଲେ ।

 

ପିଲାଦିନୁ ଗଳ୍ପ ଉପନ୍ୟାସ ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ଥାଏ । ସେ ଯେତେ ଗଳ୍ପ ଉପନ୍ୟାସ ପାଆନ୍ତି ସଙ୍ଗେ ସଙ୍ଗେ ପଢ଼ି ଶେଷ କରି ଦିଅନ୍ତି । କ୍ରମଶଃ ଗଳ୍ପ ଉପନ୍ୟାସ ଲେଖା ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଜାତ ହୁଏ ଏବଂ ସେ ଲେଖନୀ ଚାଳନା କରନ୍ତି । ୧୯୦୧ ସାଲରେ ଉର୍ଦ୍ଦୁ ଭାଷାରେ ତାଙ୍କର ପ୍ରଥମ ଉପନ୍ୟାସ ‘‘ହମ୍‌ ଖୁରମା ହମ୍‌ ସବାବ୍‌’’ ଧନପତ୍‌ରାୟଙ୍କ ନାମରେ ପ୍ରକାଶିତ ହୁଏ ଏବଂ ୧୯୦୮ ସାଲରେ ତାଙ୍କର ପ୍ରଥମ ଉର୍ଦ୍ଦୁ କାହାଣୀ ସଂଗ୍ରହ ‘‘ସୋଜେବତନ୍‌’’ ନବାବରାୟଙ୍କ ନାମରେ ଆତ୍ମପ୍ରକାଶ କରେ । ସୋଜେବତନ୍‌ର ପ୍ରତ୍ୟେକଟି କାହାଣୀ ଉଜ୍ଜ୍ୱଳ ଦେଶପ୍ରେମର ପ୍ରତୀକ । ସୁତରାଂ ସରକାର ତାଙ୍କର ସେଇ ବହିଟିକୁ ବାଜ୍ୟାପ୍ତ କରି ନେଲେ । ପ୍ରେମଚନ୍ଦ କିନ୍ତୁ ସେତେବେଳେ ସରକାରୀ ଚାକିରିରେ ଥିଲେ ବୋଲି କୌଣସି ପ୍ରକାରେ କଠିନ ଦଣ୍ଡରୁ ମୁକ୍ତି ପାଇଗଲେ । କିନ୍ତୁ ଭବିଷ୍ୟତରେ ଏଭଳି ଲେଖା ନ ଲେଖିବାପାଇଁ ତାଙ୍କୁ କଠୋର ଚେତାବନୀ ମିଳିଲା । ଏହାଦ୍ୱାରା ସେ ଗଭୀର ଦୁଃଖିତ ଏବଂ ବ୍ୟଥିତ ହୋଇ ଉଠିଥିଲେ । ‘ନବାବରାୟ’ ପଦବୀ ଛାଡ଼ି ବର୍ତ୍ତମାନ ‘ପ୍ରେମଚନ୍ଦ’ ଛନ୍ଦ୍ମନାମ ତଳେ ସେ ଲେଖନୀ ଚାଳନା କଲେ । ଛଦ୍ମନାମ ତମେ ଏଭଳି ଲେଖନୀ ଚାଳନା କରିବାପାଇଁ କେତେ ପରିମାଣରେ ସେ ‘ଜମାନା’ ସମ୍ପାଦକ ଶ୍ରୀ ଦୟାନାରାୟଣ ନିଗମଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ । ୧୯୦୫ ସାଲରେ ତାଙ୍କର କାନ୍‌ପୁର ରହଣିକାଳରେ ଶ୍ରୀ ନିଗମଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ହୁଏ । ଶ୍ରୀ ନିଗମ ଯଦିଓ ବୟସରେ ପ୍ରେମଚନ୍ଦଙ୍କଠାରୁ ଛୋଟ ଥିଲେ ତଥାପି ସେ ଥିଲେ ପ୍ରେମଚନ୍ଦଙ୍କର ପରମ ହିତୈଷୀ । ଶ୍ରୀ ନିଗମଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସିବାରେଇ ପ୍ରେମଚନ୍ଦଙ୍କ ସାହିତ୍ୟିକ ଜୀବନରେ ମୂଳଭିତ୍ତି ପଡ଼ିଥିଲା ।

 

ପ୍ରେମଚନ୍ଦଜୀଙ୍କର ସାହିତ୍ୟିକ ଜୀବନ ଏଭଳି ବିକଶି ଉଠୁଥିବାବେଳେ ଏଆଡ଼େ ପାରିବାରିକ ଜୀବନ ଅଧିକ ଖରାପ ହୋଇ ପଡ଼ୁଥାଏ । ପହିଲୁ ତାଙ୍କ ପ୍ରତି ତାଙ୍କ ସ୍ତ୍ରୀଙ୍କର ଏତେଟିକେ ସ୍ନେହ ସରାଗ ନଥାଏ, ଶେଷରେ ସ୍ତ୍ରୀଙ୍କ ସହିତ ପ୍ରେମଚନ୍ଦଙ୍କର ମନ ଆଦୌ ମିଳିଲା ନାହିଁ । ବାଧ୍ୟ ହୋଇ ସେ ନିଜ ସ୍ତ୍ରୀଙ୍କୁ ଚିରଦିନ ଲାଗି ତାଙ୍କ ବାପ ଘରକୁ ପଠାଇଦେଲେ । ଦ୍ୱିତୀୟ ଥରପାଇଁ ସେ ପୁଣି ବିବାହ କଲେ ଶ୍ରୀମତୀ ଶିବରାନୀ ଦେବୀଙ୍କ ସହିତ । ଶିବରାନୀ ଥିଲେ ବାଳବିଧବା । ପ୍ରେମଚନ୍ଦ କିନ୍ତୁ ତତ୍‌କାଳୀନ ସମାଜର ମାନ୍ୟତା ପ୍ରତି ବେଖାତିର ପ୍ରଦର୍ଶନପୂର୍ବକ ବିଧବାବିବାହ କରି ନିଜର ସାହସ ତଥା ଆତ୍ମବିଶ୍ୱାସର ଅଗାଧ ପରିଚୟ ଦେଇଥିଲେ । ପ୍ରେମଚନ୍ଦ ଏଥର ନିଜର ମନଲାଖି ପତ୍ନୀଟିଏ ପାଇ ବିଶେଷ ସୁଖୀ ହେଲେ । ଶିବରାନୀ ଦେବୀଙ୍କର ତ୍ୟାଗ ଏବଂ ଧୈର୍ଯ୍ୟବଶତଃ ପ୍ରେମଚନ୍ଦଙ୍କ ସାହିତ୍ୟ ପଲ୍ଲବିତ ହୋଇ ଉଠିଲା । ଦ୍ୱିତୀୟ ବିବାହ କରି ସୁଖୀ ହୋଇ ପାରିଥିଲେ ମଧ୍ୟ ପ୍ରଥମା ପତ୍ନୀଙ୍କ ସହିତ ତାଙ୍କର ବିଚ୍ଛେଦ ତାଙ୍କୁ ବିଶେଷ ବାଧିଲା । ଶେଷରେ ପ୍ରେମଚନ୍ଦ ଜୀବନବ୍ୟାପୀ ନିଜ ପ୍ରଥମା ପତ୍ନୀଙ୍କର ଭରଣପୋଷଣର ଭାର ଗ୍ରହଣ କରିଥିଲେ ।

 

୧୯୧୪ ବେଳକୁ ପ୍ରେମଚନ୍ଦଙ୍କ ମନ କେତେଜଣ ସଙ୍ଗୀଙ୍କ ପ୍ରଭାବରୁ ହିନ୍ଦୀ ସାହିତ୍ୟ ଆଡ଼କୁ ଆକୃଷ୍ଟ ହୁଏ । ଏଥର ସେ ହିନ୍ଦୀରେ ଗଳ୍ପ ଉପନ୍ୟାସ ଲେଖିବା ଆରମ୍ଭ କଲେ ଏବଂ ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବାକୁ ଲାଗି ପଡ଼ିଲେ ।

 

ଜନଜାଗରଣର ନୂତନ ଯୁଗ ୧୯୨୧ରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ସେ ନିଜର ସାଧନା କ୍ଷେତ୍ରକୁ ଓହ୍ଲାଇ ଆସିଲେ । ୧୯୨୩ର ପ୍ରକାଶକମାନଙ୍କର ଶୋଷଣରୁ ମୁକ୍ତିଲାଭ କରିବାପାଇଁ ବନାରସଠାରେ ସରସ୍ୱତୀ ପ୍ରେସ୍‌ ସ୍ଥାପନ କଲେ । ଏଭଳି ଏକ ଦୁଃସାହସିକ କାର୍ଯ୍ୟରେ ହାତ ତାଙ୍କୁ ଖୁବ୍‌ ପରିଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା । ୧୯୩୦ରେ ପ୍ରେମଚନ୍ଦ ନିଜ ସମ୍ପାଦନାରେ ସାହିତ୍ୟ ପତ୍ର ‘ହଂସ’ ସରସ୍ୱତୀ ପ୍ରେସ୍‌ରୁ ପ୍ରକାଶ କଲେ । ଏହାଦ୍ୱାରା ନବୀନ ଲେଖକମାନଙ୍କୁ ପ୍ରୋତ୍ସାହ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ସତ୍‌ପରାମର୍ଶ ଦେଇ ଏକ ସଶକ୍ତ ସାହିତ୍ୟିକ ଆନ୍ଦୋଳନ ଆରମ୍ଭ କଲେ । ‘ହଂସ’ ସାଙ୍ଗକୁ ସାପ୍ତାହିକ ‘ଜାଗରଣ’ବି ଯେତେବେଳେ ପ୍ରକାଶ ପାଇଲା, ସେତେବେଳେ ପ୍ରେମଚନ୍ଦଙ୍କର କର୍ମ କୁଶଳତା ଖୁବ୍‌ ଚମକି ଉଠିଥିଲା । ‘ହଂସ’ ପୂର୍ବରୁ ‘ମାଧୁରୀ’ର ସମ୍ପାଦନା ମଧ୍ୟ ସେ ଗ୍ରହଣ କରିଥିଲେ ।

 

୧୯୩୪ରେ ବାର୍ଷିକ ଆଠ ହଜାର ଟଙ୍କାର କଣ୍ଟ୍ରାକ୍ଟରେ ଅଜନ୍ତା ମୋଭିଟୋନ୍‌ରେ କାର୍ଯ୍ୟ କରିବାପାଇଁ ସେ ବମ୍ବେ ଗଲେ । ବମ୍ବେରେ ତାଙ୍କର ସ୍ୱାତନ୍ତ୍ର୍ୟ ଲୋପ ପାଇବାକୁ ଲାଗିଲା । ସେ ଚଳଚ୍ଚିତ୍ର ସଂସାରର ସର୍ବନାଶୀସ୍ୱରୂପକୁ ଚିହ୍ନିବାର ସୁଅବସର ପାଇଲେ । ଅନୁତପ୍ତ ପ୍ରାଣରେ କୌଣସି ପ୍ରକାରେ ସେଠାରେ ବର୍ଷେ କାର୍ଯ୍ୟ କରି, ବାଧ୍ୟ ହୋଇ ପୁଣି ବନାରସ ଫେରି ଆସିଲେ । ଏତିକିବେଳେ ତାଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ ‘ଗୋଦାନ’ ସେ ଲେଖୁଥାନ୍ତି । ନିଜର ଅକ୍ଳାନ୍ତ ସାଧନା, ଅଦମ୍ୟ ନିଷ୍ଠା ଏବଂ ଅଗାଧ ବିଶ୍ୱାସକୁ ନେଇ ‘ଗୋଦାନ’କୁ ସେ ଭାରତୀୟ କୃଷକ ଜୀବନର ଏକ ମହାକାବ୍ୟ କରି ତୋଳିଲେ । ୧୯୩୬ରେ ଗୋଦାନ ପ୍ରକାଶିତ ହେଲା । ଗୋଦାନ ଛାପାହୋଉଥିବା ସମୟରେ ରୋଗରେ ପଡ଼ି ସେ ଶେଯ ଧରିଲେ । ସେ କିନ୍ତୁ ଏଡ଼େ ନିରଳସ ଏବଂ ଏଡ଼େ କର୍ମ ତତ୍ପର ଯେ, ଗୋଦାନ ଛାପୁ ଛାପୁ ରୋଗ ଶଯ୍ୟାରେ ଶୋଇ ମଧ୍ୟ ଆଉ ଏକ ଉପନ୍ୟାସ ‘ମଙ୍ଗଳସୂତ୍ର’ ଲେଖିବା ଆରମ୍ଭ କରିଦେଲେ ।

 

ସ୍କୁଲ୍ ସମୂହର ଇନ୍‌ସପେକ୍ଟର ପଦରେ ହମୀରପୁର ଜିଲ୍ଲାରେ ତାଙ୍କର ଲମ୍ବା ପ୍ରବାସ ସାହିତ୍ୟ ଚର୍ଚ୍ଚା ଲାଗି ଯେଭଳି ଉର୍ବର ସିଦ୍ଧ ହୋଇଥିଲା ସେଇଭଳି ତାଙ୍କ ସ୍ୱାସ୍ଥ୍ୟ ପକ୍ଷେ ପ୍ରତିକୂଳ ହୋଇ ଉଠିଥିଲା ମଧ୍ୟ ଏବଂ ସେଇଠୁ ତାଙ୍କର ଯେଉଁ ପେଟ ବେମାରି ଆରମ୍ଭ ହୋଇଥିଲା ତା’ର ସର୍ବନାଶୀସ୍ୱରୂପ ୧୯୩୬ ଅକ୍ଟୋବର ୮ ତାରିଖରେ ପ୍ରସ୍ଫୁଟିତ ହୋଇ ଉଠିଲା । ୫୬ ବର୍ଷ ବୟସରେ କଥା ସମ୍ରାଟ ପ୍ରେମଚନ୍ଦ ହିନ୍ଦୀ ସାହିତ୍ୟ ସଂସାରକୁ ଶୋକ ସାଗରରେ ଭସାଇ ଦେଇ ସେଇଦିନ ସଂସାରରୁ ବିଦାୟ ନେଲେ । ତାଙ୍କର ‘ମଙ୍ଗଳସୂତ୍ର’ ଅଧୁରା ରହିଗଲା ।

 

ଗଳ୍ପ ଉପନ୍ୟାସ ସାଙ୍ଗକୁ ନାଟକ, ଜୀବନୀ, ପ୍ରବନ୍ଧ, ଶିଶୁ ସାହିତ୍ୟ ସୃଷ୍ଟି କରିବାରେ ମଧ୍ୟ ସେ ନିଜର ଉଜ୍ଜ୍ୱଳ ପ୍ରତିଭା ପ୍ରକାଶ କରି ଯାଇଛନ୍ତି । ବିଶ୍ୱ ସାହିତ୍ୟର କେତେକ ଅମୂଲ୍ୟ ଗ୍ରନ୍ଥକୁ ସେ ହିନ୍ଦୀ ଭାଷାରେ ଅନୁବାଦ କରି ଯାଇଛନ୍ତି ମଧ୍ୟ ।

 

ବର୍ତ୍ତମାନ ଶ୍ରୀ ଅମୃତ ରାୟ ଓ ଶ୍ରୀ ଶ୍ରୀପତ୍‌ରାୟ ତାଙ୍କର ଦୁଇ ପୁତ୍ର ଜୀବିତ ଅଛନ୍ତି । ଉଭୟେ ସାହିତ୍ୟିକ ।

Image

 

କଫନ୍‌

 

କୁଡ଼ିଆ ଦୁଆରେ ବାପ ପୁଅ ଉଭୟେ ଗୋଟିଏ ଲିଭିଲା ଉହ୍ମେଇ ଆଗରେ ଚୁପ୍‌ଚାପ୍‌ ବସିଥାନ୍ତି । ଘର ଭିତରେ, ଯୁବତୀ ପୁତ୍ରବଧୂ ବୁଧିଆ ପ୍ରସବବେଦନାରେ କଲବଲ ହେଉଥାଏ । ରହି ରହି ତା’ ମୁହଁରେ ଏଭଳି ହୃଦୟବିଦାରକ ଧ୍ୱନି ଭାସି ଆସୁଥାଏ । ଯେ ବାପ ପୁଅ ଉଭୟେ ଶିହରି ଉଠନ୍ତି । ନିସ୍ତବ୍ଧ ଶୀତରାତି । ଅନ୍ଧକାର ଭିତରେ ସାରା ଗାଁଟି ଅଦୃଶ୍ୟ ହୋଇଯାଇଥାଏ ।

 

ଘିସୁ କହିଲା–‘‘ଜଣା ଯାଉଚି ସେ ଆଉ ବଞ୍ଚିବନି । ଚାହୁଁଚାହୁଁ ତ ସାରା ଦିନଟି ଗଲା । ଟିକେ ଯାଇ ଦେଖି ଆସିଲୁ ?’’

 

ମାଧୋ ଚିଡ଼ି କହିଲା–ମରିବା କଥା ତ ଶୀଘ୍ର ମରି ଯାଉନି କାହିଁକି ? ଦେଖି ଆଉ କରିବି କ’ଣ ?

 

–‘‘ତୁ ବଡ଼ ନିଷ୍ଠୁର । ବର୍ଷସାରା ଯାହା ସହିତ ସୁଖ ଶାନ୍ତିରେ ଚଳି ଆସିଲୁ, ତା’ ପାଖରେ ତୁ ଏଡ଼େ ନିଷ୍ଠୁର ହୋଇ ପାରୁଛୁ ?’’

 

–‘‘ତେବେ କଲବଲ ସାଙ୍ଗକୁ ତା’ର ସେହି ହାତଗୋଡ଼ କଚଡ଼ା ମୋଦ୍ୱାରା ଆଉ ଦେଖି ହେବନି ।’’

 

ଗାଁ ଭିତରେ, ଚମାର ପରିବାରଟିର ଖୁବ୍‌ ବଦନାମ । ଘିସୁ ଦିନେ କାମ କଲେ ତିନି ଦିନ ଆରାମ ନିଏ । ମାଧୋଟା ଏଡ଼େ କାମଚୋର ଯେ, ଅଧଘଣ୍ଟାଏ କାମକଲା ତ ଘଣ୍ଟାଏ ବସି ଚିଲମ ଟାଣିବ । ଏଇ କାରଣରୁ ସେମାନଙ୍କୁ କେଉଁଠି ହେଲେ ମଜୁରୀ ଖଟିବାକୁ ମିଳୁ ନଥିଲା । ଖାଇବାପାଇଁ ଘରେ ଯଦି ମୁଠାଏ ଶସ୍ୟ ଅଛି ତ ଏମାନେ କଦାପି କାମକୁ ଯାଆନ୍ତିନି । ଭୋକ ଉପାସରେ ଯେତେବେଳେବି ଚାରିଦିନ କଟିଯାଏ ସେତେବେଳେ ଘିସୁ କୌଣସି ଗଛରେ ଚଢ଼ି କାଠ ଭାଙ୍ଗିଆଣେ ଏବଂ ମାଧୋ ବଜାରକୁ ଯାଇ ସେଗୁଡ଼ିକୁ ବିକେ ଓ ଯେତେ ଦିନ ଯାଏଁ ପଇସା ପାଖରେ ରହେ, ସେ ଯାଏଁ ଦୁହେଁ ଅଯଥା ଏପଟ ସେପଟ ଘୂରି ବୁଲନ୍ତି । ପୁଣି ଯେତେବେଳେ ଭୋକ ଉପାସର ସମୟ ଆସିଯାଏ, ଫେର୍‌ ସେତେବେଳେ ସେମାନେ କାଠ ଭାଙ୍ଗି ଯାଆନ୍ତି କିମ୍ବା ଚାକିରି ଖୋଜି ବୁଲନ୍ତି ।

 

କରିବାପାଇଁ ଗାଁରେ କମ୍‌ କାମ ନଥିଲା । କୃଷକମାନଙ୍କର ଗାଁ, ପରିଶ୍ରମୀ ଲୋକପାଇଁ ପଚାଶ ରକମର କାମ । ତଥାପି ଗୋଟାଏ ଲୋକର କାର୍ଯ୍ୟ ଦୁଇଜଣ ଲୋକଠାରୁ ଆଦାୟ କରି ସନ୍ତୋଷ ଲାଭ କରିବା ଛଡ଼ା ଯେ ଲୋକର ଆଉ ଅନ୍ୟ ଉପାୟ ନଥାଏ, ସେ ଆସି ଏ ଦୁହିଁଙ୍କୁ ଡାକେ । ଉଭୟେ ଯଦି ସାଧୁ ମଣିଷ ହୋଇଥାନ୍ତେ ତାହାହେଲେ ସନ୍ତୋଷ ଆଉ ଧୈର୍ଯ୍ୟ ନିମିତ୍ତ, ସଂଯମ ଆଉ ନୀତି ନିୟମର ଆବଶ୍ୟକତା ସେମାନଙ୍କ ପାଇଁ ବିଲ୍‌କୁଲ୍‌ ନଥାନ୍ତା । ଏହା କିନ୍ତୁ ସେମାନଙ୍କର ପ୍ରକୃତିଗତ ଥିଲା । ବଡ଼ ବିଚିତ୍ର ଜୀବନ ସେମାନଙ୍କର । ଘରେ ଦି’ ଚୋରାଟି ମାଟି ବାସନକୁ ଛାଡ଼ି ଦେଲେ ଆଉ କିଛି ନଥିଲା । ଫଟା ଚିରାକୁ ଆଶ୍ରୟ କରି, ନିଜର ନଗ୍ନତା ସମ୍ଭାଳି ସେମାନେ କୌଣସି ପ୍ରକାରେ ଚଳି ଯାଇଥିଲେ । ସଂସାରର କୌଣସି ଚିନ୍ତା ସେମାନଙ୍କର ନଥିଲା-। ଅଥଚ ମୁଣ୍ଡ ଉପରେ ୠଣର ଗୋଟିଏ ବଡ଼ ବୋଝ ଲଦି ହୋଇ ରହିଥାଏ । ଗାଳି ଖାଇ, ମାଡ଼ ଖାଇବି ସେମାନଙ୍କର ଏତେ ଟିକେ ଦୁଃଖ ନଥାଏ । ସେମାନେ ଏଡ଼େ ଗରିବ ଥିଲେ ଯେ, ସେମାନଙ୍କଠାରୁ ପଇସା ଆଦାୟ କରିବା ଏତେ ଟିକେ ଆଶା ନ ଦେଖିବି ଲୋକେ ତାଙ୍କୁ କରଜ ଦେଉଥିଲେ । ମଟର ଆଉ ଆଳୁର ଫସଲ ସମୟରେ ସେମାନେ ଅନ୍ୟମାନଙ୍କର ଖେତରେ ପଶି ମଟର କିମ୍ବା ଆଳୁ ନେଇ ଆସନ୍ତି ଏବଂ ପୋଡ଼ି ଖାଆନ୍ତି । ବେଳେବେଳେ ପାଞ୍ଚ ଦଶଖଣ୍ଡ ଆଖୁ କେଉଁଠୁଁ ଉପାଡ଼ି ଆଣି ରାତିରେ ଚୋବେଇବସନ୍ତି । ଏଇଭଳି ଆକାଶୀ–ବୃତ୍ତି ଅବଲମ୍ବନ କରି ଘିସୁ ଜୀବନରେ ଷାଠିଏଟି ବରଷ କଟି ଯାଇଥାଏ ଏବଂ ମାଧୋବି ସୁପୁତ୍ର ଭଳି ପିତାଙ୍କ ପଥ ଅନୁସରି ଚାଲିଥାଏ; ଏପରିକି ପିତାଙ୍କର ନାମଟିକୁ ଦୀପ୍ତିମୟ କରି ଚାଲିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନର ଏଭଳି ଅସମୟ ସମୟରେ ସେମାନେ ଉହ୍ମେଇ ପାଖରେ ବସି, କାହା ଖେତରୁ ଖୋଳି ନେଇ ଆସିଥିବା ଆଳୁ ପୋଡ଼ୁଥାଆନ୍ତି ।

 

ଘିସୁର ସ୍ତ୍ରୀ ମରି ଯାଇଥିଲା ବହୁ ଦିନରୁ । ମାଧୋ ବିବାହ କରିଥିଲା ଗତ ବର୍ଷ । ମାଧୋର ସ୍ତ୍ରୀ ଏ ଘରେ ପାଦ ଦେବା ଦିନଠାରୁ, ତାଙ୍କ ବଂଶର ଯଥାଯଥ କିଛି ଗୋଟିଏ ଅବସ୍ଥା ଲାଗି ଗୋଟିଏ ମୂଳଦୁଆ ପକାଇଥିଲା । କାହାର କେଉଁଠି କିଛି ପେଷାପେଷି କରି କିମ୍ବା ଘାସ କାଟି କୌଣସି ପ୍ରକାରେ ସେରେ ଅଧସେରେ ଅଟାର ବ୍ୟବସ୍ଥା କରି, ଏ ଦୁଇ ଅଳସୁଆଙ୍କର ପେଟ ଭରି ଆସୁଥିଲା । ସେ ଆସିବା ଦିନଠାରୁ ଏ ଦୁହେଁ ଅଧିକ ଆଳସ୍ୟପରାୟଣ ଏବଂ ଆରାମ ବିଳାସୀ ହୋଇ ଉଠିଥିଲେ । ଏପରିକି ଏମାନଙ୍କୁ ଟିକେ ଗର୍ବବି ଛୁଇଁ ସାରିଥିଲା । କେହି ଯଦି କାମ କରିବାକୁ ଡାକେ ତ ଏମାନେ ବିନା ବିଚାରରେ ଦୁଇ ଗୁଣ ପଇସା ମାଗି ବସୁଥିଲେ । ସେଇ ସ୍ତ୍ରୀ, ଆଜି ପ୍ରସବବେଦନାରେ ମରୁଥିବାବେଳେ ଏ ଦୁହେଁ ସେ ମରିଗଲେ କିପରି ଆରାମରେ ଶୋଇବେ ବୋଲି ଯେପରି କି ଅପେକ୍ଷା କରି ରହିଛନ୍ତି ।

 

ଘିସୁ ଉହ୍ମେଇ ଭିତରୁ ଆଳୁ ବାହାର କରି ଚୋପା ଛଡ଼ଉ ଛଡ଼ଉ କହିଲା–‘‘ଯାଇ ଦେଖି ଆସ ତ ବର୍ତ୍ତମାନ ସେ କି ଅବସ୍ଥାରେ ଅଛି ? ଜଣା ଯାଉଛି ଭୂତ କିମ୍ବା ଡାହାଣୀର ପ୍ରଭାବରୁ ଏହା ଘଟିଚି ନିଶ୍ଚୟ । ନାହିଁ ତ ଆଉ କ’ଣ ? ଏଆଡ଼େ କ’ଣ ନା ଗୁଣିଆ ଟଙ୍କାଏ ମାଗୁଚି ।’’

 

ମାଧୋ ଭୟ କରୁଥିଲା, ସେ ଯଦି ଘର ଭିତରକୁ ଚାଲିଯାଏ, ତାହାହେଲେ ଘିସୁ ଆଳୁଗୁଡ଼ିକ ଭିତରୁ ଗୋଟାଏ ବଡ଼ ଭାଗ ହୁଏତ ସଫା କରିଦେବ । କହିଲା–‘‘ସେଠାକୁ ଯିବାପାଇଁ ମତେ ଡର ମାଡ଼ୁଛି ।’’

 

–‘‘ଡର ଗୋଟାଏ କ’ଣ ? ମୁଁ ତ ଏଇଠି ଅଛି !’’

 

–‘‘ତାହାହେଲେ, ତମେ ଯାଇ ଟିକେ ଦେଖି ଆସୁନା ?’’

 

–‘‘ମୋ ସ୍ତ୍ରୀର ମୃତ୍ୟୁବେଳକୁ, ମୁଁ କିନ୍ତୁ ତିନି ଦିନ ଯାଏଁ ତା’ର ପାଖ ଛାଡ଼ି ନଥିଲି । ଆଚ୍ଛା, ମତେ ଦେଖି ବୁଧିଆ ଲାଜ କରିବନି ? ଯାହାର ମୁହଁ ମୁଁ ଏଯାଏଁ ଦେଖିନି, ଫେର୍‌ ଆଜି ମୁଁ ତା’ର ନଗ୍ନ ବଦନ ଦେଖିବି ! ନିଜର ଶରୀର ବିଷୟ ନେଇ ମଧ୍ୟ ତା’ର ଏତେ ଟିକେ ଜ୍ଞାନ ନଥିବ ! ଏ ଅବସ୍ଥାରେ ସେ ଯଦି ମତେ ଦେଖିନିଏ, ତାହାହେଲେ ମୁକ୍ତ ଭାବରେ ହାତଗୋଡ଼ କଚାଡ଼ିବା ବନ୍ଦ କରି ଦେବେ !’’

 

‘‘ଆଚ୍ଛା ମୁଁ ଭାବୁଚି–ପିଲାଝିଲା ଗୋଟାଏ ଯଦି ଜନ୍ମ ହେଇଯାଏ ତେବେ କ’ଣ କରିବା ? ଶୁଣ୍ଠି, ଗୁଡ଼, ତେଲ ଆଦି କିଛି ହେଲେ ତ ଘରେ ନାହିଁ ।’’

 

–‘‘ସବୁ କିଛି ଆସିଯିବ । ଭଗବାନ କରନ୍ତି ଯଦି, ଯେ ଆମକୁ ଆଜି ପଇସାଟିଏ ଦେବାକୁ କୁଣ୍ଠାବୋଧ କରୁଛି କାଲି ସେ ଆମକୁ ଡାକି ନଗଦ ଟଙ୍କା ଦେବ ! ମୋର ନଅଟି ପୁଅ ହୋଇଥିଲେ । ଘରେ କିଛି ବୋଇଲେ କିଛି ନଥିଲା । ଭଗବାନ କୌଣସି ପ୍ରକାରେ ଗୋଟାଏ କୂଳରେ ନେଇ ଲଗାଇଲେ ତ !’’

 

ସମାଜରେ ଦିନରାତି ପରିଶ୍ରମ କରିବା ଲୋକଙ୍କ ଅବସ୍ଥା ଏମାନଙ୍କ ଅପେକ୍ଷା ସେତେ ଅଧିକ ଭଲ ନଥିଲା ଏବଂ ଯେଉଁ ସମାଜରେ ସାହୁକାର, ମହାଜନ କୃଷକମାନଙ୍କର ଦୁର୍ବଳତା ଉପରେ ଲାଭ ଉଠାଇ ନିଜ ଅବସ୍ଥାକୁ କୌଣସି ପ୍ରକାରେ ଭଲ ରଖିପାରିଥିଲେ, ସେଇ ସମାଜରେ ଏଭଳି ମନୋବୃତ୍ତି ଜନ୍ମଦେବା କିଛି ଆଶ୍ଚର୍ଯ୍ୟ ନଥିଲା । ମୁଁ ତ କହିବି ଘିସୁ କୃଷକମାନଙ୍କ ଅପେକ୍ଷା ଅଧିକ ବିଚାରବାନ୍‌ ଥିଲା ଏବଂ ବିଚାରଶୂନ୍ୟ କୃଷକମଣ୍ଡଳୀରେ ଯୋଗ ନ ଦେଇ ମଦୁଆମାନଙ୍କର କୁତ୍ସିତ ମଣ୍ଡଳୀରେ ଯୋଗ ଦେଇଥିଲେ । କିନ୍ତୁ ସେହି ମଦୁଆମାନଙ୍କ ନୀତି ନିୟମ ପାଳନ କରିବାର ଶକ୍ତି ତା’ଠାରେ ନଥିଲା । ସୁତରାଂ ଯେଉଁଠି ଏଇ କୁତ୍ସିତ ମଣ୍ଡଳୀର ଲୋକେ ସରପଞ୍ଚ କିମ୍ୱା ଅନ୍ୟ କୌଣସି ମୁଖ୍ୟ ସ୍ଥାନ ଅଧିକାର କରିପାରୁଥିଲେ, ସେଇଠି ସେ ଘୃଣାର ପାତ୍ର ଥିଲା । ତଥାପି ତା’ର ଏଇ ଜ୍ଞାନ ଥିଲା ଯେ, ଯଦିଓ ତା’ର ଅବସ୍ଥା ଖରାପ, ତାକୁ କୃଷକମାନଙ୍କ ଭଳି ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ୁ ନଥିଲା ଏବଂ ତା’ର ସରଳତା ଆଉ ନିରୀହତାକୁ ନେଇ ଅନ୍ୟମାନେ ଅନାବଶ୍ୟକ ଲାଭ ଉଠାଇ ପାରୁ ନଥିଲେ ।

 

ଉଭୟେ ଉହ୍ମେଇ ଭିତରୁ ଆଳୁ ବାହାର କରି ତତଲା ଅବସ୍ଥାରେ ଖାଇବାକୁ ଲାଗିଲେ । କାଲିଠାରୁ ସେମାନେ କିଛି ଖାଇ ନଥାନ୍ତି । ସେଗୁଡ଼ିକୁ ଥଣ୍ଡା କରି ଖାଇବାପାଇଁ ସେମାନଙ୍କର ଏତେ ଟିକେ ଧୈର୍ଯ୍ୟ ନଥାଏ । ଅନେକ ଥର ସେମାନଙ୍କର ଜିଭ ପୋଡ଼ିଗଲା । ଚୋପା ବାହାର କରି ଦିଆଯିବା ପରେ ଆଳୁର ବାହାର ଅଂଶ ବିଶେଷ ଗରମ ବୋଧ ହେଉ ନଥାଏ; କିନ୍ତୁ ଦାନ୍ତ ତଳେ ପଡ଼ୁ ପଡ଼ୁ ଆଳୁ ଭିତରର ତପ୍ତ ଅଂଶ ଜିଭ, ତାଳୁ ଆଉ ତଣ୍ଟିକୁ ପୋଡ଼ି ପକାଉଥିଲା । ସୁତରାଂ ସେଇ ଉତ୍ତପ୍ତ ଆଳୁଗୁଡ଼ିକୁ ମୁହଁରେ ରଖୁ ରଖୁ ଗିଳି ଦେବାରେହିଁ ଅଧିକ ନିରାପଦ ବୋଧ ହେଉଥିଲା । କାରଣ ଆଳୁଗୁଡ଼ିକୁ ଥଣ୍ଡା କରିବାପାଇଁ ସେମାନଙ୍କର ପେଟ ଭିତରେ ଯଥେଷ୍ଟ ସାମଗ୍ରୀ ଥିଲା । ଏଣୁ ସେଗୁଡ଼ିକୁ ସେମାନେ ଜଲଦି ଜଲଦି ଗିଳି ଯାଉଥାନ୍ତି । ଏ ପ୍ରଚେଷ୍ଟାରେ ସେମାନଙ୍କ ଆଖିରୁ ଲୁହ ବୋହି ଯାଉଥାଏ ।

 

ଠିକ୍ ସେତିକିବେଳେ ଠାକୁରଘର ବିବାହୋତ୍ସବ ସମୟର ବରଯାତ୍ରୀ କଥା ଘିସୁର ମନେ ପଡ଼ିଲା । କୋଡ଼ିଏବର୍ଷ ତଳେ ସେ ସେଇ ଉତ୍ସବରେ ଯୋଗ ଦେଇଥିଲା । ସେତିକିବେଳେ ଦିଆଯାଇଥିବା ଭୋଜିରେ ସେ ଯେଉଁ ତୃପ୍ତି ଲାଭ କରିଥିଲା ତାହା ତା’ ଜୀବନର ଗୋଟାଏ ସ୍ମରଣୀୟ ଘଟଣା । ଆଜି ମଧ୍ୟ ସେଇ ସ୍ମୃତି ତାକୁ ଜୀବନ୍ତ ବୋଧ ହେଉଥିଲା । କହିଲା–‘‘ମୁଁ ଆଉ ସେ ଭୋଜି କଥା ଭୁଲି ପାରୁନି । ସେଇ ଦିନଠାରୁ ଆଉ ସେଭଳି ଭୋଜି ପେଟ ଭରି ଖାଇବାକୁ କେଉଁଠୁଁ ମିଳିନି । କନ୍ୟା ଘର ପକ୍ଷରୁ, ପେଟ ଭରି ସମସ୍ତଙ୍କୁ ପୁରି ଖାଇବାକୁ ମିଳିଥିଲା । ଛୋଟ ବଡ଼ ସମସ୍ତେ ପୁରି ଖାଇଥିଲେ । ସେ ପୁରିଗୁଡ଼ାକ ପୁଣି କି ଭଳି ଜାଣୁ ? ଖାଣ୍ଟି ଘିଅରେ ଭଜା ! ଚଟଣି, ରାଇତା, ତିନି ରକମର ଶାଗ ଭଜା, ଗୋଟାଏ ରସୁଆ ତରକାରୀ, ଦହି, ଚଟଣି, ମିଠେଇ....କେତେକଅଣ । ସେ ଭୋଜିରୁ ଯେ କି ସ୍ୱାଦ ମିଳିଥିଲା ତତେ ଆଉ କ’ଣ କହିବି ? କୌଣସିଥିରେ ଟିକେ ବୋଲି ଖୁଣିବାକୁ ନଥିଲା । ଯାହା ଯେତେ ଚାହିଁବ ମାଗ ଆଉ ଖାଅ । ଲୋକେ ଇମିତି ଖାଇଲେ......ଇମିତି ଖାଇଲେ ଯେ, ଆଉ ପାଣି ଟୋପାଏ ପିଇ ପାରିଲେ ନାହିଁ । ପରଷାଳୀ ଖଲି ଉପରେ ଗରମ, ଗରମ, ଗୋଲ୍‌ ଗୋଲ୍‌, ସୁବାସିତ, ପୁରଦିଆ ମିଠେଇ ଢାଳି ଦେଇ ଯାଉଥାନ୍ତି । ଦିଅନି ଦିଅନି ବୋଲି ଯେତେ ମନା କଲେବି ସେମାନେ ଢାଳି ଦେଇ ଯାଉଥାନ୍ତି-। ମୁହଁ ଧୋଇ ସାରିବା ପରେ ପୁଣି ସମସ୍ତଙ୍କୁ ପାନ ଅଳାଇଚ ମିଳିଲା; କିନ୍ତୁ ପାନ ଗ୍ରହଣ କରିବାପାଇଁ ମୋର ଆଉ ଜ୍ଞାନ ନଥାଏ । ମୁଁ ସେତିକିବେଳକୁ ଠିଆ ହୋଇପାରୁ ନଥିଲି-। ଚଟପଟ ଯାଇ କମ୍ବଳ ବିଛେଇ ଶୋଇଗଲି । ସେଇ ଯେଉଁ ଠାକୁର, କେଡ଼େ ଉଦାର ହୃଦୟର ସତେ-!’’

 

ମାଧୋ ମନକୁ ମନ ଉକ୍ତ ପଦାର୍ଥଗୁଡ଼ିକର ମଜା ଚାଖି ନେଇ କହିଲା–‘‘ଏବେ ଆଉ ଆମକୁ ସେଭଳି ଭୋଜି କେହି ଖୁଆଉ ନାହାନ୍ତି ତ !’’

 

–‘‘ଆଜିକାଲି କିଏ ଆଉ କ’ଣ ଖୁଆଇବ ? ସମସ୍ତେ ତ ଖର୍ଚ୍ଚକାଟ ବ୍ୟବସ୍ଥାରେ ମାତିଛନ୍ତି । ବିବାହ ଭୋଜିରେ ଖର୍ଚ୍ଚ କରନି । କ୍ରିୟାକର୍ମରେ ଖର୍ଚ୍ଚ କରନି, ଆଚ୍ଛା ପଚାରିଲୁ ଗରିବ ବାପୁଡ଼ାଙ୍କଠାରୁ ଧନ ମାରି ନେଇ କେଉଁଠି ରଖିବେ ? ମାରିନେଲାବେଳକୁ ତ କମ୍ ଅଧିକ ଜଣାଯାଉ ନାହିଁ, ଖାଲି ଖର୍ଚ୍ଚ କଲାବେଳକୁ ଜଣାଯାଉଚି ସବୁ ।’’

 

–‘‘ଆଚ୍ଛା ତମେ ସେତିକିବେଳେ କୋଡ଼ିଏଟି ପୁରି ଖାଇଥିବ ?’’

 

–‘‘କୋଡ଼ିଏଟିରୁ ଅଧିକ ଖାଇଥିଲି ।’’

 

–‘‘ମୁଁ ହୋଇଥିଲେ ପଚାଶଟିରୁ ଅଧିକ ଖାଇ ଯାଇଥାନ୍ତି !’’

 

–‘‘ପଚାଶଟିରୁ କମ୍ ମୁଁ ଖାଇ ନଥିବି । ସେତେବେଳେ ମୁଁ ମସ୍ତ ଯୁବକ ଥିଲି । ସେତିକିବେଳର ଅବସ୍ଥାକୁ ଚାହିଁଲେ ତୁ ମୋର ଅଧାବି ନହୁ ।’’

 

ଆଳୁ ଖାଇସାରି ଦୁହେଁ ପାଣି ପିଇଲେ ଏବଂ ସେଇ ଉହ୍ମେଇ ପାଖରେ ନିଜ ନିଜର ପିନ୍ଧା ଲୁଗା ଘୋଡ଼େଇ ହେଇ, ଆଣ୍ଠୁ ପେଟ ଭିତରେ ଯାକି ଶୋଇଗଲେ । ଜଣାଯାଉଥିଲା, ଯେମିତିକି ଦୁଇଟି ବଡ଼ ଅଜଗର ମଳା ବାନ୍ଧି ଶୋଇଚନ୍ତି ।

 

ଏବେସୁଦ୍ଧା ବୁଧିଆ କଲବଲ ହୋଇ କାନ୍ଦୁଥାଏ !

 

(୨)

 

ମାଧୋ ସକାଳେ ଘର ଭିତରକୁ ଯାଇ ଦେଖେ ତ ତା’ର ସ୍ତ୍ରୀ ଥଣ୍ଡା ହୋଇ ପଡ଼ିଚି । ମୁହଁ ଉପରେ ମାଛି ଭଣଭଣ ହେଉଚନ୍ତି । ଆଖି ଦୁଇଟା ଉପରକୁ ଓଲଟି ରହିଚି । ଶରୀରସାରା ଧୂଳି ଧୂସରିତ । ପେଟ ଭିତରେ ପିଲାଟି ମରିଯାଇଚି ।

 

ମାଧୋ ଘିସୁ ପାଖକୁ ଦଉଡ଼ି ଆସିଲା । ଦୁହେଁ ଖୁବ୍‌ ଛାଟିପିଟି, ରଡ଼ି ଛାଡ଼ି କାନ୍ଦିବାକୁ ଲାଗିଲେ । ପଡ଼ୋଶୀ ଲୋକେ ଏମାନଙ୍କର କାନ୍ଦବୋବାଳି ଶୁଣି, ଦଉଡ଼ି ଆସି, ପୂର୍ବପ୍ରଚଳିତ ପ୍ରଥାନୁଯାୟୀ ଆଭାଗା ଦୁହିଁଙ୍କୁ ସାନ୍ତ୍ୱନା ଦେବାକୁ ଲାଗିଲେ ।

 

ଆଉ କିନ୍ତୁ ଅଧିକ ଛେଚି ବାଡ଼େଇ ହୋଇ କାନ୍ଦିବା ଲାଗି ବର୍ତ୍ତମାନ ଅବସର ନଥିଲା । କଫନ୍‌ପାଇଁ କାଠର ପ୍ରବନ୍ଧ କରାଯିବା ଚିନ୍ତା ମନକୁ ଘାରିବାକୁ ଲାଗିଲା । ଚିଲ ବସାରୁ ମାଂସ ଅନ୍ତର୍ଦ୍ଧାନ ହୋଇଗଲା ଭଳି ଘିସୁର ଘରୁ ପଇସା କୁଆଡ଼େ ଅଦୃଶ୍ୟ ହୋଇଯାଇଥାଏ !

 

ବାପ ପୁଅ ଉଭୟେ କାନ୍ଦି କାନ୍ଦି ଗାଁ ଜମିଦାରଙ୍କ ନିକଟକୁ ଗଲେ । ସେ ଏ ଦୁହିଁଙ୍କୁ ଦେଖିଲେ ଘୃଣା କରନ୍ତି । ଅନେକ ଥର ଏମାନଙ୍କୁ ସେ ନିଜ ହାତରେ ପିଟିଛନ୍ତି ମଧ୍ୟ । କାରଣ, ଏମାନେ ଚୋରୀ କରନ୍ତି ଆଉ ଠିକ୍‌ ସମୟରେ କାମରେ ଯୋଗ ଦିଅନ୍ତିନି । ପଚାରିଲେ–‘‘କିରେ ଘିସୁଆ, ହେଲା କ’ଣ ? କାନ୍ଦୁଚୁ କାହିଁକି ? ଆଜିକାଲି ତୋର ଆଉ ଦେଖା ମିଳୁ ନାହିଁତ ! ଜଣା ଯାଉଚି, ଏ ଗାଁରେ ରହିବା ତୋର ଇଚ୍ଛା ନୁହ ।’’

 

ଘିସୁ ତଳେ ମୁଣ୍ଡ ଲଗାଇ, ଆଖିରେ ଅଶ୍ରୁ ଭରି କହିଲା–‘‘ସରକାର ! ବଡ଼ ବିପଦରେ ପଡ଼ିଚି । ମାଧୋ ଭାରିଯା ଗତ ରାତିରେ ଆମକୁ ଛାଡ଼ି ସେପୁରକୁ ଚାଲିଗଲା । କ’ଣ କହିବି ଆଜ୍ଞା ରାତିସାରା ସେ ଖୁବ୍‌ କଷ୍ଟ ପାଇଲା । ଆମେ ତା’ ପାଖରେ ଜଗି ବସିଥିଲୁ । ଓଷ ମୋଷଧି ଯାହା କରିବା କଥା କଲୁ । ତଥାପି ସେ ଆମକୁ ଦଗା ଦେଇ ଚାଲିଗଲା । ବର୍ତ୍ତମାନ ରୋଟି ଖଣ୍ଡିଏ ସେକି ଆମକୁ ଦେବାପାଇଁ ଆଉ କେହି ରହିଲେନି । ଆମେ ନଷ୍ଟ ହୋଇଗଲୁ । ଘର ଆମର ଭାଙ୍ଗିଗଲା ! ଆମେ ତ ଆପଣଙ୍କର ଗୋଲାମ ଆଜ୍ଞା ! ଆପଣଙ୍କ ବିନା ଆଉ କିଏ ତା’ର ସଂସ୍କାର ଲାଗି ସାହାଯ୍ୟ କରିବ ? ଆମ ହାତରେ ଯାହା କିଛି ଥିଲା, ସବୁ ଓଷ ମୋଷଧିରେ ଉଡ଼ିଗଲା । ଆପଣଙ୍କର ଦୟା ହେଲେ ବର୍ତ୍ତମାନ ତା’ର ଶବସଂସ୍କାର ହେବ । ଏ ପରିସ୍ଥିତିରେ ଆପଣଙ୍କ ଦୁଆରକୁ ନଆସି ଆଉ କାହା ଦୁଆରକୁ ଯାଇଥାନ୍ତୁ ?’’

 

ଜମିଦାର ଦୟାଳୁ ଲୋକ ଥିଲେ । କିନ୍ତୁ ଘିସୁ ଉପରେ ଦୟା କରିବା ଅର୍ଥ, କଳା କମ୍ବଳ ଉପରେ ରଙ୍ଗ ଚଢ଼େଇବା । ତାଙ୍କର ମନେ ହେଲା, କହିବେ ଦୂର ଯା । ଡାକିଲେବି ତ ପୁଅ ଆସୁ ନଥିଲା । ଆଜି ସିମିତିବେଳ ପଡ଼ିଚି ବୋଲି ଧାଇଁ ଆସି ଖୋସାମତ କରୁଚି । ହାରାମଖୋର, ବଦମାସ କୁଆଡ଼ିକାର ! ଏ ସମୟଟି କିନ୍ତୁ କ୍ରୋଧ ହେବା କିମ୍ବା ଦଣ୍ତ ଦେବା ସମୟ ନଥିଲା । ମନେମନେ ଚିଡ଼ି ଉଠି, ଦୁଇଟି ଟଙ୍କା ବାହାର କରି, ସେମାନଙ୍କ ଉପରକୁ ଫିଙ୍ଗିଦେଲେ । କିନ୍ତୁ ସାନ୍ତ୍ୱନା ଦେବା ଭଳି ପଦେ କଥାବି ତାଙ୍କ ମୁହଁରୁ ବାହାରିଲାନି । ସେମାନଙ୍କ ଆଡ଼କୁ ଏତେଟିକେ ଚାହିଁଲେନି ମଧ୍ୟ । ମନେ କଲେ, ଯେମିତି ତାଙ୍କ ମୁଣ୍ତ ଉପରୁ ଗୋଟାଏ ବୋଝ ଉତୁରି ଯାଇଚି ।

 

ଜମିଦାର ଯେତେବେଳେ ଦୁଇଟି ଟଙ୍କା ଦେଲେ, ଗାଁର ବଣିଆ ମହାଜନ ଅବା ମନା କରିବାପାଇଁ କି ଭଳି ସାହସ କରନ୍ତେ ? ଜମିଦାରଙ୍କ ନାମରେ କିଭଳି ପ୍ରଶଂସା ଗାନ କରାଯାଇପାରେ, ଏକଥା ଘିସୁକୁ ଭଲଭାବେ ଜଣାଥିଲା । କିଏ ଦୁଇ ଅଣା ଦେଲା ତ କିଏ ଚାରିଅଣା । ଗୋଟାଏ ଘଣ୍ଟା ମଧ୍ୟରେ ଘିସୁ ପାଖରେ ନଗଦ ପାଞ୍ଚଟଙ୍କା ଜମା ହୋଇଗଲା । କେହି କେହି ଶସ୍ୟ ଆଉ କାଠ ସାହାଯ୍ୟ କଲେ । ଦିପହରବେଳେ ଘିସୁ ଆଉ ମାଧୋ କଫନ୍‌ କିଣି ଆଣିବାପାଇଁ ବଜାରକୁ ଗଲେ । ଏଆଡ଼େ ଲୋକମାନେ କାଠ ବାଉଁଶ ଚିରିବା ଆରମ୍ଭକରି ଦେଇଥାନ୍ତି ।

 

ଗାଁର କୋମଳ ହୃଦୟା ସ୍ତ୍ରୀଲୋକମାନେ ଶବ ଦେଖିବାକୁ ଆସନ୍ତି ଏବଂ ଶେଷରେ ତା’ର ଦୁରବସ୍ଥା ଲାଗି ଆଖିରୁ ଦି’ଟୋପା ଲୁହ ଝରାଇ ଚାଲି ଯାଆନ୍ତି ।

 

(୩)

 

ବଜାରରେ ପହଞ୍ଚି ଘିସୁ କହିଲା–‘‘ମାଧୋ ! ଶବସଂସ୍କାର କଲା ଭଳି କାଠ ଜମା ହେଇ ଯାଇଚି ତ ?’’

 

ମାଧୋ କହିଲା–‘‘କାଠ ବହୁତ ଅଛି । ବର୍ତ୍ତମାନ ଖାଲି ଗୋଟିଏ କଫନ୍ ଦରକାର ।’’

 

–‘‘ଚାଲ ତେବେ କଫନ୍‍ପାଇଁ ଶସ୍ତା ଖଣ୍ତିଏ କନା କିଣି ନେଇ ଚାଲିଯିବା ।’’

 

–‘‘ନାହିଁ ତ ଆଉ କ’ଣ ? ଶବ ନେଉ ନେଉ ତ ରାତି ହୋଇଯିବ । ରାତିବେଳେ ଆଉ କଫନ୍ ଦେଖେ କିଏ ?’’

 

–‘‘କିମିତି ଗୋଟାଏ ଗନ୍ଧିଆ ନିୟମ ଯେ, ଯାହାକୁ ଜିଇଁଥିବାବେଳେ ଦେହ ଢାଙ୍କିବାପାଇଁ ଖଣ୍ତେ ଛିଣ୍ତା କନା ମିଳୁ ନଥିଲା, ଏବେ ମରିବା ପରେ, ତା’ପାଇଁ ଗୋଟିଏ ନୂଆ କଫନ୍ ଦରକାର !’’

 

–‘‘କଫନ୍‌ଟାବି ଶବ ସାଙ୍ଗରେ ଜଳିଯାଏ ।’’

 

–‘‘ବାକି ଅବା ଆଉ ରହେ କ’ଣ ? ଆଗରୁ ଯଦି ଏଇ ପାଞ୍ଚଟଙ୍କା ମିଳି ଥାଆନ୍ତା, କିଛି ଓଷ ମୋଷଧି କରି ପାରି ଥାଆନ୍ତେ ।’’

 

ଉଭୟେ ପରସ୍ପରର ମନୋଭାବ ବୁଝି ପାରୁ ଥାଆନ୍ତି । ବଜାର ଭିତରେ ଉଭୟେ ଏପଟ ସେପଟ ଘୂରିବାକୁ ଲାଗିଲେ । କେତେବେଳେ ଏ ଲୁଗା ଦୋକାନକୁ ଯାଆନ୍ତି ତ କେତେବେଳେ ସେ ଲୁଗା ଦୋକାନକୁ । ନାନା ରକମର ରେଶମ ଆଉ ସୂତା ତିଆରି କନା ସେମାନେ ଦେଖିଲେ; କିନ୍ତୁ କେଉଁଟି ହେଲେ ସେମାନଙ୍କର ପସନ୍ଦଯୋଗ୍ୟ ହେଲାନି । ସନ୍ଧ୍ୟା ହୋଇଗଲା । କେଉଁ ଦୈବୀ ପ୍ରେରଣାରୁ କେଜାଣି, ଗୋଟାଏ ମଦ ଦୋକାନ ଆଗରେ ଉଭୟେ ଯାଇ ପହଞ୍ଚିଲେ ଏବଂ ଯେପରିକି କୌଣସି ଗୋଟାଏ ପୂର୍ବ ନିଶ୍ଚିତ ବ୍ୟବସ୍ଥାନୁଯାୟୀ ଉଭୟେ ଦୋକାନ ଭିତରକୁ ପ୍ରବେଶ କଲେ । କିଛି ସମୟ ଯାଏଁ ସେମାନେ ସେଠାରେ ଏକ ଗୋଲକଧନ୍ଦାରେ ପଡ଼ି ରହିଥିବା ଭଳି ଠିଆହୋଇ ରହିଲେ । ପରେ ଘିସୁ ଦୋକାନୀ ପାଖକୁ ଯାଇ କହିଲା–‘‘ସାହୁଏ ! ଆମକୁ ଦି’ ବୋତଲ ମିଳୁ ।’’

 

ମଦ ବୋତଲ ପରେ ପରେ ଆସିଲା, କିଛି ଚାଖଣା ଆଉ ମାଛ ଭଜା । ଉଭୟେ ବାରଣ୍ତା ଉପରେ ବସି ଶାନ୍ତିପୂର୍ବକ ମଦ ପିଇବାକୁ ଲାଗିଲେ ।

 

କେତେ କପ୍‌ ମଦ ଲାଗଲାଗ ପିଇ ସାରିବା ପରେ ଦୁହିଁଙ୍କୁ ନିଶା ଘାରିଲା ।

 

ଘିସୁ ଆରମ୍ଭ କଲା–‘‘କଫନ୍‌ରୁ ଆମକୁ କ’ଣ ଅବା ମିଳିଥାନ୍ତା ? ଶେଷରେ ଜଳି ଯାଆନ୍ତା ! ତା’ କ’ଣ ବୋହୂ ସାଙ୍ଗରେ ଯାଆନ୍ତା ?’’

 

ନିଜର ନିଷ୍ପାପତା ଲାଗି, ଦେବତାମାନଙ୍କୁ ସାକ୍ଷୀ ରଖିଲା ଭଳି ଆକାଶଆଡ଼କୁ ଚାହିଁ ମାଧୋ କହିଲା–‘‘ଏ ତ ଦୁନିଆର ନିୟମ । ନାହିଁ ତ ଲୋକେ ହଜାର ହଜାର ଟଙ୍କା ବ୍ରାହ୍ମଣମାନଙ୍କୁ ଦାନ କରି ଦିଅନ୍ତେ କାହିଁକି ? ପରଲୋକଗତ ମଣିଷକୁ ସେ ସବୁ ମିଳେ କି ନା କିଏ ଦେଖେ ?’’

–‘‘ବଡ଼ଲୋକଙ୍କ ପାଖରେ ଧନ ଅଛି ତ ଉଡ଼ାନ୍ତୁ ! ସେଭଳି ଉଡ଼େଇବାକୁ ଆମ ପାଖରେ କ’ଣ ଅଛି ?’’

–‘‘ତମେ କିନ୍ତୁ ଲୋକଙ୍କୁ କି ଜବାବ ଦେବ ? ସେମାନେ କ’ଣ କଫନ୍ ସମ୍ୱନ୍ଧରେ ପଚାରିବେନି ?’’

ଘିସୁ ହସିଲା ଏବଂ କହିଲା–‘‘ଆରେ ! କହିବା, ଟଙ୍କା ଅଣ୍ଟାରୁ ଖସି କେଉଁଠି ପଡ଼ିଗଲା । ବହୁତ ଖୋଜିଲୁ; କିନ୍ତୁ ମିଳିଲା ନାହିଁ । ଅବଶ୍ୟ ଲୋକେ ଏକଥା ବିଶ୍ୱାସ କରିବେନି । ତଥାପି ପୁଣି ସେମାନେ ପଇସା ଦେବେ ।’’

ମାଧୋବି ଏଇ ଅନପେକ୍ଷିତ ସୌଭାଗ୍ୟ ନେଇ ହସିଲା । କହିଲା–‘‘ବିଚାରୀ ଭାରୀ ଭଲ ମଣିଷ । ମଲା ତ ମଲା, ତା’ ପୁଣି ଖୁବ୍‌ ଖୁଆଇ ପିଆଇ ମଲା !’’

ଅଧବୋତଲରୁ ଅଧିକ ମଦ ଉଡ଼ିଯାଇଥାଏ । ଏଥର ଘିସୁ ଦି’ ସେର ପୁରି ମଗାଇଲା । ଚଟଣି, ଆଚାର ଆଉ କଲିଜା ଭଜା ମଧ୍ୟ । ମଦ ଦୋକାନ ଆଗରେଇ ଖାଦ୍ୟ ଦୋକାନ । ମାଧୋ ଦୁଇଟି ପତ୍ରରେ ସବୁ ଜିନିଷ ପୁଡ଼ା ବାନ୍ଧି ଧରି ଆସିଲା । ପୂରା ଦେଢ଼ ଟଙ୍କା ଖର୍ଚ୍ଚ ହୋଇଗଲା । ପାଖରେ ଆଉ ଅଳ୍ପ ପଇସା ବାକି ରହିଥାଏ ।

ବର୍ତ୍ତମାନ ଦୁହେଁ ଏଭଳି ବସି ପୁରି ଖାଇବାକୁ ଲାଗିଲେ, ଯେପରିକି ଜଙ୍ଗଲ ଭିତରେ ସିଂହ ତା’ର ଶିକାର ଖାଇ ବସେ । ନା ଥିଲା ନିଜ ଉତ୍ତରଦାୟିତ୍ୱର ଭୟ, ନା ବଦନାମର ଚିନ୍ତା ଏ ସମସ୍ତ ବିଚାରକୁ ସେମାନେ ବହୁ ଆଗରୁ ଜିଣିସାରି ଥାଆନ୍ତି ।

 

ଘିସୁ ଦାର୍ଶନିକ ଭାବ ପ୍ରଦର୍ଶନ କରି କହିଲା–‘‘ଆମର ଆତ୍ମା ଯେତେବେଳେ ପ୍ରସନ୍ନ ହୋଇ ଉଠୁଛି, ତାକୁ କ’ଣ ତେବେ ପୁଣ୍ୟ ଲାଗିବନି ?’’

 

ମାଧୋ ଶ୍ରଦ୍ଧାର ସହିତ ମୁଣ୍ତ ନୁଆଁଇ ସ୍ୱୀକୃତି ଜଣାଇଲା । –‘‘ନିଶ୍ଚୟ, ଅବଶ୍ୟ ଲାଗିବ । ହେ ଭଗବାନ ! ତମେ ଯେ ସାକ୍ଷାତ୍‌ ଅନ୍ତର୍ଯ୍ୟାମୀ । ତାକୁ ବୈକୃଣ୍ଠକୁ ନେଇଯାଅ । ହୃଦୟର ସହିତ ଆମେ ଦୁହେଁ ଆଶୀର୍ବାଦ ଜଣାଉଚୁ । ଆଜି ଯେ ଭୋଜନ ମିଳିଲା, ତା’ ମୋ ଜୀବନରେ କେବେହେଲେ ଘଟି ନଥିଲା !’’

 

କ୍ଷଣକ ପରେ, ମାଧୋ ମନରେ ଗୋଟାଏ ଶଙ୍କା ଜାତହେଲା । ପଚାରିଲା–‘‘ବାପା ! ଆମେବି ଦିନେ ନା ଦିନେ ସେଠାକୁ ଯିବା ତ ?’’

 

ଘିସୁ ଏଇ ସରଳିଆ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ । ପରଲୋକ ସମ୍ୱନ୍ଧରେ ବିଚାର କରି, ବର୍ତ୍ତମାନର ଆନନ୍ଦ ଅନୁଭବରେ ବାଧା ଦେବା ତା’ର ଇଚ୍ଛା ନଥିଲା ।

 

–‘‘ସେଠାରେ ସେ ଯଦି ଆମକୁ ପଚାରେ ଯେ କାହିଁକି ତମେମାନେ ମତେ କଫନ୍‌ ଦେଲ ନାହିଁ ତେବେ କ’ଣ କହିବା ?’’

 

–‘‘ତୋ ମୁଣ୍ତ କହିବା ।’’

 

–‘‘ପଚାରିବ ତ ନିଶ୍ଚୟ !’’

 

–‘‘ତାକୁ କଫନ୍‌ ମିଳିବନି ବୋଲି ତୁ ଜାଣିଲୁ କିପରି ? ତୁ ମତେ ଏଡ଼େ ଓଲୁ ବିଚାରିଛୁ-? ବୁଝିଚୁ, ଏ ଦୁନିଆରେ ଖାଲି ଘାସ କାଟି ଷାଠିଏବର୍ଷ ମୁଁ ବିତେଇ ଦେଇଚି ? ତାକୁ କଫନ୍‌ ମିଳିବ ଆଉ ତା’ଠୁ ଅଧିକା କିଛିବି ମିଳିବ ।’’

 

ମାଧୋ ବିଶ୍ୱାସ କରି ପାରିଲାନି । ପଚାରିଲା–‘‘କିଏ ଦେବ ? ଟଙ୍କାଗୁଡ଼ିକୁ ତ ତମେ ଚଟ୍‌ କରି ବସିଛ । ସେ ମତେ ନିଶ୍ଚୟ ପଚାରିବ । ମୁଁ ପରା ତା’ ମଥାରେ ସିନ୍ଦୂର ଦେଇଥିଲି !’’

 

ଘିସୁ ଟିକେ ଉତ୍ତେଜିତ ହୋଇ କହିଲା–‘‘ମୁଁ କହୁଛି କଫନ୍‌ ତାକୁ ମିଳିବ । ତୁ ମାନୁନୁ କାହିଁକି ?’’

 

–‘‘କିଏ ଦେବ କହୁନ ?’’

 

–‘‘ସେଇମାନେ ଦେବେ, ଯେଉଁମାନେ ଏବେ ଦେଇଛନ୍ତି । ଅବଶ୍ୟ ଏ ଟଙ୍କା ଆମ ହାତକୁ ଆଉ ଆସିବନି ।’’

 

ଅନ୍ଧାର ଯେତିକି ବଢ଼ୁଥିଲା, ଆକାଶରେ ନକ୍ଷତ୍ର ସେତିକି ଚମକି ଉଠୁଥିଲେ, ଆଉ ମଦ ଦୋକାନର ସୌନ୍ଦର୍ଯ୍ୟ ସେତିକି ବଢ଼ି ବଢ଼ି ଯାଉଥିଲା । କିଏ ଗୀତ ଗାଉଥିଲା ତ କିଏ ବଡ଼ବଡ଼ କଥା କହି ଯାଉଥିଲା ଏବଂ କିଏ ନିଜ ସାଙ୍ଗର ଗଳା ଧରି ଝୁଲି ପଡ଼ୁଥିଲା । କିଏ ପୁଣି ନିଜ ସାଥୀର ମୁହଁ ପାଖରେ ମଦ ପାତ୍ରଟିକୁ ନେଇ ଲଗାଇ ଦେଉଥିଲା ।

 

ସେଠାରେ ବାତାବରଣରେ ମଦ ନିଶାର ମାଦକତା ପୂରି ରହିଥିଲା । କେତେକ ଏଠାକୁ ଆସି ମାତ୍ର ପୋଷେ ମଦରେ ମସ୍ତ ହୋଇ ଉଠୁଥିଲେ । ଏଠିକାର ବାତାବରଣ, ମଦ ନିଶା ଅପେକ୍ଷା ଅଧିକ ମାଦକତା ସେମାନଙ୍କୁ ଯୋଗାଇ ଦେଇପାରୁଥିଲା । ଦୁଃଖ, କଷ୍ଟମୟ ଜୀବନ ସେମାନଙ୍କୁ ଏଠାକୁ ଟାଣି ଆଣୁଥିଲା ଏବଂ ସେମାନେ ଏଠାକୁ ଆସି କିଛି ସମୟପାଇଁ ଜିଇଁବା ମରିବା ଭୁଲି ଯାଉଥିଲେ । କିନ୍ତୁ ବାସ୍ତବରେ ସେମାନେ ଜିଉଁ ନଥିଲେ କି ମରୁ ନଥିଲେ ।

 

ବାପ ପୁଅ ଉଭୟେ ଆହୁରି ମଜାରେ ମଦ ପିଇ ଯାଉଥାନ୍ତି । ସମସ୍ତଙ୍କର ଦୃଷ୍ଟି ଏମାନଙ୍କ ଉପରେ ନିବଦ୍ଧ ଥାଏ । କେଡ଼େ ଭାଗ୍ୟ ସତେ ଏମାନଙ୍କର ! ପୂରା ବୋତଲଟିଏ ପୁଣି ମଝିରେ ଥୁଆ ହୋଇଚି ।

 

ପେଟ ଭରି ଖାଇ ସାରିବା ପରେ, ବଳକା ପୁରି ସହିତ ପୁଡ଼ିଆଟିକୁ ମାଧୋ ଗୋଟାଏ ଭିଖାରିକୁ ନେଇ ଦେଲା । ଭିଖାରିଟି ଠିଆ ହୋଇ କ୍ଷୁଧିତ ନେତ୍ରରେ ଏମାନଙ୍କ ଆଡ଼କୁ ଚାହିଁ ରହିଥିଲା । ମାଧୋ ଜୀବନରେ ପ୍ରଥମ ଥରପାଇଁ ଦାନ କରିବାର ଗୌରବ, ଆନନ୍ଦ ଏବଂ ଉଲ୍ଲାସ ଅନୁଭବ କରିପାରିଲା ।

 

ଘିସୁ କହିଲା–‘‘ନେ, ଖା, ଆଉ ଆଶୀର୍ବାଦ ଦେ । ଯାହା ଲାଗି ଏ ଧନ ପ୍ରାପ୍ତ ହୋଇଥିଲା, ସେ ମରି ଯାଇଚି । ତଥାପି ତୋର ଆଶୀର୍ବାଦ ତା’ ପାଖରେ ପହଞ୍ଚିବ । ତୋର ପ୍ରତିଲୋମକୂପରୁ ତା’ପାଇଁ ଆଶୀର୍ବାଦ ଢାଳି ଯା । ଏ ଧନ ଅତ୍ୟନ୍ତ କଷ୍ଟୋପାର୍ଜିତ !’’

 

ମାଧୋ ଫେର୍‌ ଆକାଶ ଆଡ଼କୁ ଚାହିଁ କହିଲା–‘‘ସେ ବୈକୁଣ୍ଠକୁ ଯିବ ଆଉ ବୈକୁଣ୍ଠର ରାଣୀ ହେବ ।’’

 

ଘିସୁ ଠିଆ ହୋଇ ପଡ଼ିଲା ଏବଂ ଆନନ୍ଦୋଲ୍ଲାସର ଢେଉରେ ପହଁରିବା ଅନୁଭବ କରି କହିଲା–‘‘ହଁରେ ବାପ ! ସେ ବୈକୁଣ୍ଠକୁ ଯିବ । ସେ କାହାରିକୁ କଷ୍ଟ ଦେଇନି, କାହାରି ତଣ୍ଟି ଚିପିନି-। ମରି ମଧ୍ୟ ସେ ଆମ ଜୀବନର ଗୋଟାଏ ବଡ଼ ଧରଣର ଲାଳସା ପୂରଣ କରି ଯାଇଚି-। ସେ ଯଦି ବୈକୁଣ୍ଠକୁ ଯିବନି ଆଉ କିଏ ଯିବ ? ଏଇ ମୋଟା ମୋଟା ଲୋକେ, ଯେ ଗରିବର ଧନ ଲୁଟି କରନ୍ତି, ଆଉ ନିଜ ପାପକୁ ଧୋଇ ଦେବା ଲାଗି ଗଙ୍ଗାସ୍ନାନ କରି ମନ୍ଦିରରେ ଯାଇ ଜଳ ଚଢ଼ାନ୍ତି-?’’

 

ସେମାନଙ୍କର ଏଇ ଉଲ୍ଲାସ ଭାବ ତୁରନ୍ତ ବଦଳି ଗଲା । ଅସ୍ଥିରତା ହେଉଚି ମଦ ନିଶାର ବିଶେଷତ୍ୱ । ଦୁଃଖ ଆଉ ନିରାଶାର ଢେଉ ଏଥର ବହି ଆସିବାକୁ ଲାଗିଲା ।

 

ମାଧୋ କହିଲା–‘‘ବାପା ! ବିଚାରୀ ଜୀବନରେ କେତେ ଦୁଃଖ ଭୋଗି କେତେ ଦୁଃଖରେ ମଲା ଯେ !’’

 

ଆଖିରେ ହାତ ଦେଇ ସେ ଖୁବ୍‌ ରଡ଼ି ଛାଡ଼ି କାନ୍ଦିବାକୁ ଲାଗିଲା ।

 

ଘିସୁ ବୁଝେଇଲା–‘‘କାନ୍ଦୁଚୁ କାହିଁକିରେ ବାପ ! ଏ ମାୟାଜାଲରୁ ସେ ମୁକ୍ତି ପାଇଯାଇଚି-। ଏ ଜଞ୍ଜାଳ ଭିତରୁ ସେ ମୋକ୍ଷ ଲାଭ କରିଛି । ଏଥିଲାଗି ବରଂ ଖୁସି ହୁଅ । ସତରେ ସେ ବଡ଼ ଭାଗ୍ୟବତୀ । କେଡ଼େ ଶୀଘ୍ର ସେ ଏଇ ମାୟାଜାଲର ବନ୍ଧନ ତୁଟାଇ ଚାଲି ଯାଇ ପାରିଲା ଯେ-!’’

 

ଫେର୍‌ ଦୁହେଁ ଠିଆ ହୋଇ ଗାଇବାକୁ ଲାଗିଲେ–

 

‘‘ମିଛ ମାୟାରେ ଫନ୍ଦି..... !’’

 

ମଦ ପିଆଳିଙ୍କ ଆଖି ଏମାନଙ୍କ ଉପରେ ଲାଖି ରହିଥାଏ । ଏ ଦୁହେଁ ମସ୍ତ ହୃଦୟରେ ଗାଇ ଚାଲିଥାନ୍ତି । ଦୁହେଁ ଫେର୍‌ ନାଚିବାକୁ ଲାଗିଲେ । ପରେ ପରେ ଉଛୁଳିଲେ ଡେଇଁଲେ, ତଳେପଡ଼ି ଗଡ଼ିଲେ, ମୁଣ୍ତ ହଲାଇଲେ, ଭାବ ପ୍ରଦର୍ଶନ କଲେ, ଅଭିନୟ କଲେ ଏବଂ ଶେଷରେ ମଦ ନିଶାରେ ମସ୍ତ ପାଗଳ ହୋଇ ସେଇଠାରେ କଚାଡ଼ି ହୋଇ ପଡ଼ିଗଲେ ।

Image

 

Unknown

ଦୁଇଟି ବଳଦର କାହାଣୀ

 

ପଶୁମାନଙ୍କ ମଧ୍ୟରେ ଗଧ ସର୍ବାପେକ୍ଷା ବୁଦ୍ଧିହୀନ । କୌଣସି ଲୋକକୁ ପ୍ରଥମ ଶ୍ରେଣୀର ମୂର୍ଖ ନ କହୁଣୁ ଆମେ ତାକୁ ଗଧ କହିଥାଉଁ । ଗଧ ବାସ୍ତବରେ ମୂର୍ଖ, କି ତା’ର ସରଳତା ଆଉ ସହିଷ୍ଣୁତା ଲାଗି ତାକୁ ଏ ପଦବୀ ମିଳିଛି ତାହା ନିଶ୍ଚୟ କରି କହିବା କଠିନ । ଗାଈ ଶିଙ୍ଗ ହଲାଇ ମାରେ; ପୋଖତି ଗାଈ ତ ସିଂହୀର ରୂପ ଧାରଣ କରେ । କୁକୁର ପଶୁମାନଙ୍କ ମଧ୍ୟରେ ଗରିବ, ତଥାପି ବେଳେବେଳେ ସେ ରାଗି ଉଠେ । ଗଧ କିନ୍ତୁ କ୍ରୁଦ୍ଧ ହେବା କେହି କେବେ ଶୁଣି ନାହାନ୍ତି କିମ୍ବା ଦେଖି ନାହାନ୍ତି । ତମେ ତାକୁ ଯେତେ ମାରୁଛ ମାର, ଖାଇବାପାଇଁ ତା’ ଆଗରେ ଯେତେ ପଚାସଢ଼ା ଘାସ ପକାଇ ଦିଅ ପଛେ, ତା’ ଚେହେରାରୁ ଏତେ ଟିକେ ଅସନ୍ତୋଷ ବାରି ହେବନି । ବୈଶାଖରେ ଯଦି ସେ ଥରେ ଅଧେ ଖେଳିବାକୁ ଚେଷ୍ଟା କରିଛି, ତଥାପି ଆମେ ତାକୁ କେବେ ଖୁସିଥିବା ଦେଖିନୁ । ତା’ର ଚେହେରାରେ ଏକ ବିଷାଦର ଛାୟା ସ୍ଥାୟୀରୂପେ ଦେଖାଦେଇଥାଏ । ସୁଖ ଦୁଃଖ, ହାନିଲାଭ, ଯେକୌଣସି ସମୟରେବି ତା’ର ଚେହେରାରେ ପରିବର୍ତ୍ତନ ଲକ୍ଷ୍ୟ କରି ହୁଏନି । ମୁନି ଋଷିମାନଙ୍କର ପ୍ରାୟ ସମସ୍ତ ଗୁଣ ତା’ରି ପାଖରେ ଦେଖାଯାଏ । ତଥାପି ମଣିଷ ତାକୁ କହେ ମୂର୍ଖ ! ସଦ୍‌ଗୁଣର ହତାଦର ଏଭଳି କେବେ କେଉଁଠି ଦେଖା ଯାଇନି । ହୁଏତ ସରଳତା ସଂସାରୋପଯୋଗୀ ନୁହେଁ । କହନ୍ତୁ ତ–ଆଫ୍ରିକାରେ ଭାରତବାସୀ ଦୁର୍ଦ୍ଦଶାଗ୍ରସ୍ତ କାହିଁକି ? କାହିଁକି ସେମାନଙ୍କୁ ଆମେରିକାରେ ପ୍ରବେଶାଧିକାର ଦିଆଯାଇ ନାହିଁ ? କଥା ହେଉଚି–ଅଭାଗାମାନେ ମଦ ପିଅନ୍ତିନି । ଦୁର୍ଦ୍ଦିନପାଇଁ ଚାରି ପଇସା ସଞ୍ଚିରଖନ୍ତି, ହାଡ଼ଭଙ୍ଗା ପରିଶ୍ରମ କରନ୍ତି, କାହାରି ସହିତ ଝଗଡ଼ା କରନ୍ତିନି । ଚାରି କଥା ଶୁଣିବି ଚୁପ୍‌ ରହନ୍ତି । ସେମାନଙ୍କୁ ତଥାପି ବଦମାସ କୁହାଯାଏ । କୁଆଡ଼େ ସେମାନଙ୍କର ଜୀବନାଦର୍ଶ ନିମ୍ନକୋଟୀର ! ସେମାନେ ଯଦି ଇଟାମାଡ଼ର ଜବାବ ପଥର ମାଡ଼ରେ ଦେଇ ଜାଣନ୍ତେ, ହୁଏତ ସଭ୍ୟ ବିବେଚିତ ହୁଅନ୍ତେ । ଏଇ ଜାପାନର ଉଦାହରଣ ନିଅନ୍ତୁ । ଥରକର ବିଜୟ ଲାଗି ସଂସାରର ସଭ୍ୟଜାତିମାନଙ୍କ ମଧ୍ୟରେ ଜାପାନୀମାନଙ୍କୁ ଗଣନା କରାଗଲା ।

 

ଗଧର କିନ୍ତୁ ଆଉ ଗୋଟିଏ ଛୋଟ ଭାଇ–ଯେ ତା’ ଅପେକ୍ଷା ଟିକେ କମ୍‌ ଗଧ, ସେ ଜାଣନ୍ତି ? –ବଳଦ । ଯେଉଁ ଅର୍ଥରେ ‘ଗଧ’ର ପ୍ରୟୋଗ କରାଯାଉଛି, ପ୍ରାୟ ସେଇ ଅର୍ଥରେ ‘ମୂର୍ଖ’ ଶବ୍ଦର ପ୍ରୟୋଗବି କରାଯାଇଥାଏ । କେତେକ ହୁଏତ ବଳଦକୁ ମୂର୍ଖମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କହି ପାରନ୍ତି; ଆମର ବିଚାର କିନ୍ତୁ ଅଲଗା । ବଳଦ ବେଳେବେଳେ ମାରେ । ଜିଦ୍‌ଖୋର ବଳଦବି ବେଳେବେଳେ ଦେଖିବାକୁ ମିଳନ୍ତି । ବଳଦ ନିଜର ଅସନ୍ତୋଷ ଅନେକ ପ୍ରକାରେ ପ୍ରକାଶ କରିଥାଏ-। ସୁତରାଂ ତା’ର ସ୍ଥାନ ଗଧର ତଳେ ।

 

ଝୁରୀ କାଛୀର ଦୁଇଟି ବଦଳ । ନାମ–ହୀରା ଆଉ ମୋତି । ଜାତିରେ ପଶ୍ଚିମୀ, ଦେଖିବାକୁ ସୁନ୍ଦର, କାମରେ ହୁସିଆର, ଛାତିଏ ଉଚ୍ଚ । ଅନେକ ଦିନ ଧରି ଏକାଠି ରହିବା ଫଳରେ ଉଭୟଙ୍କ ଭିତରେ ଭ୍ରାତୃତ୍ୱ ଜାତ ହୋଇଯାଇଥିଲା । ଦୁହେଁ ମୁଖାମୁଖୀ କିମ୍ୱା ପାଖାପାଖି ରହି ମୂକ ଭାଷାରେ ବିଚାର ବିନିମୟ କରନ୍ତି । ଅବଶ୍ୟ ଗୋଟିଏ ଅନ୍ୟ ଗୋଟିକର କଥା କିପରି ବୁଝୁଥିଲା କହିବା କଠିନ । କିନ୍ତୁ ସେମାନଙ୍କର ଏପରି ଏକ ଗୁପ୍ତଶକ୍ତି ଥିଲା, ଯାହା ଜୀବମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲାଉଥିବା ମଣିଷ ପାଖରେ ମଧ୍ୟ ବିରଳ । ଉଭୟେ ଉଭୟଙ୍କୁ ଚାଟି କିମ୍ବା ଶୁଙ୍ଘି ପରସ୍ପର ପ୍ରତି ସ୍ନେହ ପ୍ରକାଶ କରନ୍ତି । ବେଳେବେଳେ ଶିଙ୍ଗରେ ଶିଙ୍ଗ ମିଳାଇ ନିଅନ୍ତି । ସେଥିରେ କିନ୍ତୁ ଦୂର୍‌ମାର୍‌ର ଭାବ ନଥାଏ, ଥାଏ ବିନୋଦ ଆଉ ଆତ୍ମୀୟତା । ସାଧାରଣତଃ ଦୁଇ ଘନିଷ୍ଠବନ୍ଧୁଙ୍କ କଳିଗୋଳରେ ଯେପରି ଭାବ ନିହିତ ଥାଏ । ବନ୍ଧୁତା ଭିତରେ ଦୁର୍ବଳତା ଦେଖା ଦେଇଥାଏ ମଧ୍ୟ । ତା’ ଅବଶ୍ୟ କ୍ଷଣସ୍ଥାୟୀ । ଯେତେବେଳେ ବଳଦ ଦୁଇଟିକୁ ହଳ କିମ୍ବା ଶଗଡ଼ରେ ଯୋଚି ଦିଆଯାଏ ଏବଂ ବେକ ହଲେଇ ହଲେଇ ସେମାନେ ଚାଲନ୍ତି, ସେତେବେଳେ ପ୍ରତ୍ୟେକେ ନିଜ ନିଜର ବେକ ଉପରେ ଅଧିକ ବୋଝ ଗ୍ରହଣ କରିବାପାଇଁ ଉଦ୍ୟମ କରନ୍ତି । ଦୁଇ ପହରେ କିମ୍ବା ସନ୍ଧ୍ୟାରେ ଯେତେବେଳେ ସେମାନଙ୍କୁ ହଳ କିମ୍ବା ଶଗଡ଼ରୁ ଖୋଲାଯାଏ, ଦୁହେଁ ପରସ୍ପରକୁ ଚାଟି ହାଲିଆ ମାରନ୍ତି । ପେଜକୁଣ୍ତରେ କୁଣ୍ତା ତୋରାଣି ମୁହଁ ଭରତି କରନ୍ତି ଏବଂ ଏକାସାଥିରେ ଖାଆନ୍ତି । ଜଣେ କୁଣ୍ତରୁ ମୁହଁ ବାହାର କରି ଆଣିଲେ, ଅନ୍ୟ ଜଣକ ମଧ୍ୟ କୁଣ୍ଡରୁ ମୁହଁ ବାହାର କରି ଆଣେ ।

 

ଝୁରୀ ଥରେ ବଳଦ ଦୁଇଟିକୁ ନିଜ ଶ୍ୱଶୁର ଘରକୁ ପଠାଇଲା । ଝୁରୀ ଯେ ସେମାନଙ୍କୁ ତା’ ଶ୍ୱଶୁର ଘରକୁ ପଠାଉଥିଲା–ଏକଥା ସେମାନେ କିପରି ଜାଣନ୍ତେ ? ଭାବିଲେ–ମାଲିକ ସେମାନଙ୍କୁ ବିକି ଦେଇଚନ୍ତି । ଏଭଳି ବିକା ଯିବା ସେମାନଙ୍କୁ ଭଲ ଲାଗିଲା କି ମନ୍ଦ ଲାଗିଲା କିଏ ଜାଣେ ? କିନ୍ତୁ ବଳଦ ହଳକୁ ଘରଯାକେ ଅଡ଼ାଇ ନେବାପାଇଁ ଝୁରୀର ଶଳା ଗୟାର ପାଣି ବୋହିଗଲା । ପଛରୁ ଅଡ଼େଇଲେ ଦୁହେଁ ବାମ ଡାହାଣକୁ ଧାଆନ୍ତି । ପଘା ଧରି ଆଗକୁ ଟାଣିଲେ ଶକ୍ତି ଲଗାଇ ପଛକୁ ଟାଣି ହୁଅନ୍ତି । ମାରିଲେ, ଶିଙ୍ଗତଳକୁ କରି ଦୁହେଁ ହୁଙ୍କାରି ଉଠନ୍ତି । ଭଗବାନ ତାଙ୍କୁ ଯଦି କଥା କହିବାର ଶକ୍ତି ଦେଇଥାନ୍ତେ, ତାହାହେଲେ ସେମାନେ ହୁଏତ ଝୁରୀକୁ ପଚାରି ଥାଆନ୍ତେ–ତମେ ଆମ ଭଳି ଗରିବମାନଙ୍କୁ କାହିଁକି ଅବା ତଡ଼ି ଦେଉଚ ? ତମରି ସେବାରେ ତ ଆମେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରି ନାହୁଁ ! ଯଦି ଆମର ପରିଶ୍ରମ ଦେଇ ତମର କାମ ଚଳୁ ନଥିଲା, ତେବେ ଆମଦ୍ୱାରା ଅଧିକା ପରିଶ୍ରମ କରାଇପାରିଥାନ୍ତ । ଇଚ୍ଛାଥିଲା ତମରି ପାଖେ ଚାକିରି କରି ମରିବୁ । ଦାନାପାଣି ପାଇଁ ତ କେବେ ଆମେ ଆପତ୍ତି କରିନୁ ! ହାତଟେକି ତମେ ଯାହାଦେଲ ବେଶ୍‌ ମୁଣ୍ତ ନୁଆଁଇ ଖାଇ ସନ୍ତୋଷ ଲାଭ କଲୁ । ଫେର୍‌ ତମେ ଆମକୁ ଏ ଅତ୍ୟାଚାରୀ ହାତରେ ବିକ୍ରି କରି ଦେଉଛ କିପରି ?

 

ସନ୍ଧ୍ୟା ସମୟକୁ ଦୁହେଁ ଏକ ନୂଆ ସ୍ଥାନରେ ଯାଇ ପହଞ୍ଚିଲେ । ଦିନସାରା କିଛି ଖାଇ ନାହାନ୍ତି ସେମାନେ । ପେଜକୁଣ୍ତ ପାଖକୁ ସେମାନଙ୍କୁ ଯେତେବେଳେ ନିଆଗଲା; କେହି ହେଲେ ସେ ଆଡ଼କୁ ମୁହଁ ବଢ଼େଇଲେନି । ହୃଦୟ ଭାରୀ ଜଣାଯାଉଥିଲା । ଯେଉଁ ସ୍ଥାନକୁ ସେମାନେ ନିଜର ଘର ମଣିଥିଲେ, ସେଠାରୁ ସେମାନଙ୍କୁ ତଡ଼ି ଦିଆଯାଇଚି । ନୂଆ ଗାଁ, ନୂଆ ଘର, ନୂଆ ମଣିଷ ଆପଣାର ହେଇ ତ କେହି ନୁହନ୍ତି, ସବୁ ପର !

 

ମୂକ ଭାଷାରେ ଉଭୟେ ପରସ୍ପର ଭିତରେ ପରାମର୍ଶ କଲେ । ଦୁହେଁ ଦୁହିଁଙ୍କୁ କଣେଇ ଚାହିଁ ଶୋଇଗଲେ । ଗାଁ ଯେତେବେଳେ ନିସ୍ତବ୍ଧ ହେଲା; ଦୁହେଁ ଶକ୍ତି ଲଗାଇ ପଘା ଛିଣ୍ତାଇ ପକାଇଲେ ଏବଂ ଘର ବାଟ ଧରିଲେ । ପଘା ଖୁବ୍‌ ମଜବୁତ୍‌ ଥିଲା । ଏଭଳି ପଘା ଛିଣ୍ତାଇବା ଶକ୍ତି କୌଣସି ବଳଦର ନଥିଲା । ଆଜିର ଏ ଅବସରରେ କିନ୍ତୁ ଦୁହିଁଙ୍କର ଶକ୍ତି ଦ୍ୱିଗୁଣିତ ହୋଇ ଯାଇଥିଲା । ଗୋଟିଏ ଥରର ଉଦ୍ୟମରେ ପଘା ଦୁଇଟି ସହଜରେ ଛିଣ୍ତିଗଲା ।

 

ଝୁରୀ ସକାଳୁ ଉଠି ଦେଖେ ତ ବଳଦ ଦୁଇଟି ଦୁଆରେ ଠିଆ । ଦୁହିଁଙ୍କ ବେକରେ ଛିଣ୍ତା ପଘା ଦୁଇଟି ଲାଗି ରହିଛି । ଆଣ୍ଠୁ ଯାଏଁ ଦୁହିଁଙ୍କ ଗୋଡ଼ କାଦୁଅ ସଲବଲ । ଦୁହିଁଙ୍କ ଆଖିରୁ ଝଲସି ଉଠୁଚି ବିଦ୍ରୋହ ପୂର୍ଣ୍ଣ ସ୍ନେହ ।

 

ବଳଦ ଦୁଇଟିକୁ ଦେଖୁଦେଖୁ ଝୁରୀର ହୃଦୟ ସ୍ନେହ ଗଦ୍‌ଗଦ୍‌ ହୋଇ ଉଠିଲା । ଧାଇଁ ଯାଇ ଦୁହିଁଙ୍କୁ ଗଳାରେ ଲଗାଇଲା । ପ୍ରେମାଲିଙ୍ଗନ ଆଉ ଚୁମ୍ବନର ଦୃଶ୍ୟ ଖୁବ୍‌ ମନୋହର ଜଣାଯାଉଥିଲା ।

 

ଘର ଆଉ ଗାଁର ପିଲାଏ ଏକାଠି ହୋଇ ତାଳି ବଜାଇ ବଜାଇ ବଳଦ ଦୁଇଟିକୁ ସ୍ୱାଗତ ଜଣାଇଲେ । ଏଇଭଳି ଘଟଣା ଏଇ ଗାଁର ଇତିହାସରେ ଅଭୂତପୂର୍ବ ନହେଲେବି ମହତ୍ୱପୂର୍ଣ୍ଣ । ବାଳ ସଭା ନିଶ୍ଚୟ କଲା–ଏ ଦୁଇ ପଶୁ ବୀରଙ୍କୁ ଅଭିନନ୍ଦନ ପତ୍ର ଦିଆଯାଉ । ସମସ୍ତେ ଯେଝାଘରକୁ ଧାଇଁଗଲେ । କିଏ ରୋଟି ନେଇ ଆସିଲା ତ କିଏ ଗୁଡ଼, କିଏ କୁଟା ତ କିଏ କୁଣ୍ତା ।

 

‘‘ଏଭଳି ବଳଦ ଆଉ କାହା ପାଖରେ ନଥିବ ।’’ ବାଳକଟିଏ କହିଲା ।

 

‘‘ବାଃ, ଏତେଦୂରରୁ ଏକାଏକା ଚାଲି ଅଇଲେ !’’ ସମର୍ଥନ ଜଣାଇଲା ଆଉ ଜଣେ ।

 

‘‘ଆରେ ! ସେମାନେ ବଳଦ ନୁହନ୍ତିରେ, ସେ ଜନ୍ମର ମଣିଷ !’’ ତୃତୀୟ ବାଳକ କହିଲା-

 

ଏ କଥାର ପ୍ରତିବାଦ କରିବାପାଇଁ କାହାରି ସାହସ ନଥିଲା ।

 

ଝୁରୀର ସ୍ତ୍ରୀ କିନ୍ତୁ ବଳଦ ଦୁଇଟିକୁ ଦୁଆର ପାଖେ ଦେଖି ଜଳି ଉଠିଲା । କହିଲା–‘‘ବଳଦଗୁଡ଼ିକ କେଡ଼େ ନିମକହରାମମ ! ଦିନକପାଇଁବି ସେଠାରେ କାମ ନ କରି ଏଠାକୁ ଦଉଡ଼ି ପଳେଇ ଆସିଚନ୍ତି !’’

 

ବଳଦ ଦୁଇଟି ଉପରେ ନିଜ ସ୍ତ୍ରୀର ଏଭଳି ଆକ୍ଷେପ ଝୁରୀ ସହ୍ୟ କରିପାରିଲାନି । କହିଲା–‘‘ନିମକହାରାମ କାହିଁକି ? କୁଣ୍ତାପାଣି ମିଳି ନଥିବ ଯଦି ଆଉ କ’ଣ କରନ୍ତେ କହିଲ ?’’

 

ରାଗିଯାଇ ଝୁରୀର ସ୍ତ୍ରୀ କହିଲା–‘‘ବାଃ ! ତମେଇ ବଳଦମାନଙ୍କୁ ଖୁଆଇ ଜାଣ । ଆଉ ସମସ୍ତେ ପାଣି ପିଆଇ ରଖନ୍ତି ।’’

 

ଝୁରୀ ରଗେଇ କହିଲା–‘‘ଖାଇବାକୁ ଘାସ କୁଣ୍ତା ମିଳିଲା ତ ଚାଲି ଅଇଲେ କିପରି ?’’

 

ସ୍ତ୍ରୀ ଆହୁରି ରାଗିଉଠିଲା–‘‘କାହିଁକି ପଳେଇ ଅଇଲେ ଜାଣିନା ? ତୁମ ଭଳି ମୂର୍ଖଙ୍କ ପରି ସେମାନେ ବଳଦଙ୍କୁ ସମ୍ଭାଳି ଜାଣନ୍ତିନି । ଯେମିତି ଖୁଆନ୍ତି, କାମ ଆଦାୟ କରନ୍ତି ସେମିତି ! ଏ ଦୁହେଁ କାମଚୋର । ଭାଗି ପଳେଇ ଆସିଚନ୍ତି । ଦେଖୁଛି, ଆଜି ପିଡ଼ିଆ ଆଉ କୁଟା କେଉଁଠୁଁ ମିଳୁଛି ଭଲା ! ଶୁଖିଲା କୁଣ୍ତା ଛଡ଼ା ଆଉ କିଛି ଦେବିନି । ଖାଇଲେ ଖାଆନ୍ତୁ ନାହିଁ ତ ମରନ୍ତୁ ।’’

 

ସେଇଆ ହେଲା । ଚାକରକୁ କଡ଼ା ତାଗିଦ ଦିଆଗଲା–ବଳଦମାନଙ୍କୁ ଶୁଖିଲା କୁଣ୍ତା ଛଡ଼ା ଆଉ କିଛି ଦିଆଯିବନି ।

 

ବଳଦ ଦୁଇଟି କୁଣ୍ତରେ ମୁହଁ ଭରତି କରି ଦେଖିଲେ–ସମସ୍ତ ନୀରସ, ଖଦଡ଼ା, ରସହୀନ, ସ୍ୱାଦହୀନ । ଖାଆନ୍ତେ ଅବା କ’ଣ ? ଆଶାୟୀ ନୟନରେ ଦୁହେଁ ଦୁଆର ଆଡ଼କୁ ଅନାଇଁ ରହିଲେ । ଚାକରକୁ କହିଲା ଝୁରୀ–‘‘ଆରେ ! ଅଳ୍ପ ପିଡ଼ିଆ ପକେଇ ଦେଉନୁ କିଆଁ ?’’

 

–‘‘ମା’ ମତେ ମାରି ପକାଇବେ ।’’

 

–‘‘ଲୁଚେଇ ଟିକେ ଢାଳିଦେ ।’’

 

–‘‘ତମେ ଓଲଟି ମୋ ଉପରେ ଆଉ ପଡ଼ିବନି ତ !’’

 

ତା’ ପରଦିନ ପୁଣି ଝୁରୀର ଶଳା ଆସି ବଳଦ ଦୁଇଟିକୁ ଶଗଡ଼ରେ ଯୋଚି ନେଇଗଲା-

 

ଗାଡ଼ିଟିକୁ ସଡ଼କ ପାର୍ଶ୍ୱର ଗୋଟାଏ ଗାଡ଼ିଆ ଭିତରକୁ ଗଡ଼େଇ ଦେବା ଲାଗି ମୋତି ଦି’ଚାରି ଥର ଚେଷ୍ଟା କଲା । ହୀରା କିନ୍ତୁ ଏକଥା ସମ୍ଭାଳି ପାରିଲାନି । ସେ ଥିଲା ଟିକେ ସହନଶୀଳ-

 

ଝୁରୀର ଶଳା ସନ୍ଧ୍ୟାବେଳେ ଘରେ ପହଞ୍ଚି ବଳଦ ଦୁଇଟିକୁ ମୋଟା ଦଉଡ଼ିରେ ବାନ୍ଧି ଦେଲା ଏବଂ ପୂର୍ବ ଦିନର ଦୁଷ୍ଟାମି ନେଇ ଖୁବ୍‌ ମାଡ଼ ଦେଲା । ଖାଇବାକୁ ଦେଲା ପୁଣି ସେଇ ଶୁଖିଲା କୁଣ୍ତା । ଆପଣା ବଳଦକୁ ଖାଇବାକୁ ଦେଲା ପେଜଭାତ ଆଉ ପିଡ଼ିଆ ।

 

ବଳଦ ଦୁଇଟି ପ୍ରତି ଏଭଳି ଅପମାନ କେବେ ହେଇ ନଥିଲା । ଫୁଲ କୋରଡ଼ାରେ ଝୁରୀ ଏମାନଙ୍କୁ କେବେ ଛୁଇଁ ନଥିଲା । ଛୁରିର ଟିଟିକାରରେ ଦୁହେଁ ଦଉଡ଼ି ଚାଲୁଥିଲେ । ଏଠାରେ ମାଡ଼ ଖାଇବାକୁ ହେଲା ।

 

ତା’ ପରଦିନ ଗୟା ବଳଦ ଦୁଇଟିକୁ ହଳରେ ଯୋଚିଲା । ଏ ଦୁହେଁ କିନ୍ତୁ ପାଦେ ନ ଘୁଞ୍ଚିବା ଲାଗି ଶପଥ କରି ନେଇଥିଲେ ଯିମିତି ! ମାରି ମାରି ଥକିଗଲା ଗୟା । ସେମାନେ ରହିଲେ ଅବିଚଳ; କିନ୍ତୁ ଯେତେବେଳେ ଗୟା ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ହୀରାର ନାକ ଉପରେ ପାହାର ଦେଲା, ମୋତିର ଧୈର୍ଯ୍ୟ ଭୁଷୁଡ଼ି ପଡ଼ିଲା । ବେକରେ ଜୁଆଳି ଲଙ୍ଗଳ ଥାଉଁଥାଉଁ ଦଉଡ଼ି ପଳେଇବାକୁ ଲାଗିଲା । ଲଙ୍ଗଳ, ଜୁଆଳି, ଜୋତା, ପଘା–ସବୁ ଭାଙ୍ଗିରୁଜି ଗଲା, ଛିଣ୍ତିଗଲା । ବଳଦ ଦୁଇଟିର ବେକରେ ଲମ୍ୱା ଲମ୍ବା ରସି ନଥାନ୍ତା ଯଦି ଆଉ ଧରି ହୋଇ ନଥାନ୍ତା ।

 

ହୀରା ମୂକ ଭାଷାରେ କହିଲା–‘‘ୟା ହାତରୁ ଖସି ପଳେଇବା ବ୍ୟର୍ଥହେବ ଜଣାଯାଉଛି-।’’

 

ସେଇ ଭାଷାରେ ମୋତି ଉତ୍ତର ଦେଲା–‘‘ଏଇ ତ ତୋର ପ୍ରାଣ ନେଇ ଯାଉଥିଲା । ଜଣାଯାଉଛି ଖୁବ୍‌ ମାରିବ ପୁଣି ।’’

 

–‘‘ମାରୁ ! ବଳଦ ଜନମ ପାଇଛେ ଯେତେବେଳେ, କେବେଯାଏଁ ମାଡ଼ ନଖାଇ ରହିବା-?’’

 

–‘‘ଦୁଇଟି ଲୋକ ନେଇ ଗୟା ଧାଇଁ ଆସୁଚି । ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ଠେଙ୍ଗା ରହିଛି ।’’

 

ମୋତି କହିଲା–‘‘କହିବୁ ଯଦି ମୁଁ ବି ଟିକେ ମଜା ଦେଖାଇପାରେ । ଲାଠି ନେଇ ଆସୁଅଛି, ଏଇ ତ !’’

 

ହୀରା ବୁଝେଇବାକୁ ଲାଗିଲା–‘‘ନାଇଁରେ ଭାଇ ! ଠିଆ ହେଇଯା ।’’

 

–‘‘ମତେ ମାରିବ ଯଦି, ମୁଁ ବି ଗୋଟେ ଦି’ଟାକୁ ଗଡ଼େଇ ଦେବି ।’’

 

–‘‘ନା, ସେଭଳି କରନା । ଏ ଆମ ଜାତିର ଧର୍ମ ନୁହେଁ ।’’

 

ମୋତି ଦାନ୍ତ ରଗଡ଼ି ଚୁପ୍‌ ରହିଲା । ଗୟା ଆସି ପହଞ୍ଚିଲା ଏବଂ ଦୁହିଁଙ୍କୁ ଧରି ନେଲା । ରକ୍ଷା ହେଲା, ସେତିକିବେଳେ ସେ ସେମାନଙ୍କୁ ମାରିନି, ନାଇଁ ତ ମୋତି ଆଜି ଉଚିତ ପ୍ରାପ୍ୟ ନ ଦେଇ ଛାଡ଼ି ନଥାନ୍ତା । ମୋତିର ରାଗ ଗରଗର ଚଙ୍ଗଚଙ୍ଗିଆ ରୂପ ଦେଖି ଗୟା ଏବଂ ତା’ର ସାଥୀମାନେ ବୁଝି ପାରିଥିଲେ ଯେ, ସେଇ ମୁହୂର୍ତ୍ତରେ ବଳଦମାନଙ୍କୁ ନ ମାରିବାହିଁ ଉଚିତ ହେବ ।

 

ଆଜି ପୁଣି ବଳଦ ଦୁହିଁଙ୍କୁ ଶୁଖିଲା କୁଣ୍ତା ଦିଆଗଲା । ଦୁହେଁ ଚୁପ୍‌ଚାପ୍‌ ଠିଆ ହୋଇ ରହିଲେ । ପରିବାର ଲୋକେ ଭୋଜନରେ ବସିଲେ । ସେଇ ସମୟରେ ଛୋଟ ବାଳିକାଟି ଦୁଇ ଖଣ୍ତ ରୋଟି ନେଇ ଆସିଲା ଏବଂ ବଳଦ ଦୁଇଟିର ମୁହଁରେ ଦେଇ ଚାଲିଗଲା । ସେଇ ଗୋଟିଏ ଗୋଟିଏ ରୋଟିରେ କ’ଣ ସେମାନଙ୍କର କ୍ଷୁଧା ନିବାରଣ ହୋଇଥାଆନ୍ତା ? ଅବଶ୍ୟ ଦୁହିଁଙ୍କର ହୃଦୟର କ୍ଷୁଧା ମେଣ୍ଟିଲା । ଏଇଠିବି ସଜ୍ଜନ ଅଛନ୍ତି । ବାଳିକାଟି ପରୀଟିଏ ଭଳି ଦେଖା ଯାଉଥାଏ । ତା’ର ମା’ ମରି ଯାଇଥାନ୍ତି । ସାବତ ମା ପ୍ରତ୍ୟହ ତାକୁ ମାରେ । ସୁତରାଂ ଏଇ ବଳଦମାନଙ୍କ ସହିତ ତା’ର ଆତ୍ମୀୟତା ବଢ଼ି ଯାଇଥିଲା ।

 

ଦିନ ତମାମ ଦୁହିଁଙ୍କୁ କ୍ଷେତ କାମରେ ଲଗାଯାଏ । ମାଡ଼ ବାଜେ ସନ୍ଧ୍ୟାରେ ଗୁହାଳ ଘରେ ବାନ୍ଧି ଦିଆଯାଏ ଏବଂ ରାତି ହେଲେ ବାଳିକାଟି ବଳଦ ଦୁଇଟିକୁ ଦୁଇ ଖଣ୍ତ ରୋଟି ଦେଇଯାଏ । ଏ ଯେଉଁ ପ୍ରେମର ପ୍ରସାଦ ମିଳେ, ତା’ର ଶକ୍ତି ଏତେ ଯେ, ଦିଦିକଳ ଶୁଖିଲା କୁଣ୍ତା ଖାଇ ମଧ୍ୟ ବଳଦ ଦୁଇଟି ଶକ୍ତିହୀନ ହୋଇଯାଉ ନଥାନ୍ତି । କିନ୍ତୁ ସେମାନଙ୍କର ଆଖିରେ ଏବଂ ପ୍ରତି ଲୋମକୂପରେ ବିଦ୍ରୋହର ଭାବ ଜାଗ୍ରତ ଥିଲା ।

 

ଦିନେ ମୋତି ମୂକ ଭାଷାରେ କହିଲା–‘‘ବୁଝିଲୁ ହୀରା ! ଆଉ ସହି ହେଉନି !’’

 

–‘‘କ’ଣ କରିବା କହୁଛୁ ?’’

 

‘‘ଗୋଟାଏ ଦି’ଟାକୁ ଶିଙ୍ଗରେ ଟାଳି ଫିଙ୍ଗି ଦେବି ଭାବୁଛି ।’’

 

‘‘ସେଇ ଯେଉଁ ଛୋଟ ଝିଅଟି ଆମକୁ ରୋଟି ଦେଇଯାଏ କିଏ ଜାଣୁ ? ସେ ଏଇ ଘର ମାଲିକର ଝିଅ । ଅଭାଗୀ ଅନାଥା ହେଇଯିବ !’’

 

‘‘ମାଲିକିଆଣୀ କି ଫିଙ୍ଗିଦେବି । ସେ ଏ ଝିଅଟିକୁ ମାରେ !’’

 

‘‘କିନ୍ତୁ ସ୍ତ୍ରୀମାନଙ୍କ ଉପରେ ଶିଙ୍ଗ ଚଳେଇବା ନିଷେଧ । ଏ କଥା ତୁ ଭୁଲିଯାଉଚୁ ବୋଧହୁଏ ।’’

 

‘‘ତୁ ତ ସବୁ କଥାକୁ ମନା କରୁଛୁ । ହେଲେ ପଘା ଛିଣ୍ତେଇ ପଳେଇ ଯିବା ଆ !’’

 

‘‘ହଁ, ଏ କଥାରେ ମୁଁ ରାଜି ଅଛି, କିନ୍ତୁ ଏ ମୋଟା ଦଉଡ଼ି ଛିଣ୍ତିବ କିମିତି ?’’

 

‘‘ଏହାର ଉପାୟ ଅଛି । ପ୍ରଥମେ ଦଉଡ଼ିଟିକୁ ଟିକେ ଚୋବେଇ ଦେବାପରେ ଜୋରରେ ଟାଣି ଦେଲେ ଛିଣ୍ତିଯିବ ।’’

 

ରାତିରେ ବାଳିକାଟି ରୋଟି ଦେଇ ଚାଲିଗଲା ପରେ ଉଭୟେ ବେକର ଦଉଡ଼ିକୁ ଚୋବେଇବାକୁ ଲାଗିଲେ; କିନ୍ତୁ ଦଉଡ଼ି ବିଶେଷ ମୋଟା ଥିବାରୁ ତୁଣ୍ତ ଭିତରକୁ ନେଇ ହେଉ ନଥିଲା । ଅନେକ ଥର ଚେଷ୍ଟା କରି ସେମାନେ ଥକି ଯାଆନ୍ତି ।

 

ସହସା ଘରଦୁଆର ଖୋଲା ହେଲା । ଝିଅଟି ଆସିଲା । ଦୁହେଁ ମୁଣ୍ତ ନୁଆଁଇ ତା’ର ହାତ ଚାଟିବାକୁ ଲାଗିଲେ । ଲାଞ୍ଜ ଠିଆଠିଆ କଲେ । ବାଳିକାଟି ତାଙ୍କର ମଥାରେ ହାତ ବୁଲାଇ ଆଣି କହିଲା–‘‘ଖୋଲି ଦେଉଛି, ଚୁପ୍‌ କରି ପଳେଇ ଯା । ନାହିଁ ତ ଏଠାରେ ଲୋକେ ତୁମକୁ ମାରି ପକାଇବେ । ଘରେ ଆଜି କଥା ହେଉଥିବା ଶୁଣିଛି–ତମ ନାକ ଫୋଡ଼ି ଦଉଡ଼ି ଗଳେଇ ଦିଆଯିବ-।’’

 

ବାଳିକାଟି ବଳଦମାନଙ୍କ ବେକରୁ ପଘା ଖୋଲି ଦେଲା । ବଳଦ ଦୁଇଟି କିନ୍ତୁ ଚୁପ୍‌ଚାପ୍‌ ଠିଆ ହୋଇ ରହିଲେ ।

 

ମୋତି ନିଜ ଭାଷାରେ ପଚାରିଲା–‘‘ଚାଲୁନୁ କାହିଁକି ?’’

 

ହୀରା କହିଲା–‘‘ପଳେଇ ଯିବା ଯେ, ଏଇ ବାଳିକାଟି କିନ୍ତୁ ବିପଦରେ ପଡ଼ିବ । ସମସ୍ତେ ୟାକୁଇ ସନ୍ଦେହ କରିବେ ।’’

 

ସହସା ବାଳିକାଟି ପାଟି କରି ଉଠିଲା–‘‘ଆରେ ଆରେ ମଶାଣି ବଳଦ ଦୁଇଟି ପଳେଇ ଯାଉଚନ୍ତି, ଦାଦା... ! ଏ...ଦାଦା... ! ବଳଦ ଦୁଇଟି ପଳେଇ ଯାଉଚନ୍ତି । ଧାଇଁ ଯାଆ ଜଲଦି ।’’

 

ଗୟା ହଡ଼ବଡ଼େଇ ଘର ଭିତରୁ ବାହାରିଲା ଏବଂ ବଳଦ ଦୁଇଟିକୁ ଫେରାଇ ଆଣିବାପାଇଁ ଧାଇଁଗଲା । ବଳଦ ଦୁଇଟି ମଧ୍ୟ ଧାଇଁବାକୁ ଲାଗିଲେ । ଗୟା ସେମାନଙ୍କର ପିଛା ଧରିଲା । ସେମାନେ ଆହୁରି ଜୋରରେ ଦଉଡ଼ିଲେ । ଗୟା ପାଟିକଲା । ପୁଣି ଗାଁରୁ କେତେ ଜଣକୁ ସାଥୀ କରି ନେବାପାଇଁ ଲେଉଟିଲା । ଏହି ଅବସରରେ ଦୁଇ ମିତଙ୍କୁ ଧାଇଁବାପାଇଁ ବେଶ୍‌ ସୁବିଧା ମିଳିଲା । ସିଧା ସିଧା ଧାଇଁବାକୁ ଲାଗିଲେ । ଏପରି କି, ସେମାନଙ୍କର ପଥ–ଜ୍ଞାନବି ରହିଲାନି । ପୂର୍ବେ ସେମାନେ ଯେଉଁ ପଥ ଦେଇ ଆସିଥିଲେ, ଏ ସେଇ ପଥ ନୁହେଁ । ବାଟରେ ଯାଉ ଯାଉ ଦେଖିବାକୁ ପାଇଲେ ନୂଆ ନୂଆ ଗାଁ । ଶେଷରେ, ଦୁହେଁ ଗୋଟିଏ ଖେତର ହିଡ଼ ଉପରେ ଠିଆ ହେଇ, ୟାପରେ କ’ଣ କରାଯିବ ଭାବିବାକୁ ଲାଗିଲେ ।

 

ହୀରା କହିଲା–‘‘ଜଣା ଯାଉଛି, ଆମେ ପଥ ଭୁଲି ଯାଇଛେ ।’’

 

‘‘ତୁ ବି ତ ଏକ ପଟିଆ ଦଉଡ଼ି ଆସିଲୁ । ଗୟାକୁ ସେଠାରେ ମାରି ଗଡ଼େଇଦେବାର ଥିଲା ।’’

 

‘‘ତାକୁ ମାରି ଗଡ଼େଇ ଦେଇଥିଲେ ଦୁନିଆ କ’ଣ କହନ୍ତା ? ସେ ନିଜର ଧର୍ମ ଭୁଲିଗଲା ବୋଲି ଆମେ କ’ଣ ଆମ ଧର୍ମ ଭୁଲି ଯାଇଥାନ୍ତେ ।’’

 

ଦୁହେଁ ଥିଲେ କ୍ଷୁଧାତୁର । କ୍ଷେତରେ ଥିଲା ମଟର ଫସଲ । ଦୁହେଁ ଖେତ ଭିତରେ ପଶି ମଟର ଚରିବାକୁ ଲାଗିଲେ । ମଝିରେ କେହି ଆସୁଚି କି ନା ଦେଖି ନେଉଥାନ୍ତି । ଯେତେବେଳେ ପେଟ ଭରିଗଲା, ସ୍ୱାଧୀନତାର ସ୍ୱାଦୁ ଅନୁଭବ କରି ଉଭୟେ ଉଛୁଳି ଉଠିଲେ ସେତେବେଳେ । ଦୁହେଁ ରଡ଼ି ଛାଡ଼ିଲେ, ପରେ ପରେ ଶିଙ୍ଗରେ ଶିଙ୍ଗ ମିଳାଇ ଠେଲାଠେଲି ହେଲେ । ମୋତି ହୀରାକୁ କେତେ ପାଦ ପଛକୁ ହଟାଇ ଦେଲା । ଏପରି କି ହୀରା ଗୋଟାଏ ଗାଡ଼ିଆ ଭିତରକୁ ଗଡ଼ି ପଡ଼ିଲା । ହୀରା ରାଗି ଉଠିଲା ଏଥର । ଗାଡ଼ିଆ ଭିତରୁ ପଦାକୁ ଆସି ମୋତିକୁ ଆକ୍ରମଣ କଲା । ମୋତି ଦେଖିଲା ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ସୃଷ୍ଟି ହେବାକୁ ଯାଉଚି । ସେ ଅନ୍ୟ ଦିଗକୁ ଚାଲିଗଲା-

 

‘‘ଆରେ ! ଏ କ’ଣ ! ଷଣ୍ଢଟାଏ ତ ରଡ଼ି ଛାଡ଼ି ଆସୁଛି । ହଁ...ଷଣ୍ଢଟାଏ ତ !’’ ସେମାନଙ୍କ ସାମନାରେ ପହଞ୍ଚିଲା ଷଣ୍ଢ । ଦୁଇ ମିତ ପଳେଇ ଯିବାକୁ ଚେଷ୍ଟା କଲେ । ଷଣ୍ଢ ଗୋଟାଏ ହାତୀ ପରି ଦେଖାଯାଉଥାଏ । ତା’ ସହିତ ଲଢ଼େଇ କରିବା ଅର୍ଥ ପ୍ରାଣ ଉପରକୁ ବିପଦ ଡାକିଆଣିବା । କିନ୍ତୁ ବିନା ଲଢ଼େଇରେ ତ ପ୍ରାଣ ରଖି ହେବ ବୋଲି ଆଶା ହେଉନି । ଷଣ୍ଢ ଏଇମାନଙ୍କ ଆଡ଼କୁ ଆସୁଥିଲା । ବାବାରେ ! କି ଭୟଙ୍କର !!

 

ମୋତି ମୂକ ଭାଷାରେ କହିଲା–‘‘ବୁଝିଲୁ ହୀରା, ଏ ଗୋଟାଏ ବଡ଼ ବିପଦ । ୟା ପାଖରୁ କିପରି ମୁକୁଳିବା କହିଲୁ ? କିଛି ଗୋଟାଏ ଉପାୟ ଚିନ୍ତା କର ।’’

 

ହୀରା ଚିନ୍ତିତ ହୋଇ କହିଲା–‘‘ନିଜ ଗର୍ବରେ ମାତାଲ ସେ । ଜଣାଯାଉଛି ତା’ ପାଖରେ ଆମର ସକଳ ବିନୟ ପ୍ରାର୍ଥନା ବ୍ୟର୍ଥ ହେବ ।’’

 

‘‘ଧାଇଁ ପଳାଇବା ଚାଲ ।’’

 

‘‘ଧାଇଁ ପଳାଇବା ଭୀରୁତାର ଲକ୍ଷଣ ।’’

 

‘‘ତାହାହେଲେ ମରେ ଏଇଠି । ଚାହୁଁଚାହୁଁ ତ ପଳେଇ ଯାଇ ପାରନ୍ତେ !’’

 

‘‘ଷଣ୍ଢ ଗୋଡ଼େଇବ ଯଦି ?’’

 

‘‘ତାହାହେଲେ ଚଞ୍ଚଳ କୌଣସି ଉପାୟ ଚିନ୍ତା କର ।’’

 

‘‘ଅସଲ ଉପାୟ ହେଉଚି, ଦୁଇ ପଟୁ ଦୁହେଁ ତାକୁ ଆକ୍ରମଣ କରିବା । ତୁ ଆଗରୁ, ମୁଁ ପଛରୁ । ଦି’ ପାଖରୁ ମାଡ଼ ଖାଇଲେ ପୁଅର ହରି ଛାଡ଼ିଯିବ । ମୋ ଉପରକୁ ଯେବେ ଝପଟି ଆସିବ, ଆର ଖାଖରୁ ତୁ ଶିଙ୍ଗରେ ତା’ର ପେଟ ଫୋଡ଼ିଦେବୁ । ବିପଦର ଆଶଙ୍କା... । ଆଉ ଅନ୍ୟ ଗତି ନାହିଁ ।’’

 

ଦୁଇ ମିତ ପ୍ରାଣକୁ ପାଣି ଛଡ଼େଇ ତା’ ଉପରକୁ ଝପଟିଲେ । ସଙ୍ଗଠିତ ଶତ୍ରୁମାନଙ୍କ ସହିତ ଲଢ଼େଇ କରିବା ଅନୁଭୂତି ଷଣ୍ଢର ନଥିଲା । ଏଯାଏଁ ସେ ଗୋଟାଏ ଗୋଟାଏ ଶତ୍ରୁ ସହିତ ମଲ୍ଲଯୁଦ୍ଧ କରି ଆସିଥିଲା । ଷଣ୍ଢ ଯେତେବେଳେ ହୀରା ଉପରକୁ ମାଡ଼ି ଆସିଲା, ମୋତି ପଛ ପାଖରୁ ଷଣ୍ଢ ଉପରକୁ ଝପଟିଲା । ଷଣ୍ଢ ଯେତେବେଳେ ମୋତି ଉପରକୁ ଫେରି ପଡ଼ିଲା, ହୀରା ପଛରୁ ଖେଦିଲା । ଷଣ୍ଢର ଇଚ୍ଛା ଥିଲା ଗୋଟି ଗୋଟି କରି ବଳଦ ଦୁଇଟିକୁ ଗଡ଼େଇ ଦେବ । ଏ ଦିହେଁ ଥିଲେ କିନ୍ତୁ ଓସ୍ତାଦ । ସେଭଳି ଅବସର ଷଣ୍ଢ ପାଉ ନଥିଲା । ଷଣ୍ଢ ଯେତେବେଳେ ବ୍ୟତିବ୍ୟସ୍ତ ହୋଇ ହୀରାକୁ ମାଟିରେ ମିଶାଇ ଦେବାପାଇଁ ଝପଟିଲା, ମୋତି ପଛଆଡ଼ୁ ଆସି ତା’ର ପେଟରେ ଶିଙ୍ଘ ଗଳେଇ ଦେଲା । କ୍ରୋଧରେ ଷଣ୍ଢ ପଛକୁ ଫେରେ ତ ହୀରା ଦ୍ୱିତୀୟ ଥରପାଇଁ ତାକୁ ଭୁଷି ଦେଲା । ଷଣ୍ଢ କ୍ଷତବିକ୍ଷତ ହୋଇ ଧାଇଁ ପଳାଇଲା । ଦୁଇ ମିତ ବହୁଦୂର ଯାଏଁ ତା’ ପଛରେ ଗୋଡ଼େଇଲେ । ଏପରିକି ଷଣ୍ଢ ବେଦମ୍‌ ହୋଇ ପଡ଼ିଗଲା । ଦୁହେଁ ତାକୁ ଛାଡ଼ି ଦେଲେ ।

 

ଦୁଇ ମିତ ବିଜୟୋଲ୍ଲାସରେ ଝୁଲିଝୁଲି ଚାଲି ଆସୁଥାନ୍ତି ।

 

ମୋତି ନିଜ ସାଙ୍କେତିକ ଭାଷାରେ ଆରମ୍ଭ କଲା–‘‘ମୋର ମନ ଚାହୁଁଥିଲା ପୁଅକୁ ପ୍ରାଣରେ ମାରି ଦେଇଥାନ୍ତି ।’’

 

ହୀରା ତିରସ୍କାର କରି କହିଲା–‘‘ତଳେ ପଡ଼ି ଯାଇଥିବା ପରାସ୍ତ ଶତ୍ରୁ ଉପରେ ଶିଙ୍ଗ ଚଳାଇବା ନିଷେଧ ।’’

 

‘‘ଏ ସବୁ ମିଛ । ସେଇଭଳି ଶତ୍ରୁକୁ ମାରିବାଟାହିଁ ଉଚିତ ।’’

 

‘‘ଆଚ୍ଛା, ଛାଡ଼ ସେ କଥା । ଘରକୁ ଫେରିବା କିପରି ବିଚାର କଲୁ ?’’

 

‘‘ପହିଲେ କିଛି ଖାଇନେବା ଆ.... ! ତା’ପରେ ଯାଇ ଯାହା ବିଚାର ।’’

 

ସାମନା ଖେତରେ ମଟରର ସବୁଜ ଫସଲ । ମୋତି ଖେତ ଭିତରେ ପଶିଲା । ହୀରାର ବାରଣ ମୋତି ମାନିଲାନି । ଦି’ ଚାରି କଳ ଖାଇଚି କି ନା ଦୁଇଜଣ ଲୋକ ଠେଙ୍ଗା ଧରି ଦଉଡ଼ି ଆସିଲେ ଏବଂ ଦୁଇ ମିତଙ୍କୁ ଘେରି ପକାଇଲେ । ହୀରା ଥିଲା ହିଡ଼ ଉପରେ । ଧାଇଁ ପଳେଇଲା । ସନ୍ତସନ୍ତିଆ ଖେତ ଭିତରେ ଥିଲା ମୋତି । ତା’ର ଖୁରା କାଦୁଅରେ ଲାଗିଗଲା । ହୀରା ଦେଖିଲା, ସାଥୀ ସଙ୍କଟରେ ପଡ଼ିଛି । ସୁତରାଂ ଫେରି ଆସିଲା ସେ–ତା’ର ସାଥୀ ପାଖକୁ । ଦୁହିଁଙ୍କ ଭାଗ୍ୟ ସମାନ ହେବା ଉଚିତ । କ୍ଷେତ ଜଗୁଆଳି ତାକୁ ମଧ୍ୟ ଧରି ନେଲା । ସକାଳେ ଦୁଇ ମିତଙ୍କୁ କାଞ୍ଜି ଘରେ ବନ୍ଦ କରି ଦିଆଗଲା ।

 

ଦୁଇ ମିତଙ୍କ ଜୀବନରେ ଏ ହେଉଚି ପହିଲି ଅବସର । ସାରା ଦିନ ବିତି ଯାଇଚି । ଅଥଚ କୁଟା ଖଣ୍ତିଏ ଖାଇବାକୁ ମିଳିନି । ଏ କି ଭଳି ରକ୍ଷକ ଜଣାଯାଉ ନଥାଏ । ଗୟା ଏହା ଅପେକ୍ଷା ଯଥେଷ୍ଟ ଭଲ । ସେଠାରେ ମଇଁଷି, ଗଧ, ଘୋଡ଼ା ଆଦି କେତୋଟି ଜନ୍ତୁ ଥାଆନ୍ତି । କାହାରି ଆଗରେ ନଥିଲା ଖାଇବାପାଇଁ ପୁଳାଏ ବୋଲି ଘାସ । ମୁର୍ଦ୍ଦାର ଭଳି ଜନ୍ତୁଗୁଡ଼ିକ ଭୂଇଁ ଉପରେ ପଡ଼ି ରହିଥାନ୍ତି । କେତେକ ଏତେ ଦୁର୍ବଳ ହୋଇ ପଡ଼ି ଥାଆନ୍ତି ଯେ ଠିଆ ହେବାପାଇଁ ଅନ୍ତତଃ ଶକ୍ତି ସଂଚୟ କରି ପାରୁ ନଥାନ୍ତି । ଫାଟକ ଆଡ଼କୁ ଦୁଇ ମିତ ଦିନସାରା ଅପଲକ ନୟନରେ ଚାହିଁ ରହିଲେ । କିନ୍ତୁ ତାଙ୍କପାଇଁ ଖାଦ୍ୟ ନେଇ ଆସୁଥିବା ଦେଖାଗଲା ନାହିଁ । ଏଥର ଦୁହେଁ କାନ୍ଥର ଲୁଣିଆ ମାଟି ଚାଟିବା ଆରମ୍ଭ କରିଦେଲେ । ଏଇଥିରୁ ଅବା କି ତୃପ୍ତି ମିଳନ୍ତା !

 

ରାତିରେ ମଧ୍ୟ ଖାଇବାକୁ କିଛି ମିଳିଲାନି । ହୀରାର ହୃଦୟ ଭିତରେ ବିଦ୍ରୋହାଗ୍ନି ଜଳି ଉଠିଲା । ମୋତିକୁ କହିଲା–‘‘ବୁଝିଲୁ ମୋତି ! ଆଉ ସମ୍ଭାଳି ହେଉନି !’’

 

ମୁଣ୍ତ ହଲାଇ ମୋତି ଉତ୍ତର ଦେଲା–‘‘ମୋର ମନେ ହେଉଛି ଏଥର ପ୍ରାଣଯିବ !’’

 

‘‘ଆରେ ଆରେ ! ଏଡ଼େ ଜଲଦି ସାହସ ହରେଇଲେ ହୁଏ ? ଏଠୁ ଯିବା ଲାଗି ଉପାୟ ଚିନ୍ତା କରିବା ଦରକାର ।’’

 

‘‘ଆସ–ଏଇ କାନ୍ଥଟା ଭାଙ୍ଗିଦେବା ।’’

 

‘‘ମୋଦ୍ୱାରା ଏବେ ଆଉ କିଛି ହେବନି ।’’

 

‘‘ତାହାହେଲେ ଏଇ ବଳ ଦେଖାଉଥିଲୁ କାହିଁକି ?’’

 

‘‘ସବୁ ବଳ ସରିଛି ।’’

 

ବାଡ଼ିପଟ କାନ୍ଥଟା କଚ୍ଚା । ହୀରା ଖୁବ୍‌ ଟାଣୁଆ ନିଜର ମୁନିଆଁ ଶିଙ୍ଗ କାନ୍ଥ ଦେହରେ ଯିମିତି ମାରିଚି ପୁଳାଏ ମାଟି ଖସି ପଡ଼ିଲା । ତା’ର ସାହସ ବଢ଼ିଲା । ଏଥର ପ୍ରବଳ ବେଗର ସହିତ ଧାଇଁ ଯାଇ କାନ୍ଥ ଦେହରେ ଶିଙ୍ଗ ମାରିଲା । ପ୍ରତି ଆଘାତରେ ଅଳ୍ପ ଅଳ୍ପ ମାଟି କାନ୍ଥରୁ ଖସିବାକୁ ଲାଗିଲା ।

 

ସେତିକିବେଳେ କାଞ୍ଜିଘର ଜଗୁଆଳ ହାତରେ ଲଣ୍ଠନ ନେଇ ବନ୍ଦୀ–ପଶୁମାନଙ୍କର ହାଜିରା ନେବାପାଇଁ ଆସି ସେଠାରେ ଉପସ୍ଥିତ ହେଲା । ହୀରାର ଦୁଷ୍ଟାମି ଲାଗି ତାକୁ ଠେଙ୍ଗାରେ ପ୍ରହାର କଲା ଏବଂ ମୋଟା ଦଉଡ଼ିରେ ବାନ୍ଧି ଦେଇଗଲା ।

 

ମୋତି ଶୋଇ ଶୋଇ କହିଲା–‘‘ଶେଷରେ ମାଡ଼ ଖାଇବାଇ ସାର ହେଲା । କ’ଣ ଆଉ ମିଳିଲା ?’’

 

‘‘କାନ୍ଥ ଦେହରେ ଖୁବ୍‌ ବଳ କଷିଛୁ ଯେ !’’

 

‘‘ଜୋର ଲଗେଇ ଫଳ କ’ଣ ହେଲା କହିଲୁ ? ଶେଷକୁ ବନ୍ଧନରେ ପଡ଼ିଲୁ !’’

 

‘‘ବନ୍ଧନରେ ପଡ଼ିଲେ କ’ଣ ହେଲା, ବଳକଷିବା ନିଶ୍ଚିତ ।’’

 

‘‘ଶେଷରେ ଜୀବନ ହରେଇବାକୁ ପଡ଼ିପାରେ ।’’

 

ଖାତିର କ’ଣ ? ଏଇମିତି ରହିଲେ ତ ମରିବା । ଭାବିଲୁ, କାନ୍ଥଟା ଭାଙ୍ଗି ଯଦି ମେଲା ମୁକୁଳା ହୋଇ ଯାଇଥାନ୍ତା, ତେବେ କେତୋଟି ଜୀବନର ରକ୍ଷା ହୋଇ ପାରିଥାନ୍ତା ? ଏତେଜଣ ଭାଇ ଏଠାରେ ବନ୍ଦୀ ଅବସ୍ଥାରେ ପଡ଼ି ସଢ଼ୁଚନ୍ତି ! ଦେହରେ ପ୍ରାଣ ପ୍ରାୟ କାହାରି ନାହିଁ କହିଲେ ଚଳେ । ଆଉ ଦି’ ଚାରିଦିନ ଏଇଭଳି ଯଦି ଏମାନେ ଏଠାରେ ପଡ଼ି ରହନ୍ତି, ତାହାହେଲେ ସେମାନଙ୍କର ମୃତ୍ୟୁ ହୋଇଯିବା ବିଚିତ୍ର ନୁହ ।’’

 

‘‘ଓ....ଏଇ କଥା ! ତାହାହେଲେ ମୁଁ ବି ଜୋର୍‌ ଲଗାଏ ।’’

 

ମୋତିବି କାନ୍ଥର କ୍ଷତ ଜାଗାରେ ଶିଙ୍ଗ ମାରିଲା । ପୁଳାଏ ମାଟି ଖସିବାରୁ ତା’ର ସାହସ ମଧ୍ୟ ବଢ଼ିଲା । ପୁଣି କାନ୍ଥ ଦେହରେ ଶିଙ୍ଗ ଭୁଷି ଏଭଳି ବଳ କଷିଲା, ଜଣାଯାଉଥିଲା ସତରେ ସେ ଯିମିତି ମଲ୍ଲଯୁଦ୍ଧ କରୁଛି । ଘଣ୍ଟାଏ ଦି’ଘଣ୍ଟା ବଳ କଷିବା ପରେ କାନ୍ଥ ଉପରୁ ପ୍ରାୟ ହାତେ ଉଚ୍ଚା ମାଟି ଖସି ପଡ଼ିଲା । ପୁଣି ଦୁଇଗୁଣ ଶକ୍ତି ଲଗାଇ ଧକ୍କା ଦେବାରୁ । ଅଧା କାନ୍ଥ ଖସି ପଡ଼ିଲା ।

 

ଯିମିତି କାନ୍ଥ ପଡ଼ିଛି ଦରମରା ଅବସ୍ଥାରେ ପଡ଼ିଥିବା ସକଳ ପଶୁ ଚେଇଁ ଉଠିଲେ । ଘୋଡ଼ୀ ତିନୋଟି ସଙ୍ଗେ ସଙ୍ଗେ ଧାଇଁ ପଳେଇଲେ ! ଛେଳି ପଛକୁ ମଇଁଷିଗୁଡ଼ିକ ଖସି ପଳେଇଲେ-। ଗଧଗୁଡ଼ାକ କିନ୍ତୁ ନିର୍ବିକାର ଠିଆ ହୋଇ ଥାଆନ୍ତି ।

 

ହୀରା ପଚାରିଲା–‘‘ତମେ ଦୁହେଁ ପଳାଇ ଯାଉନ କିଆଁ ?’’

 

ଗଧ ଗୋଟିଏ କହିଲା–‘‘ପୁଣି ଯଦି କିଏ ଧରି ନିଏ ?’’

 

‘‘କ୍ଷତିଟାଏ କ’ଣ ? ଏଇ ତ ପଳେଇ ଯିବାର ଅବସର ।’’

 

‘‘ଡର ମାଡ଼ୁଛି । ଆମେ ଏଇଠି ପଡ଼ି ରହିବୁ ।’’

 

ପ୍ରାୟ ଅଧରାତିରୁ ଅଧିକ ବିତି ଯାଇଥାଏ । ଯିବେ କି ନଯିବେ ଗଧ ଦୁଇଟି ବିଚାରୁ ଥାଆନ୍ତି । ମୋତି ହୀରା ବେକରେ ଦଉଡ଼ି ଛିଣ୍ତାଇବାରେ ଲାଗିଥାଏ । ସେ ଯେତେବେଳେ ପାରିଲାନି ହୀରା କହିଲା–‘‘ତୁ ବି ଯା । ମୁଁ ଏଠାରେ ପଡ଼ି ରହେ । କାଳେ ହୁଏତ ଭେଟ ହେଇପାରେ ।’’

 

ମୋତିର ଆଖିରେ ଅଶ୍ରୁ ପୂରି ଉଠିଲା । ‘‘ତୁ ମତେ ଏଡ଼େ ସ୍ୱାର୍ଥପର ବିଚାରିଚୁ ? ତୁ ଆଉ ମୁଁ ମିଶି ଏତେଦିନ ଏକା ସାଥିରେ ରହିଲେ । ତୁ ବିପତ୍ତିରେ ପଡ଼ିଥିବା ଦେଖି, ତତେ ଛାଡ଼ି ମୁଁ ଚାଲି ଯାଇପାରେ କି ?’’

 

ହୀରା ବୁଝେଇଲା–

 

‘‘ଖୁବ୍‌ ମାଡ଼ ଦେବେ । ସମସ୍ତେ ବୁଝିବେ ତୋର ଏଇ ଦୁଷ୍ଟାମି ।’’

 

ଗର୍ବର ସହିତ କହିଲା ମୋତି–‘‘ଯେ ଅପରାଧ ଯୋଗୁଁ ତୋ ଗଳାରେ ବେଡ଼ି–ସେଇଥିଲାଗି ମତେ ଯଦି ମାଡ଼ ମିଳେ କ୍ଷତି କ’ଣ ? ସେ ଯା ହଉନା କାହିଁକି ପାଞ୍ଚ ଦଶ ପ୍ରାଣୀର ଜୀବନ ରହିଲା ତ ? ସେମାନେ ଆଶୀର୍ବାଦ ଢାଳିବେ ନିଶ୍ଚୟ ।’’

 

କହୁ କହୁ ମୋତି ଗଧ ଦୁଇଟିକୁ ଶିଙ୍ଗରେ ମାରି ମାରି ପାଚିରି ଆର ପାଖକୁ ଘଉଡ଼ି ଦେଲା ଏବଂ ଫେରି ଆସି ହୀରା ପାଖରେ ଶୋଇ ପଡ଼ିଲା ।

 

ସକାଳ ହେଉ ହେଉ ମୁନ୍‌ସୀ, ଚଉକିଦାର ଏବଂ ଅନ୍ୟ କର୍ମଚାରୀ ଗତ ରାତିର ସମ୍ବାଦରେ କିଭଳି ଘାବୁରେଇ ଗଲେ ଲେଖିବାର ଆବଶ୍ୟକତା ନାହିଁ । ଏତିକି–ମୋତି ଖୁବ୍‌ ମାଡ଼ ଖାଇଲା ଏବଂ ଗୋଟାଏ ମୋଟା ଦଉଡ଼ିରେ ତାକୁ ବାନ୍ଧି ଦିଆଗଲା ।

 

ସପ୍ତାହେ ଯାଏଁ ବନ୍ଧୁ ସେଠାରେ ବଳୀ ହୋଇ ପଡ଼ି ରହିଲେ । କେହି ଖଣ୍ତିଏ କୁଟା ଖାଇବାକୁ ଦେଲେ ନାହିଁ ହଁ...ଦିନକେ ଥରେ ମାତ୍ର ସେମାନଙ୍କୁ ପାଣି ଦେଖାଇ ଦିଆଯାଉଥିଲା । ବେଶ୍‌ ସେତକ ଥିଲା ସେମାନଙ୍କର ଆଧାର । ଦୁହେଁ ଏଭଳି ଦୁର୍ବଳ ହୋଇ ପଡ଼ିଲେ ଯେ ସେମାନଙ୍କର ଉଠିବାପାଇଁ ବଳ ନଥାଏ ଦେହ ତାଙ୍କର ଅସ୍ଥିକଙ୍କାଳ ସାର ହୋଇ ପଡ଼ିଥିଲା ।

 

ଦିନେ କାଞ୍ଜି ଘର ସାମନାରେ ଟମଟମା ବାଜିଲା । ଦିପହର ନ ହେଉଣୁ ପଚାଶ, ଷାଠିଏ ଲୋକ ସେଠାରେ ଜମା ହୋଇଗଲେ । ଦୁଇ ମିତଙ୍କୁ ପଦାକୁ ଅଣାଗଲା । ଲୋକେ ତାଙ୍କୁ ଦେଖିଲେ । ଲୋକେ ତାଙ୍କୁ ଦେଖି ମୁହଁ ଫିକା କରି ଚାଲି ଯାଆନ୍ତି । ଏଭଳି ମଲା ବଳଦ ଦୁଇଟିକୁ କିଏ ଅବା କିଣନ୍ତା ?

 

ଶେଷରେ ଗୋଟିଏ ଦାଢ଼ିଆ ଲୋକ ଆସିଲା, ଆଖି ତା’ର ଲାଲ୍‌ ଲାଲ୍‌ ହୃଦୟ ଥିଲା ଅତ୍ୟନ୍ତ କଠୋର । ବଳଦ ଦୁଇଟିର ଅଣ୍ଡା ଦୁଇପାଖ ହାଡ଼ ଉପରେ ଅଙ୍ଗୁଳି ଚାଳନା କରି ମୁନ୍‌ସୀ ସାହେବଙ୍କ ସହିତ କ’ଣ କଥାଭାଷା କଲା । ତା’ର ଚେହେରା ଦେଖି ଦୁଇ ମିତଙ୍କ ହୃଦୟ କମ୍ପି ଉଠିଲା । ସେ କିଏ ଏବଂ କାହିଁକି ସେମାନଙ୍କୁ ସାଉଁଳୁଥିଲା ଏ ସମ୍ପର୍କରେ ତାଙ୍କର ଆଉ ସନ୍ଦେହ ରହିଲାନି । ଭୟ ପାଇ ଦୁହେଁ ଦୃଷ୍ଟି ବିନିମୟ କଲେ ଏବଂ ମୁଣ୍ଡ ନୁଆଁଇ ଠିଆ ହୋଇ ରହିଲେ ।

 

ହୀରା କହିଲା–‘‘ଜାଣିଲୁ ମୋତି, ମିଛରେ ଆମେ ଗୟା ପାଖରୁ ଚାଲି ଆସିଲେ ଏକ୍ଷଣି ପ୍ରାଣ ଯିବା ଉପରେ ।’’

 

ମୋତି ଅଶ୍ରଦ୍ଧା ପ୍ରକାଶ କରି କହିଲା–"ଶୁଣାଅଛି–ଭଗବାନ ସମସ୍ତଙ୍କ ଉପରେ ଦୟା କରନ୍ତି । ଆମ ଉପରେ ତାଙ୍କର ଦୟା ଦୃଷ୍ଟି କିପରି ଅବା ନ ପଡ଼ିବ କହିଲୁ ?"

 

‘‘ଆମର ମରିବା ଜିଇଁବା ଭଗବାନଙ୍କ ପାଖରେ ଏକ । ହଉ ଚାଲ୍‌, କିଛିଦିନ ତାଙ୍କରି ପାଖରେ ତ ରହିବା ! ଭଗବାନ୍‌ ଦିନେ ବାଳିକା ରୂପରେ ଆମକୁ ବଞ୍ଚାଇଥିଲେ । ଏବେ କ’ଣ ଆଉ ରକ୍ଷା କରିବେନି ?’’

 

‘‘ଏ ଲୋକଟା ଛୁରି ଚଳେଇବ ନିଶ୍ଚୟ । ଦେଖିବୁ ଯେ ।’’

 

‘‘ତେବେ ଚିନ୍ତା କ’ଣ ? ଆମର ମାଂସ, ହାଡ଼, ଛାଲ ଓ ଶିଙ୍ଘ କିଛି ନା କିଛି ଦୁନିଆ ଲୋକଙ୍କ ଜାତି କାମରେ ଲାଗିବ ।’’

 

ନିଲାମ ସରିଲା । ଦୁହେଁ ଦାଢ଼ିଆ ସାଥିରେ ଚାଲିଲେ । ଦୁହିଁଙ୍କ ହୃଦୟ ଥରୁଥାଏ । ସେମାନେ ପାଦ ପର୍ଯ୍ୟନ୍ତ ଉଠାଇ ପାରୁ ନଥାନ୍ତି । ଡରରେ କିନ୍ତୁ ପଡ଼ି ଉଠି ଚାଲୁଥାନ୍ତି । କାରଣ, ଚାଲି ଧୀର ହେବା ଦେଖିଲେ ଖୁବ୍‌ ମାଡ଼ ଦେଉଥାଏ ଦାଢ଼ିଆ ।

 

ପଥପାର୍ଶ୍ୱର ହରିତ ତୃଣଭୂମି ଉପରେ ଗୋଟିଏ ଗାଈଗୋଠ ଚରୁଥିଲେ । ପଶୁ ସକଳ ଚଞ୍ଚଳ ଏବଂ ପ୍ରଫୁଲ୍ଲିତ ଦେଖା ଯାଉଥାଆନ୍ତି । କିଏ ଉଛୁଳି ଉଠୁଥିଲା ତ କିଏ ଶୋଇ ପଜା ଗଡ଼ାଇଥିଲା । କେଡ଼େ ସୁଖମୟ ଜୀବନ ଏମାନଙ୍କର ! କିନ୍ତୁ କେଡ଼େ ସ୍ୱାର୍ଥୀ ! ହତ୍ୟାକାରୀର ହାତରେ ସେମାନଙ୍କର ଦିଓଟି ସାଥୀ କିଭଳି ବିକଳ ହୋଇ ଉଠିଚନ୍ତି, ସେମାନଙ୍କର କ’ଣ ଏତେ ଟିକେ ଖିଆଲ ଅଛି ?

 

ଦୁଇ ମିତ ସହସା ଜାଣିପାରିଲେ–ଏଇ ତାଙ୍କର ପରିଚିତ ପଥ । ହଁ....ଠିକ୍‌ ଏଇ ରାସ୍ତାରେ ଗୟା ସେମାନଙ୍କୁ ଅଡ଼ାଇ ନେଇଥିଲା । ସେଇ ଖେତ, ସେଇ ବଗିଚା, ସେଇ ଗାଁ..... । ପ୍ରତିକ୍ଷଣ ସେମାନଙ୍କର ଚାଲି ଚଞ୍ଚଳ ହୋଇ ଉଠିଲା । ସମସ୍ତ କ୍ଳାନ୍ତି, ସମସ୍ତ ଦୁର୍ବଳତା ଦୂର ହୋଇଗଲା ।

 

‘‘ଆଃ.....ଏଇ ଦେଖ ଆମର ଚରାଭୂଇଁ । ଏଇ କୂଅରେ ଅରଟ ଚଳାଇବା ପାଇଁ ଆମକୁ ଅଣା ଯାଉଥାଏ । ହଁ....ଏଇତ ସେଇ କୂଅ ।’’

 

‘‘ଆମ ଘର ପାଖେଇ ଆସିଲା ।’’ କହିଲା ମୋତି ।

 

‘‘ଭଗବାନଙ୍କର ଦୟା !’’ ହୀରା କହିଲା ।

 

‘‘ମୁଁ ବର୍ତ୍ତମାନ ଘରକୁ ଯାଉଛି ।’’

 

‘‘ଛାଡ଼ିବ ତ ଏ ?’’

 

‘‘ୟାକୁ ମାରି ମୁଁ ଗଡ଼ାଇ ଦେଉନି ?’’

 

‘‘ନାଇଁ ନାଇଁ, ଗୁହାଳ ଘରକୁ ଦଉଡ଼ି ଚାଲ୍‌ । ସେଠାରୁ ଆଉ ପାଦେ ଆଗେଇବାନି ।’’

 

ଦୁହେଁ ଉନ୍ମତ୍ତ ହୋଇ ବାଛୁରୀ ଭଳି ଡେଇଁ ଘର ଆଡ଼କୁ ଧାଇଁଲେ । ‘‘ସେଇ ଆମର ଗୁହାଳ ।’’ ଦୁହେଁ ଦଉଡ଼ି ଯାଇ ଗୁହାଳ ଘରେ ପ୍ରବେଶ କଲେ ଏବଂ ଠିଆ ହୋଇଗଲେ । ଦାଢ଼ିଆ ପଛରୁ ଦଉଡ଼ି ଆସୁଥିଲା ।

 

ଝୁରୀ ବସି ବସି ଦୁଆରେ ଖରା ପୋଉଁଥିଲା । ବଳଦ ଦୁଇଟିକୁ ଦେଖୁଦେଖୁ ଦଉଡ଼ିଗଲା ଏବଂ ବାରମ୍ବାର ସେମାନଙ୍କୁ ଗଳାରେ ଲଗାଇଲା । ବଳଦ ଦୁଇଟିର ଆଖିରୁ ଆନନ୍ଦାଶ୍ରୁ ବହିଗଲା । ଜଣେ ଝୁରୀର ହାତ ଚାଟୁଥାଏ ।

 

ଦାଢ଼ିଆ ଧାଇଁ ଯାଇ ବଳଦ ବେକର ଦଉଡ଼ିକୁ ଧରି ପକାଇଲା ।

 

‘‘ମୋରି ବଳଦ ।’’ କହିଲା ଝୁରୀ ।

 

‘‘ତମର ବଳଦ କ’ଣ ? ଏଇ ପରା ମୁଁ ଏମାନଙ୍କୁ କାଞ୍ଜିଘରୁ କିଣି ଆଣିଲି ।’’

 

‘‘ମୁଁ ତ ବୁଝିଛି ତୁ ଚୋରାଇ ଆଣିଛୁ ! ଚୁପ୍‌ ହୋଇ ଚାଲିଯା କହୁଛି । ମୋର ବଳଦ ମୁଁ ନ ବିକୁଣୁ କିଏ ବିକିପାରେ ! ମୋ ବଳଦକୁ ବିକିବାପାଇଁ କାହାରି ଅଧିକାର ନାହିଁ ।’’

 

‘‘ଥାନାରେ ଯାଇ ରିପୋର୍ଟ କରିବି ।’’

 

‘‘ବଳଦ ମୋରି । ୟାରି ପ୍ରମାଣ–ବଳଦ ମୋରି ଦୁଆରେ ଅଛନ୍ତି ।’’

 

‘‘ଦାଢ଼ିଆ ରାଗି ଯାଇ ବଳଦ ଦୁଇଟିକୁ ଜବରଦସ୍ତ ନେଇଯିବା ଲାଗି ଚେଷ୍ଟା କଲା । ଠିକ୍‌ ସେତିକିବେଳେ ମୋତି ଶିଙ୍ଘ ଚଳେଇବା ଆରମ୍ଭ କଲା । ଦାଢ଼ିଆ ହଟିଲା ପଛକୁ । ମୋତି ପିଛା ଧରିଲା । ଦାଢ଼ିଆ ଦଉଡ଼ିଲା । ମୋତି ଗୋଡ଼େଇଲା । ଗାଁ ବାହାରେ ଠିଆ ହୋଇ ମୋତି ଦାଢ଼ିଆକୁ ଲକ୍ଷ୍ୟ କଲା । ଦୂରରେ ଠିଆ ହୋଇ ଦାଢ଼ିଆ ଧମକ ଦେଉଥାଏ, ଗାଳି ଦେଉଥାଏ, ପଥର ଫିଙ୍ଗୁଥାଏ । ବିଜୟୀ ବୀର ଭଳି ରାସ୍ତାରୋକି ଠିଆ ହୋଇଥିଲା ମୋତି । ଗାଁ ଲୋକେ ଏ ତମାସା ଦେଖି ହସୁ ଥାଆନ୍ତି ।

 

ଦାଢ଼ିଆ ହାରି ଯାଇ ଚାଲିଯିବା ପରେ ଛାତି ଫୁଲାଇ ଫେରିଲା ମୋତି । ହୀରା କହିଲା–‘‘ମୁଁ ଡରୁଥିଲି କାଳେ ତୁ ତା’ର ପ୍ରାଣ ନେଇଯିବୁ ।’’

 

‘‘ମତେ ଧରି ଥାଆନ୍ତା ଯଦି ନମାରି ଅବଶ୍ୟ ଛାଡ଼ି ନଥାନ୍ତି ।’’

 

‘‘ଆଉ ସେ ଆସିବନି ।’’

 

‘‘ଆସିବ ଯଦି ଦୂରରୁ ତା’ର ଖବର ବୁଝିବି । ଦେଖିବି କିମିତି ନେବ ।’’

 

‘‘ଯଦି ଗୁଳି କରି ମାରେ ?’’

 

‘‘ମରିବି । କିନ୍ତୁ ତା’ର କାମରେ ଆଉ ଲାଗିବିନି ତ !’’

 

‘‘ଅନ୍ୟମାନଙ୍କ ଆଖିରେ ଆମର ଜୀବନ, ଜୀବନ ନୁହେଁ !’’

 

‘‘ସେଇଥିପାଇଁ ଆମେ ଏତେ ସରଳ ।’’

 

ଅଳ୍ପ ସମୟ ପରେ ପେଜ କୁଣ୍ଡରେ, କୁଣ୍ଡା ତୋରାଣି, ପିଡ଼ିଆ ଭରି ଦିଆଗଲା । ଦୁଇ ମିତ ଖାଇବାକୁ ଲାଗିଲେ । ଝୁରୀ ଦୁହିଁଙ୍କୁ ସାଉଁଳୁଥାଏ । ଗୁଡ଼ାଏ ପିଲା ଠିଆ ହୋଇ ଏ ତାମସା ଦେଖୁଥାଆନ୍ତି । ଗାଁରେ ଉତ୍ସାହ ଖେଳିଯାଇଥିଲା ।

 

ସେଇ ସମୟରେ ମାଲିକାଣୀ ଆସି ସେମାନଙ୍କର ମଥା ଚୁମିଲା ।

Image

 

ନିମନ୍ତ୍ରଣ

 

ପଣ୍ଡିତ ମୋଟେରାମ ଶାସ୍ତ୍ରୀ ଘର ଭିତରେ ପ୍ରବେଶ କରି ନିଜର ବିଶାଳ ଉଦର ଉପରେ ହାତ ବୁଲାଇ ନେଉ ନେଉ ପଞ୍ଚମ ସ୍ୱରରେ ଗାନ କରିବାକୁ ଲାଗିଲେ–

 

ଚାକିରି ନକରେ ଅଜଗର, ପକ୍ଷୀ ନକରେ କାମ,

ଦା’ସ ମଲୁକା କହିଗଲେ, ସବୁରି ଦାତା ‘ରାମ’ ।

 

ସୋନା ପ୍ରଫୁଲ୍ଲିତ ହୋଇ–ପଚାରିଲା ଆଜି କିଛି ମିଠା ତାଜା ଖବର ନେଇ ଆସିଛ ନା କ’ଣ ?

 

ଶାସ୍ତ୍ରୀ ମହାଶୟ ବିଶେଷ ଅଙ୍ଗଭଙ୍ଗୀ କରି କହିଲେ–ମାରି ଦେଇଚି ଆଜି । ଏମିତି ଟାଣି ମାରିଚି ଯେ ଚାରିଖାନା ଚିତ୍‌ । ସମସ୍ତଙ୍କ ପାଇଁ ନିମନ୍ତ୍ରଣ । ଘରର ସମସ୍ତଙ୍କ ପାଇଁ ଆଜି ଏଭଳି ହାତସଫେଇ କରିବି ଯେ ଦେଖଣାହାରି ସ୍ତମ୍ଭିତ ହୋଇଯିବେ । ଉଦର ମହାରାଜ ତ ଏବଠଉଁ ଅଧୀର ହୋଇ ଉଠିଲେଣି ।

 

ସୋନା–ଆଗଭଳି ଆଉ ଠକି ହୋଇ ଯିବନି ତ ? କଥା ପକ୍କା କରି ଆସିଚ ?

 

ଗର୍ବର ସହିତ ମୋଟେରାମ୍‌ କହିଲେ–ଏଭଳି ଅମଙ୍ଗଳ କଥା ଆଉ ମୁହଁରୁ ବାହାର କରନି । ବହୁ ଜପ ତପ ପରେ ଯାଇ ଏଭଳି ଶୁଭ ଅବସର ଆସିଛି । ଏଥର ପ୍ରସ୍ତୁତିକରଣରେ ଲାଗିପଡ଼ ।

 

ସୋନା–ତା’ ତ କରିବି । ଏତକ କ’ଣ ଜାଣେନା ? ଜୀବନଟା ମୋର ବ୍ୟର୍ଥରେ କଟିଗଲା ଭାବିଛି ? କିନ୍ତୁ ନିମନ୍ତ୍ରଣ ଘରର ସମସ୍ତଙ୍କ ପାଇଁ ।

 

ମୋଟେରାମ୍‌–ଏବେ ଆଉ କି ଭଳି ବୁଝେଇବି ? ଘରର ସମସ୍ତଙ୍କ ପାଇଁ ନିମନ୍ତ୍ରଣ । ଅର୍ଥ ବୁଝି ପାରୁନା ଯଦି, ପଚାର ମତେ । ବିଦ୍ୱାନମାନଙ୍କର କଥା ସମସ୍ତେ ବୁଝି ପାରନ୍ତିନି । ସେମାନଙ୍କର କଥା ଯଦି ସମସ୍ତେ ବୁଝି ପାରନ୍ତେ ତାହାହେଲେ ସେମାନଙ୍କର ବିଦ୍ୱତ୍ତାର କି ମହତ୍ତ୍ୱ ଅବା ରହନ୍ତା ? କ’ଣ କିଛି ବୁଝି ପାରୁଛ ? ଏକ୍ଷଣି ମୁଁ ଖୁବ୍ ସରଳଭାଷା ପ୍ରୟୋଗ କରୁଛି । ତମେ କିନ୍ତୁ ବୁଝି ପାରୁନା । କହିଲ ‘ବିଦ୍ୱତ୍ତା’ କାହାକୁ କହନ୍ତି ? ଆଚ୍ଛା, ‘ମହତ୍ତ୍ୱ’ର ଅର୍ଥ କୁହ ତ ? ଘରର ସମସ୍ତଙ୍କ ପାଇଁ ନିମନ୍ତ୍ରଣ କ’ଣ ଥଟ୍ଟାର କଥା ହେଇଚି ? ହଁ, ଏଭଳି ଅବସରରେ ବିଦ୍ୱାନଗଣ ରାଜନୀତି ଖେଳନ୍ତି ଏବଂ ନିଜର କାର୍ଯ୍ୟ ସାଧନ ହେଲା ଭଳି ଚେଷ୍ଟା କରନ୍ତି । ମୁରାଦ୍‌ପୁରର ରାଣୀ ସାତ ଜଣ ବ୍ରାହ୍ମଣଙ୍କୁ ଇଚ୍ଛାପୂର୍ଣ୍ଣ ଭୋଜନ ଦେବାପାଇଁ ଚାହାନ୍ତି । କେଉଁ କେଉଁମାନେ ମୋ ସହିତ ଯିବେ ନିର୍ଣ୍ଣୟ କରିବି ମୁଁ । ଘରେ ତ ଅଲଗୁରାମମ୍‌ ଶାସ୍ତ୍ରୀ, ବେନୀରାମ ଶାସ୍ତ୍ରୀ, ଛେଦୀରାମ ଶାସ୍ତ୍ରୀ, ଭବାନୀରାମ୍‌ ଶାସ୍ତ୍ରୀ, ଫେକୁରାମ ଶାସ୍ତ୍ରୀ, ମୋଟେରାମ ଶାସ୍ତ୍ରୀ, ଆଜି ଏତେ ବ୍ୟକ୍ତି ଅଛନ୍ତି । ବ୍ରାହ୍ମଣ ଖୋଜିବାକୁ ବାହାରେ ଯାଏଁ କିଏ ?

 

ସୋନା–ସପ୍ତମ ବ୍ୟକ୍ତିଟି କିଏ ?

 

ମୋଟେ–ବୁଦ୍ଧି ଖଟାଅ ଜାଣିବ ।

 

ସୋନା–ତାହାହେଲେ ଗୋଟାଏ ପାରୁଶ ଘରକୁ ନେଇ ଆସିବ ।

 

ମୋଟେ–ବଦନାମ ହେବାଭଳି ପୁଣି ସେଇ କଥା ଛି...ଛି......ପାରୁଶ ଗୋଟେ ଘରକୁ ଆଣିବି ? ଯଜମାନର ଘରେ ବସି ଭୋଜନ କରିବାରେ ଯେ ସ୍ୱାଦ ମିଳେ, ତାହା ପାରୁଶରୁ କେଉଁଠି ମିଳିବ ? ଶୁଣ, ସପ୍ତମ ମହାଶୟ ହେଉଚନ୍ତି–ପଣ୍ଡିତ ସୋନାରାମ୍‌ ଶାସ୍ତ୍ରୀ ।

 

ସୋନା–ଦୂର, ଥଟ୍ଟା ଖେଳୁଛ । ଭଲା ମୁଁ ଆବା କିପରି ଯିବି ?

 

ମୋଟେ–ବୁଝିଲ, ଏଭଳି କଠିନ ଅବସରରେଇ ବିଦ୍ୟାର ଆବଶ୍ୟକତା ! ବିଦ୍ୱାନ ବ୍ୟକ୍ତି ସମୟକୁ ନିଜର ସେବକ କରି ନିଅନ୍ତି; କିନ୍ତୁ ମୂର୍ଖ ନିଜର ଭାଗ୍ୟକୁଇ ନିନ୍ଦେ । ସୋନାଦେବୀ ଆଉ ସୋନାରାମ ଶାସ୍ତ୍ରୀ ମଧ୍ୟରେ କି ପ୍ରଭେଦ ରହିଛି ଶୁଣେ ? କେବଳ ପରିଧାନର । ପରିଧାନ କ’ଣ ବୁଝି ପାରୁଛ ତ ? ପରିଧାନ ଅର୍ଥ ଲୁଗା ପିନ୍ଧା । ଏଇ ଶାଢ଼ିଟିକୁ ମୋ ଭଳି ପରିଧାନ କର । ମୋର ଲମ୍ବା କୋଟ୍ ପିନ୍ଧି ନିଅ । ଉପରେ ଚାଦର ଘୋଡ଼େଇ ହୋଇପଡ଼ । ମୁଁ ପଗଡ଼ି ବାନ୍ଧି ଦେବି । ପୁଣି କିଏ ଚିହ୍ନିବ କହିଲ ?

 

ହସି ହସି ସୋନା କହିଲା–ମତେ ଲାଜ ମାଡ଼ିବ ।

 

ମୋଟେ–ତା’ପରେ ତମର ଅବା ଆଉ କି କର୍ତ୍ତବ୍ୟ ରହିଲା ? ଯେଉଁଠି ଯାହା କଥାଭାଷା କରିବା କଥା ମୁଁ କରିବି ।

 

ସୋନା–ମନକୁ ମନ ଭବିଷ୍ୟତ ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ କହିଲା–ବଡ଼ ମଜ୍ଜା ହେବ ତାହାହେଲେ !

 

ମୋଟେ–ତାହାହେଲେ ଆଉ ବିଳମ୍ବ କାହିଁକି ? ପ୍ରସ୍ତୁତ ହୁଅ ।

 

ସୋନା–କେତୋଟି ଜୀର୍ଣ୍ଣ ଔଷଧପୁଡ଼ିଆ ତିଆରି କରିବି କହିଲ ?

 

ମୋଟେ–ମୁଁ ଏକଥା ଜାଣେନା, ବେଶ୍‌ ଅଧିକରୁ ଅଧିକ ଲାଭ ଉଠାଇବା ଭଳି ଆଦର୍ଶ ଆଗରେ ରଖିଲେ ହେଲା ।

 

ସହସା ସୋନାର ଗୋଟିଏ କଥା ମନେ ପଡ଼ିଲା–ଆଚ୍ଛା, ଗୋଡ଼ର ଏଇ ବଳାଗୁଡ଼ିକୁ କ’ଣ କରିବି ?

 

ଭ୍ରୂଲତା କପାଳ ଉପରକୁ ନେଇ କହିଲେ ମୋଟେରାମ–ଉତାରି ଦିଅ । ଆଉ କ’ଣ କରିବ ?

 

ସୋନା–ହଁ, ହଁ ଠିକ୍‌ କହିଛ । ଉତାରି ନେବି ।

 

ମୋଟେ–ଭାବିଛ ତମେ ଏଇ ବଳା ପିନ୍ଧିଲେଇ ମୁଁ ବଞ୍ଚେ ! ପୁଷ୍ଟିକର ପଦାର୍ଥର ସେବନରେଇ ମୋର ଜୀବନ । ତମ ବଳାଗୁଡ଼ିକର ପୁଣ୍ୟରୁ ମୁଁ ବଞ୍ଚିରହିନି ।

 

ସୋନା–ନାଇଁଲୋ ମା’ ! ମୁଁ ବଳା ଉତାରିବିନି ।

 

ମୋଟେରାମ ଚିନ୍ତା କରି କହିଲେ–ଆଚ୍ଛା, ପିନ୍ଧିଥାଅ । କ୍ଷତି କ’ଣ ? ଗୋବର୍ଦ୍ଧନଧାରୀ ଏ ବିପଦବି ହରଣ କରିବେ । ପାଦରେ ପୁଳାଏ ଲୁଗା ଗୁଡ଼ାଇ ଦେଲେ ହେଲା । ଆବଶ୍ୟକବେଳେ କହିବି–ପଣ୍ଡିତଙ୍କୁ ଗୋଦର ହେଇଛି । କ’ଣ କହୁଛ ?

 

ସୋନା–ପତିଦେବଙ୍କୁ ପ୍ରଶଂସାସୂଚକ ନେତ୍ରରେ ଚାହିଁ କହିଲା–ଜୀବନରେ ପାଠଶାଠ ତ କିଛି ଜାଣିଲିନି ! ଏ ଗହନ କଥା ଅବା କିଭଳି ବୁଝନ୍ତି ?

 

(୨)

 

ସନ୍ଧ୍ୟାବେଳେ ପଣ୍ଡିତଜୀ ନିଜର ପାଞ୍ଚପୁତ୍ରଙ୍କୁ ଡକାଇ ଉପଦେଶ ଦେବାକୁ ଲାଗିଲେ–ବୁଝିଲ, କୌଣସି କାର୍ଯ୍ୟ କରିବା ପୂର୍ବରୁ କ’ଣ କିପରି କରାଯାଇପାରେ ଖୁବ୍‌ ଚିନ୍ତା କରି ନେବା ଦରକାର । ମନେକର, ରାଣୀ ସାହେବା ତୁମକୁ ତୁମର ଠିକଣା ପଚାରୁଚନ୍ତି । ତମେ କି ଉତ୍ତର ଦେବ ? ତମେ ସମସ୍ତେ ଯଦି ମୋରି ନାମ କୁହ ତେବେ ଅବସ୍ଥା ଖରାପ ହେବ । ଚିନ୍ତା କରି ଦେଖ, ମୋ ଭଳି ଜଣେ ବିଦ୍ୱାନ କେବଳ ଖାଇବା ମୁଠାକ ଲାଗି ଏଭଳି ଚକ୍ରାନ୍ତ କରୁଥିବା ଧରାପଡ଼ିଲେ କେଡ଼େ ଲଜ୍ଜାର କଥା ହେବ ଏବଂ ମୋ ନାମରେ କିଭଳି କଳଙ୍କ ଲାଗିବ । ସୁତରାଂ, କିଛି ସମୟପାଇଁ ଭୁଲି ଯାଅ ଯେ ତମେ ମୋର ପୁଅ ! ମୋ ନାମ କେହିହେଲେ କହିବ ନାହିଁ । ସଂସାରରେ ନାମର କ’ଣ ଅଭାବ ? କିଛି ଗୋଟାଏ ଭଲ ନାମ ବାଛି କହିଦେବ । ପିତାଙ୍କର ନାମ ବଦଳାଇ ଦେବାରେ କ’ଣ ଅବା ଅନିଷ୍ଟ ହେବ ? ଏ ଅପରାଧ ଅପରାଧ ନୁହ ।

 

ଅଳଗୁରାମ୍ କହିଲା–ତମେଇ ବତେଇ ଦିଅ ।

 

ମୋଟେ–ଆଚ୍ଛା, ଆଚ୍ଛା, ବହୁତ ଭଲ କଥା । ଅବଶ୍ୟ ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ ମୋରି ତତ୍ତ୍ୱାବଧାନରେ ହେବା କଥା । ଆଚ୍ଛା ଶୁଣ । ଅଳଗୁରାମ୍‍ର ପିତାଙ୍କ ନାମ ପଣ୍ଡିତ କେଶବ ପାଣ୍ଡେ । ଭଲ କରି ମନେରଖ । ବେନୀରାମ୍‍ର ପିତା ପଣ୍ଡିତ ମଙ୍ଗରୁ ଓଝା । ପାସୋରି ଯିବନି । ଛେଦୀରାମ୍‍ର ପିତା ପଣ୍ଡିତ ଦମଡ଼ୀ ତିବାରୀ । ଭୁଲି ଯିବନି । ଭବାନୀ ! ତୁ ଗଙ୍ଗୁ ପାଣ୍ଡେ ବୋଲି କହିବୁ ଭଲକରି ମନେରଖ । ବାକି ରହିଲା କ’ଣ ? ଫେକୁରାମ୍ । ତୁ କହିବୁ ସେତୁରାମ୍ ପାଠକ । ନାମକରଣ ସରିଲା ତ ? ଆଚ୍ଛା, ଏଥର ମୁଁ ପରୀକ୍ଷା କରେ । ହୋସିଆର ! କହିଲୁ ଅଲଗୁ ତୋ ବାପା କିଏ ?

 

ଅଲଗୁ–ପଣ୍ଡିତ କେଶବ ପାଣ୍ଡେ ।

 

–ତୁ କହିଲୁ ବେନୀରାମ୍‌ ।

 

–ଦମଡ଼ୀ ତିବାରୀ ।

 

ଛେଦୀ–ଏ ତ ମୋ ବାପାଙ୍କ ନାମ ।

 

ବେନୀ–ମୁଁ ତେବେ ଭୁଲିଗଲି ।

 

ମୋଟେ–ଭୁଲିଗଲୁ ! ପଣ୍ଡିତଙ୍କ ପୁଅ ହୋଇ ଗୋଟିଏ ନାମ ମନେରଖି ପାରିଲୁ ନାହିଁ ? ବଡ଼ ଦୁଃଖର କଥା । ଉକ୍ତ ପାଞ୍ଚଟିଯାକ ନାମ ମୋର ସ୍ମରଣ ଅଛି । ତମେ ଗୋଟାଏ ଗୋଟାଏ ନାଁ ବି ସ୍ମରଣ କରି ପାରୁନ ? ଶୁଣ୍‌, ତୋ ପିତା ପଣ୍ଡିତ ମଙ୍ଗରୁ ଓଝା ।

 

ପଣ୍ଡିତଜୀ ପୁତ୍ରମାନଙ୍କୁ ପରୀକ୍ଷା କରୁଛନ୍ତି, ଏପରି ସମୟରେ ତାଙ୍କର ପରମ ମିତ୍ର ପଣ୍ଡିତ ଚିନ୍ତାମଣି ଦୁଆରେ ଡାକିଲେ । ପଣ୍ଡିତ ମୋଟେରାମ୍‌ ଏଭଳି ଘାବୁରେଇ ଗଲେ ଯେ, ତାଙ୍କର ବୁଦ୍ଧିଶୁଦ୍ଧି ପର୍ଯ୍ୟନ୍ତ ଲୋପ ପାଇଗଲା । ପୁଅମାନଙ୍କୁ ଘଉଡ଼ି ଦେବାପାଇଁ ବସିଥିବାବେଳେ ପଣ୍ଡିତ ଚିନ୍ତାମଣି ଘର ଭିତରକୁ ପଶି ଆସିଲେ । ପିଲାଦିନରୁ ଦୁହିଁଙ୍କ ମଧ୍ୟରେ ପ୍ରଗାଢ଼ ମିତ୍ରତା । ଅନେକ ସମୟରେ ଦୁହେଁ ମିଳିମିଶି ବ୍ରାହ୍ମଣ ଭୋଜନକୁ ଯାଆନ୍ତି । ପଣ୍ଡିତ ମୋଟେରାମ୍‌ ଯଦି ପ୍ରଥମ ସ୍ଥାନ ଅଧିକାର କରନ୍ତି ତ ପଣ୍ଡିତ ଚିନ୍ତାମଣିଙ୍କର ଦ୍ୱିତୀୟ ସ୍ଥାନ ଲାଗି କୌଣସି ପ୍ରତିବନ୍ଧକ ନଥାଏ; କିନ୍ତୁ ମୋଟେରାମ୍‌ ଆଜି ନିଜର ମିତ୍ରଙ୍କୁ ସାଥିରେ ନେବାକୁ ଚାହୁଁ ନଥିଲେ । ତାଙ୍କୁ ସାଥିରେ ନେବାମାନେ ଘରୁ ଜଣକୁ ବାଦ୍‌ ଦେବା । ଏଭଳି ଆତ୍ମତ୍ୟାଗ ପାଇଁ ଆଜି ସେ ପ୍ରସ୍ତୁତ ନୁହନ୍ତି ।

 

ଚିନ୍ତାମଣି ପିଲାଙ୍କର ଏ ସମାରୋହ ଦେଖି ପ୍ରସନ୍ନ ହୋଇ କହିଲେ–ଏକାଏକା ନା କ’ଣ-? ଜଣାଯାଉଚି ଆଜି କେଉଁଠି ଖୁବ୍ କରି ମାରି ନେଇଚ ।

 

ମୋଟେରାମ୍‌ ମୁଖର ଭାବ ବଦଳାଇ କହିଲେ–ଏମିତି କ’ଣ କହୁଛ ବନ୍ଧୁ ? ଏଭଳି ତ କେବେ ହେଇନି, ସୁଅବସରରେ ତମକୁ କେବେ ଯେ ସୂଚନା ନ ଦେଇଚି । ହୁଏତ ସମୟ ବଦଳି ଯାଇଚି କିମ୍ବା ମୋର ମନ୍ଦଗ୍ରହ ଯୋଗୁଁ ତମେ ଆଜି ଏଭଳି କହୁଚ । ସତ କହିବାକୁ ଗଲେ ମିଛରେବି ଆଜି କେଉଁଠି ଡାକରା ମିଳିନି ।

 

ପଣ୍ଡିତ ଚିନ୍ତାମଣି ଅବିଶ୍ୱାସ କରି କହିଲେ–ଭିତିରି କଥା କିଛି ଅଛି ଅବଶ୍ୟ । ନାହିଁ ତ ଏ ପିଲାଗୁଡ଼ାକ ଏଠି ଜମିଛନ୍ତି କାହିଁକି ?

 

ମୋଟେ–ତମର ଏଇ କଥାରେ ମୋର କ୍ରୋଧ ଜାତ ହେଉଛି । ମୁଁ ପରା ପିଲାଙ୍କର ପରୀକ୍ଷା ନେଉଚି । ବ୍ରାହ୍ମଣ ପିଲା । ଚାରି ଅକ୍ଷର ନ ପଢ଼ିଲେ ଏମାନଙ୍କୁ କିଏ ପଚାରିବ ?

 

ତଥାପି ଚିନ୍ତାମଣି ବିଶ୍ୱାସ କରି ପାରିଲେନି । ସେ ଭାବିଲେ ପିଲାମାନଙ୍କଠାରୁହିଁ ଏ କଥା ଜାଣି ହେବ । ଫେକୁରାମ୍ ସବା ସାନ । ତାକୁ ପଚାରିଲେ–କ’ଣ ପଢ଼ୁଛୁ ବାପ ?

 

ମୋଟେରାମ୍‌ ଫେକୁରାମ୍‌କୁ ଉତ୍ତର ଦେବାପାଇଁ ଅବସର ଦେଲେନି । ଡରିଲେ–ହୁଏତ ସମସ୍ତ କଥା ପ୍ରକଟ ହୋଇଯାଇପାରେ । କହିଲେ–ଏଯାଏଁ ଏ ଅବା କ’ଣ ପଢ଼ିଛି ? ଦିନସାରା ଖେଳି ବୁଲେ ।

 

ଫେକୁରାମ୍‌ ଅବା ଏତେବଡ଼ ଗୋଟାଏ ଅପରାଧକୁ ନିଜ ମୁଣ୍ଡ ଉପରକୁ ନିଅନ୍ତା କାହିଁକି-? ବାଳକସୁଲଭ ଗର୍ବର ସହିତ କହିଲା–ମୋର ମନେ ଅଛି । ପଣ୍ଡିତ ସେତୁରାମ୍‌ ପାଠକ-। ମୁଁ ତ ମୋ ପାଠ ଶୁଣାଇ ପାରୁଛି, ତଥାପି କହୁଛ କ’ଣ ନା ସର୍ବଦା ମୁଁ ଖେଳି ବୁଲେ ।

 

କହୁ କହୁ ଫେକୁରାମ୍ କାନ୍ଦିବାକୁ ଲାଗିଲା ।

 

ଚିନ୍ତାମଣି ଫେକୁରାମ୍‍କୁ କୋଳ କରି କହିଲେ–କାନ୍ଦୁଛୁ କାହିଁକି ବାପ ! ତୁ ତ ତୋର ପାଠ କହି ପାରୁଛୁ । ପଢ଼ାରେ ତୋର ଖୁବ୍‌ ମନ । ଆଚ୍ଛା, ସେତୁରାମ୍‌ ପାଠକ କ’ଣ କହିଲୁ ?

 

ବିଗିଡ଼ି ଯାଇ ମୋଟେରାମ୍‌ କହିଲେ–ତମେବି ପିଲାଙ୍କ କଥା ବିଶ୍ୱାସ କର । କାହାରି ନାମ ଶୁଣି ନେଇଥିବ ।

 

ମୋଟେରାମ୍‌ ତା’ପରେ ଫେକୁରାମ୍‌କୁ ବାହାରେ ଯାଇ ଖେଳିବାକୁ ନିର୍ଦ୍ଦେଶ ଦେଲେ ।

 

ଚିନ୍ତାମଣି ନିଜ ମିତ୍ରଙ୍କୁ ଘାବୁରେଇ ଯିବା ଦେଖି ବୁଝିଗଲେ ଯେ, କିଛି ଗୋଟାଏ ରହସ୍ୟ ଅଛି ଅବଶ୍ୟ । ବହୁତ ଚିନ୍ତା କରିବି ସେତୁରାମ୍‌ ପାଠକ କ’ଣ ସେ ବୁଝି ପାରିଲେନି । ନିଜର ପରମ ବନ୍ଧୁଙ୍କର କୁଟିଳତାରେ ଅତ୍ୟନ୍ତ ବ୍ୟଥିତ ହୋଇ କହିଲେ–ଆଚ୍ଛା, ମୁଁ ଯାଉଚି । ତମେ ପିଲାଙ୍କୁ ପାଠ ପଢ଼ାଅ । ତମେ ଏଡ଼େ ସ୍ୱାର୍ଥପର ବୋଲି ମୁଁ ଜାଣି ନଥିଲି । ତମ ମିତ୍ରତାର ପରୀକ୍ଷା ଆଜି ହୋଇଗଲା ।

 

ପଣ୍ଡିତ ଚିନ୍ତାମଣି ପଦାକୁ ଚାଲିଗଲେ । ତାଙ୍କୁ ମନେଇବା ପାଇଁ ମୋଟେରାମ୍‌ଙ୍କର ଅବସର ନଥିଲା । ପୁଣି ପିଲାଙ୍କୁ ପରୀକ୍ଷା କରିବାରେ ଲାଗିଲେ ।

 

ସୋନା କହିଲା–ପହିଲେ ଯାଇ ତାଙ୍କୁ ଟିକେ ଡାକିଆଣ । ରାଗି ଚାଲି ଯାଉଚନ୍ତି । ପରୀକ୍ଷା ପରେ ନେବ ।

 

ମୋଟେରାମ୍‌–ସମୟବେଳେ ସବୁ ହେବ । ନିମନ୍ତ୍ରଣର ସୂଚନା ପାଇଲେ ୟାଙ୍କର ସମସ୍ତ କ୍ରୋଧ ଶାନ୍ତ ହୋଇଯିବ । ହଁ.... ଭବାନୀ, ତୋ ପିତାଙ୍କ ନାମ କହିଲୁ ?

 

ଭବାନୀ–ଗଙ୍ଗୁ ପାଣ୍ଡେ ।

 

ମୋଟେ–ଆଚ୍ଛା, ଫେକୁ, ତୋ ବାପାର ନାମ ?

 

ଫେକୁ–କହିଲି ତ ! ତଥାପି କହୁଛ କ’ଣ ନା ମୁଁ ପଢ଼ୁନି ।

 

ମୋଟେ–କହିଲୁ ମୋତେ ଆଉଥରେ ।

 

ଫେକୁ–ସେତୁରାମ୍‌ ପାଠକ ।

 

ମୋଟେ–ବେଶ୍‌, ଫେକୁ ତ ରଜାପୁଅ । ତତେ ଆଜି ନିଜ ସାଥିରେ ବସାଇ ଭଲ ଭଲ ଜିନିଷ ଖୁଆଇବି ।

 

ସୋନା–ମତେବି ଗୋଟାଏ ନାମ କହିଦିଅ ।

 

ମୋଟେରାମ୍ ରସିକତା କରି ମୁରୁକି ହସି କହିଲେ–ତମ ପିତାଙ୍କ ନାମ ହେଉଚି ପଣ୍ଡିତ ମୋହନସ୍ୱରୂପ ସୁକୁଲ୍‌ ।

 

ସୋନା ଲଜ୍ଜାରେ ମୁଣ୍ଡ ପୋତିଦେଲା ।

 

(୩)

 

ସୋନା ପିଲାମାନଙ୍କୁ ଲୁଗା ପିନ୍ଧିଇବାରେ ଲାଗିଲା । ଫେକୁ ଆନନ୍ଦୋଲ୍ଲାସରେ ଘରୁ ପଦାକୁ ବାହାରିଲା । ପଣ୍ଡିତ ଚିନ୍ତାମଣି ଅଭିମାନ କରି ପଳେଇ ଆସିଥିଲେ; କିନ୍ତୁ କୌତୂହଳବଶତଃ ସେ ଏଯାକେ ଦାଣ୍ଡଦୁଆରେ ଚୁପ୍‌ଚାପ୍‌ ଠିଆ ହୋଇଥାନ୍ତି । ଘର ଭିତରୁ କୌଣସି ଏକ ଗୁପ୍ତ କଥାର ଧ୍ୱନି ତାଙ୍କ କାନରେ ଆସି ପଡ଼ିଲା । ସେଇଥିରୁ କେଉଁଠି ନିମନ୍ତ୍ରଣ ଥିବା କଥା ସେ ବୁଝି ପାରିଲେ; କିନ୍ତୁ କେଉଁଠୁଁ ନିମନ୍ତ୍ରଣ ଆସିଚି ଏବଂ କେଉଁମାନେ ନିମନ୍ତ୍ରିତ କିଛି ଜଣାଗଲାନି । ଏତିକିବେଳେ ଫେକୁ ପଦାକୁ ଆସିଲା । ସେ ତାକୁ କୋଳ କରି ପଚାରିଲେ–କହିଲୁ ବାପ, କେଉଁଠୁଁ ନିମନ୍ତ୍ରଣ ମିଳିଛି ଆଜି ?

 

ଏ କଥା ଖୁବ୍‌ ଧୀରେ ସେ ପଚାରିଲେ । କିନ୍ତୁ କିମିତି କେଜାଣି ମୋଟେରାମ୍‌ ଏହା ଶୁଣି ପାରିଲେ । ସେ ତୁରନ୍ତ ପଦାକୁ ଆସିଗଲେ । ଦେଖନ୍ତି ତ, ଚିନ୍ତାମଣି ଫେକୁରାମ୍‌କୁ କୋଳ କରି କିଛି ପଚାରୁଛନ୍ତି । ଝପଟି ଯାଇ ସେ ଫେକୁର ହାତ ଧରି ପକାଇଲେ ଏବଂ ଚିନ୍ତାମଣିଙ୍କଠାରୁ ତାକୁ ଛଡ଼େଇ ନେବାପାଇଁ ଚେଷ୍ଟା କଲେ । ଚିନ୍ତାମଣି କିନ୍ତୁ ଏଯାକେ ନିଜ ପ୍ରଶ୍ନର ଉତ୍ତର ପାଇ ନଥାନ୍ତି । ସୁତରାଂ ସେ ମିତଙ୍କ ହାତରୁ ଫେକୁର ହାତ ଛଡ଼ାଇ ଏବଂ ତାକୁ କାଖେଇ ନିଜ ଘର ଆଡ଼କୁ ଝପଟିଲେ ।

 

‘‘ଆରେ ! ତାକୁ ନେଇ ଯାଉଚ କାହିଁକି ? ଧୂର୍ତ୍ତ କୁଆଡ଼ିକାର ! ଦୁଷ୍ଟ ! ମୁଁ କହୁଚି ଶୁଣ, ଚିନ୍ତାମଣି ! ୟାର ପରିଣାମ ଭଲ ହେବ ନାହିଁ । ପୁଣି କେବେ କେଉଁଠୁଁ ଯଦି ନିମନ୍ତ୍ରଣ ମିଳେ ତମକୁ ଆଉ ସାଥିରେ ନେବି ନାହିଁ । ଭଲ ଦଶା ଅଛି ତ ତାକୁ ଛାଡ଼ି ଦିଅ ।’’–କହି କହି ମୋଟେରାମ୍‌ ମିତ୍ରଙ୍କ ପିଛା ଧରିଲେ । ଚିନ୍ତାମଣି କିନ୍ତୁ କୌଣସି କଥା ନ ଶୁଣି ଧାଇଁବାକୁ ଲାଗିଲେ । ଚିନ୍ତାମଣି ଶୀଘ୍ର ଦୌଡ଼ି ଚାଲି ଯାଉଥାନ୍ତି; କିନ୍ତୁ ମୋଟେରାମ୍‍ଙ୍କ ପକ୍ଷେ ପାଦେ ପାଦେ ବଢ଼ିବା ମୁସ୍କିଲ୍ ହୋଇ ଉଠୁଥିଲା । ସେ ମଇଁଷି ଭଳି ଧଇଁସଇଁ ନସରପସର ହୋଇ ନାନା ବିଶେଷଣ ପ୍ରୟୋଗପୂର୍ବକ ଚିନ୍ତାମଣିଙ୍କ ପିଛା ଧରିଥାନ୍ତି । ପ୍ରତି ମୁହୂର୍ତ୍ତରେ ଉଭୟଙ୍କ ମଧ୍ୟରେ ଥିବା ବ୍ୟବଧାନ ବଢ଼ି ବଢ଼ି ଯାଉଥିଲା । ତଥାପି ମୋଟେରାମ୍‌ ପିଛା ଧରିଥାନ୍ତି । ଯିମିତି କି ଏକରକମର ଘୋଡ଼ାଦଉଡ଼ । ନଗରର ଏ ଦୁଇ ମହାତ୍ମାଙ୍କର ଦଉଡ଼ ଧାପଡ଼ ଦେଖି ମନେ ହେଉଥିଲା, ଯିମିତି ଦୁଇଟି ଗଣ୍ଡା ଚିଡ଼ିଆଖାନା ଛାଡ଼ି ଦୂରକୁ ପଳେଇ ଯାଉଚନ୍ତି ! ଶତ ଶତ ଲୋକ ଏ ତାମସା ଦେଖୁଥାନ୍ତି । ବାଳକଗଣ ପଛରେ ତାଳି ମାରି ଦଉଡ଼ୁଥାନ୍ତି । ହୁଏତ ଏ ଦଉଡ଼ ଚନ୍ତାମଣିଙ୍କର ଘର ପାଖରେ ସମାପ୍ତ ହୋଇଥାନ୍ତା; କିନ୍ତୁ ମୋଟେରାମ୍‍ଙ୍କର ଧୋତି ଢିଲା ହୋଇଯିବା ଯୋଗୁଁ ଛନ୍ଦି ହୋଇ ତଳେ ପଡ଼ିଗଲେ । ପଛକୁ ଫେରି ଚିନ୍ତାମଣି ଏ ଦୃଶ୍ୟ ଦେଖିବାକୁ ପାଇଲେ ଏବଂ ଠିଆହୋଇପଡ଼ି ଫେକୁରାମ୍‍କୁ ପଚାରିଲେ–କ’ଣରେ ଫେକୁ ! ନିମନ୍ତ୍ରଣ କେଉଁଠୁଁ ?

 

ଫେକୁ–ମିଠେଇ ଦେବ ଯଦି କହିବି ?

 

ଚିନ୍ତା–ଦେବି, କହ ।

 

ଫେକୁ–ରାଣୀ ଆଜି ନିମନ୍ତ୍ରଣ ପଠାଇଚନ୍ତି ।

 

ଚିନ୍ତା–ସେ କ’ଣ ?

 

ଫେକୁ–ଏ କଥା ମୁଁ ଜାଣେନା । କିଏ, କ’ଣ, କେଜାଣି, ଜଣେ ବଡ଼ ରାଣୀ ।

 

ନଗରରେ ଅନେକ ବଡ଼ ରାଣୀ ଅଛନ୍ତି । ଚିନ୍ତାମଣି ବିଚାରିଲେ, ଏଥର ରାଣୀମାନଙ୍କ ଦ୍ୱାରସ୍ଥ ହେଲେ ସବୁ ଜଣାଯିବ । ଯେଉଁଠି ଭୋଜି ସେଠି ନିଶ୍ଚୟ ଭିଡ଼ ଜମିଥିବ ଏବଂ କଥାଟା ଧରା ପଡ଼ିଯିବ । ଏ କଥା ଚିନ୍ତା କରି ସେ ପଛକୁ ଲେଉଟିଲେ । ଏଥର ମୋଟେରାମ୍‌ଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବାରେ ଚିନ୍ତାମଣିଙ୍କର କୌଣସି ବାଧା ବନ୍ଧନ ନଥିଲା । ନିକଟକୁ ଆସି ଦେଖନ୍ତିତ ମୋଟେରାମ୍‍ଙ୍କ ଚକ୍ଷୁ ଅଶ୍ରୁପୂର୍ଣ୍ଣ ଏବଂ ସେ ଉଠିବାକୁ ଅକ୍ଷମ । ଚିନ୍ତାମଣି ଘାବୁରେଇ ଯାଇ ପଚାରିଲେ–ପଡ଼ିଗଲ କିପରି ବନ୍ଧୁ ? ଝୁଣ୍ଟି ପଡ଼ିବାପାଇଁ ବାଟରେ ତ ଖାଲ ଖଣା କିଛି ନାହିଁ ।

 

ମୋଟେରାମ୍‌ ତମର ଯାଏଁ ଆସେ କ’ଣ ? ପିଲାଟିକୁ ନେଇ ଯାଉଚ ପରା ଯାଅ ଏବଂ ଯାହା ପଚାରିବ ପଚାର ।

 

ଚିନ୍ତାମଣି–ମୁଁ ଏଭଳି କପଟାଚରଣ କରେନା । ଟିକେ ଥଟ୍ଟା ଖେଳୁଥିଲି । ତମେ କିନ୍ତୁ ଅନ୍ୟଥା ବିଚାରୁଚ । ଉଠି ବସ ତ, ରାମ୍‌ନାମ୍‌ ନେଇ । ସତ କହୁଛି, ମୁଁ ତାକୁ କିଛି ପଚାରିନି ।

 

ମୋଟେ–ଯା ମିଛୁଆ ।

 

ଚିନ୍ତା–ପଇତା ଛୁଇଁ କହୁଛି, ମୁଁ ତାକୁ କିଛି ପଚାରି ନାହିଁ ।

 

ମୋଟେ–ମୁଁ ତୁମକୁ ବିଶ୍ୱାସ କରେନା ।

 

ଚିନ୍ତା–ତମେ ମତେ ଏଡ଼େ ଧୂର୍ତ୍ତ ବିଚାରିଚ ?

 

ମୋଟେ–ତା’ଠୁ ବଳି ! ତମେ ଗଙ୍ଗାରେ ଗାଧୋଇ ଶପଥ ଗ୍ରହଣ କଲେବି ମୋର ବିଶ୍ୱାସ ହେବନି ।

 

ଚିନ୍ତା–ବୁଝିଲ, ଆଉ କେହି ଯଦି ଏକଥା କହିଥାନ୍ତା ତେବେ ଆଜି ତା’ର ମହତ ସାରି ଦେଇଥାନ୍ତି ।

 

ମୋଟେ–କାଇଁ ଆସତ ଦେଖି ।

 

ଚିନ୍ତା–ପ୍ରଥମେ ଯାଇ ପଣ୍ଡିତାଣୀଙ୍କଠାରୁ ଏ ବିଷୟରେ ପରାମର୍ଶ ନେଇ ଆସ ।

 

ମୋଟେରାମ୍‌ ଚିନ୍ତାମଣିଙ୍କର ଏଭଳି ବ୍ୟଙ୍ଗୋକ୍ତି ସହ୍ୟ କରିପାରିଲେନି । ଚଟ୍‌କରି ଉଠି ଚିନ୍ତାମଣିଙ୍କର ହାତ ଧରି ପକାଇଲେ । ଦୁଇ ମିତ୍ରଙ୍କ ମଧ୍ୟରେ ମଲ୍ଲଯୁଦ୍ଧ ଆରମ୍ଭ ହୋଇଗଲା । ଦୁହେଁ ହନୁମାନଙ୍କର ସ୍ତୁତିଗାନ କରୁଥାନ୍ତି । ତା’ ପୁଣି ସିଂହ ସଦୃଶ୍ୟ ଗର୍ଜନତର୍ଜନପୂର୍ବକ । ଜଣା ଯାଉଥାଏ, ଯେପରିକି ଦୁଇଟି ଫମ୍ପା ଡିବା ଭିତରେ ଲଢ଼େଇ ଚାଲିଛି ।

 

ମୋଟେ–ମହାବଳୀ ବିକ୍ରମ ବଜରଙ୍ଗମ୍‌ ।

 

ଚିନ୍ତା–ଭୂତ ପିଶାଚ ନ ପଶନ୍ତୁ ପାଶେ ।

 

ମୋଟେ–ଜୟ ଜୟ ହନୁମାନ ଗୋସାଇଁ ।

 

ଚିନ୍ତା–ରଖ ମୋ ମହତ, ପ୍ରଭୁହେ !

 

ମୋଟେରାମ୍‌ ବିଗିଡ଼ି ଯାଇ କହିଲେ–ଏହା ତ ହନୁମାନ ଚଉତିଶାରେ ନାହିଁ ।

 

ଚିନ୍ତା–ଏହା ମୁଁ ନିଜେ ରଚନା କରିଛି । ମୁଁ କ’ଣ ତମ ଭଳି ବିରିମୁଠିଆ–ବୁଝିଚ ? ଯେତେ କହିବ ସେତେ ରଚନା କରିପାରେ ।

 

ମୋଟେ–ରଚନା ନେଇ କ’ଣ କହୁଛ ? ଗୋଟିଏ ଦିନରେ ମୁଁ ଲକ୍ଷେ ସ୍ତୁତି ରଚନା କରି ଦେଇପାରେ; କିନ୍ତୁ କାହାର ଏତେ ଅବକାଶ ରହିଚି ?

 

ଦୁହେଁ ଅଲଗାଅଲଗା ଠିଆ ହୋଇ ନିଜ ନିଜର ରଚନା କୌଶଳ ଦେଖାଉଥାନ୍ତି । ମଲ୍ଲଯୁଦ୍ଧ ବିଦ୍ୱଜ୍ଜନୋଚିତ ଶାସ୍ତ୍ର ପ୍ରତିଯୋଗିତାରେ ପରିଣତ ହେଲା । ୟାରି ଭିତରେ କେହି ଜଣେ ଚିନ୍ତାମଣିଙ୍କ ଘରେ ଯାଇ ଖବର ଦେଲା ଯେ, ମୋଟେରାମ୍‌ ଓ ଚିନ୍ତାମଣିଙ୍କ ଭିତରେ ଖୁବ୍ ଝଗଡ଼ା ଚାଲିଚି । ଚିନ୍ତାମଣି ତିନୋଟି ମହିଳାଙ୍କ ସ୍ୱାମୀ । କୁଳୀନ ବ୍ରାହ୍ମଣ । ଉଚ୍ଚକୋଟୀର ବିଦ୍ୱାନ ଏବଂ ଦୂର ଦୂରାନ୍ତରେ ତାଙ୍କର ଯଜମାନି ଚଳେ । ଏଭଳି ପୁରୁଷଙ୍କର ସମସ୍ତ ଅଧିକାର ଥାଏ । କନ୍ୟା ସହିତ ପ୍ରଚୁର ଦକ୍ଷିଣା ଯଦି ମିଳେ କିଏ ଅବା ଅସ୍ୱୀକାର କରିବ ? ଏ ତିନିଜଣ ମହିଳାଙ୍କ ଯୋଗୁଁ ସାହି ଭିତରେ ଏକରକମ ଆତଙ୍କ ଖେଳି ଯାଇଥାଏ । ପଣ୍ଡିତଜୀ ସେମାନଙ୍କୁ ଖୁବ୍‌ ରସରସିଆ ନାମ ଦେଇଥାନ୍ତି । ବଡ଼ ସ୍ତ୍ରୀ–‘ଅମିରତୀ’, ମଝିଆ–‘ଗୁଲାବ୍‌ଜାମୁନ୍‌’, ସାନ–‘ମୋହନ୍‌ଭୋଗ୍‌’; କିନ୍ତୁ ସାହି ଭିତରେ ତିନିହେଁ ସମାନ । ଘରେ କେବେ ଅଶ୍ରୁନଦୀର ବିରାମ ନଥାଏ । ଅବଶ୍ୟ ପଣ୍ଡିତଜୀ ଏଯାଏଁବି ରକ୍ତନଦୀ ବୁହାଇ ପାରି ନଥାନ୍ତି । ବହୁ ପରିମାଣରେ ଗର୍ଜନ କେବଳ ସୃଷ୍ଟି କରି ପାରିଥାନ୍ତି । ତିନି ଜଣଙ୍କ ମଧ୍ୟରୁ କାହାକୁ କିଛି କହିଦେବା ଲାଗି ବାହାର ଲୋକଙ୍କର ଶକ୍ତି ନଥିଲା । ସଙ୍କଟ ସମୟରେ ତିନିହେଁ ମିଶି ଯାଉଥିଲେ । ଏହା ପଣ୍ଡିତଜୀଙ୍କର ନୀତିଚାତୁର୍ଯ୍ୟର ସୁଫଳ ।

 

ପଣ୍ଡିତ ଚିନ୍ତାମଣିଙ୍କ ଉପରେ ବିପଦ ପଡ଼ିଥିବା ସମ୍ବାଦ ଯିମିତି ଶୁଣିଚନ୍ତି, ତିନିହେଁ କ୍ରୁଦ୍ଧା ହୋଇ ଘରୁ ବାହାରି ପଡ଼ିଲେ ଏବଂ ଯେ ଟିକେ ଥିଲା ପତଳା ସେ ପ୍ରଥମେ ଯାଇ ସମର ଭୂମିରେ ପଦାର୍ପଣ କଲା । ପଣ୍ଡିତ ମୋଟେରାମ୍‌ ତାକୁ ଦେଖିପାରି ବିପଦ ଗଣିବାକୁ ଲାଗିଲେ । ହାତ ମୁକୁଳାଇ ଏକପଟିଆ ଦୌଡ଼ିବାକୁ ଲାଗିଲେ । କ୍ଷଣକପାଇଁବି ପଛକୁ ଫେରି ଚାହିଁଲେନି । ଚିନ୍ତାମଣିଙ୍କ ଡାକରେ ମୋଟେରାମ୍‍ଙ୍କର ପାଦ ଆଉ ଥକିଲାନି ।

 

ଚିନ୍ତା–ଆରେ ! ଟିକେ ରହ । ଟିକେ ମଜା ଚାଖିନିଅ ।

 

ମୋଟେ–ମୁଁ ହାରିଗଲି ଭାଇ, ହାରିଗଲି ।

 

ଚିନ୍ତା–କିଛି ଦକ୍ଷିଣା ନେଇ ଯାଅ ।

 

‘‘ଦୟା କର ଭାଇ, ଦୟା କର’’–କହି କହି ମୋଟେରାମ୍‌ ଚାଲିଗଲେ ।

 

(୪)

 

ରାତି ଆଠ ବାଜୁ ବାଜୁ ପଣ୍ଡିତ ମୋଟେରାମ୍‌ଙ୍କର ସାନ ଓ ପୂଜାପାଠ ସରିଲା । କହିଲେ–ଏଥର ଆଉ ବିଳମ୍ବ କରିବା ଅନୁଚିତ । ଔଷଧ ଠିକ୍‌ କଲଣିତ ?

 

ସୋନା–କେଉଁ କାଳଠୁ ଔଷଧ ଯୋଗାଡ଼ ହୋଇ ସାରିଚି । ତମେ କୌଣସି କଥା ସ୍ମରଣ ରଖୁନ । ତମେ କେତେ ସମୟ ପୂଜାପାଠ କର, ରାତିରେ କିଏ ଦେଖେ ?

 

ମୋଟେ–ଥରେ ନାଇଁ ହଜାର ଥର କହି ଆସିଚି ଯେ, ମୋ କଥାରେ ତମେ ପାଟି ଫିଟାଅନି । ଏତେ ବିଳମ୍ବ କାହିଁକି କଲି ତମେ ବୁଝି ପାରୁନ ? ଈଶ୍ୱର ତୁମକୁ ଏତେ ଟିକେ ବୁଦ୍ଧି ଦେଇ ନାହାନ୍ତି ? ଜଲଦି ଯିବାଦ୍ୱାରା ଅପମାନିତ ହେବାକୁ ପଡ଼େ । ଯଜମାନ ବୁଝେ ଯେ ଲୋକଟା ଲୋଭୀ ଆଉ କ୍ଷୁଧାତୁର । ଏଇଥିପାଇଁ କେବଳ ଚତୁର ଲୋକେ ବିଳମ୍ବ କରନ୍ତି । ବିଳମ୍ବ କରିବାଦ୍ୱାରା ଯଜମାନ ବୁଝେ ଯେ, ପଣ୍ଡିତଜୀଙ୍କର ଏ ବିଷୟ ସ୍ମରଣ ନାହିଁ । ହୁଏତ ଭୁଲି ଯାଇଚନ୍ତି-। ଲୋକ ପଠାଇବା ଦରକାର । ଏଭଳି ଯିବାରେ ଯେ ମାନମହତ ତା’ କ’ଣ ଭୋକିଲା ଭଳି ଗଲେ ମିଳେ ? ମୁଁ ଡାକରାପାଇଁ ଚାହିଁ ବସିଚି । କେହି ଜଣେ ଆସିବ ନିଶ୍ଚୟ । ଆଚ୍ଛା, ଟିକେ ଔଷଧ ଆଣ-। ପିଲାଙ୍କୁ ଔଷଧ ଖୁଆଇ ସାରିଚ ତ ?

 

ସୋନା–ସଞ୍ଜବେଳୁ ସେମାନଙ୍କୁ ଖୁଆଇ ସାରିଚି ।

 

ମୋଟେ–କେହି ଶୋଇ ନାହାନ୍ତି ତ ?

 

ସୋନା–ଆଜି ଭଲା କିଏ ଶୋଇବ ? ଭୋକ ଭୋକ ବୋଲି ସମସ୍ତେ ରଡ଼ି ଛାଡ଼ୁଥିଲେ-। ମୁଁ ପଇସାଟିକର ଚଣା ମଗେଇ ଆଣିଲି । ଉପରେ ବସି ସମସ୍ତେ ଖାଉଚନ୍ତି ଏଣୁ ସେମାନଙ୍କର ଗୋଳମାଳ ଶୁଭୁନି ?

 

ମୋଟେରାମ୍‌ ଦାନ୍ତ କଡ଼ମଡ଼ କରି କହିଲେ–ମନ ହେଉଚି ତମର ତଣ୍ଟି ଚିପି ଦିଅନ୍ତି । ଭଲା, ଏବେଳରେ କେହି ଚଣା ମାଗନ୍ତି ? ଚଣା ଖାଇବେ ତ ସେଠି କ’ଣ ତୁମ ମୁଣ୍ଡ ଖାଇବେ ? ଛିଃ, ଛିଃ, ଏତେ ଟିକେ ବୁଦ୍ଧି ନାହିଁ ?

 

ସୋନା ଅପରାଧୀ ସ୍ୱୀକାର କରି କହିଲା–ମୋର ଅବଶ୍ୟ ଭୁଲ୍‌ ହୋଇଚି । ସେମାନେ କିନ୍ତୁ ଏଭଳି କୋଳାହଳ କରୁଥିଲେ । ଯେ ସେମାନଙ୍କ କଥା ନ ଶୁଣି ରହି ହେଲାନି ।

 

ମୋଟେରାମ୍‌ କାନ୍ଦୁଥିଲେନା ? କାନ୍ଦିଥାନ୍ତେ । କାନ୍ଦିଲେ କ’ଣ ତାଙ୍କ ପେଟ ଭରି ଯାଇଥାନ୍ତା ? ଅଧିକରେ ସେମାନଙ୍କର ଭୋକ ବଢ଼ିଥାନ୍ତା ।

 

ସହସା କିଏ ଜଣେ ବାହାରୁ ଡାକିଲା–ପଣ୍ଡିତଜୀ ! ମହାରାଣୀ ଆପଣଙ୍କୁ ଡକାଇ ପଠାଇଚନ୍ତି । ଅନ୍ୟମାନଙ୍କୁ ସାଥିରେ ନେଇ ଶୀଘ୍ର ଆସନ୍ତୁ ।

 

ପଣ୍ଡିତଜୀ ପତ୍ନୀଙ୍କ ଆଡ଼କୁ ସଗର୍ବ ଦୃଷ୍ଟିନିକ୍ଷେପ କରି କହିଲେ–ଦେଖିଲ, ଏହାକୁ କହନ୍ତି ନିମନ୍ତ୍ରଣ । ଏଥର ପ୍ରସ୍ତୁତ ହୁଅ ।

 

ବାହାରକୁ ଯାଇ ପଣ୍ଡିତଜୀ ସେଇ ଲୋକଟିକୁ କହିଲେ–ତମେ ଆଉ ଅଳ୍ପ ସମୟ ଡେରି କରିଥିଲେ ହୁଏତ ମୁଁ ପୁରାଣ ଶୁଣାଇବାକୁ ଚାଲି ଯାଇଥାନ୍ତି । ଏକଥା ବିଲ୍‌କୁଲ୍‌ ମୋର ସ୍ମରଣ ନଥିଲା । ଚାଲ, ଆମେ ଶୀଘ୍ର ଯାଉଛୁ ।

 

(୫)

 

ରାତି ନଅଟା ବାଜୁ ବାଜୁ ପଣ୍ଡିତ ମୋଟେରାମ୍‌ ବାଳଗୋପାଳଙ୍କ ସହିତ ଯାଇ ରାଣୀସାହେବାଙ୍କ ଦୁଆରେ ପହଞ୍ଚିଲେ । ରାଣୀ ବିଶାଳକାୟା, ତେଜସ୍ୱିନୀ ମହିଳା ଥିଲେ । ସେ ବଡ଼ବଡ଼ ତକିଆ ଉପରେ ଦେହ ଭରା ରଖି ସିଂହାସନରେ ବସିଥାନ୍ତି । ଦୁଇଜଣ ଲୋକ ବୁକୁଉପରେ ହାତ ଛନ୍ଦି ପଛରେ ଠିଆ ହୋଇଥାନ୍ତି । ବିଜୁଳି ପଙ୍ଖା ଚାଲିଥାଏ । ପଣ୍ଡିତଜୀଙ୍କୁ ଦେଖୁଦେଖୁ ରାଣୀ ତଳକୁ ଓହ୍ଲାଇ ଆସି ତାଙ୍କର ଚରଣ ସ୍ପର୍ଶ କଲେ ଏବଂ ସେଇ ବାଳକ ମଣ୍ଡଳୀକୁ ଦେଖି ହସି ହସି କହିଲେ–ଏ ପିଲାଗୁଡ଼ିକୁ ଆପଣ କେଉଁଠୁଁ ଧରି ନେଇ ଆସିଚନ୍ତି ?

 

ମୋଟେରାମ୍‌–କ’ଣ କରନ୍ତି ଆଉ ? ସାରା ସହର ବୁଲି ଆସିଲି; କିନ୍ତୁ ପଣ୍ଡିତମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଆସିବାପାଇଁ ରାଜି ହେଲେନି । ସମସ୍ତେ କେଉଁଠୁଁ ନା କେଉଁଠୁଁ ନିମନ୍ତ୍ରଣ ପାଇଛନ୍ତି । ମୋର ବୁଦ୍ଧି ହଜିଗଲା । ଶେଷରେ ତାଙ୍କୁ ମୁଁ କହିଲି–‘ଆପଣମାନେ ଯଦି ଆସି ନ ପାରନ୍ତି ମତେ କିନ୍ତୁ ଲଜ୍ଜାରୁ ରକ୍ଷା କରନ୍ତୁ ।’ ଜବରଦସ୍ତି ସମସ୍ତଙ୍କ ଘରୁ ଗୋଟିଏ ଗୋଟିଏ ବାଳକଙ୍କୁ ଝିଙ୍କି ଆଣିଲି । କି ଫକୁରାମ୍‌ ତମ ବାପାଙ୍କ ନାମ କ’ଣ ?

 

ଫେକୁରାମ୍‌ ଗର୍ବର ସହିତ କହିଲା–ପଣ୍ଡିତ ସେତୁରାମ୍ ପାଠକ ।

 

ରାଣୀ–ବାଳକଟି ବଡ଼ ବୁଦ୍ଧିମାନ ଜଣାଯାଉଚି ତ !

 

ନିଜ ନିଜର ପରୀକ୍ଷା ଦେବାପାଇଁ ଅନ୍ୟ ବାଳକଗଣ ଉତ୍କଣ୍ଠିତ ହୋଇ ଉଠିଲେ । ପଣ୍ଡିତଜୀ କିନ୍ତୁ ସେମାନଙ୍କ ପ୍ରତି କୌଣସି ପ୍ରଶ୍ନ ଯେତେବେଳେ କଲେନି ଏବଂ ରାଣୀ ଯେତେବେଳେ ଫେକୁରାମ୍‌ର ପ୍ରଶଂସା ଗାଇବାକୁ ଲାଗିଲେ, ସେମାନେ ଖୁବ୍‌ ଅଧୀର ହୋଇ ଉଠିଲେ । ଭବାନୀ କହିଲା–ମା’ ବାପାଙ୍କ ନାମ ପଣ୍ଡିତ ଗଙ୍ଗୁପାଣ୍ଡେ ।

 

ଛେଦୀ କହିଲା–ମୋ ବାପାଙ୍କ ନାମ ଦମଡ଼ୀ ତିବାରୀ ।

 

ବେନୀରାମ୍‌ କହିଲା–ମୋ ବାପାଙ୍କ ନାମ ପଣ୍ଡିତ ମଙ୍ଗୁରୁ ଓଝା ।

 

ଅଲଗୁରାମ୍‌ ଥିଲା ବୁଦ୍ଧିମାନ । ଚୁପ୍‌ଚାପ୍‌ ଠିଆ ରହିଲା । ରାଣୀ ତାଙ୍କୁ ପଚାରିଲେ–ତମ ବାପାଙ୍କ ନାମ କ’ଣ କହିଲ ?

 

ଅଲଗୁରାମ୍‌ ନିଜ ବାପାଙ୍କ ନାମଟିକୁ ସ୍ପଷ୍ଟ ସ୍ମରଣ କରି ପାରିଲା ନାହିଁ । ଅନ୍ୟ କୌଣସି ନାମ କହିଦେବା ପାଇଁ ମଧ୍ୟ ତା’ର ବୁଦ୍ଧି ଖଟିଲାନି । ହତବୁଦ୍ଧି ହୋଇ ଠିଆ ରହିଲା । ପଣ୍ଡିତ ମୋଟେରାମ୍‌ ଯେତେବେଳେ ଦାନ୍ତ ରଗଡ଼ି ତାକୁ ଚାହିଁଲେ ସେତେବେଳେ ଥିବା ବୁଦ୍ଧି ଟିକକବି ତା’ର ହଜିଗଲା ।

 

ଫେକୁରାମ୍‌ କହିଲା–ମୁଁ କହିବି । ଭାଇ ଭୁଲି ଯାଇଚି ।

 

ରାଣୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–କ’ଣ ! ନିଜ ବାପାର ନାମ ସେ ଭୁଲିଗଲା । ଏ ତ ବିଚିତ୍ର ଜଣା ଯାଉଚି !

 

ମୋଟେରାମ୍‌ ଅଲଗୁ ପାଖକୁ ଯାଇ ପଚାରିଲେ–କ’ଣ କି ?

 

ଅଲଗୁରାମ୍‌ କହିଲା–କେଶବ ପାଣ୍ଡେ ।

 

ରାଣୀ–ତାହାହେଲେ ଏଯାଏଁ ଚୁପ୍‌ ଥିଲା କାହିଁକି ?

 

ମୋଟେ–ୟା କାନକୁ ଟିକେ ଶୁଭିବା ଊଣା ।

 

ରାଣୀ–ମୁଁ ବହୁତ ଜିନିଷ ମଗାଇ ଆଣିଚି । ଦେଖୁଚି ସବୁ ନଷ୍ଟ ହୋଇଯିବ । ପିଲାଗୁଡ଼ାକ କେତେ ଖାଇବେ ?

 

ମୋଟେ–ସରକାର ! ସେମାନଙ୍କୁ ବାଳକ ବିଚାରନ୍ତୁନି । ଏମାନଙ୍କ ଭିତରେ ଯେ ସବୁଠୁ ଛୋଟ ସେ ଦୁଇଖଲି ଉଠାଇପାରେ ।

 

(୬)

 

ସାମନାରେ ଯେତେବେଳେ ପତ୍ର ପଡ଼ିଲା ଏବଂ ପୂଝାରି ଯେତେବେଳେ ରୁପା ଥାଳୀରେ ଉତ୍ତମ ପଦାର୍ଥ ଆଣି ପରଷିବାକୁ ଲାଗିଲା, ସେତେବେଳେ ପଣ୍ଡିତ ମୋଟେରାମ୍‌ ଶାସ୍ତ୍ରୀଙ୍କର ଆଖି ଖୋଲିଗଲା । ପଣ୍ଡିତ ମହାଶୟ ୟା ପୂର୍ବରୁ ଅନେକ ନିମନ୍ତ୍ରଣ ପାଇଛନ୍ତି; କିନ୍ତୁ ଏଭଳି ଅନୁପମ ପଦାର୍ଥ କେବେ ପାଇ ନଥିଲେ । ଘିଅ ପିଠାର ଏଭଳି ଉତ୍ତମ ସୁଗନ୍ଧ ନାକରେ କେବେ ବାଜି ନଥିଲା । ପ୍ରତି ପଦାର୍ଥରୁ କେତକୀ ଆଉ ଗୋଲାପର ମହକ ଛୁଟି ଆସୁଥିଲା । ନିଗିଡ଼ି ପଡ଼ୁଥିଲା ଘିଅ । ପଣ୍ଡିତଜୀ ଚିନ୍ତା କରିବାକୁ ଲାଗିଲେ କ’ଣ, ଏଭଳି ପଦାର୍ଥରେ କେବେ ପେଟ ଭରତି ହୋଇପାରେ ? ଯେତେ ଖାଇଲେବି ସେତେ ଖାଇବାକୁ ମନ ବଳିବ । ଦେବତାଗଣ ୟାଠୁ ବଳି ଉତ୍ତମ ପଦାର୍ଥ ଆଉ କ’ଣ ଖାଉଥିବେ ? ଏହା ଅପେକ୍ଷା ଆଉ ଅଧିକ ଉତ୍ତମ ପଦାର୍ଥ ଅଛି ବୋଲି କଳ୍ପନାବି କରାଯାଇ ନପାରେ ।

 

ଏ ସମୟରେ ଚିନ୍ତାମଣିଙ୍କ କଥା ପଣ୍ଡିତ ମହାଶୟଙ୍କ ମନେ ପଡ଼ିଲା । ଭାବିଲେ–ସେ ଥାଆନ୍ତେ ଯଦି ଖୁବ୍‌ ମଜା ହୁଅନ୍ତା । ତାଙ୍କ ବିନା ଆଉ କି ମଜା ? ପ୍ରତିଯୋଗିତା ପାଇଁ ଏଠାରେ ଆଉ କିଏ ଅଛି ? ପିଲାଗୁଡ଼ାକ ଦି’ ଦି’ ପତ୍ର ଖାଇ ଥକି ପଡ଼ିବେ । ସୋନା ହୁଏତ ପ୍ରତିଯୋଗିତା କରିବ; କିନ୍ତୁ କେ ଯାଏଁ ? ଚିନ୍ତାମଣିଙ୍କ ବିନା–ଆଉ ରଙ୍ଗ ଜମିବନି । ସେ ଥିଲା ମୋର ପ୍ରତିଯୋଗୀ ହୁଅନ୍ତେ ଆଉ ମୁଁ ତାଙ୍କର । ସେଭଳି ପ୍ରତିଯୋଗିତାବେଳେ ପତ୍ର ଅବା କିଏ ଗଣି ପାରନ୍ତା ! ଆମକୁ ଦେଖି ପିଲାଏବି ଲାଗିପଡ଼ନ୍ତେ । ଆଃ.....ଖୁବ୍‌ ଭୁଲ ହୋଇଗଲା । ଏ ଖିଆଲ ପହିଲୁ ଆସିଥାନ୍ତା ଯଦି ! ଆଚ୍ଛା, ରାଣୀସାହେବାଙ୍କୁ ଯଦି ତାଙ୍କ କଥା କହେ, ସେ ହୁଏତ ଖରାପ ମଣିବେ । ନା, ଯାହା କରିବା କଥା ସଙ୍ଗେ ସଙ୍ଗେ କରିବାହିଁ ଉଚିତ ହେବ । ସେ ଶୀଘ୍ର ଆସନ ଛାଡ଼ି ଠିଆ ହେଲେ ଏବଂ ରାଣୀଙ୍କୁ କହିଲେ–ସରକାର ! ଆଜ୍ଞା ହେଲେ କିଛି କହିବି ।

 

ରାଣୀ–କହନ୍ତୁ, କହନ୍ତୁ । କୌଣସି ପଦାର୍ଥର ଅଭାବ ରହିଛି ?

 

ମୋଟେ–ନା, ନା କୌଣସି ପଦାର୍ଥର ଅଭାବ ନାହିଁ । ଏଭଳି ଉତ୍ତମ ପଦାର୍ଥ ମୁଁ କେବେ ଦେଖି ନଥିଲି । ସାରା ସହରରେ ଆପଣଙ୍କର କୀର୍ତ୍ତି ବ୍ୟାପିଯିବ । ମୋର ଜଣେ ପରମ ମିତ୍ର ପଣ୍ଡିତ ଚିନ୍ତାମଣି ଏ ସହରରେ ଅଛନ୍ତି । ଆଜ୍ଞା ହେଲେ ତାଙ୍କୁ ଡାକି ଆସନ୍ତି । ସେ ବଡ଼ ବିଦ୍ୱାନ ଏବଂ କର୍ମନିଷ୍ଠ ବ୍ରାହ୍ମଣ । ତାଙ୍କ ସମକକ୍ଷ ହେବା ଭଳି ଏ ସହରରେ କେହି ନାହାନ୍ତି । ମୁଁ ତାଙ୍କୁ ନିମନ୍ତ୍ରଣ ଦେବା ଭୁଲି ଯାଇଚି । ତାଙ୍କ କଥା ଏବେ ମୋର ମନେ ପଡ଼ିଲା ।

 

ରାଣୀ–ଆପଣ ଇଚ୍ଛା କରନ୍ତି ଯଦି ଡାକି ଆଣନ୍ତୁ; କିନ୍ତୁ ଯିବା ଆସିବାରେ ଡେରି ହେବ ଏବଂ ଏଆଡ଼େ ଭୋଜନ ପରଷି ଦିଆଗଲାଣି ।

 

ମୋଟେ–ଦଉଡ଼ି ଯାଇ ମୁଁ ଶୀଘ୍ର ଫେରି ଆସିବି ।

 

ରାଣୀ–ନା, ମୋର ମଟର ନେଇ ଯାଆନ୍ତୁ ।

 

ପଣ୍ଡିତଜୀ ଯେତେବେଳେ ଯିବାପାଇଁ ବାହାରିଲେ, ସୋନା କହିଲା–ଆଜି ତୁମକୁ କ’ଣ ହେଇଚି କି ? ତାଙ୍କୁ ଡାକିବା କାହିଁକି ?

 

ମୋଟେ–ମୋ ସହିତ ତାଳ ଦେବାପାଇଁ କେହି ଜଣେ ରହିବା ଦରକାର ତ !

 

ସୋନା–ସେଇଥିପାଇଁ ମୁଁ କ’ଣ ଉପଯୁକ୍ତ ନୁହ ?

 

ପଣ୍ଡିତଜୀ ହସି ହସି କହିଲେ–ତମେ ଜାଣନି । ଏ କ’ଣ ଘର କଥା ହେଇଚି ? ଏ ପରା ପ୍ରତିଯୋଗିତା ? ପୁରୁଣା ଖେଳାଳି ଖେଳ ପଡ଼ିଆକୁ ଯାଇ ଯେଭଳି ନାମ କରିପାରେ, ନୂଆ ଖେଳାଳି ପକ୍ଷରେ ତାହା ସମ୍ଭବ ? ସେଠି ତ ବଳ କାମ ଦିଏନା, ସାହସ ଦରକାର । ବେଶ୍‌, ଏ ବି ସେଇଭଳି । ମୁଁ ଆଜି ନିଶ୍ଚୟ ଜୟୀ ହେବି, ବୁଝିଲ ?

 

ସୋନା–ପିଲାଏ ଯଦି ଶୋଇପଡ଼ନ୍ତି ?

 

ମୋଟେ–ସେମାନଙ୍କର କ୍ଷୁଧା ବଢ଼ିବ । ସେମାନଙ୍କୁ ଉଠାଇବା ଭାର ମୋ ଉପରେ ।

 

ସୋନା–ଦେଖ, ସେ ତୁମକୁ ଆଜି କ’ଣ ନ କରିଚି । ତା’ ମୁଣ୍ଡରେ ଶନି ପଶିଛି ।

 

ମୋଟେ–ବୁଦ୍ଧିର ପ୍ରାଧାନ୍ୟ ସବୁଠି ଥାଏ । ଏହା ମନେ କରନି ଯେ, ଭୋଜନବେଳେ ବିଦ୍ୟା କାମରେ ଲାଗେନା । ୟାରବି ଗୋଟାଏ ଶାସ୍ତ୍ର ଅଛି, ରଚନା କରିଛନ୍ତି ମଥୁରା ନିବାସୀ ଶନିଚରାନନ୍ଦ, ମଣିଷ ଚତୁର ଥିଲେ, ଏତେ ଟିକେ ଜାଗାରେ ଗୃହସ୍ଥୀର ସମସ୍ତ ଆସବାବ ସଜାଡ଼ି ରଖିପାରେ । ଅଚତୁର ଲୋକ ବେଶୀ ଜାଗା ପାଇ ମଧ୍ୟ କେଉଁଠି କେଉଁ ଜିନିଷ ରଖିବ ଖୋଜି ବସେ । ସେଇଭଳି ମୂର୍ଖ ପ୍ରଥମରୁ ଅସୁର ଭଳି ଖାଇଯାଏ ଏବଂ ଶେଷରେ ଲୋଟାଏ ପାଣି ପିଇ ଖାଇବାରୁ ଓହରି ପଡ଼େ । ଚତୁର ଲୋକ କିନ୍ତୁ, ଖାଇବାବେଳେ ଖୁବ୍‌ ସାବଧାନତା ଅବଲମ୍ବନ କରେ । ତା’ ପକ୍ଷରେ ଗୁଣ୍ଡା ଉଠାଇବା ପାଇଁ ପାଣିର ଆବଶ୍ୟକତା ରହେନି । ଖୁବ୍‌ ଡେରି ଯାଏଁ ଖାଇ ବସିଲେ ସମସ୍ତ ଖାଦ୍ୟ ସୁପାଚ୍ୟ ହୋଇ ଉଠେ । ଚିନ୍ତାମଣି ମୋ ସହିତ ତାଳ ଦେବ ।

 

(୭)

 

ଚିନ୍ତାମଣି ନିଜ ଅଗଣାରେ ଉଦାସ ହୋଇ ବସିଥାନ୍ତି । ଯାହାଙ୍କୁ ସେ ନିଜର ପରମ ବନ୍ଧୁ ବିଚାରିଥିଲେ, ଯାହାଙ୍କ ଲାଗି ସେ ନିଜର ପ୍ରାଣୋତ୍ସର୍ଗ କରିବା ନିମିତ୍ତ ପ୍ରସ୍ତୁତ ଥିଲେ, ସେ ଆଜି ତାଙ୍କ ସହିତ ବିଶ୍ୱାସଘାତକତା କରିଚନ୍ତି । ବିଶ୍ୱାସଘାତକତା କେବଳ ତ ନୁହ, ଖୁବ୍‌ ଅପମାନିତବି କରିଚନ୍ତି । ପଣ୍ଡିତ ମୋଟେରାମ୍‌ ନିଜ ଘରୁ ତ କିଛି ଦେଉ ନଥିଲେ । ଯଦି ସେ ଚିନ୍ତାମଣିଙ୍କୁ ସାଥିରେ ନେଇଥାନ୍ତେ ତାହାହେଲେ ରାଣୀ କ’ଣ ତାଙ୍କୁ ଧିକ୍‌କାର କରିଥାନ୍ତେ । ସ୍ୱାର୍ଥଲାଗି କିଏ କାହାକୁ ପଚାରେ ? ସେଇ ଅମୂଲ୍ୟ ଭୋଜନ ସାମଗ୍ରୀ ସ୍ମରଣ କରୁ କରୁ ପଣ୍ଡିତ ଚିନ୍ତାମଣିଙ୍କର ପାଟିରୁ ଲାଳ ଖସି ପଡ଼ୁଥାଏ । ଏଥର ହୁଏତ ପୂଝାରି ଥାଳିଆରେ ଖଜା ପିଠା ଧରି ପରଷି ଯାଉଥିବେ । ଆଃ ! କି ସୁନ୍ଦର କୋମଳ କିଲିପି ଆଉ ରସଗୁଲା ହୋଇ ନଥିବ ? ଏଥର ଲଡ଼ୁ ଆସିଥିବ । ଆଃ.....କିସ୍‌ମିସ୍‌, ଭାଲିଆ ଚାଉଳ ଭରା ଲଡ଼ୁ ଦେହରୁ ତ ଘିଅ ନିଗିଡ଼ି ପଡ଼ୁଥିବ । ପାଟିରେ ରଖୁ ରଖୁ ମିଳେଇ ଯାଉଥିବ, ଜିଭ ବୁଲେଇବାକୁବି ପଡ଼ୁ ନଥିବ । ଆଃ.....ଏଥର ହୁଏତ ମୋହନଭୋଗ ଆସିଥିବ । ହାୟରେ ଦୁର୍ଭାଗ୍ୟ ! ମୁଁ ଏଇଠି ପଡ଼ି ସଢ଼ୁଚି ଆଉ ସେଇଠି ଏଇ ଉତ୍ସବ-! ମୋଟେରାମ୍‌ ! ତମେ ବଡ଼ ନିର୍ଦ୍ଦୟ । ତମେ ଏଭଳି ନିଷ୍ଠୁର ହେବ ବୋଲି ଆଶା ନଥିଲା-

 

ଅମିରତୀ ଦେବୀ କହିଲେ–ତମେ ନିଜକୁ ଏଡ଼େ ଛୋଟ ମନେ କରୁଛ କାହିଁକି ? ପିତୃପକ୍ଷ ଆସୁଚି । ଏଭଳି ଅନେକ ନିମନ୍ତ୍ରଣ ଆସିବ ।

 

ଚିନ୍ତାମଣି–ଆଜି କାହାର ମୁହଁ ଚାହିଁ ଉଠିଚି କେଜାଣି ? ଆଣ ତ ପାଞ୍ଜିଟା, ଲଗ୍ନ ଦେଖିବା । କାହିଁକି କେଜାଣି, ଏଠାରେ ଆଉ ମୁହୂର୍ତ୍ତେ ରହିବାପାଇଁ ମନ ବଳୁନି । ନଗରସାରା ଥରେ ଘୂରି ଆସିଲେ ଭୋଜି କେଉଁଠି ହେଉଚି ଅବଶ୍ୟ ଜାଣିହେବ । ଦେଖୁଚି ନାକର ଡାହାଣ ପୁଡ଼ା ଦେଇ ନିଃଶ୍ୱାସ ଚଳୁଚି ।

 

ହଠାତ୍‌ କେଉଁଠୁଁ ଗୋଟାଏ ମଟର ଆସିବା ଶବ୍ଦ ଶୁଣାଗଲା । ମଟର ଲାଇଟ୍‌ରେ ଚିନ୍ତାମଣିଙ୍କ ଘର ଆଲୋକିତ ହୋଇ ଉଠିଲା । ଝରକା ଦେଇ ଦେଖନ୍ତିତ ପଣ୍ଡିତ ମୋଟେରାମ୍‌ ମଟରରୁ ଓହ୍ଲାଉଚନ୍ତି । ଗୋଟାଏ ଲମ୍ବା ନିଃଶ୍ୱାସ ତ୍ୟାଗ କରି ଖଟିଆଟି ଉପରେ ସେ ଗଡ଼ିପଡ଼ିଲେ-। ସେ ମନକୁ ମନ କହିବାକୁ ଲାଗିଲେ–ଏ ଲୋକଟା କେଡ଼େ ଦୁଷ୍ଟ ସତେ ! ଖାଇପିଇ ଶେଷରେ ସବୁକଥା ମୋ ଆଗରେ କହିବାପାଇଁ ଧାଇଁ ଆସିଚି !

 

ଅମିରତୀ ଦେବୀ ପଚାରିଲେ–କିଏ ସେ ପୋଡ଼ାମୁହାଁ, ଏତେ ରାତିରେ ଆସି ଉଠାଉଛି-?

 

ମୋଟେରାମ୍‌ ମୁଁ, ମୁଁ, ଗାଳି ଦିଅନି ।

 

ଅମିରତୀ–ଆରେ ନିଆଁଲଗା, ତୁ କିଏ ? କହୁଛି କ’ଣ ନା ମୁଁ, ମୁଁ । କିଏ ଜାଣେ ତୁ କିଏ-?

 

ମୋଟେ–ଆରେ ! ମୋ ତୁଣ୍ଡ ବାରି ପାରୁନ ? ଚେଷ୍ଟା କର ଚିହ୍ନିବ ମୁଁ ତୁମ ଦିଅର ।

 

ଅମିରତୀ–ଦୂର ହୁଅ । ତୋ ମୁହଁରେ ନିଆଁଲାଗୁ । ମଶାଣିକୁ ଯିବ ବୋଲି, ପୋଡ଼ାମୁହାଁ ମୋର ଦିଅର ବୋଲି କହୁଛି ।

 

ମୋଟେ–ଆରେ ! ମୁଁ ପରା ମୋଟେରାମ୍‌ ଶାସ୍ତ୍ରୀ । ଏତେ ଟିକେ ଚିହ୍ନି ପାରୁନ ? ଚିନ୍ତାମଣି ଘରେ ଅଛନ୍ତି ?

 

ଅମିରତୀ କବାଟ ଖୋଲି ତିରସ୍କାର ସ୍ୱରରେ କହିବାକୁ ଲାଗିଲେ–ଆରେ ! ତମେ ! ! ନାଆଁଟା କହିଲନି କିଆଁ ? ଗାଳି ଖାଇବା ପରେ ଯାଇ ପରିଚୟ ମିଳିଲା । କ’ଣ କାହିଁକି ଆସିଚ ?

 

ମୋଟେ–ଚିନ୍ତାମଣିଙ୍କୁ ଗୋଟିଏ ଶୁଭ ସମ୍ବାଦ ଶୁଣାଇବାକୁ ଆସିଛି । ରାଣୀ ପଠାଇଚନ୍ତି-

 

ଅମିରତୀ–ଭୋଜିଖିଆ ତ ସରିଲା । ସେ ଆଉ କ’ଣ କରିବେ ?

 

ମୋଟେ–ଭୋଜିଖିଆ ସରିଚି କେଉଁଠୁଁ ? ରାଣୀଙ୍କ ଆଗରେ ମୁଁ ଯେତେବେଳେ ଏହାଙ୍କର ବିଦ୍ୱତ୍ତା, ନିଷ୍ଠା, ସଦ୍‌ବିଚାରର ପ୍ରଶଂସା ଗାଇବାରେ ସେ ମୁଗ୍ଧ ହୋଇଗଲେ । ରାଣୀ ଚିନ୍ତାମଣିଙ୍କ ପାଇଁ ମଟର ପଠାଇଚନ୍ତି । କ’ଣ ସେ ଶୋଇଚନ୍ତି ?

 

ଚିନ୍ତାମଣି ଖଟିଆ ଉପରେ ଶୋଇ ସବୁ ଶୁଣୁଥାନ୍ତି । ଧାଇଁ ଯାଇ ମୋଟେରାମ୍‌ଙ୍କ ପାଦ ଧରି ଗଡ଼ି ଯିବାପାଇଁ ତାଙ୍କର ମନ ହେଲା । ଏଯାଏଁ ତାଙ୍କ ମନରେ ଯାହା କି କୁତ୍ସିତ ବିଚାର ଥିଲା ସବୁ ଦୂର ହୋଇଗଲା । ଦୁଃଖରେ କାନ୍ଦି ପକାଇଲେ ।

 

–ଆରେ ଭାଇ ! ତମେ ଆସୁଚ ନା ଶୋଇ ରହିଥିବ ? –କହୁ କହୁ ମୋଟେରାମ୍‌ ଚିନ୍ତାମଣିଙ୍କ ଆଗରେ ଯାଇ ଠିଆ ହୋଇ ପଡ଼ିଲେ ।

 

ଚିନ୍ତାମଣି–ଗଲାବେଳେ ମତେ ସାଥିରେ ନେଲନି କାହିଁକି ? ଏତେ ବଡ଼ କାଣ୍ଡଟାଏ ଘଟାଇ ପରେ ଆସିଲ । ଏଯାଏଁ ପିଠିରୁ ବଥା ଛାଡ଼ିନି ।

 

ମୋଟେ–ମୁଁ ତୁମକୁ ଏଭଳି ମାଲ ଖୁଆଇବି ଯେ ପିଠିରୁ ବଥାଫଥା ଛାଡ଼ି ପଳେଇ ଯିବ-। ତମ ଯଜମାନମାନେ ମଧ୍ୟ ସେଭଳି ପଦାର୍ଥ ଦେଖି ନଥିବେ । ଦେଖ, ଆଜି ଭୋଜି ସମୟରେ ତମକୁ କି ଭଳି ପରାସ୍ତ ନ କରୁଚି ।

 

ଚିନ୍ତା–ତମେ ମତେ ପରାସ୍ତ କରିବ ? ସାରା ସହରରେ ମତେ ପରାସ୍ତ କଲା ଭଳି ବୀର କେହି ଅଛନ୍ତି ? ଶନି ମୋ ପ୍ରତି ପ୍ରସନ୍ନ ଅଛନ୍ତି–ଏ କଥା ଜାଣ ?

 

ମୋଟେ–ଆରେ ବାବା ! ମୁଁ ତ ବର୍ଷ ବର୍ଷ ଧରି ସାଧନା କରି ଆସିଚି । ଖାଦ୍ୟ ଭଣ୍ଡାର ଶୂନ୍ୟ କରି ଦେବା ଭଳି ଶକ୍ତି ମୋଠାରେ ଅଛି; କିନ୍ତୁ ଗୋଟାଏ କଥା, ଖାଇସାରିବା ପରେ ଠିଆ ହେବାର ଶକ୍ତି ମୋର ନଥାଏ । ଚାଲିବା କଥା ଦୂରେ ଥାଉ; ଗାଡ଼ି ନହେଲେ ନଚଳେ ।

 

ଚିନ୍ତା–ଏଟା ତ କିଛି ବଡ଼କଥା ନୁହ । ମତେ ଯେ ଖଟିଆର ଆଶ୍ରା ନେଇ ଆସିବାକୁ ହୁଏ । ମୋର ଏଉଡ଼ି ମାରିବା ଶୁଣିଲେ ଯେ କେହି ବୁଝିବ–ବୋମା ଫୁଟୁଚି । ଥରେ ଗୁପ୍ତ ପୋଲିସ୍‌ବାଲା ବୋମା ଫୁଟିବା ସନ୍ଦେହ କରି ମୋର ଘର ତଲାସ କରିଥିଲେ ।

 

ମୋଟେ–ମିଛ କଥା । କେହି ଏଭଳି ଏଉଡ଼ ମାରି ପାରେନା ।

 

ଚିନ୍ତା–ଆଚ୍ଛା, ଥରେ ଆସି ଶୁଣି ଯିବ । ଡରି ଧାଇଁ ପଳାଇବନି କିନ୍ତୁ ।

 

ଅଳ୍ପ ସମୟ ଭିତରେ ଦୁହେଁ ମଟରରେ ଚଢ଼ିଲେ । ମଟର ଛୁଟିଲା । ରାସ୍ତାରେ ଯାଉଁ ଯାଉଁ ପଣ୍ଡିତ ଚିନ୍ତାମଣି ଆଶଙ୍କା କରିବାକୁ ଲାଗିଲେ–କାଳେ ତାଙ୍କୁ ମୋଟେରାମ୍‌ଙ୍କ ସମକକ୍ଷ ମନେ କରାଯିବନି ଏବଂ ତାଙ୍କୁ ଯଥେଷ୍ଟ ସମ୍ମାନ ମିଳି ନପାରେ । ପଣ୍ଡିତ ମୋଟେରାମ୍‌ବି ଭୟ କରିବାକୁ ଲାଗିଲେ, ହୁଏତ ଚିନ୍ତାମଣି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହୋଇ ଉଠିବେ ଏବଂ ରାଣୀଙ୍କର ପ୍ରିୟପାତ୍ର ହୋଇ ବସିବେ ।

 

ଉଭୟେ ମନେମନେ ଅନେକ କଥା ବିଚାରି ଗଲେ । ରାଣୀଙ୍କ ଉଆସ ଆଗରେ ମଟର ଅଟକିଲା । ଦୁହେଁ ଓହ୍ଲାଇଲେ । ମୋଟେରାମ୍‌ ଭାବିଲେ–ସେ ପ୍ରଥମେ ଯାଇ ରାଣୀଙ୍କ ପାଖରେ ପହଞ୍ଚିବେ ଏବଂ ଚିନ୍ତାମଣୀଙ୍କୁ ସାଥିରେ ନେଇ ଆସିଥିବା କଥା ଜଣାଇବେ । ଚିନ୍ତାମଣି ମଧ୍ୟ ପ୍ରଥମେ ରାଣୀଙ୍କ ସାମନାରେ ପହଞ୍ଚି ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିଲେ । ଦୁହେଁ ଆଗେଇଲେ । ଚିନ୍ତାମଣି ପତଳା ଲୋକ ଥିବାରୁ ଟିକେ ଆଗେଇ ଗଲେ । ମୋଟେରାମ୍‌ ଦଉଡ଼ିବା ଆରମ୍ଭ କଲେ-। ଚିନ୍ତାମଣିବି ଦୌଡ଼ିଲେ ।

 

ଘୋଡ଼ାଦଉଡ଼ ଆରମ୍ଭ ହେଲା ଯିମିତି ! ଜଣା ଯାଉଥିଲା ଯିମିତି ଦୁଇଟି ଗଣ୍ଡା ଦଉଡ଼ୁଚନ୍ତି । ମୋଟେରାମ୍‌ ଶେଷରେ ଧଇଁସଇଁ ହୋଇ କହିବାକୁ ଲାଗିଲେ–ରାଜସଭାକୁ ଦଉଡ଼ି ଦଉଡ଼ି ଯିବା ଅନୁଚିତ ।

 

ଚିନ୍ତାମଣି–ତମେ ତାହାହେଲେ ଧୀରେ ଧୀରେ ଆସ । ଦୌଡ଼ିବାକୁ କିଏ କହିଲା ?

 

ମୋଟେ–ଟିକେ ରୁହ । ମୋ ପାଦରେ କଣ୍ଟା ଗଳିଗଲା ।

 

ଚିନ୍ତା–ତାହାହେଲେ ମୁଁ ଚାଲି ଚାଲି ଯାଉଚି । ତମେ କଣ୍ଟା ବାହାର କରି ଆସ ।

 

ମୋଟେ–ମୁଁ କିନ୍ତୁ ସୁପାରିସ୍ କରି ନଥିଲେ ରାଣୀ ତୁମକୁ ଏତେଟିକେ ପଚାରି ନଥାନ୍ତେ-

 

ମୋଟେରାମ୍‌ ନାନା ରକମର ଛଳନା ବାହାର କଲେ । ଚିନ୍ତାମଣିଙ୍କର ଏତେ ଟିକେ ଖାତର ନଥାଏ । ପ୍ରଥମେ ଭବନ ଭିତରେ ଯାଇ ପହଞ୍ଚିଲେ ଚିନ୍ତାମଣି । ରାଣୀ ସାହେବା ବସି କ’ଣ ଲେଖୁ ଥାଆନ୍ତି ଏବଂ ମଝିମଝିରେ ଦୁଆର ଆଡ଼କୁ ଦୃଷ୍ଟିପାତ କରୁଥାନ୍ତି । ସହସା ଚିନ୍ତାମଣି ତାଙ୍କରି ଆଗରେ ଠିଆ ହୋଇ ସ୍ତୁତି ଗାନ କରିବାକୁ ଲାଗିଲେ–‘ହେ ହେ ଯଶୋଦା ତୁ ବାଳକେଶବ, ମୁରାରନାଥ... ।’

 

ରାଣୀ–ତମେ କ’ଣ ଚାହଁ ?

 

ଚିନ୍ତା–ଆପଣଙ୍କୁ ମୁଁ ମୋର ଆଶୀର୍ବାଦ ଜଣାଉଚି । ଆପଣ ଦାସ ଚିନ୍ତାମଣିକୁ ନିମନ୍ତ୍ରିତ କରି ଯେଭଳି ଅନୁଗୃହୀତ କରିଚନ୍ତି, ଶେଷନାଗ ତାହା ନିଜର ସହସ୍ର ଜିହ୍ୱାଦ୍ୱାରାବି ବଖାଣି ନ ପାରେ ।

 

ରାଣୀ–ତାହାହେଲେ ତମେଇ ଚିନ୍ତାମଣି ? ପଣ୍ଡିତ ମୋଟେରାମ୍‌ ଶାସ୍ତ୍ରୀ ଗଲେ କୁଆଡ଼େ ?

 

ଚିନ୍ତା–ପଛରେ ଆସୁଚି । ସେ କ’ଣ ମୋର ସମକକ୍ଷ ହୋଇପାରେ ? ସେ ପରା ମୋର ଶିଷ୍ୟ ।

 

ରାଣୀ–ସେ ଆପଣଙ୍କର ଶିଷ୍ୟ ?

 

ଚିନ୍ତା–ନିଜ ମୁହଁରେ ମୁଁ ନିଜର ପ୍ରଶଂସା ଗାଇବା ଉଚିତ ମନେ କରେନା । ବିଦ୍ୱାନଗଣ ନମ୍ର ହେବା ଉଚିତ, କିନ୍ତୁ ଯାହା ଯଥାର୍ଥ, ତାହା ସଂସାର ଜାଣେ । କାହା ସହିତ ବାଦବିବାଦ କରିବା ମୋର ଇଚ୍ଛା ନୁହ । ଅନେକ ସମୟରେ ମୋର ଶିଷ୍ୟବି ମୋର ଗୁରୁ ହୋଇ ବସେ । ମୁଁ କିନ୍ତୁ କାହାରିକୁ କିଛି କହେନା । ସତ୍ୟ କେବେ ଲୁଚି ରହେନି ।

 

ଏତିକିବେଳେ ପଡ଼ି ଉଠି ମୋଟେରାମ୍‌ ସେଇଠି ଆସି ଉପସ୍ଥିତ ହେଲେ । ଚିନ୍ତାମଣିଙ୍କୁ ଭଦ୍ର ଏବଂ ସଭ୍ୟ ବେଶ ଧରି ଠିଆ ହେଇଥିବା ଦେଖି, ସେ ଦେବୋପମ ଶାନ୍ତି ଗ୍ରହଣ କରି ଠିଆ ହେଲେ ।

 

ରାଣୀ ମୋଟେରାମ୍‌ଙ୍କୁ କହିଲେ–ପଣ୍ଡିତ ଚିନ୍ତାମଣି ସାଧୁ ପ୍ରକୃତିର ବିଦ୍ୱାନ । ଆପଣ ତାଙ୍କରି ଶିଷ୍ୟ । ତଥାପି ସେ ଆପଣଙ୍କୁ ଶିଷ୍ୟ ବୋଲି କହନ୍ତିନି ।

 

ମୋଟେ–ମୁଁ ଏହାଙ୍କର ଦାସାନୁଦାସ ।

 

ଚିନ୍ତା–ଜଗତ୍‌ତାରିଣୀ ! ମୁଁ ଏହାଙ୍କର ଚରଣ ରଜ ।

 

ମୋଟେ–ରିପୁଦଳ ସଂହାରିଣୀ ! ମୁଁ ଏହାଙ୍କର ଦୁଆରର କୁକୁର ।

 

ରାଣୀ–ଆପଣ ଦୁହେଁ ସଜ୍ଜନ । ଦୁହେଁ ଦୁହିଁଙ୍କଠୁ ବଳି । ଚାଲନ୍ତୁ ଭୋଜନ କରିବେ ।

 

ସୋନାରାଣୀ ମୋଟେରାମ୍‌ଙ୍କ ପଥ ଜଗି ବସିଥାନ୍ତି । ପତିଦେବଙ୍କ ମିତ୍ର ଭକ୍ତିରେ ସେ କ୍ରୋଧିତା ହୋଇ ଉଠିଥିଲେ । ବଡ଼ ପିଲାଙ୍କ ଚିନ୍ତା ନଥିଲା । ଛୋଟପିଲାମାନେ କାଳେ ଶୋଇଯିବେ ଏ ଭୟ ତାଙ୍କ ମନକୁ ଛୁଉଁଥିଲା । ଏଯାଏଁ ସେମାନଙ୍କୁ କାହାଣୀ ଶୁଣାଇ ଚିଆଁଇ ରଖିଥିଲେ–ଏତିକିବେଳେ ପୂଝାରି ଆସି ଡାକିଲେ । ପଣ୍ଡିତ ଦୁହେଁ ଦୁଇଟି ଆସନ ଧରିଲେ । ପିଲାମାନେ ଡେଇଁ ଉଛୁଳି ଯାଇ ଭୋଜନଶାଳାରେ ପହଞ୍ଚିଲେ । ପଣ୍ଡିତ ଦୁହେଁ ବୀର ଭଳି ମୁଖାମୁଖି ବସିଥାନ୍ତି । ନିଜ ନିଜର ପୁରୁଷାର୍ଥ ଦେଖାଇବା ପାଇଁ ଉଭୟେ ଅଧୀର ।

 

ଚିନ୍ତା–ବୁଝିଲ ପୂଝାରି, ତମେ ପରଷିବାରେ ବିଳମ୍ବ କରୁଛ । ଘର ଭିତରେ ଯାଇ ଶୋଇଯାଉଚ କି ?

 

ପୂଝାରି–ଚୁପ୍‌ ହୋଇ ବସ । ସବୁ ଆସିବ । ଘାବୁରେଇ ଯାଅନି । ତମମାନଙ୍କ ଛଡ଼ା ଏଠି କିଏ ଅଛି ?

 

ମୋଟେ–ବୁଝିଲ ଭାଇ ! ଭୋଜନ ପୂର୍ବରୁ ସୁଗନ୍ଧର ସ୍ୱାଦୁ କିଛି ସମୟ ଉପଭୋଗ କରି ନିଅ ।

 

ଚିନ୍ତା–ସେ ସୁଗନ୍ଧକୁ ଗୁଳିମାର । ଦେବତା ସୁଗନ୍ଧ ଗ୍ରହଣ କରନ୍ତି । ଆମର କିନ୍ତୁ ଭୋଜନ କରିବା କଥା ।

 

ମୋଟେ–ଆଚ୍ଛା, କହିଲ, ପ୍ରଥମେ କେଉଁ ଜିନିଷରେ ହାତ ଚଳାଇବ ?

 

ଚିନ୍ତା–ଯାଉଚି, ଭିତରୁ ସବୁ ଜିନିଷ ଏକା ସଙ୍ଗେ ନେଇ ଆସିବି ପ୍ରଥମେ ।

 

ମୋଟେ–ଟିକେ ଧୈର୍ଯ୍ୟ ଧର । ସବୁ ଜିନିଷ ବଳେ ଆସିବ । ପ୍ରଥମେ ଠାକୁରଙ୍କ ଭୋଗ ଲାଗିଯାଉ ।

 

ଚିନ୍ତା–ତାହାହେଲେ ବସିଚ କାହିଁକି ? ଭୋଗ ଲଗାଅ । ଗୋଟାଏ ପ୍ରତିବନ୍ଧକ ଅନ୍ତତଃ ଦୂର ହେଇଯାଉ । ନାହିଁ ତ ଆଣ ମୁଁ ଶୀଘ୍ର ଭୋଗ ଲଗାଇ ନିଏ । ବ୍ୟର୍ଥ ଡେରି କାହିଁକି ?

 

ରାଣୀ ଏତିକିବେଳେ ଆସି ପହଞ୍ଚିଲେ । ଚିନ୍ତାମଣି ସାବଧାନ ହେଲେ ଏବଂ ରାମାୟଣ ଶୁଣାଇବାକୁ ଲାଗିଲେ–

 

ଅବଧି ଥିଲା ଏକ ଦିନ, ଦୁଃଖେ ନ ପାରେ ବୋଧି ମନ ।

 

ପିତୃ ବଚନ ମାନି ବନେ, ଦଶରଥଙ୍କ ସୁତଗଣେ.... ।

 

ହନୁ ଯେ ଲଙ୍କା ଜାଳିଦେଲା, ସମୁଦ୍ରେ ଡେଇଁଣ ପଡ଼ିଲା ।

 

ଯାହାର ଯାହାଠାରେ ଆଶ, ତାରେ ସେ ମିଳଇ ଅବଶ୍ୟ ।

 

ଶୁଣି ଜାମ୍ବବନ୍ତ ବଚନ, ହନୁ ଯେ ହୁଅଇ ପ୍ରସନ୍ନ ।

 

ପଣ୍ଡିତ ମୋଟେରାମ୍‌ ପଣ୍ଡିତ ଚିନ୍ତାମଣିଙ୍କ ପ୍ରଭାବ ବିସ୍ତାରିତ ହେଉଥିବା ଦେଖି ନିଜର ବିଦ୍ୱତ୍ତା ପ୍ରକାଶ କରିବା ନିମିତ୍ତ ବ୍ୟାକୁଳ ହୋଇ ଉଠିଲେ । ବହୁ ମସ୍ତିଷ୍କ ଖର୍ଚ୍ଚ କରି ମଧ୍ୟ ସେ କୌଣସି ଶ୍ଳୋକ କିମ୍ବା ମନ୍ତ୍ର କିବା କବିତା ସ୍ମରଣ କରି ପାରିଲେ ନାହିଁ । ସୁତରାଂ ସେ ରାମନାମ ଆରମ୍ଭ କରି ଦେଲେ–

 

‘ରାମ ଭଜ, ରାମ ଭଜ, ରାମ ଭଜରେ... ।’

 

ମୋଟେରାମ୍‌ ଏତେ ପାଟି କରିବାକୁ ଲାଗିଲେ ଯେ ଚିନ୍ତାମଣିଙ୍କୁବି ସ୍ୱର ଉଚ୍ଚ କରିବାକୁ ପଡ଼ିଲା । ମୋଟେରାମ୍‌ ଗରଜି ଉଠିଲେ । ଏଭଳି ସମୟରେ ପୂଝାରି ସେମାନଙ୍କୁ ଭୋଗ ଲଗାଇବାକୁ ଡାକିଲେ । ସେମାନଙ୍କର ବିବାଦ ବନ୍ଦ ହେଲା । ଭୋଗ ପ୍ରସ୍ତୁତ କରି ରଖାଗଲା । ବାଳକ ବୃନ୍ଦ ସଜାଗ ହୋଇ ଉଠିଲେ । କିଏ ଘଣ୍ଟା ଧରିଲା ତ କିଏ ଖୋଳ, କିଏ ଶଙ୍ଖ କିଏ କରତାଳ । ଚିନ୍ତାମଣି ଆରତି ଆରମ୍ଭ କଲେ । ମୋଟେରାମ୍ ଦାନ୍ତ ରଗଡ଼ି ଚୁପ୍‌ ରହିଲେ । ରାଣୀଙ୍କ ସାନ୍ନିଧ୍ୟ ଲାଭ କରିବାରେ ଯେ ସୁଯୋଗ, ତାହା ତାଙ୍କ ହାତରୁ ଖସିଗଲା ।

 

ଆଗରେ ଯେ ପୁଣି ଅମଙ୍ଗଳ ଘଟିବ,ଏକଥା କାହାରିକୁ ବିଦିତ ନଥିଲା । ଆରତି ସମାପ୍ତ ହୋଇ ସାରିଥାଏ । ଠିକ୍‌ ଭୋଜନ ଆରମ୍ଭ କରିବାକୁ ଯାଉଚନ୍ତି–କୁଆଡ଼ୁ ଗୋଟାଏ କୁକୁର ଆସି ହାବୁଡ଼ି ଗଲା । ଏହା ଦେଖି ପଣ୍ଡିତ ଚିନ୍ତାମଣିଙ୍କ ହାତରୁ ଲଡ଼ୁ ଖସି ପଡ଼ିଲା । ପଣ୍ଡିତ ମୋଟେରାମ୍‌ ଅବାକ୍‌ ହୋଇଗଲେ । ସର୍ବନାଶ ସଂଘଟିତ ହେଲା–ଯେପରି !

 

ଚିନ୍ତାମଣି ଆଖି କୋଣରେ ସଂକେତ ଦେଇ ମୋଟେରାମ୍‌ଙ୍କୁ କହିଲେ–ବନ୍ଧୁ ବର ! ଉପାୟ କିଛି ଚିନ୍ତା କର । ଦେଖୁଚ ନିରାଶାର ବଉଦ କି ଭଳି ଘୋଟି ଆସିଲାଣି !

 

ମୋଟେରାମ୍‌ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–କ’ଣ ଆଉ ହେବ ? ଶଳାଟା କେଉଁଠି ଥିଲା କେଜାଣି ?

 

ରାଣୀ ପାଖରେ ଠିଆ ହୋଇଥାନ୍ତି । କହିଲେ–ଆରେ ! ଏ କୁକୁରଟା କୁଆଡ଼ୁ ଆସିଲା-? ସବୁବେଳେ ତ ବନ୍ଧା ହୋଇ ରହୁଥିଲା । ଆଜି ଫିଟି ଆସିଲା କିମିତି ? ରୋଷେଇ ଅପବିତ୍ର ହୋଇଗଲା ।

 

ଚିନ୍ତା–ପଣ୍ଡିତଗଣ ଏ ସମ୍ପର୍କରେ..... ।

 

ମୋଟେ–ଆଜ୍ଞା ! ସେଭଳି କୌଣସି ଆପତ୍ତି ନାହିଁ ।

 

ସୋନା–ସବୁ ଭାଗ୍ୟ ! ଦେଖୁଦେଖୁ ଅଧରାତି ବିତିଗଲା । ପୁଣି କପାଳକୁ ଏଇ ବିପତ୍ତି-

 

ଚିନ୍ତା–ଆଜ୍ଞା, ଶ୍ୱାନ ମୁଖରେ ଅମୃତ...... ।

 

ମୋଟେ–ଆପଣଙ୍କର ଆଜ୍ଞା ହେଲେ ଏଠାରୁ ବିଦାୟ ନେବୁ ।

 

ରାଣୀ–ଆଉ କ’ଣ କରାଯାଇପାରେ ? ଦୁଃଖର କଥା ଆଜି ଏ କୁକୁରଟା ଏତେ ବଡ଼ ଅନିଷ୍ଟ ଘଟାଇଲା । ଟମି ବଡ଼ ଦୁଷ୍ଟ ହୋଇଗଲା । ପୂଝାରି, ଏ ପତ୍ରଗୁଡ଼ାକ ଉଠାଇ ମେହେନ୍ତରକୁ ଦେଇ ଦିଅ ।

 

ସୋନାକୁ ଚାହିଁ ଚିନ୍ତାମଣି କହିଲେ–ଛାତି ଫାଟି ଯାଉଚି ।

 

ବାଳକମାନଙ୍କ ଉପରେ ସୋନାର ଦୟା ହେଲା । ଏଯାଏଁ ଏମାନେ ଦେବୋପମ ଧୈର୍ଯ୍ୟ ଧରି ବସି ରହିଥିଲେ । କୁକୁରଟିର ଗଳା ଚିପି ମାରି ଦେବାପାଇଁ ସୋନାର ଇଚ୍ଛା ହେଲା । କହିଲା–ପିଲାଙ୍କର ଅବା କି ଦୋଷ ? ଏମାନଙ୍କୁ କିଛି ଖାଇବାକୁ ମିଳୁ ।

 

ଚିନ୍ତା–ମୋଟେରାମ୍‌ ବଡ଼ ଦୁଷ୍ଟ ! ୟାରି ବୁଦ୍ଧି ଭ୍ରଷ୍ଟ ହୋଇ ଗଲାଣି ।

 

ସୋନା–ମୋଟେରାମ୍‌ଙ୍କୁ କହିଲା–ବାଃ ! ଯେଉଁ ବିଦ୍ୱାନ, ଏଥର ଆଉ ପାଟି ଫିଟୁନି କାହିଁକି ? ମୁହଁରେ ଗୁଣ୍ଡା ଭରିଚ ? ଜିଭ ଖୋଲୁନି ?

 

ଚିନ୍ତା–ସତ କହୁଛି, ରାଣୀଙ୍କୁ ମୁଁ ଭୁଲେଇ ଦେଇ ପାରିଥାନ୍ତି । ଏଇ ଦୁଷ୍ଟ ଲାଗି ସବୁ ବିଗିଡ଼ି ଗଲା । ମନର କଥା ମନରେଇ ମରିଗଲା । ଏ ପଦାର୍ଥ ସକଳ ଆଉ କେଉଁଠି ମିଳିବ ?

 

ସୋନା–ପଣ୍ଡିତଙ୍କର ଏଠି ଆଉ ପୁରୁଷାର୍ଥ ରହିଲାନି । ଘରେଇ ସିଂହପଣିଆ !

 

ରାଣୀ ପୂଝାରିକୁ ଡାକି କହିଲେ, ପିଲା ତିନୋଟିକୁ ଖୁଆଇ ଦିଅ । ଏମାନେ କାହିଁକି ଭୋକେ ମରିବେ ? ମିଠାଇ ଖାଇବ ?

 

ରାଣୀ–କି ଫେକୁରାମ୍ ! ଫେକୁ–ସେଇଥିପାଇଁ ତ ଆସିଚୁ ।

 

ରାଣୀ–କେତେ ମିଠାଇ ଖାଇବ ?

 

ହାତ ଦେଖାଇ ଫେକୁ କହିଲା–ଏତେ ।

 

ରାଣୀ–ଭଲ କଥା । ଯେତେ ଖାଇବ ସେତେ ମିଳିବ । ମୁଁ କିନ୍ତୁ ଯାହା ପଚାରିବି କହିବ ତ ?

 

ଫେକୁ–ହଁ, କହିବି ।

 

ରାଣୀ–ମିଛ କହିବ ଯଦି କିଛି ମିଠେଇ ମିଳିବନି । ବୁଝିଲ !

 

ଫେକୁ–ମୁଁ ମୋଟେ ମିଛ କହିବିନି । କହିବି ଯଦି ଦେବନି ।

 

ରାଣୀ–ଆଚ୍ଛା, ତମ ବାପାଙ୍କ ନାମ କ’ଣ କହିଲ ?

 

ମୋଟେ–ପିଲାଙ୍କର କ’ଣ ସବୁବେଳେ ସବୁ କଥା ମନେ ରହେ ? ସେ ତେ ଆସୁ ଆସୁ କହି ସାରିଚି ।

 

ରାଣୀ–ପୁଣି ଇଚ୍ଛା ହେଲା ମୁଁ ପଚାରିଲି । ଆପଣଙ୍କର କ’ଣ ଅନିଷ୍ଟ ହେଲା ଶୁଣେ ?

 

ଚିନ୍ତା–ନାମ ପଚାରିବାରେ କୌଣସି ଆପତ୍ତି ନାହିଁ ।

 

ମୋଟେ–ତମେ ଚୁପ୍‌ ରହ ଚିନ୍ତାମଣି । ନାହିଁ ତ ଭଲ ହେବନି । ମୁଁ କିଭଳି କ୍ରୁଦ୍ଧ ହୁଏ ତମେ ହୁଏତ ଜାଣନି । ମାରିବି ଯଦି କାନ୍ଦି କାନ୍ଦି ଧାଇଁବ ।

 

ରାଣୀ–ଆପଣ ମିଛରେ ରାଗୁଚନ୍ତି । କି ଫେକୁରାମ୍‌ ! ଚୁପ୍‌ ରହିଲ କାହିଁକି ? ମିଠେଇ ମିଳିବନି ଯେ ।

 

ଚିନ୍ତା–ମହାରାଣୀଙ୍କର ଏତେ ଦୟା । କହିଦେ ବାପା କହିଦେ ।

 

ମୋଟେ–ଦେଖୁଚି ତମେ ନିଜ ଘେରକୁ ବିପଦ ବରି ଆଣୁଚ । ସେ କହୁନି ଯଦି ତମର କ’ଣ ଗଲା ? ଯୋଉ ଶୁଭଚିନ୍ତକ !

 

ସୋନା–ଆରେ ! ପିଲାଙ୍କୁ ଏ ସବୁ ପ୍ରଶ୍ନ ପଚାରିବାର କି ଆବଶ୍ୟକତା ରହିଚି ? ଇଚ୍ଛା ଅଛି ମିଠେଇ ଦିଅ । ନାହିଁ ୟା ପୁଣି ଗୋଟାଏ କ’ଣ ଯେ ବାପର ନାମ କହିଲେଇ ତମେ ମିଠେଇ ଦେବ ।

 

ଫେକୁରାମ୍‌ ଖୁବ୍‌ ଧୀରେ କିଛି ଗୋଟାଏ ନାମ ଉଚ୍ଚାରଣ କଲା । ଏହା ଶୁଣି ମୋଟେରାମ୍‌ ତାକୁ ଏଭଳି ଗାଳି ଦେଲେ ଯେ ଅଧେ କଥା ତା’ ମୁହଁରେ ରହିଗଲା ।

 

ରାଣୀ–ଗାଳି ଦେଉଛ କାହିଁକି ? ସେ କହୁ । କହିଲୁ ବାପା !

 

ମୋଟେ–ଆପଣ ଆମମାନଙ୍କୁ ଏଠାକୁ ଡାକି ଅପମାନିତ କରୁଚନ୍ତି ।

 

ଚିନ୍ତା–ଏଥିରେ ଅପମାନ ଗୋଟାଏ କ’ଣ ?

 

ମୋଟେ–ଆମେ ଆଉ ଏ ଦୁଆର ମୋଟେ ମାଡ଼ିବୁନି । ଏଠାରେ ସତ୍‌ପୁରୁଷଙ୍କର ଅପମାନ କରାଯାଏ ।

 

ଅଲଗୁରାମ୍‌–କହିବ ଯଦି ଚିନ୍ତାମଣିଙ୍କୁ ଚାପୁଡ଼ାଏ ଦେବି ।

 

ମୋଟେ–ନା, ନା, ଦୁଷ୍ଟମାନଙ୍କୁ ପରମାତ୍ମା ସ୍ୱୟଂ ଦଣ୍ଡ ଦିଅନ୍ତି । ଚାଲ ଏଠାରୁ ପଳାଇବା-। ଭୁଲରେ ସୁଦ୍ଧା ଏଠାକୁ କେବେ ଆସିବା ନାହିଁ । ନା ଖିଆ, ନା ପିଆ, ଦୁଆରକୁ ଡାକି ବ୍ରାହ୍ମଣଙ୍କୁ ଅପମାନିତ କରାଯାଉଚି । ଏଇଥିପାଇଁ ପରା ଦେଶରେ ନିଆଁ ଜଳୁଚି !

 

ଚିନ୍ତା–ବୁଝିଲ ମୋଟେରାମ୍‌ । ମହାରାଣୀଙ୍କ ସାମନାରେ ଏଭଳି କଟୁ କଥା କହିବା ଅନୁଚିତ ।

 

ମୋଟେ–ଚୁପ୍‌ ରହ କହୁଚି । ନାହିଁ ତ ସାରା କ୍ରୋଧ ତମରି ମୁଣ୍ଡରେଇ ଢଳିବ । ମା’ ବାପଙ୍କର ଠିକଣା ନାହିଁ, ପୁଅ ବ୍ରାହ୍ମଣ ବୋଲାଉଚି । କିଏ ତମକୁ ବ୍ରାହ୍ମଣ କହେ ?

 

ଚିନ୍ତା–ମନକୁ ଯାହା ଆସୁଚି କହିଯାଅ । ଚନ୍ଦ୍ରମାଙ୍କ ଉପରକୁ ଛେପ ଫିଙ୍ଗିଲେ ଓଲଟି ନିଜ ମୁହଁରେ ପଡ଼େ । ତମେ ଧର୍ମର ଲକ୍ଷଣ କ’ଣ ଜାଣିନା । ତମକୁ ଆଉ କ’ଣ ବୁଝାଇବି ? ବ୍ରାହ୍ମଣଙ୍କର ଧୈର୍ଯ୍ୟ ରହିବା ଆବଶ୍ୟକ ।

 

ମୋଟେ–ପେଟ ଗୁଲାମ ତ । କିଛି ଅଧିକ ପାଇବାପାଇଁ ଖୋସାମତ୍‌ କରୁଛ । ଏଆଡ଼େ ପୁଣି ମର୍ଯ୍ୟାଦା ପାଳନ ଚାଲିଚି ।

 

ଚିନ୍ତା–ମୁଁ ପରା କହିଥିଲି ତମେ ବଡ଼; ମୁଁ ଛୋଟ । ଆଉ ଅଧିକା କ’ଣ କହନ୍ତି ? ତମେ କ’ଣ ସତ କହୁଛ ଯେ ମୁଁ ବ୍ରାହ୍ମଣ ନୁହ ଶୂଦ୍ର ?

 

ରାଣୀ–ଚିନ୍ତାମଣି ! ଏଭଳି କହନି । ଆପଣ ଜନ୍ମରୁ ଶୂଦ୍ର ହେଲେବି ଏସମସ୍ତ ଗୁଣର ଅଧିକାରୀ ହୋଇ ଆପଣ ବ୍ରାହ୍ମଣ ।

 

ମୋଟେ–ବୁଝିଲ ଚିନ୍ତାମଣି ! ମୁଁ ଯଦି ୟାର ପ୍ରତିଶୋଧ ନ ନେଇଚି ତ ମୋର ନାଁ ନାହିଁ କହୁ କହୁ ପଣ୍ଡିତ ମୋଟେରାମ୍‌ ବାଳକବୃନ୍ଦଙ୍କୁ ସାଥିରେ ନେଇ ବାହାରକୁ ଚାଲି ଆସିଲେ ଏବଂ ଭାଗ୍ୟ ନିନ୍ଦି ଘର ଆଡ଼କୁ ପାଦ ବଢ଼ାଇଲେ । ଦୁଷ୍ଟ ଚିନ୍ତାମଣିଙ୍କୁ କାହିଁକି ଡାକିଲି ବୋଲି ଅନୁତାପ କରିବାକୁ ଲାଗିଲେ ।

 

ସୋନା–ଆଉ ଟିକକରେ ସବୁ ଭଣ୍ଡୁର ହୋଇ ଯାଇଥାନ୍ତା । ଫେକୁ ପ୍ରକୃତ ନାମଟି କହିଦେବାକୁ ଯାଉଥିଲା । କିରେ ଫେକୁ ! ତୁ ବାପାଙ୍କ ନାମଟିକୁ କାହିଁକି କହିଦେବାକୁ ବାହାରିଥିଲୁ-?

 

ଫେକୁ–ଆଉ କ’ଣ କରନ୍ତି ? ସେ ତ ସତ ସତ ସବୁ ପଚାରୁଥିଲେ ।

 

ମୋଟେ–ଚିନ୍ତାମଣି ଖୁବ୍‌ ପ୍ରଭାବ ବିସ୍ତାର କରି ପାରିଲା ଏବେ ଖୁବ୍‌ ମଜାରେ ଖାଉଥିବ-

 

ସୋନା–ତମର କୌଣସି ଗୋଟିଏ ବିଦ୍ୟା କାମରେ ଲାଗିଲା ନାହିଁ ଚିନ୍ତାମଣି ଜିଣି ଗଲା ।

 

ମୋଟେ–ମୁଁ ପରା ଜାଣେ, ରାଣୀ ଜାଣିଶୁଣି କୁକୁର ଡାକି ଆଣିଥିଲେ ।

 

ସୋନା–ମୁଁ ତାଙ୍କ ମୁହଁରୁ ବୁଝି ପାରିଥିଲି ଯେ ସେ ଆମମାନଙ୍କୁ ଚିହ୍ନି ନେଇଥିଲେ ।

 

ଏଆଡ଼େ ଏମାନେ ପଶ୍ଚାତ୍ତାପ କଲାବେଳକୁ ସେଆଡ଼େ ଚିନ୍ତାମଣିଙ୍କ ପାଞ୍ଚ ଆଙ୍ଗୁଠି ଘିଅରେ ବୁଡ଼ି ରହିଥିଲା । ଚକାପିଢ଼ା ମାରି ଭୋଜନରେ ବସିଥାନ୍ତି ଚିନ୍ତାମଣି । ରାଣୀ ନିଜେ ମିଠେଇ ପରଷୁଥାନ୍ତି । ବାର୍ତ୍ତାଳାପ ଚାଲିଥାଏ ।

 

ରାଣୀ–ବଡ଼ ଧୂର୍ତ୍ତ ! ମୁଁ ତ ପିଲାଗୁଡ଼ାକୁ ଦେଖୁଦେଖୁ ସବୁ ବୁଝି ପାରିଥିଲି ।

 

ନିଜ ସ୍ତ୍ରୀର ବେଶ ବଦଳାଇ ଏଠାକୁ ଆଣିବାପାଇଁ ତାକୁ ଲଜ୍ଜା ଲାଗିଲାନି ?

 

ଚିନ୍ତା–ବର୍ତ୍ତମାନ ସେମାନେ ମତେ ଅଭିଶାପ ଦେଉଥିବେ ।

 

ରାଣୀ–ମତେ ଠକିବାକୁ ବସିଥିଲେ । ସାରା ଜୀବନ ଧରି ସ୍ମରଣ କଲା ଭଳି ଶିକ୍ଷାଦେବା ପାଇଁ ମୁଁ ମଧ୍ୟ ଟମିକୁ ଡାକି ଆଣିଲି । ଚିନ୍ତାମଣି ରାଣୀଙ୍କ ବୁଦ୍ଧିକୁ ପ୍ରଶଂସା କଲେ ।

Image

 

ହିଂସା ପରମୋ ଧର୍ମଃ

 

ଦୁନିଆରେ ଏଭଳି କେତେକ ଲୋକ ଅଛନ୍ତି ଯେଉଁମାନେ କି କାହାର ଚାକର ନହେଲେବି ସମସ୍ତଙ୍କର ଚାକର । ସେମାନଙ୍କର ନିଜର କୌଣସି କାମ ନଥିଲେ ମଧ୍ୟ ମୁଣ୍ଡ ଟେକିବାକୁ ଫୁରୁସତ୍‌ ନଥାଏ । ଜାମିଦ୍‌ ଏଇ ଶ୍ରେଣୀର ଲୋକମାନଙ୍କ ମଧ୍ୟରୁ ଜଣେ । ଏକବାରେ ଚିନ୍ତା ଶୂନ୍ୟ; କାହାରି ସହିତ ବନ୍ଧୁତା ନାହିଁ କି କାହାରି ସହିତ ଶତ୍ରୁତା ମଧ୍ୟ ନାହିଁ । ସେ ହସି ହସି କହେ–‘ବିନା ପାରିଶ୍ରମିକରେ ମୁଁ ତା’ର ଗୋଲାମ ହୋଇଗଲି ।’ ଅକର୍ମଣ୍ୟ ଲୋକଙ୍କପାଇଁ କାମ କରିବାରେ ତାକୁ ଆନନ୍ଦ ମିଳେ । ଗାଁରେ କେହି ରୋଗରେ ପଡ଼ିଲେ, ରୋଗୀର ସେବା ଶୁଶ୍ରୂଷାପାଇଁ ସେ ଯାଇ ହାଜର ହୁଏ । କହିବ ତ ଅଧରାତିରେ ସେ କୌଣସି ବୈଦ୍ୟଙ୍କ ଘରକୁ ଦୌଡ଼ି ଯିବ, ଜଡ଼ିବୁଟି ପାଇଁ ସହସ୍ର ସ୍ଥାନ ବୁଲି ଆସିବ । କୌଣସି ଗରିବ ଲୋକ ଉପରେ ଅତ୍ୟାଚାର ହେଉଥିବା ଦେଖିଲେ, ତୁନି ରହିବା ତା’ ପକ୍ଷରେ ଅସମ୍ଭବ । ପୁଣି କିଏ ତାକୁ ପ୍ରାଣରେ ମାରି ଦେଉ ପଛେ, ଅସମୟରେ ନିର୍ବଳ ବ୍ୟକ୍ତିକୁ ସାହାଯ୍ୟ ନକରି ସେ ରହିପାରେନା । ସେ ଏଭଳି ଶହ ଶହ ଘଟଣାର ସମ୍ମୁଖୀନ ହୋଇ ଆସିଛି । ଆଜିକାଲି ପୋଲିସ୍‌ମାନଙ୍କ ସହିତ ମଧ୍ୟ ତା’ର କିଛି ନା କିଛି ଗୋଳମାଳ ଲାଗି ରହିଛି । ଏଇଥିପାଇଁ ଲୋକେ ତାକୁ କହନ୍ତି–ପାଗଳ । ଏକଥାବି ସତ୍ୟ-। ଯେ ଲୋକ କାହାରି ବୋଝ ଭାରୀ ଦେଖି ତାହା ନିଜ ମୁଣ୍ଡକୁ ନେଉଥିଲା, କାହାରି ଘରଛପର କରିବା ନିମିତ୍ତ କିମ୍ବା ନିଆଁ ନିଭାଇବା ଉଦ୍ଦେଶ୍ୟରେ କୋଶ କୋଶ ବାଟ ଦଉଡ଼ୁଥିଲା; ଏପରି ଲୋକକୁ କିଏ ବୁଦ୍ଧିମାନ କହିବ ? ସାରାଂଶ ଏହି ଯେ, ତାହାଦ୍ୱାରା ଅନ୍ୟମାନଙ୍କର ଯଥେଷ୍ଟ ଉପକାର ହେଉଥିଲେ ମଧ୍ୟ ତା’ ନିଜର କୌଣସି ଉପକାର ହେଉ ନଥିଲା । ଏପରି କି ନିଜର ପେଟପାଇଁ ମଧ୍ୟ ସେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲା । ନିଜପାଇଁ ସେ ଏକରମକ ଚିନ୍ତା ରହିତ ଥିଲା; କିନ୍ତୁ ତା’ପାଇଁ ସମସ୍ତେ ଚିନ୍ତିତ ଥିଲେ ।

 

(୨)

 

ଯେତେବେଳେ ଲୋକମାନେ ତାକୁ ଧିକ୍‌କାର କରି କହିଲେ–ଜାମିଦ୍‌ ! କାହିଁକି ତୁ ନିଜର ଜୀବନ ନଷ୍ଟ କରୁଛୁ ? ଅନ୍ୟମାନଙ୍କ ପାଇଁ ମରୁଛୁ ? ତୋ ବିଷୟ ନେଇ କେହି ତତେ ପଦେ ପଚାରୁଛି ? ଯଦି କେବେ ତୁ ରୋଗରେ ପଡ଼ୁ, କେହି ତତେ ଟୋପାଏ ପାଣି ଦେବେନି । ଯେତେଦିନ ପର୍ଯ୍ୟନ୍ତ ଅନ୍ୟମାନଙ୍କର ସେବା କରୁଥିବୁ, ସେତେଦିନ ପର୍ଯ୍ୟନ୍ତ ଲୋକେ ପୁଣ୍ୟ ମନେ କରି ତତେ ଖାଇବାକୁ ଦେଉଥିବେ । କିନ୍ତୁ ଯେଉଁ ଦିନ ତୁ ବିପଦରେ ପଡ଼ିବୁ, କେହି ପଚାରିବେନି ।

 

ସେତିକିବେଳେ ଯାଇ ଜାମିଦ୍‌ର ଆଖି ଖୋଲିଲା । ତା’ ନିକଟରେ ବାସନକୁସନ ଆଦି କୌଣସି ଜିନିଷ ନଥିଲା । ସୁତରାଂ ଦିନେ ସକାଳୁ ଉଠି ସେ ନାକସିଧା ଚାଲିବାକୁ ଲାଗିଲା ଏବଂ ଦୁଇଦିନ ପରେ ଗୋଟିଏ ସହରରେ ଯାଇ ପହଞ୍ଚିଲା । ସହରଟି ଖୁବ୍‌ ବଡ଼ । କୋଠାଗୁଡ଼ିକ ନଭଶ୍ଚୁମ୍ବୀ ଏବଂ ସଡ଼କଗୁଡ଼ିକ ସଫା ଓ ଚଉଡ଼ା । ବଜାର, ବଗିଚା, ମନ୍ଦିର, ମସଜିଦର ସଂଖ୍ୟା ଘର ସଂଖ୍ୟା ତୁଳନାରେ ଅଧିକ ନଥିଲେ ମଧ୍ୟ କମ୍‌ ନଥିଲା । ତାଙ୍କ ଗାଁରେ କୌଣସି ମନ୍ଦିର କିମ୍ବା ମସଜିଦ ନଥାଏ । ମୁସଲମାନମାନେ ଏକ ମଣ୍ଡପ ଉପରେ ନମାଜ ପଢ଼ୁଥିଲେ ଓ ହିନ୍ଦୁମାନେ ଗୋଟାଏ ଗଛ ମୂଳରେ ପାଣି ଚଢ଼ାଉଥିଲେ । ନଗରରେ ଧର୍ମର ଏଇ ମାହାତ୍ମ୍ୟ ଦେଖି ଜାମିଦ୍‌ ଖୁବ୍‌ କୌତୂହଳ ଏବଂ ଆମୋଦ ଅନୁଭବ କଲା । ଧର୍ମ ପ୍ରତି ତା’ର ଯେତିକି ସମ୍ମାନ ଥିଲା, ଅନ୍ୟ ଯେକୌଣସି ସାଂସାରିକ ବସ୍ତୁ ଲାଗି ସେତିକି ନଥିଲା । ସେ ଭାବିବାକୁ ଲାଗିଲା–‘‘ଏମାନେ କେଡ଼େ ଧର୍ମ ବିଶ୍ୱାସୀ, କେଡ଼େ ବିବେକୀ, କେତେ ସତ୍ୟବାଦୀ !! ଏମାନଙ୍କର କେତେ ଦୟା, କେତେ ସହାନୁଭୂତି ନଥିବ ? ସେଇଥିପାଇଁ ତ ଭଗବାନ ଏମାନଙ୍କୁ ଏତେ ବଡ଼ କରିଛନ୍ତି !’’ ସେ ପ୍ରତ୍ୟେକ ଯିବା ଆସିବା ଲୋକଙ୍କୁ ଶ୍ରଦ୍ଧାର ସହିତ ଦେଖୁଥିଲା ଏବଂ ସେମାନଙ୍କ ଆଗରେ ବିନୟର ସହିତ ମୁଣ୍ଡ ନୁଆଁଉଥିଲା । ଏଠିକାର ସମସ୍ତ ପ୍ରାଣୀ ତାକୁ ଦେବତା ତୁଲ୍ୟ ବୋଧ ହେଉଥିଲେ ।

 

ବୁଲୁବୁଲୁ ସନ୍ଧ୍ୟା ହୋଇଗଲା । ଥକି ଯାଇ, ଜାମିଦ୍‌ ଗୋଟାଏ ମନ୍ଦିରର ମଣ୍ଡପ ଘରେ ଯାଇ ବସିଲା । ମନ୍ଦିରଟି ଖୁବ୍‌ ବଡ଼ । ମନ୍ଦିର ଚୂଡ଼ାରେ ସୁନାର କଳସ ଚମକୁଥିଲା ଏବଂ ମନ୍ଦିର ଗାତ୍ରରେ ଶଙ୍ଖମଲମଲ ପଥର ଜଡ଼ିତ ଥିଲା; କିନ୍ତୁ ଅଗଣାର ସ୍ଥାନେ ସ୍ଥାନେ ଗୋବର ଓ ମଇଳା ପଦାର୍ଥ ପଡ଼ି ରହିଥିଲା । ମଇଳା ଦେଖିଲେ ଜାମିଦ୍‌ ଚିଡ଼ି ଉଠେ । ଦେବାଳୟର ଏ ଅବସ୍ଥା ଦେଖି ସେ ସମ୍ଭାଳି ପାରିଲା ନାହିଁ । ଝାଡ଼ୁଟିଏ ମିଳିଲେ ଅଗଣାଟିକୁ ସଫା କରିଦେବ ଭାବି, ଚାରିଆଡ଼କୁ ଦୃଷ୍ଟିନିକ୍ଷେପ କଲା । କିନ୍ତୁ କେଉଁଠି ହେଲେ ଝାଡ଼ୁଥିବା ଦେଖି ପାରିଲା ନାହିଁ । ବିବଶ ହୋଇ ସେ ନିଜ ଲୁଗାରେ ଅଗଣା ସଫା କରିବାକୁ ଲାଗିଲା ।

 

କିଛି ସମୟ ପରେ ଭକ୍ତମାନେ ଏକାଠି ହେଲେ । ସେମାନେ ଜାମିଦ୍‌କୁ ଅଗଣା ସଫା କରୁଥିବା ଦେଖି ଆପଣା ଆପଣା ଭିତରେ କଥାଭାଷା ହେବାକୁ ଲାଗିଲେ–

 

‘‘ଏ ଗୋଟାଏ ମୁସଲମାନ ବୋଧହୁଏ ।’’

 

‘‘ନା, ମେହେନ୍ତର ହୋଇଥିବ ।’’

 

‘‘ନା, ମେହେନ୍ତର କେବେ ନିଜ ଲୁଗାରେ ସଫାଇ କରେନି । ଗୋଟାଏ ପାଗଳ ଭଳି ଜଣାଯାଉଛି ।’’

 

‘‘ଏ ତ ଗୁପ୍ତଚର ନୁହ ?’’

 

‘‘ନା, ଚେହେରାରୁ ବଡ଼ ଗରିବ ଜଣାଯାଉଚି ।’’

 

‘‘ଆରେ ! ଗୋବର ଲୋଭରୁ ସଫାଇ କରୁଛି । ସରାଇର କୌଣସି ଜଗୁଆଳ ହୋଇଥିବ ।’’ ସେମାନଙ୍କ ଭିତରୁ ଜଣେ କହିଲା । ପୁଣି ସେ ଜାମିଦ୍‌କୁ ଉଦ୍ଦେଶ୍ୟ କରି କହିଲା–‘‘ଆରେ, ଗୋବର ନେଇ ଯିବୁନି ବୁଝିଲୁ ? କେଉଁଠି ରହୁଚୁ ?

 

‘‘ମୁଁ ପରଦେଶୀ ମୁସାଫିର ଆଜ୍ଞା ! ଗୋବର ନେଇ ମୁଁ କ’ଣ କରିବି ? ଠାକୁରଙ୍କ ମନ୍ଦିର ଦେଖିଲି ତ ଆସି ବସିଗଲି । ଅଳିଆ ଅସନା ପଡ଼ିରହିଥିବା ଦେଖି ଭାବିଲି–ଧର୍ମାତ୍ମା ପୁରୁଷମାନେ ଆସୁଥିବେ ଟିକେ ସଫା କରି ଦେବି ।’’

 

‘‘ତୁ ମୁସଲମାନ ନା ?’’

 

‘‘ଠାକୁରତ ସମସ୍ତଙ୍କର; ହିନ୍ଦୁ କ’ଣ, ମୁସଲମାନ କ’ଣ ?’’

 

‘‘ତୋର ଠାକୁର ବିଶ୍ୱାସ ଅଛି ?’’

 

‘‘ଠାକୁରଙ୍କୁ କିଏ ନମାନେ ଆଜ୍ଞା ! ଯିଏ ଜନମ ଦେଲା ତାକୁ ମାନିବି ନାହିଁ ତ କାହାକୁ ମାନିବି ?’’

 

ଭକ୍ତମାନେ ମନ୍ତବ୍ୟ କଲେ–

 

‘‘ହେଁ–ହେଁ–ଗଣ୍ଡ ମଫସଲିଟାଏହୋ ।’’

 

‘‘ଏଇଟାକୁ ଗୋଟିଏ ଫନ୍ଦିରେ ପକାଯାଉ, ଯେମିତି ଆଉ ସେଥିରୁ ମୁକୁଳି ନ ଯାଇପାରେ ।’’

 

(୩)

 

ଜାମିଦ୍‌କୁ ଫନ୍ଦିରେ ପକାଇ ଦିଆଗଲା । ତା’ର ଆଦର ସତ୍କାର ହେଲା । ହାଉଆଜାର୍‌ ଘର ଗୋଟାଏ ରହିବାକୁ ମିଳିଲା । ଦୁଇବେଳା ଭଲ ଖାଇବାକୁ ମିଳିଲା । ପ୍ରତି ମୁହୂର୍ତ୍ତରେ ଦି’ ଚାରି ଲୋକ ତାକୁ ଘେରି ରହିଲେ । ଜାମିଦ୍‌ ଭଜନ ଜାଣିଥାଏ । ଗଳାବି ଭଲଥିଲା । ସେ ପ୍ରତ୍ୟହ ମନ୍ଦିରକୁ ଯାଇ କୀର୍ତ୍ତନ କରେ । ଭକ୍ତି ସହିତ ସ୍ୱର ଲାଳିତ୍ୟ ଅଛି ତ ଆଉ ପଚାରିବାର କ’ଣ ଅଛି ? ଲୋକମାନଙ୍କ ଉପରେ ତା’ କୀର୍ତ୍ତନ ଖୁବ୍‌ ପ୍ରଭାବ ପକାଇଥିଲା । ଅନେକ ଲୋକ ସଙ୍ଗୀତ ଲୋଭରେ ମନ୍ଦିରକୁ ଆସିବାକୁ ଲାଗିଲେ । ସମସ୍ତଙ୍କର ବିଶ୍ୱାସ ହେଲା ଯେ, ଭଗବାନ ଏହାକୁ ବାଛି ବାଛି ଏଠାକୁ ପଠାଇଛନ୍ତି ।

 

ଦିନେ ମନ୍ଦିରରେ ବହୁତ ଲୋକ ଜମିଲେ । ଅଗଣାରେ ଜରି ବିଛା ହେଲା । ଜାମିଦ୍‌କୁ ନଣ୍ଡା କରି ଦିଆଗଲା ଏବଂ ନୂଆ ଲୁଗା ଖଣ୍ଡେ ପିନ୍ଧାଇ ଦିଆଗଲା । ଶେଷରେ ଜମିଦ୍‌ଦ୍ୱାରା ମିଠାଇ ବଣ୍ଟାଗଲା । ସେ ନିଜ ଆଶ୍ରୟଦାତାମାନଙ୍କ ଉଦାରତା ଏବଂ ଧର୍ମନିଷ୍ଠାରେ ବଶ ହୋଇଗଲା ଏବଂ ମନେମନେ ଭାବିଲା ଏମାନେ କେଡ଼େ ଭଲଲୋକ ନୁହନ୍ତି ? ମୋ ଭଳି ଏକ ଗରିବ ପରଦେଶୀ ପ୍ରତି ଏମାନଙ୍କର ଏଡ଼େ ଖାତିର ! ଏହାହିଁ ପ୍ରକୃତ ଧର୍ମ !

 

ଜାମିଦ୍‌କୁ ଏଭଳି ସମ୍ମାନ ତା’ ଜୀବନରେ କେବେ ମିଳି ନଥିଲା । ଏହି ମୁସାଫିର ଯୁବକଟି ଯାହାକୁ ଦିନେ ଲୋକେ ଆଡ଼ପାଗଳା କହୁଥିଲେ, ଆଜି ଭକ୍ତମାନଙ୍କର ମୁକୁଟମଣି ହୋଇ ବସିଛି । ଶହ ଶହ ଲୋକ ଏହାକୁ ଦେଖିବା ଲାଗି ଆସନ୍ତି ଏବଂ ଏହାର ଗଭୀର ପାଣ୍ଡିତ୍ୟ ଅଛି ବୋଲି ନାନା କଥା ପ୍ରଚାରିତ ହୁଏ । ଦିନେ ଖବରକାଗଜରେ ସମ୍ବାଦ ପ୍ରଚାରିତ ହେଲା ଯେ–‘ଜଣେ ବଡ଼ ମୁସଲମାନ ପଣ୍ଡିତଙ୍କୁ ଶୁଦ୍ଧି ସଂସ୍କାର କରାଯାଇ ହିନ୍ଦୁ କରାଯାଇଛି ।’ ସରଳ ଜାମିଦ୍‌ ଏଭଳି ସମ୍ମାନର ରହସ୍ୟ ଭେଦ କରି ପାରିଲା ନାହିଁ । ଏଭଳି ଧର୍ମପରାୟଣ, ସହୃଦୟ ପ୍ରାଣୀମାନଙ୍କର ଲାଗି ସେ ଅବା କ’ଣ ନ କରିବ ? ନିତ୍ୟ ପୂଜାକରେ, ଭଜନ ଗାଏ । ଏହା ତା’ପାଇଁ ନୂଆ କଥା ନଥିଲା । ନିଜ ଗାଁରେ ଥିଲାବେଳେ ମଧ୍ୟ ସେ ବରାବର ସତ୍ୟନାରାୟଣ କଥା ଶୁଣିବାକୁ ଯାଉଥିଲା ଏବଂ ଖୁବ୍‌ ଭଜନ କୀର୍ତ୍ତନ ଶୁଣାଉଥିଲା । ଏତିକି ପାର୍ଥକ୍ୟ ଥିଲା ଯେ ପଲ୍ଲୀଗାଁରେ ତା’ର ଆଦର ନଥିଲା କିନ୍ତୁ ଏଠାରେ ସମସ୍ତେ ତାହାର ଭକ୍ତ ହୋଇ ପଡ଼ିଛନ୍ତି ।

 

ଦିନେ ଜାମିଦ୍‌ କେତେଜଣ ଭକ୍ତଙ୍କ ଗହଣରେ ବସି ପୁରାଣ ପଢ଼ୁଥିଲା । ଦେଖିଲା, ସାମନା ସଡ଼କ ଉପରେ ଜଣେ ଚିତା–ପଇତାଧାରୀ ବଳିଷ୍ଠ ଯୁବକ ଗୋଟାଏ ଦୁର୍ବଳ ବୁଢ଼ା ମଣିଷକୁ ମାରୁଛି । ବୁଢ଼ା କାନ୍ଦୁଛି ଏବଂ ବିନୟର ସହିତ ପାଦରେ ପଡ଼ି କହୁଛି–‘ମହାରାଜ ! ମୋର ଭୁଲ ହୋଇଛି, କ୍ଷମା କରନ୍ତୁ ।’ କିନ୍ତୁ ତିଳକଧାରୀ ଯୁବକର ତା’ ପ୍ରତି ଟିକେ ବୋଲି ଦୟା ହେଉ ନଥାଏ । ଜାମିଦ୍‌ର ରକ୍ତ ତାତି ଉଠିଲା । ଏଭଳି ଦୃଶ୍ୟ ଦେଖି ସେ ଶାନ୍ତିରେ ବସି ପାରିଲାନି । ତୁରନ୍ତ କୁଦାମାରି ବାହାରକୁ ଚାଲି ଆସିଲା ଏବଂ ଯୁବକର ଆଗକୁ ଯାଇ କହିଲା–ଏ ବୁଢ଼ାକୁ କାହିଁକି ମାରୁଛ ଭାଇ ? ୟା ପ୍ରତି ତୁମର ଏତେ ଟିକେ ଦୟା ହେଉନି ?

 

ଯୁବକ–ଦୟା ! ମାରି ମାରି ମୁଁ ଏହାର ହାଡ଼ ଭାଙ୍ଗିଦେବି ।

 

ଜାମିଦ୍‌–ଆଚ୍ଛା, କହିଲ ଏ କ’ଣ ଭୁଲ କରିଛି ? କିଛି କାରଣ ଥିବ ତ ନିଶ୍ଚୟ ।

 

ଯୁବକ–ଏହାର କୁକୁଡ଼ା ଆମ ଘରେ ପଶି ଘରସାରା ମଇଳା ଏବଂ ଅଶୁଦ୍ଧ କରି ଦେଇ ଆସିଲା ।

 

ଜାମିଦ୍‌–ତେବେ ଏଇ ବୁଢ଼ା କ’ଣ ତମ ଘର ଅଶୁଦ୍ଧ କରି ଦେଇ ଆସିବାପାଇଁ ତା’ କୁକୁଡ଼ାକୁ ଶିକ୍ଷା ଦେଇଥିଲା ?

 

ବୃଦ୍ଧ–ହଜୁର, ମୁଁ ତାକୁ ସବୁବେଳେ ବନ୍ଦ କରି ରଖେ । ଆଜି କିନ୍ତୁ କିମିତି ଭୁଲ ହୋଇଗଲା । ଭୁଲପାଇଁ ମୁଁ ତାଙ୍କୁ କ୍ଷମା ମାଗୁଛି । ସେ କିନ୍ତୁ ଶୁଣୁ ନାହାନ୍ତି । ଆଜ୍ଞା ! ମାରି ମାରି ଏ ମୋତେ ଦରମରା କରି ଦେଲେଣି ।

 

ଯୁବକ–ଏଯାକେ ମାରିନି । ମାରିବି, ଖୋଳି ପୋତି ଦେବି ।

 

ଜାମିଦ୍‌ ଖୋଳି ପୋତି ଦେବ ତ ଭାଇ ସାହେବ ! କିନ୍ତୁ ତମେବି ଏଠି ଆଉ ରହି ପାରିବ ନାହିଁ । ବୁଝିଲ ? ପୁଣି ଯଦି ହାତ ଉଠାଅ, ପରିଣାମ ଭଲ ହେବନି ।

 

ଯୁବକର ନିଜର ବାହୁବଳ ଲାଗି ଗର୍ବ ଥିଲା । ପୁଣି ସେ ବୁଢ଼ାକୁ ଚାପୁଡ଼ାଏ ମାରିଲା କିନ୍ତୁ ବୁଢ଼ା ଦେହରେ ଚାପୁଡ଼ା ଲାଗିବା ପୂର୍ବରୁ ଜାମିଦ୍‌ ଯୁବକର ବେକ ଧରି ପକାଇଥିଲା । ଦୁହିଁଙ୍କ ଭିତରେ ମଲ୍ଲଯୁଦ୍ଧ ଆରମ୍ଭ ହୋଇଗଲା । ଜାମିଦ୍‌ ଥିଲା ମସ୍ତ ଯୁବକ । ଯୁବକଟିକୁ ସେ ଇମିତି ଏକ ଧକା ଦେଲା ଯେ, ଯୁବକଟି ଚାରିକାତ ଛାଡ଼ି ଚିତ୍‌ ହୋଇ ପଡ଼ିଗଲା । ଯୁବକଟି ପଡ଼ି ଯାଉ ଯାଉ ଭକ୍ତଜନ ମଣ୍ଡଳୀ ଯେଉଁମାନେ କି ମନ୍ଦିର ଭିତରେ ବସି ଏଯାଏଁ ଏ ତମସା ଦେଖୁଥିଲେ ଦଉଡ଼ି ଆସିଲେ ଏବଂ ଜାମିଦ୍‌କୁ ଚାରିପଟୁ ମାଡ଼ ଦେଲେ । କାହିଁକି ତାକୁ ସମସ୍ତେ ମାଡ଼ ଦେଉଚନ୍ତି ଜାମିଦ୍‌ ବୁଝି ପାରୁ ନଥାଏ । କେହି କୌଣସି ବିଷୟରେ ପ୍ରଶ୍ନ କରୁ ନଥାନ୍ତି କିମ୍ବା ତିଳକଧାରୀ ଯୁବକକୁ କିଛି କହୁ ନଥାନ୍ତି । ବେଶ୍, ଯେ ଆସେ ତା’ରି ଉପରେ ହାତ ଚଳାଏ । ଜାମିଦ୍‌ ଶେଷରେ ବେଦମ୍‌ ହୋଇ ପଡ଼ିଗଲା ।

 

ଲୋକମାନେ କଥାଭାଷା ହେବାକୁ ଲାଗିଲେ–

 

‘‘ଦେଖିଲ–ଦେଖିଲ ଭାଇ ! ଏ ଆମକୁ କେଡ଼େ ଦଗା ଦେଇଗଲା !’’

 

‘‘ଧେତେରୀ...ଜାତି ! ମ୍ଳେଚ୍ଛମାନଙ୍କଠାରୁ କେବେହେଁ ଭଲ ଆଶା କରାଯାଇ ନପାରେ । କୁଆ କୁଆ ସଙ୍ଗରେହିଁ ମିଶେ । ନୀଚ ଲୋକର ସିନା ନୀଚ କଥା ! ୟାକୁ କେହି ପଚାରୁ ନଥିଲେ, ଏଠାକୁ ଆସି ମନ୍ଦିର ଝାଡ଼ୁ କରୁଥିଲା । ଦେହରେ ଲୁଗାର ଖିଏ ସୂତାବି ନଥିଲା । ୟାକୁ ଆମେ ସମୁଚିତ ସମ୍ମାନ ଦେଇ ପଶୁରୁ ମଣିଷ କଲୁ, ତଥାପି ନିଜର ହେଲାନି !’’

 

‘‘ୟାଙ୍କ ଧର୍ମର ମୂଳ ତ ଏଇଆ !’’

 

ଜାମିଦ୍‌ର ଦେହସାରା ମାଡ଼ରେ ପାଚି ଯାଇଥିଲା; ସୁତରାଂ ରାତିସାରା ସଡ଼କ କଡ଼େ ପଡ଼ିରହି ଉଃ...ଉଃ...ରଡ଼ି ଛାଡ଼ିବାକୁ ଲାଗିଲା । ମାଡ଼ ଖାଇଲା ବୋଲି ତା’ର କିନ୍ତୁ ଦୁଃଖ ନଥିଲା । ଅନେକ ଥର ସେ ଏଭଳି କଷ୍ଟ ଭୋଗିଛି । ସେ କେବଳ ଏଇ କଥା ଭାବି ଦୁଃଖିତ ଆଉ ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲା ଯେ, ଦିନେ କାହିଁକି ଏ ଲୋକମାନେ ତା’ର ଏଡ଼େ ସମ୍ମାନ କଲେ ଏବଂ ଆଜି ଆକାରଣରେ କାହିଁକି ତା’ର ଏଇ ଦୁର୍ଗତି ସାଧନ କରିଚନ୍ତି ? ସେମାନଙ୍କର ଭଲଲୋକି ଆଜି ଗଲା କୁଆଡ଼େ ! ତା’ ଭିତରେ ଏଯାଏଁ କୌଣସି ପରିବର୍ତ୍ତନ ଦେଖା ଦେଇ ନଥିଲା କିମ୍ବା ସେ କୌଣସି ଦୋଷ ମଧ୍ୟ କରି ନଥିଲା । ଏଭଳି ପରିସ୍ଥିତିରେ ଯାହା କରିବା କଥା ସେ କରିଥିଲା । ତେବେ ଏ ଲୋକଗୁଡ଼ାକ କାହିଁକି ତା’ ଉପରେ ଏ ରକମ ଅତ୍ୟାଚାର କଲେ ? ଦେବତାଗଣ ରାକ୍ଷସ ପାଲଟି ଗଲେ କିପରି ?

 

ରାତିସାରା ସେ ଏଇ ଚିନ୍ତାରେ ପଡ଼ି ରହିଲା । ସକାଳୁ ଉଠି ପୁଣି ଏକମୁହାଁ ହୋଇ କୌଣସି ଏକ ଦିଗକୁ ଚାଲିଯିବାକୁ ଲାଗିଲା ।

 

(୪)

 

ଜାମିଦ୍‌ ଅଳ୍ପ ଦୂର ଯାଇଛି କି ନା ଉକ୍ତ ବୁଢ଼ାକୁ ଭେଟିଲା । ଜାମିଦ୍‌କୁ ଦେଖୁଦେଖୁ ବୁଢ଼ା କହିଲା–‘‘ଖୁଦାର କସମ୍‌ ଖାଇ କହୁଛି, ତୁମେଇ କାଲି ମୋର ପ୍ରାଣ ରକ୍ଷା କଲ । ଶୁଣିଲି, ଅତ୍ୟାଚାରୀମାନେ ତୁମକୁ ଖୁବ୍‌ ମାଡ଼ ଦେଲେ । ମୁଁ ତ ସୁବିଧା ପାଇ ଖସି ଆସିଲି । ଏଯାଏଁ ତୁମେ କେଉଁଠି ଥିଲ ? ତୁମକୁ ଦେଖିବାପାଇଁ ଏଠାରେ ଲୋକମାନେ ବିକଳରେ ଚାହିଁ ରହିଚନ୍ତି । କାଜି ସାହେବ ରାତିରାତି ତୁମକୁ ଖୋଜିବାପାଇଁ ବାହାରିଥିଲେ; କିନ୍ତୁ ତୁମକୁ ଦେଖି ପାରିଲେ ନାହିଁ । ଆମ ଦୁହିଁଙ୍କୁ ସାହାଯ୍ୟ କରିବାପାଇଁ କାଲି କେହି ନଥିଲେ, ସେଇଥିପାଇଁ ଶତ୍ରୁମାନେ ଆମକୁ ପିଟି ପକାଇଲେ ।

 

ସେ ସମୟଟି ନମାଜର ସମୟଥିଲା । ଏଠିକାର ସମସ୍ତ ଲୋକ ମସଜିଦରେ ଥିଲେ । ଯଦି ଏତେ ଟିକେ ବୋଲି ଖବର ପହଞ୍ଚି ଥାଆନ୍ତା ନା, ହଜାରେ ଲାଠିଆଳ ପହଞ୍ଚି ଯାଇ ଥାଆନ୍ତେ ଏବଂ ତା’ପରେ ଭଲ ଅସାର ଜଣା ଯାଇଥାଆନ୍ତା ଶପଥ କରି କହୁଛି–ଆଜିଠାରୁ ମୁଁ ତିନି କୋଡ଼ି ମୁରଗୀ ପାଳିବା ଆରମ୍ଭ କରୁଛି । ଦେଖିବି ପଣ୍ଡିତେ କ’ଣ କରୁଛନ୍ତି ? ସତ କହୁଛି–କାଜି ସାହେବ କହିଲେ–ପୁଅ ଯଦି ପୁଣି ଆଖି ଦେଖାଏ, ମତେ ଆସି ଖବର ଦେବୁ । ପୁଅମାନେ ଏକେ ତ ଘର ଛାଡ଼ି ଏଠାରୁ ଚାଲିଯିବେ, ନାହିଁ ତ ପୁଅମାନଙ୍କର ହାଡ଼ ମାଉଁସ ଏକାଠି କରି ଦିଆଯିବ ।

 

ଜାମିଦ୍‌କୁ ସାଥିରେ ନେଇ ବୁଢ଼ା କାଜି ଜୋରାବର ହୁସେନ୍‌ଙ୍କ ଦୁଆରେ ପହଞ୍ଚିଲା । କାଜି ମହାଶୟ ଉଜୁ କରୁଥାନ୍ତି । ଜାମିଦ୍‌କୁ ଦେଖୁଦେଖୁ ଦଉଡ଼ି ଯାଇ କୋଳ କରି ପକାଇଲେ–‘‘ୟା ଆଲ୍ଲା ! ମୋ ଆଖି ତୁମକୁ ଖୋଜୁଥିଲା । ତୁମେ ଏକାଏକା ଏତେ ଜଣ ବିଧର୍ମୀଙ୍କୁ ନାକେଦମ୍‌ କରି ଦେଇ ପାରିଲ ? ଅସମ୍ଭବ କ’ଣ ! ଏ ତ ମୁସଲମାନ ରକ୍ତ ! ! କାଫେର୍‌ମାନଙ୍କର ଶକ୍ତି କ’ଣ ? ଶୁଣିଲି, ସମସ୍ତେ ତୁମର ସଂସ୍କାର କରିବାକୁ ଯାଉଥିଲେ, କିନ୍ତୁ ତମେ ସେମାନଙ୍କର ସମସ୍ତ ଅଭିଳାଷ, ସମସ୍ତ ଉଦ୍ୟମ ପଣ୍ଡ କରି ଦେଇ ପାରିଚ । ଇସଲାମ ଧର୍ମପାଇଁ ଏଭଳି ଲୋକର ଆବଶ୍ୟକତା ବେଶୀ । ତୁମ ଭଳି ଧାର୍ମିକ ବ୍ୟକ୍ତି ଇସଲାମ ଧର୍ମର ପ୍ରଦୀପସ୍ୱରୂପ । ଏତିକି ତୁମର କିନ୍ତୁ ଭୁଲ୍‌ ହେଲା ଯେ, ତୁମେ ଅନ୍ତତଃ ସେଠାରେ ମାସେ ସମୟ ଧୈର୍ଯ୍ୟ ଧରି ରହି ପାରିଲ ନାହିଁ । ପ୍ରଥମେ ବିବାହ ହୋଇ ପଡ଼ିଥାନ୍ତ, ପରେ ମଜା ବାହାରି ଥାଆନ୍ତା । ସାଥିରେ ଆଣିଥାନ୍ତ ଗୋଟିଏ ସୁନ୍ଦରୀ ତରୁଣୀ ଆଉ ମାହାଳିଆ ସମ୍ପତ୍ତି । ୟା ଆଲ୍ଲା । ତମେ ତରବର ହୋଇ ପଡ଼ିଲ ।’’

 

ଜାମିଦ୍‌କୁ ଥରେ ଦେଖି ନେବାପାଇଁ ସମସ୍ତଙ୍କର ଆଗ୍ରହ ଥିଲା ଏବଂ ଦିନସାରା ଲୋକମାନଙ୍କର ଧାଡ଼ି ଲାଗି ରହିଲା । ସମସ୍ତେ ତା’ର ସାହସ, ଶକ୍ତି ଏବଂ ଧର୍ମ ପ୍ରବୃତ୍ତିର ଉଚ୍ଚ ପ୍ରଶଂସା କରୁଥାନ୍ତି ।

 

ରାତିର ପ୍ରଥମ ପ୍ରହର ବିତି ଯାଇଥାଏ ଏବଂ ଯାତ୍ରୀମାନଙ୍କର ଯା–ଆସ କମି କମି ଆସୁଥାଏ । ଜାମିଦ୍‌ କାଜି ସାହେବଙ୍କ ନିକଟରେ ବସି ଧର୍ମଗ୍ରନ୍ଥ ପଢ଼ିବା ଆରମ୍ଭ କରିଥାଏ । କାଜି ସାହେବ ଜାମିଦ୍‌ପାଇଁ ନିଜର ପାର୍ଶ୍ୱବର୍ତ୍ତୀ କୋଠରୀଟି ଖାଲି କରି ଦେଇଥାନ୍ତି । ସେ କାଜି ସାହେବଙ୍କ ନିକଟରେ ଗ୍ରନ୍ଥ ପାଠ ଶେଷ କରି ଶୋଇବାକୁ ଯାଉଥିଲାବେଳେ ଫାଟକ ପାଖରେ ଗୋଟାଏ ଟାଙ୍ଗା ଅଟକିବାର ଶବ୍ଦ ତାକୁ ଶୁଣାଗଲା । କାଜି ସାହେବଙ୍କର ଶିଷ୍ୟମାନେ ବେଳେବେଳେ ଆସନ୍ତି । ଜାମିଦ୍‌ ଭାବିଲା–କିଏ ଜଣେ ଶିଷ୍ୟ ଆସିଥିବ । ତଳକୁ ଓହ୍ଲାଇ ଆସି ଦେଖିଲା, ଗୋଟାଏ ସ୍ତ୍ରୀ ଟାଙ୍ଗାରୁ ଓହ୍ଲାଇ ଆସି ବାରଣ୍ଡାରେ ଠିଆ ହୋଇଛି ଏବଂ ଟାଙ୍ଗାବାଲା ତା’ର ଜିନିଷପତ୍ର ବୋହି ଆଣୁଛି ।

 

ମହିଳାଟି ଘରଟିକୁ ଏପଟ ସେପଟ ଦେଖି, କହିଲା–‘‘ନା, ମୋର ଠିକ୍‌ ମନେ ଅଛି, ଏଇ ଘର ତାଙ୍କରି ନୁହେଁ । ତୁ ଭୁଲି ଯାଇଚୁ ବୋଧହୁଏ ।’’

 

‘‘ଆପଣ ତ ଆଦୌ ବିଶ୍ୱାସ କରୁ ନାହାନ୍ତି । କହିଲି ପରା ବାବୁ ସାହେବ ଘର ବଦଳାଇ ଦେଇଚନ୍ତି । ଉପରକୁ ଚାଲନ୍ତୁ ।’’

 

ତରୁଣୀଟି ଶଙ୍କିତ ହୋଇ କହିଲା–ଡାକୁନୁ କାହିଁକି ? ଡାକ୍‌ ।

 

ଟାଙ୍ଗାବାଲା ପାଟି କଲା–‘‘ଆଜ୍ଞା,’’ ପୁଣି କହିଲା–‘‘ପାଟି କରିବି କ’ଣ, ଜାଣିଚି ତ ଏଇ ଘରଟି ସାହେବଙ୍କର । ବୃଥା ପାଟି କରି ଲାଭ କ’ଣ ? ଶୋଇଥିବେ । ଶୋଇବାରେ ବାଧା ପଡ଼ିବ-। ଆପଣ ଧୈର୍ଯ୍ୟ ଧରି ଉପରକୁ ଚାଲନ୍ତୁ ।’’

 

ତରୁଣୀଟି ଉପରକୁ ଉଠିଲା । ପଛେ ପଛେ ଟାଙ୍ଗାବାଲାବି ଜିନିଷପତ୍ର ନେଇ ଚାଲିଲା । ଜାମିଦ୍‌ ଚୁପ୍‌ଚାପ୍‌ ତଳେ ଠିଆ ହୋଇ ରହିଲା । ଏ ରହସ୍ୟ ସେ ବୁଝି ପାରିଲା ନାହିଁ ।

 

ଟାଙ୍ଗାବାଲାର ପାଟି ଶୁଣି କାଜି ସାହେବ ପଦାକୁ ଚାଲି ଆସିଲେ ଏବଂ ଗୋଟିଏ ତରୁଣୀ ସ୍ତ୍ରୀକୁ ଆସୁଥିବା ଦେଖିପାରି କୋଠରୀର ସମସ୍ତ ଝରକା ବନ୍ଦ କରି ଦେଲେ, ଏବଂ ଖୁଣ୍ଟିରେ ଝୁଲୁଥିବା ଖଣ୍ତାଟି ଆଣି ଦୁଆର ପାଖରେ ଠିଆ ହୋଇଗଲେ ।

 

ତରୁଣୀଟି ସୋପାନ ଅତିକ୍ରମ କରି ଯିମିତି ଛାତ ଉପରେ ପାଦ ରଖିଚି, କାଜି ସାହେବଙ୍କୁ ଦେଖି ବିବ୍ରତ ହୋଇ ପଡ଼ିଲା । ସେ ତୁରନ୍ତ ପଛକୁ ଫେରି ଯାଉଥିବାବେଳେ କାଜି ସାହେବ ଧାଇଁ ଆସି ତା’ର ହାତ ଧରି ପକାଇଲେ ଏବଂ ଟାଣି ଟାଣି ନିଜ କୋଠରୀ ଭିତରକୁ ନେଇଗଲେ । ୟା ଭିତରେ ଜାମିଦ୍‌ ଏ ଦୃଶ୍ୟ ଦେଖି ବିସ୍ମିତ ହୋଇ ଉଠିଲା । ଏ ରହସ୍ୟ ଆହୁରି ଅଧିକ ରହସ୍ୟମୟ ଜଣାଗଲା । ବିଦ୍ୟାର ସାଗର, ନ୍ୟାୟାର ଭଣ୍ତାର ଏବଂ ନୀତି, ଧର୍ମ, ଦର୍ଶନର ବିଶାରଦ–କାଜି ସାହେବ ଏଇକ୍ଷଣି ଏକ ଅପରିଚିତ ମହିଳା ଉପରେ ଘୋର ଅତ୍ୟାଚାର ଚଳାଇଚନ୍ତି । ଟାଙ୍ଗାବାଲା ସହିତ ସେ ମଧ୍ୟ କାଜି ସାହେବଙ୍କ କୋଠରୀ ଭିତରକୁ ପଶିଲା । କାଜି ସାହେବ ସ୍ତ୍ରୀଲୋକଟିର ହାତ ଦୁଇଟି ଧରିଥାନ୍ତି । ଟାଙ୍ଗାବାଲା କବାଟ ବନ୍ଦ କରିଦେଲା ।

 

ମହିଳାଟି ଟାଙ୍ଗାବାଲାକୁ ରକ୍ତଚକ୍ଷୁରେ ଚାହିଁ କହିଲା–ତୁ ମତେ ଏଠାକୁ ଆଣିଲୁ କାହିଁକି-?

 

କାଜି ସାହେବ ଖଣ୍ତା ଚମକାଇ କହିଲେ–ପହିଲେ ଆରାମରେ ବସିଯାଅ । ପରେ ସବୁ ଜଣାଯିବ ।

 

ତରୁଣୀ–ତମେ ତ ଜଣେ ମୁସଲମାନ ପଣ୍ତିତ ଭଳି ଜଣା ଯାଉଛି । ପର ଝିଅ ବୋହୂଙ୍କୁ ଜବରଦସ୍ତ ଘର ଭିତରେ ବନ୍ଦ କରି ସମ୍ମାନ ନଷ୍ଟ କରିବାପାଇଁ ଭଗବାନ କ’ଣ ତୁମକୁ ଶିକ୍ଷା ଦେଇଚନ୍ତି ?

 

କାଜି–ହଁ, ଭଗବାନଙ୍କର ଏଇ ହୁକୁମ ଯେ, ଯେଭଳି ହେଉନା କାହିଁକି, ବିଧର୍ମୀମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଯାଉ । ଯଦି ଖୁସିରେ ଆସୁନାହାନ୍ତି–ଜବରଦସ୍ତ ।

 

ତରୁଣୀ–ଯଦି ଝିଅ ବୋହୂଙ୍କର ଏଭଳି ସମ୍ମାନ ନଷ୍ଟ କରାଯାଏ ?

 

କାଜି–କରାଯାଏ କ’ଣ ? କରାଯାଉଛି । ତୁମେମାନେ ଆମମାନଙ୍କ ପ୍ରତି ଯେ ବ୍ୟବହାର କରିବ ଆମେ ଠିକ୍ ସେଇଭଳି ବ୍ୟବହାର ଦେଖାଇବୁ । ପୁଣି ଆମେ ତ କାହାରି ସମ୍ମାନ ନଷ୍ଟ କରୁନାହୁଁ ବରଂ ଆମେ ସେମାନଙ୍କୁ ନିଜ ଧର୍ମରେ ଅନ୍ତର୍ଭୁକ୍ତ କରୁଛୁ । ଇସଲାମ ଧର୍ମ ଗ୍ରହଣ କଲେ ଇଜ୍ଜତ ବଢ଼େ କିନ୍ତୁ ଇଜ୍ଜତହାନୀର ଆଶଙ୍କା ନଥାଏ । ହିନ୍ଦୁଜାତି ଆମକୁ ଧ୍ୱଂସ କରି ଦେବାପାଇଁ ପଣ କରିଛି । ଏଇ ଖଣ୍ତମଣ୍ତଳରୁ ଆମକୁ ନିଶ୍ଚିହ୍ନ କରିଦେବା ପାଇଁ ଇଚ୍ଛା ପୋଷଣ କରିଛି । ଠକି, ଲୋଭ ଦେଖାଇ, ଜବରଦସ୍ତ ମୁସଲମାନମାନଙ୍କୁ ବିଧର୍ମୀ କରାଯାଉଛି । ତାହାହେଲେ ମୁସଲମାନମାନେ କ’ଣ ମୁହଁ ଚାହିଁ ବସିଥିବେ ?

 

ତରୁଣୀ–ହିନ୍ଦୁ କେବେହେଁ ଏଭଳି ଅତ୍ୟାଚାର କରିପାରେନା । ସମ୍ଭବତଃ ତୁମମାନଙ୍କର ଦୁଷ୍ଟାମି ଲାଗି ନୀଚ ଶ୍ରେଣୀର ଲୋକମାନେ ଏଭଳି ପ୍ରତିଶୋଧ ନେଉଥିବେ । କିନ୍ତୁ ଏଯାଏଁ କୌଣସି ଉଚ୍ଚ ହିନ୍ଦୁ ଏଭଳି କାର୍ଯ୍ୟର ପ୍ରଶଂସା କରନ୍ତିନି ।

 

କାଜି ସାହେବ ଟିକେ ଚିନ୍ତା କରି କହିଲେ–ଏଥିରେ ଅବଶ୍ୟ ସନ୍ଦେହ ନାହିଁ ଯେ ମୁସଲମାନ ବ୍ୟଭିଚାରୀଗଣ ପ୍ରଥମେ ଏଭଳି ଦୁଷ୍ଟାମି କରୁଥିଲେ । କିନ୍ତୁ ଭଦ୍ରବ୍ୟକ୍ତିଗଣ ସର୍ବଦା ଏ କାର୍ଯ୍ୟର ନିନ୍ଦା କରନ୍ତି ଏବଂ ଜୀବନସାରା ଏଭଳି କାର୍ଯ୍ୟକୁ ରୋକିବାପାଇଁ ଚେଷ୍ଟା ଚଳାଇ ଆସିଚନ୍ତି-। ଶିକ୍ଷା ଏବଂ ସଭ୍ୟତାର ଉନ୍ନତି ସଙ୍ଗେ ସଙ୍ଗେ ଅଳ୍ପଦିନ ଭିତରେ ନିଶ୍ଚୟ ଏ ଧରଣର ଗୁଣ୍ତାମି ଲୋପ ପାଇଯାଆନ୍ତା । କିନ୍ତୁ ଏବେ ତ ସାରା ହିନ୍ଦୁଜାତି ଆମକୁ ଲୁଟି ନିଶ୍ଚିହ୍ନ କରିଦେବା ପାଇଁ ବସିଚି । ତେବେ ଆମପାଇଁ ଆଉ କି ରାସ୍ତା ଅଛି ? ଆମେ ଦୁର୍ବଳ, ସୁତରାଂ ବାଧ୍ୟ ହୋଇ ନିଜକୁ ସୁପ୍ରତିଷ୍ଠିତ ରଖିବା ନିମିତ୍ତ ଛନ୍ଦ କପଟପୂର୍ଣ୍ଣ କାର୍ଯ୍ୟର ଆଶ୍ରୟ ନେଉଁ । କିନ୍ତୁ ତୁମେ କାହିଁକି ଏଡ଼େ ବିବ୍ରତ ହେଉଛ ଶୁଣେ ? ତୁମକୁ ଏଠାରେ କୌଣସି ପ୍ରକାର କଷ୍ଟ ହେବ ନାଇଁ । ଇସଲାମ ଧର୍ମରେ ସ୍ତ୍ରୀମାନେ ଯେତେ ସମ୍ମାନ ପାଆନ୍ତି, ଅନ୍ୟ କୌଣସି ଧର୍ମରେ ସେଭଳି ସମ୍ମାନ ମିଳେ ନାହିଁ-। ଆଉ ମଧ୍ୟ ମୁସଲମାନ ଯୁବକ ନିଜର ସ୍ତ୍ରୀ ଲାଗି ପ୍ରାଣ ଦେଇଥାଏ । ଏଇ ଯେଉଁ ଯୁବକଟି ତୁମ ଆଗରେ ଠିଆ ହୋଇଚନ୍ତି–ସେ ହେଉଚନ୍ତି ମୋର ବନ୍ଧୁ, ଜାମିଦ୍‌ । ତାଙ୍କରି ସହିତ ତୁମର ବିବାହ ହେବ-। ବେଶ୍‌, ତା’ପରେ ଆନନ୍ଦରେ ଜୀବନ ନିର୍ବାହ କରିବ ।

 

ତରୁଣୀ–ମୁଁ ତୁମକୁ ଆଉ ତୁମ ଧର୍ମକୁ ଘୃଣା କରେ । ତୁମେ ସବୁ କୁକୁର । ୟା ଛଡ଼ା ତୁମକୁ ଆଉ ଅନ୍ୟ ନାମ ଦିଆଯାଇ ନ ପାରେ । ଭଲ ଦଶା ଅଛି ତ ମତେ ଛାଡ଼ି ଦିଅ । ନାହିଁ ତ ପାଟି କରିବି । ତୁମର ମୌଲବୀପଣିଆ ଏକବାରେ ଛଡ଼ାଇ ଦେବି ।

 

କାଜି–ପୁଣି ଯଦି ପାଟି କର, ତୁମକୁ ତୁମ ପ୍ରାଣର ଆଶା ପର୍ଯ୍ୟନ୍ତ ତ୍ୟାଗ କରିବାକୁ ହେବ । ବୁଝିଲ ?

 

ତରୁଣୀ–ନିଜର ଇଜ୍ଜତ ଆଗରେ ପ୍ରାଣକୁ କିଏ ପଚାରେ ? ତୁମେ ମୋର ପ୍ରାଣ ନେଇପାର; କିନ୍ତୁ ଇଜ୍ଜତ ନେଇ ପାରିବ ନାହିଁ ।

 

କାଜି–ବୃଥା ! ତୁମର ଏ ଜିଦ୍‌ କାହିଁକି ?

 

ତରୁଣୀଟି ଦୁଆର ପାଖକୁ ଯାଇ କହିଲା–କହୁଛି, ଦୁଆର ଖୋଲିଦିଅ ।

 

ଜାମିଦ୍‌ ଏଯାକେ ଚୁପ୍‌ଚାପ୍‌ ଠିଆ ହୋଇଥିଲା । ତରୁଣୀଟି ଯେତେବେଳେ ଦୁଆର ପାଖକୁ ଗଲା ଏବଂ କାଜି ସାହେବ ଯେତେବେଳେ ତା’ର ହାତ ଧରି ଝିଙ୍କିଲେ, ଜାମିଦ୍ ତୁରନ୍ତ ଯାଇ ଦୁଆର ଖୋଲି ଦେଲା ଏବଂ କାଜି ସାହେବଙ୍କୁ କହିଲା ।

 

‘‘ଏହାଙ୍କୁ ଛାଡ଼ି ଦିଅନ୍ତୁ ।’’

 

କାଜି–କ’ଣଗୁଡ଼ାଏ ବକି ଯାଉଚୁ ?

 

ଜାମିଦ୍‌ କିଛି ନୁହେଁ । ଏହାଙ୍କୁ ଛାଡ଼ି ଦିଅନ୍ତୁ । ଆପଣଙ୍କର ମଙ୍ଗଳ ହେବ ।

 

ଯେତେବେଳେ କାଜି ସାହେବ ମହିଳାଟିର ହାତ ଛାଡ଼ିଲେ ନାହିଁ ଏବଂ ମହିଳାଟିକୁ ଧରିବାପାଇଁ ଯେତେବେଳେ ଟାଙ୍ଗାବାଲା ଆଗେଇଲା, ଜାମିଦ୍ ଗୋଟିଏ ଧକ୍କାରେ କାଜି ସାହେବଙ୍କୁ ଗଡ଼ାଇ ଦେଇ ତରୁଣୀଟିର ହାତ ଧରି କୋଠରୀ ବାହାରକୁ ଚାଲିଗଲା । ଟାଙ୍ଗାବାଲା ପଛରୁ ଧାଇଁ ଯାଇ ଧରିବାକୁ ଚେଷ୍ଟା କଲା; କିନ୍ତୁ ଜାମିଦ୍‌ର ଧକ୍କା ଖାଇ ମୁହଁ ମାଡ଼ି ତଳେ ପଡ଼ିଲା । କ୍ଷଣକ ଭିତରେ ଜାମିଦ୍‌ ତରୁଣୀଟି ସହିତ ଉପରକୁ ଆସିଗଲା ।

 

ଜାମିଦ୍–କେଉଁ ସାହିରେ ଆପଣଙ୍କର ଘର ?

 

ତରୁଣୀ–ଅହିୟାଗଞ୍ଜରେ ।

 

ଜାମିଦ୍‌–ଚାଲନ୍ତୁ ଆପଣଙ୍କୁ ଛାଡ଼ି ଦେଇ ଆସିବି ।

 

ତରୁଣୀ–ୟାଠାରୁ ଅଧିକ ଦୟା ଆଉ କ’ଣ ହୋଇପାରେ ! ଏଇ ସୁକାର୍ଯ୍ୟ ଲାଗି ଆପଣଙ୍କୁ ମୁଁ ଜୀବନରେ ଭୁଲି ନ ପାରେ । ଆଜି ଆପଣ ମୋର ଇଜ୍ଜତ ରକ୍ଷା କରିଚନ୍ତି । ନଚେତ୍‌ ଆଜି ମୋର କି ଦଶା ହୋଇଥାନ୍ତା କଳ୍ପନା କରି ହେଉନି । ମୁଁ ଏକ୍ଷଣି ବୁଝି ପାରୁଛି ଯେ ଭଲମନ୍ଦ ସବୁଠି ରହିଚି । ମୋର ସ୍ୱାମୀଙ୍କର ନାମ ପଣ୍ତିତ ରାଜକୁମାର ।

 

ଠିକ୍ ସେତିକିବେଳେ ଗୋଟାଏ ଟାଙ୍ଗା ଆସୁଥିଲା । ଜାମିଦ୍ ତରୁଣୀଟିକୁ ଟାଙ୍ଗାରେ ବସାଇ ଦେଲା ଏବଂ ନିଜେ ବସିବାକୁ ଯାଉଥିବାବେଳେ କାଜି ସାହେବ ଜାମିଦ୍‌କୁ ଲକ୍ଷ୍ୟ କରି ଗୋଟିଏ ଲାଠି ଫିଙ୍ଗିଲେ । ଲାଠି ଟାଙ୍ଗା ଦେହରେ ବାଜିଲା । ଜାମିଦ୍‌ ଟାଙ୍ଗାରେ ବସିବା ପରେ ଟାଙ୍ଗା ଚାଲିଲା ।

 

ଅହିୟାଗଞ୍ଜରେ ପଣ୍ତିତ ରାଜକୁମାରଙ୍କର ଠିକଣା ଜାଣିବାରେ ବିଶେଷ କଷ୍ଟ ହେଲା ନାହିଁ । ଜାମିଦ୍‌ ଯିମିତି ଦୁଆରେ ଡାକିଛି ରାଜକୁମାର ଉଦ୍‌ବେଗର ସହିତ ପଦାକୁ ଚାଲି ଆସିଲେ ଏବଂ ନିଜ ସ୍ତ୍ରୀକୁ ଦେଖି କହିଲେ–ଇନ୍ଦିରା ! ଏଯାଏଁ ତୁମେ କେଉଁଠି ଥିଲ ? ଷ୍ଟେସନ୍‌ରେ ମୁଁ ତୁମକୁ ଦେଖି ପାରିଲି ନାହିଁ । ଅବଶ୍ୟ ଷ୍ଟେସନ୍‌ରେ ପହଞ୍ଚୁ ପହଞ୍ଚୁ ଟିକେ ଡେରି ହୋଇଯାଇଥିଲା । ତୁମର ଏତେ ଉଛୁର ହେଲା କିମିତି ?

 

ଇନ୍ଦିରା ଘର ଭିତରେ ପାଦ ରଖୁ ରଖୁ କହିଲା–ସେ ଗୋଟାଏ ଲମ୍ବା କାହାଣୀ । ଟିକେ ହାଲିଆ ମାରେ, ପରେ କହିବି । ବେଶ୍‌ ଏତିକି ଜାଣିନିଅ ଯେ, ଏଇ ମୁସଲମାନ ଯୁବକଟି ସାହାଯ୍ୟ ନ କରିଥିଲେ ମୋର ଇଜ୍ଜତ ରହି ନଥାନ୍ତା ।

 

ପଣ୍ତିତଜୀ ସମସ୍ତ କଥା ଶୁଣିବାପାଇଁ ବ୍ୟାକୁଳ ହୋଇ ଉଠିଲେ । ଇନ୍ଦିରା ସହିତ ସେ ଘର ଭିତରକୁ ଗଲେ । କିନ୍ତୁ ମାତ୍ର ମିନିଟକ ପରେ ସେ ବାହାରକୁ ଆସି ଜାମିଦ୍‌କୁ କହିଲେ–

 

‘‘ଭାଇ ! ଆପଣ ମିଥ୍ୟା ମନେ କରି ପାରନ୍ତି, ମୁଁ କିନ୍ତୁ ଆପଣଙ୍କୁ ଦେଖି ନିଜ ଇଷ୍ଟଦେବତାଙ୍କୁ ଦର୍ଶନ କଲାଭଳି ମନେ କରୁଛି । ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ନିମିତ୍ତ ମୋର ଭାଷା ନାହିଁ । ଆସନ୍ତୁ, ବସନ୍ତୁ ।’’

 

ଜାମିଦ୍‌–ଆଜ୍ଞା, ଆଉ ବସିବି କ’ଣ?

 

ପଣ୍ତିତଜୀ–ଆପଣଙ୍କର ସତ୍‌କାର୍ଯ୍ୟ ନିମିତ୍ତ ମୁଁ ଆପଣଙ୍କୁ କ’ଣ ଦେଇପାରେ ?

 

ଜାମିଦ୍‌–କୌଣସି ଗରିବ ମୁସଲମାନ ଉପରେ ଆପଣ ଏହାର ପ୍ରତିଶୋଧ ନିଅନ୍ତୁ ନାହିଁ–ଏହି ମାତ୍ର ମୋର ନିବେଦନ ।

 

ଏହା କହିସାରି ଜାମିଦ୍‌ ଯିବାକୁ ବାହାରିଲା ଏବଂ ସେଇ ଶୂନଶାନ୍‌ ଅନ୍ଧକାର ଭିତରେ ସହର ବାହାରକୁ ଚାଲିଗଲା । ସହରର ବିଷାକ୍ତ ବାୟୁରେ ସେ ଯିମିତି ରୁନ୍ଧି ହୋଇ ପଡ଼ିଥିଲା । ସହରକୁ ଯାଇ ସେ ଅତି ଚଞ୍ଚଳ ନିଜ ଗାଁରେ ପହଞ୍ଚିବାକୁ ଚାହୁଁଥିଲା, ଯେଉଁଠିକି ଧର୍ମ ବୋଇଲେ ସହାନୁଭୂତି, ପ୍ରେମ ଏବଂ ସୌହାର୍ଦ୍ଦ୍ୟ ଆଦି ସଦ୍‌ଗୁଣାବଳୀକୁ ବୁଝାଇଥାଏ ।

 

ଆଉ ଏହି ସବୁ ଭଣ୍ତ ପ୍ରତାରକ ଧାର୍ମିକମାନଙ୍କ ପ୍ରତି ତା’ର ଘୃଣା ଆସି ଯାଇଥିଲା ।

Image

 

Unknown

ବିମାତା

(୧)

 

ସ୍ତ୍ରୀଙ୍କ ମୃତ୍ୟୁର ମାତ୍ର ତିନିମାସ ପରେ ପୁନର୍ବିବାହ କରିବାଦ୍ୱାରା ମୃତାତ୍ମା ପ୍ରତି ଯେ ଅନ୍ୟାୟ କରାଯାଏ ତାହା କଦାପି କ୍ଷମଣୀୟ ହୋଇ ପାରେନା । ମୁଁ ଏହା କହୁନି ଯେ ମୋର ସ୍ୱର୍ଗତ ପତ୍ନୀ ମୋ ଜୀବନରେ ଅନ୍ତିମ ପ୍ରେରଣାର ଉତ୍ସ ଥିଲା ଏବଂ କେବଳ ଛୋଟ ବାଳକଟି ପାଇଁ ଗୋଟିଏ ମା’ର ଉପସ୍ଥିତି ଯେ ପରମାବଶ୍ୟକ ଥିଲା, ସମ୍ଭବତଃ ମୋର ଏଇ ଉକ୍ତି ମଧ୍ୟ ବିଶ୍ୱାସଯୋଗ୍ୟ ହୋଇ ନ ପାରେ । କିନ୍ତୁ ଏ ସମ୍ବନ୍ଧରେ ମୋର ଆତ୍ମା ନିର୍ମମ ଏବଂ ମୁଁ ଆଶା କରେ ସ୍ୱର୍ଗଲୋକରେ ମୋର ଏଇ କାର୍ଯ୍ୟର ନିର୍ଦ୍ଦୟ ଆଲୋଚନା କରାଯିବ ନାହିଁ । ସାର କଥା ହେଉଛି–ମୁଁ ବିବାହ କଲି ଏବଂ ନବ ବିବାହିତା ବଧୂକୁ ମାତୃତ୍ୱର ଉପଦେଶ ଦେବା ଯଦିଓ ଅନୁଚିତ ବୋଲି ମନେ କଲି, ତଥାପି ପ୍ରଥମ ରାତିରେହିଁ ଅମ୍ବାକୁ ସଫାସଫା କହିଦେଲି–‘‘ତୁମେ ମୋର ଏହି ସରଳ ବାଳକଟିର ମା’ ହୋଇ ତା’ର ହୃଦୟରୁ ମାତୃଶୋକ ପୋଛି ଦେବ–କେବଳ ଏହି ଅଭିପ୍ରାୟ ନେଇ ମୁଁ ତୁମକୁ ବିବାହ କରିଛି ।’’

 

(୨)

 

ଦୁଇ ମାସ ବିତିଗଲା । ପ୍ରତ୍ୟହ ମୁନୁକୁ ସାଥିରେ ନେଇ ମୁଁ ସାନ୍ଧ୍ୟ ଭ୍ରମଣରେ ଯାଉଥାଏ-। ଲେଉଟିବାବେଳେ କେତେକ ବନ୍ଧୁଙ୍କୁ ଦେଖା କରି ଫେରୁଥିଲି । କାହା ସଙ୍ଗେ ଆଳାପ କଲାବେଳେ ମୁନୁ କୋଇଲି ଭଳି ଚଞ୍ଚଳ ହୋଇ ଉଠୁଥିଲା । ବାସ୍ତବରେ ଏଇ ବନ୍ଧୁ ମିଳନଦ୍ୱାରା ମନୋବିନୋଦନ ମୋର ଅଭିପ୍ରାୟ ନଥାଏ । କେବଳ ମୁନୁର ଅସାଧାରଣ ବୁଦ୍ଧି ଚମତ୍କାରିତାକୁ ପ୍ରଦର୍ଶିତ କରିବା ଥାଏ ମୋର ଉଦ୍ଦେଶ୍ୟ । ବନ୍ଧୁଗଣ ମୁନୁକୁ ଯେତେବେଳେ ଗେଲ କରନ୍ତି ଏବଂ ତା’ର ବିଚକ୍ଷଣ ବୃଦ୍ଧିର ପ୍ରଶଂସା କରନ୍ତି, ସେତେବେଳେ ମୋର ହୃଦୟ ଅଧୀର ହୋଇ ଉଠେ-

 

ଦିନେ ମୁନୁ ସହିତ ମୁଁ ବାବୁ ଜ୍ୱାଳାସିଂହଙ୍କ ଘରେ ବସିଥିଲି । ସେ ଥିଲେ ମୋର ପରମ ମିତ୍ର । ତାଙ୍କ ମୋ ଭିତରେ କୌଣସି ଭେଦଭାବ ନଥିଲା । ଆମେ କିନ୍ତୁ କ୍ଷୁଦ୍ରତା, ପାରିବାରିକ କଳହାଦି ବିଷୟ ଏବଂ ନିଜର ଆର୍ଥିକ ଅସୁବିଧା ନେଇ କେବେ କଥାଭାଷା କରୁ ନଥିଲୁ । ଆମେ ଆମର ଏଇ ଦେଖାସାକ୍ଷାତ୍ ଭିତରେ ନିଜ ନିଜର ପ୍ରତିଷ୍ଠା ରକ୍ଷା କରୁଥିଲୁ ଏବଂ ଆମର ଦୁରବସ୍ଥାର ଗନ୍ଧ ସୁଦ୍ଧା ଆମ କଥାଭାଷା ଭିତରକୁ ଆସୁ ନଥିଲା । ଆମେ ନିଜ ନିଜର କଳଙ୍କକୁ ସର୍ବଦା ଘୋଡ଼ାଇ ରଖୁଥିଲୁ । ଆମ ଦୁହିଁଙ୍କର ଏକତା ଭିତରେ ଭେଦଭାବ ଥିଲା ଏବଂ ଘନିଷ୍ଠତା ଭିତରେ ଥିଲା ଭିନ୍ନତା । ଦୈବାତ୍‌ ବାବୁ ଜ୍ୱାଳାସିଂହ ମୁନୁକୁ ପଚାରିଲେ–‘‘କି ମୁନୁବାବୁ ! ତୁମର ମା’ ତୁମକୁ ଭଲ ପାଆନ୍ତି ନା ?’’ ମୁରୁକି ହସି ମୁଁ ମୁନୁକୁ ଚାହିଁଲି । ତା’ର ଉତ୍ତର ସମ୍ପର୍କରେ ମୋର କୌଣସି ସନ୍ଦେହ ନଥିଲା । ମୁଁ ଭଲ କରି ଜାଣିଥିଲି ଯେ ଅମ୍ବା ତାକୁ ଗଭୀର ଶ୍ରଦ୍ଧା କରେ । କିନ୍ତୁ ଉକ୍ତ ପ୍ରଶ୍ନର ଉତ୍ତର ଯେତେବେଳେ ମୁନୁ ମୁହଁରେ ନ ଦେଇ ଆଖିରେ ଦେଲା, ମୋର ଆଶ୍ଚର୍ଯ୍ୟର ସୀମା ରହିଲାନି । ଆଖିରୁ ତା’ର ଟୋପା ଟୋପା ଲୁହ ନିଗିଡ଼ିବାକୁ ଲାଗିଲା । ଲଜ୍ଜାରେ ମୁଁ ସଢ଼ିଗଲି । ମୁଁ ମୋର ହୃଦୟ ଭିତରେ ଅମ୍ବାର ଯେଉଁ ରମଣୀୟ ଚିତ୍ର ଦୁଇମାସ ଧରି ଅଙ୍କିତ କରି ରଖିଥିଲି, ତାହା ଏଇ ଅଶ୍ରୁଜଳଦ୍ୱାରା ନଷ୍ଟଭ୍ରଷ୍ଟ ହୋଇଗଲା । ଜ୍ୱାଳାସିଂହ ମୋ ଆଡ଼କୁ ସଂଶୟ ଦୃଷ୍ଟିପାତ କରି ମୁନୁକୁ ପୁଣି ପଚାରିଲେ–‘‘କାନ୍ଦୁଛୁ କାହିଁକି ପୁଅ ?’’ ମୁନୁ ଉତ୍ତର ଦେଲା–‘‘ମୁଁ କାନ୍ଦୁନି, ଆଖିରେ ମୋର ଧୂଆଁ ଲାଗିଯାଇଥିଲା ।’’ ବିମାତାର ସ୍ନେହ ସମ୍ପର୍କରେ ସନ୍ଦେହ କରିବା ଜ୍ୱାଳାସିଂହଙ୍କ ପକ୍ଷରେ ସ୍ୱାଭାବିକ ଥିଲା । କିନ୍ତୁ ବାସ୍ତବରେ ମୋରବି ସନ୍ଦେହ ହେଲା । ଅମ୍ବାର ସହୃଦୟତା ଏବଂ ସ୍ନେହ ଲାଗି ପ୍ରଶଂସା ଗାଇବାରେ ମୋର ଜିଭ ଥକୁ ନଥିଲା । ବର୍ତ୍ତମାନ ସେ ଖୁବ୍‌ ବଦଳି ଯାଇଚି । ସେଠାରୁ ଉଠିଲାବେଳକୁ ମୋର ହୃଦୟ ଭାରି ଜଣା ଯାଉଥିଲା ଏବଂ ଲଜ୍ଜାରେ ମୁଣ୍ତ ଟେକି ହେଉ ନଥିଲା ।

 

(୩)

 

ଘରଆଡ଼କୁ ପାଦ ବଢ଼ଉ ବଢ଼ଉ ମନରେ ବିଚାର କଲି କିଭଳି ଅମ୍ବା ନିକଟରେ ମୁଁ ଆପଣାର କ୍ରୋଧ ପ୍ରକାଶ କରିବି ? ମୁହଁ ଘୋଡ଼େଇ ଶୋଇଯିବିନି କାହିଁକି ? ଅମ୍ବା ଯେବେ ପଚାରିବ କହିବି–ମୋର ମୁଣ୍ତବଥା ହେଉଚି । ମତେ ବିରକ୍ତ କରନା । ଖାଇବାକୁ ଉଠାଇଲେ ଚିଡ଼ି ଉଠିବି । ଅମ୍ବା ଏଇଥିରୁ ସ୍ପଷ୍ଟ ବୁଝିଯିବ ଯେ, ମୋର ଇଚ୍ଛା ବିରୁଦ୍ଧରେ କୌଣସି କଥା ଘଟି ଯାଇଚି-। ସେ ମୋର ପାଦ ଧରିବାକୁ ଲାଗିବ । ସେତିକିବେଳେ ବ୍ୟଙ୍ଗ ପୂର୍ଣ୍ଣ କଥାରେ ମୁଁ ତା’ର ହୃଦୟ ଫୋଡ଼ି ଦେବି । ଏମିତିଭାବେ କନ୍ଦେଇ ଦେବି ଯେ ଜୀବନସାରା ମନେ ପଡ଼ୁଥିବ-

 

କିନ୍ତୁ ତା’ର ହସହସ ମୁଖର ଚେହେରାକୁ ଦେଖିଲେ ନିଜର ହୃଦୟକୁ ନିଜର ଆୟତ୍ତରେ ରଖିପାରିବି କି ନା ଏଇକଥାବି ମନକୁ ଆସିଲା । ତା’ର ପ୍ରେମପୂର୍ଣ୍ଣ ଚାହାଣି, ପଦିଏ ମିଠା କଥା ଏବଂ ଥରକର ରସରସିଆ ଠାଣି ମୋର ଶିଳାତୁଲ୍ୟ ରୁଷ୍ଟତାକୁ ଖଣ୍ତଖଣ୍ତ କରି ଦେଇପାରେ । କିନ୍ତୁ ହୃଦୟର ଏଇ ଦୁର୍ବଳତା ଉପରେ ମନରେ ମୋର ବିରକ୍ତି ଆସିଲା । ବର୍ତ୍ତମାନ ମୋର କି ଦଶା ହୋଇଛି ? କ’ଣ ଏତେ ଚଞ୍ଚଳ ମୋର ମନ ବଦଳିଗଲା ? ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଏଇ ମୃଦୁ ମଧୁର ବାକ୍ୟର ତୋଫାନ ଭିତରେ ଏବଂ ଲଳିତ କଟାକ୍ଷର ଇନ୍ଦ୍ରଜାଲ ଭିତରେ ନିଜକୁ ଅଚଳ ରଖି ପାରିବି । କିନ୍ତୁ ବର୍ତ୍ତମାନ ମୋର ଦଶା କ’ଣ ଇମିତି ହେଇଚି ଯେ, ସାଧାରଣ ଧକ୍କା ସମ୍ଭାଳିଲା ଭଳି ମୋର ପାଖରେ ଶକ୍ତି ନାହିଁ ! ଏ ସମସ୍ତ ବିଚାର କରୁ କରୁ ମୋର ହୃଦୟରେ ସାଧାରଣ ଦୃଢ଼ତା ଆସିଲା; ତଥାପି କ୍ରୋଧର ମାତ୍ରା ପ୍ରତି ମୁହୂର୍ତ୍ତରେ କମି କମି ଯାଉଥିଲା । ଶେଷରେ ମୁଁ ମୋର ହୃଦୟକୁ ଧିକ୍‌କାର କଲି ଏବଂ ଏକ ଅପ୍ରାକୃତିକ କ୍ରୋଧର ଭାବ ମନରେ ପୋଷଣ କଲି । ନିଶ୍ଚୟ କରିନେଲି ଯେ, ଘରେ ପାଦ ଦେଉ ଦେଉ ଏକବାରେ ବର୍ଷୀ ଦେଇଯିବି ।

 

କିନ୍ତୁ ବିଳମ୍ବରୂପୀ ବାୟୁ ଏଇ କ୍ରୋଧରୂପୀ ମେଘକୁ ଉଡ଼ାଇ ନ ନେଲେ ରକ୍ଷା । ଯିମିତି ଘରେ ପହଞ୍ଚିଛି ଅମ୍ବା ଦଉଡ଼ି ଆସି ମୁନୁକୁ କୋଳକୁ ଟେକି ନେଇ ସ୍ନେହସିକ୍ତ କୋମଳ ସ୍ୱରରେ କହିଲା–‘‘ଆଜି ତୁ ଏତେ ସମୟ ପର୍ଯ୍ୟନ୍ତ କୁଆଡ଼େ ବୁଲୁଥିଲୁ ? ଚାଲ୍‌, ଦେଖି ତୋପାଇଁ କିମିତି ସୁନ୍ଦର ଜିଲିପି ତିଆରି କରିଛି ।’’ ମୋର କୃତ୍ରିମ କ୍ରୋଧ କ୍ଷଣକରେ ଉଡ଼ିଗଲା । ବିଚାରିଲି ୟାରି ଉପରେ ରାଗିଲେ ଭାରୀ ଅତ୍ୟାଚାର ହେବ । ମୁନୁତ ଅବୋଧ ବାଳକ । ସମ୍ଭବତଃ ସେ ନିଜର ମା’କୁ ମନେ ପକାଇ କାନ୍ଦି ପକାଇଲା । ଏଥିପାଇଁ ଅମ୍ବାକୁ ଦୋଷ ଦିଆଯାଇ ନ ପାରେ । ଆମର ମନୋଭାବ ପୂର୍ବ ବିଚାରର ଅଧୀନରେ ରହେ ନାହିଁ; କିନ୍ତୁ ଆମେ ତାହା ପ୍ରକାଶ କରିବା ନିମିତ୍ତ କେତେକ ଶବ୍ଦ ଗଢ଼ୁଁ; କିନ୍ତୁ ସମୟ ଆସିଲେ ଶବ୍ଦମାନଙ୍କର ଠକାମିରେ ଆମେ ପଡ଼ିଯାଉଁ ଏବଂ ସମସ୍ତ ଭାବନା ସ୍ୱାଭାବିକ ରୂପରେ ପ୍ରକଟିତ ହୋଇଯାଏ । ମୁଁ ଆଜି ଅମ୍ବାକୁ ବ୍ୟଙ୍ଗପୂର୍ଣ୍ଣ କଥା କହି ପାରିଲିନି କିମ୍ବା କ୍ରୋଧ ଜର୍ଜରିତ ହୋଇ ମୁହଁ ଢାଙ୍କି ଶୋଇ ପାରିଲିନି । ବରଂ ଅତ୍ୟନ୍ତ କୋମଳ ସ୍ୱରରେ କହିଲି–‘‘ବୁଝିଲ ଅମ୍ବା ! ମୁନୁ ମତେ ଆଜି ଅତ୍ୟନ୍ତ ଲଜ୍ଜା ଦେଲା । ତମର ନୂଆ ମା’ ତମକୁ ଭଲ ପାଉଛନ୍ତି କି ନା ବୋଲି ଜ୍ୱାଳାସିଂହ ତାକୁ ଯେତେବେଳେ ପଚାରିଲେ, ସେ କାନ୍ଦିଲା । ଲଜ୍ଜାରେ ମୁଁ ମରିଗଲି । ତମେ ତାକୁ କିଛି କହିଛ ବୋଲି ମୁଁ ସ୍ୱପ୍ନରେବି ଭାବି ପାରୁନାହିଁ । କିନ୍ତୁ ଅନାଥ ବାଳକମାନଙ୍କର ହୃଦୟ ଏପରି ଏକ ଚିତ୍ରପଟ, ଯାହା ଉପରେ କି ନିତାନ୍ତ ସାଧାରଣ ପରଦାଟିଏ ପଡ଼ିଥାଏ ଏବଂ ଯାହାକୁ ଏତେଟିକେ ପବନ ମଧ୍ୟ ହଟାଇ ଦେଇପାରେ ।’’

 

ମୁଁ ଅତ୍ୟନ୍ତ କୋମଳ ସ୍ୱରରେ ଏକଥା କହିଥିଲେ ମଧ୍ୟ ଅମ୍ବାର ବିକଶିତ ମୁଖମଣ୍ତଳ ଟିକିଏ ମଉଳିଗଲା । ସଜଳ ଆଖିରେ ସେ କହିଲା–‘‘ଆମର ପ୍ରଥମ ସାକ୍ଷାତ ଦିନୁ ମୁଁ ଏଇ କଥାର ବିଚାର ଯଥାସାଧ୍ୟ ରଖିଛି । କିନ୍ତୁ ମୁନୁର ହୃଦୟରୁ ମାତୃଶୋକ ଯେ ମୁଁ ପୋଛି ଦେଇ ପାରିବି, ଏହା ଅସମ୍ଭବ । ମୁଁ ମୋର ସର୍ବସ୍ୱ ଅର୍ପଣ କରିଦେଇପାରେ କିନ୍ତୁ ମୋରି ନାମ ଉପରେ ସଉତୁଣୀତ୍ୱର ଯେ ଛାପ ରହିଛି, ତାହା ଲିଭିଯାଇ ନ ପାରେ ।’’

 

(୪)

 

ଏଇ ବାର୍ତ୍ତାଳାପର ପରିମାଣ କାଳେ ବିପରୀତ ହେଇପାରେ–ଏ ଭୟ ମୋର ଥିଲା । କିନ୍ତୁ ଦ୍ୱିତୀୟ ଦିନ କେବଳ ଅମ୍ବାର ବ୍ୟବହାରରେ ବହୁତ ପାର୍ଥକ୍ୟ ଦେଖିବାକୁ ପାଇଲି । ସକାଳୁ ସଞ୍ଜଯାକେ ତାକୁ ମୁନୁର ସେବାରେ ଲାଗି ରହିଥିବା ଦେଖିଲି । ଇମିତିକି ମୁନୁର ସେବାରେ ସେ ମୋ କଥାବି ଭୁଲି ଯାଇଥିଲା । ନିଜର ସୁଖ ସମ୍ଭୋଗକୁ ମୁନୁ ହାତରେ ସମ୍ପୂର୍ଣ୍ଣ ଅରପି ଦେବା ଭଳି ମୋର ତ୍ୟାଗ ନଥିଲା । ବେଳେବେଳେ ମୋ ପ୍ରତି ଅମ୍ବାର ଏଇ ଅଶ୍ରଦ୍ଧା ଭଲ ଲାଗୁ ନଥିଲା । ମୁଁ କିନ୍ତୁ ଭୁଲରେ ସୁଦ୍ଧା କେବେ ଏ ବିଷୟରେ ଚର୍ଚ୍ଚା କରି ନାହିଁ । ଦିନେ କଚେରିରୁ ମୁଁ ଟିକେ ସହଳ ଫେରି ଆସିଲି । ଦୁଆର ପାଖରେ ମୁନୁକୁ ଘର ଭିତର ଆଡ଼କୁ ମୁହଁ କରି ଠିଆ ହୋଇଥିବା ଦେଖିଲି । ଏତିକିବେଳେ ଟିକେ ଲୁଚକାଳି ଖେଳିବାପାଇଁ ମୋର ମନ ହେଲା । ଧୀର ପଦକ୍ଷେପରେ ପଛରୁ ଯାଇ ମୁନୁର ଆଖି ମୁଦି ଧରିଲି । ଦୁଃଖର କଥା ତା’ର ଗାଲ ଦୁଇଟି ଲୁହରେ ଓଦା ହୋଇଯାଇଥିଲା । ତୁରନ୍ତ ମୁଁ ମୋର ହାତ ଦୁଇଟି ହଟାଇ ଆଣିଲି । ହୃଦୟରେ କଠୋର ଆଘାତ ଲାଗିଲା । ମୁନୁକୁ କୋଳ କରି ପଚାରିଲି–‘‘କାହିଁକି କାନ୍ଦୁଛୁ ମୁନୁ ?’’ କହୁ କହୁ ମୋର ନେତ୍ରଯୁଗଳ ସଜଳ ହୋଇ ଉଠିଲା ।

 

ମୁନୁ କହିଲା–ନା, ମୁଁ ତ କାନ୍ଦୁନି !

 

ମୁଁ ପୁଣି ପଚାରିଲି–ମା’ ତତେ କିଛି କହି ନାହିଁ ତ ?

 

ମୁନୁ ଧକେଇ କହିଲା–ନା, ସେ ମତେ ଖୁବ୍‌ ଭଲ ପାଏ ।

 

ତା’ କଥାରେ ବିଶ୍ୱାସ ନ କରି ମୁଁ ପୁଣି ପଚାରିଲି–ସେ ଯଦି ଭଲ ପାଉଛି, ତୁ କାନ୍ଦୁଛୁ କାହିଁକି ? ସେ ଦିନ ସରାବ୍‌ ସାହେବଙ୍କ ଘରେବି ତ କାନ୍ଦିଥିଲୁ । ତୁ ମତେ ଲୁଚଉଛୁ । ଅବଶ୍ୟ କେତେବେଳେ ତୋର ମା’ ତୋ ଉପରେ ରାଗିଥିବ ।

 

ମୁନୁ ମୋ ଆଡ଼କୁ କାତର ଦୃଷ୍ଟିନିକ୍ଷେପ କରି କହିଲା–ନା, ସେ ମୋତେ ଖୁବ୍‌ ଭଲ ପାଏ ବୋଲି ସବୁବେଳେ ମତେ ଇମିତି କାନ୍ଦ ଲାଗେ । ମୋର ମା’ ମତେ ଅତ୍ୟନ୍ତ ଭଲ ପାଉଥିଲା-। ସେ ତ ମତେ ଛାଡ଼ି ଚାଲିଗଲା । ନୂଆ ମା’ ତା’ଠାରୁ ମତେ ଅଧିକ ଭଲ ପାଏ । କାଳେ ତା’ରି ପରି ଇଏବି ମତେ ଛାଡ଼ି ଚାଲିଯିବ ସେଇଥିପାଇଁ ମତେ ଭାରୀ ଡର ମାଡ଼ୁଛି ବାପା !!

 

ଏହା କହି ପୁଣି ଧକେଇ ଧକେଇ କାନ୍ଦିଲା ମୁନୁ । ମୁଁ ବି କାନ୍ଦି ପକାଇଲି । ଅମ୍ବାର ସ୍ନେହମୟ ବ୍ୟବହାର ମୁନୁର ସୁକୋମଳ ହୃଦୟ ଉପରେ କେତେ ଆଘାତ ନ ଦେଇଛି ! କିଛି ସମୟ ପର୍ଯ୍ୟନ୍ତ ମୁଁ ସ୍ତମ୍ଭିତ ରହିଗଲି । ‘ପବିତ୍ର ଆତ୍ମା ଚିରକାଳ ସଂସାରରେ ରହେ ନାହିଁ’–କୌଣସି କବିର ଏଇ ବାଣୀ ମୋର ସ୍ମରଣ ହେଲା । ମୋର ମନେ ହେଲା ଭବିଷ୍ୟତର ଏଇ ବାଣୀ କିଏ ଯିମିତି ଏଇ ସରଳ ବାଳକଟିର ଜିହ୍ୱା ସାହାଯ୍ୟରେ କହି ଦେଉଛି । ହାୟ ! ଭଗବାନଙ୍କ କୃପାରୁ ଏ ଅଶୁଭ ଦିନ ନ ଆସୁ । ତର୍କଦ୍ୱାରା ଏହି ଆଶଙ୍କାକୁ ମୁଁ ମୋର ହୃଦୟରୁ ତଡ଼ିଦେଲି । ଜନନୀର ମୃତ୍ୟୁ, ପ୍ରେମ ଆଉ ବିୟୋଗ ଭିତରେ ଏକ ମାନସିକ ସମ୍ବନ୍ଧ ଉତ୍ପନ୍ନ କରି ଦେଇଥିବା ଛଡ଼ା ଏହା ଆଉ କିଛି ନୁହ ବୋଲି ବୁଝିଲି । ମୁନୁକୁ କୋଳରେ ନେଇ ଅମ୍ବା ପାଖକୁ ଗଲି ଏବଂ ମୁରୁକି ହସି କହିଲି–‘‘ଇଏ କାହିଁକି କାନ୍ଦୁଛି ୟାକୁ ପଚାର ।’’ ଅମ୍ବା ଚମକି ପଡ଼ିଲା । ତା’ର ମୁଖର କାନ୍ତି ମଳିନ ହୋଇଗଲା । କହିଲା–‘‘ତମେ ପଚାର ।’’ ଉତ୍ତରରେ ମୁଁ କହିଲି–‘‘ତମେ ୟାକୁ ଅତ୍ୟନ୍ତ ଭଲ ପାଉଛ ବୋଲି ଏ କାନ୍ଦୁଛି ଏବଂ ତା’ର ଭୟ ଯେ କାଳେ ତୁମେ ମଧ୍ୟ ତା’ର ମା’ ଭଳି ତାକୁ ଛାଡ଼ି ଚାଲିଯିବ ।’’ ମଇଳା ପୋଛି ଦେଲା ପରେ ଦର୍ପଣ ଯେଭଳି ଚମକି ଉଠେ, ସେଇଭଳି ଅମ୍ବାର ମୁଖମଣ୍ତଳ ଫୁଟି ଉଠିଲା । ସେ ମୁନୁକୁ ମୋର କୋଳରୁ ଛଡ଼େଇ ନେଇ ହୁଏତ ପ୍ରଥମଥର ପାଇଁ ମମତାପୂର୍ଣ୍ଣ ସ୍ନେହରେ ତା’ର ମୁଖ ଚୁମ୍ବନ କଲା ।

 

(୫)

 

ଦୁଃଖ ! ମହାଦୁଃଖ !! ମୁଁ କ’ଣ ଜାଣିଥିଲି ମୁନୁର ଅଶୁଭ କଳ୍ପନା ଏତେ ଚଞ୍ଚଳ ସତ୍ୟରେ ପରିଣତ ହୋଇଯିବ !! କୌଣସି ସମୟରେ ହଠାତ୍‌ ତା’ର ବାଳୁତ ଦୃଷ୍ଟି ଯେମିତି ଭବିଷ୍ୟତକୁ ଦେଖି ନେଇଥିଲା !! ଏବଂ ତା’ର ବାଳୁତ ଶ୍ରବଣ ମୃତ୍ୟୁ ଦୂତର ବିକରାଳ ଶବ୍ଦ ସହିତ ପରିଚିତ ଥିଲା ।

 

ଛଅଟି ମାସ ବିତୁ ନ ବିତୁଣୁ ଅମ୍ବା ରୋଗରେ ପଡ଼ିଲା ଏବଂ ଦେଖୁଦେଖୁ ଇନ୍‌ଫ୍ଳୁଏଞ୍ଜା ତାକୁ ଆମ ହାତରୁ ଛଡ଼େଇ ନେଲା । ପୁନର୍ବାର ବନଭୂମି ମରୁସ୍ଥଳୀରେ ପରିଣତ ହେଲା ଏବଂ ନବନିର୍ମିତ ଘରଟି ମୋର ଉଜୁଡ଼ି ଗଲା । ଅମ୍ବା ନିଜକୁ ମୁନୁପାଇଁ ଉତ୍ସର୍ଗ କରି ଦେଇଥିଲା–ହଁ, ସେ ପୁତ୍ର ସ୍ନେହର ଆଦର୍ଶ ରୂପ ଦେଖାଇ ଦେଇଗଲା । ଶୀତକାଳରେ ରାତ୍ର ଶେଷ ନ ହେଉଣୁ ମୁନୁପାଇଁ ପ୍ରାତଃ ଭୋଜନ ପ୍ରସ୍ତୁତ କରିବାପାଇଁ ସେ ଉଠୁଥିଲା । ତା’ର ଏଇ ସ୍ନେହ ବାହୁଲ୍ୟ ମୁନୁ ଉପରେ ସ୍ୱାଭାବିକ ପ୍ରଭାବ ପକାଇଥିଲା । ସୁତରାଂ ସେ ବଡ଼ ହଟିଆ ଆଉ ନଟଖଟିଆ ହୋଇଯାଇଥିଲା । ଯେତେବେଳଯାକେ ଅମ୍ବା ତାକୁ ଖୁଆଉ ନଥିଲା, ମୁହଁକୁ ସେ ଗୁଣ୍ତା ନେଉ ନଥିଲା ଏବଂ ଯେତେବେଳ ପର୍ଯ୍ୟନ୍ତ ଅମ୍ବା ପଙ୍ଖା କରୁ ନଥିଲା ସେତେବେଳ ପର୍ଯ୍ୟନ୍ତ ସେ ଖଟ ଉପରେ ପାଦ ଦେଉ ନଥିଲା । ତାକୁ ବିରକ୍ତ କରି, ରାଗ ରୁଷ୍ଟ କରି ହଇରାଣ କରି ପକାଉଥିଲା । କିନ୍ତୁ ଅମ୍ବା ଏଇଥିରୁ ଆତ୍ମିକ ସୁଖ ଲାଭ କରୁଥିଲା । ଇନ୍‌ଫ୍ଳୁଏଞ୍ଜାରେ ପଡ଼ି ମଧ୍ୟ ସେ କାତର ଧ୍ୱନି କରେ । କଡ଼ ଲେଉଟାଇବାକୁ ତା’ର ଶକ୍ତି ନଥିଲାବେଳେ ଏବଂ ଶରୀର ତାତିରେ ଖଇଫୁଟୁଥିଲାବେଳେବି ସେ ମୁନୁର ପ୍ରାତଃଭୋଜନ ପାଇଁ ଚିନ୍ତା କରୁଥିଲା । ହାୟ ! ସେଇ ନିଃସ୍ୱାର୍ଥ ମାତୃସ୍ନେହ ବର୍ତ୍ତମାନ ସ୍ୱପ୍ନରେ ପରିଣତ ହୋଇ ଯାଇଛି । ସେଇ ସ୍ୱପ୍ନର ସ୍ମରଣରେ ଏବେବି ହୃଦୟ ଗଦ୍‌ଗଦ୍‌ ହୋଇ ଉଠୁଛି । ଅମ୍ବା ସହିତ ମୁନୁର ଚଞ୍ଚଳ ସ୍ୱଭାବ ତଥା ବାଳକ୍ରୀଡ଼ାର ପରିସମାପ୍ତି ଘଟିଲା । ବର୍ତ୍ତମାନ ସେଇ ଶୋକ ଆଉ ନୈରାଶ୍ୟର ଜୀବନ୍ତମୂର୍ତ୍ତିସ୍ୱରୂପ ସେ ଛିଡ଼ା ହୋଇଛି । ସେ ଆଉ କେବେ କାନ୍ଦେନି । ଏଭଳି ଏକ ପଦାର୍ଥ ହଜେଇ ଦେଇ ତା’ର କୌଣସି ଭୟ ବା ଦୁଃଖ ଆଉ ରହିଲା ନାହିଁ ।

Image

 

ବଡ଼ ଭାଇ

 

ମୋର ବଡ଼ ଭାଇ ମୋଠାରୁ ପାଞ୍ଚବର୍ଷ ବଡ଼; କିନ୍ତୁ ପାଠ ପଢ଼ାରେ ମାତ୍ର ତିନି କ୍ଲାସ୍ ଅଧିକ । ଯେଉଁ ବୟସରେ ପଢ଼ା ଆରମ୍ଭ କଲି, ସେ ମଧ୍ୟ ଠିକ୍‌ ସେଇ ବୟସରେ ପଢ଼ା ଆରମ୍ଭ କରିଥିଲେ । କିନ୍ତୁ ଶିକ୍ଷା ଭଳି ଏକ ମହତ୍ୱପୂର୍ଣ୍ଣ ବିଷୟରେ ତରବର ହୋଇ କାର୍ଯ୍ୟ କରିଯିବା ସେ ପସନ୍ଦ କରୁ ନଥିଲେ । ତାଙ୍କର ଇଚ୍ଛାଥିଲା, ଶିକ୍ଷାରୂପୀ ଏକ ବିଶାଳମହଲ ଗଢ଼ି ଉଠି ପାରିଲା ଭଳି ଏକ ମଜବୁତ୍‌ ମୂଳଦୁଆ ଉଠାଇବେ । ସୁତରାଂ ଗୋଟିଏ ବର୍ଷର କାର୍ଯ୍ୟ ସେ ଦୁଇବର୍ଷରେ ଶେଷ କରନ୍ତି । ବେଳେବେଳେ ତିନିବର୍ଷବି ଲାଗି ଯାଉଥିଲା । ମୂଳଦୁଆ ଯଦି ପୋଖତ ନହେଲା ଘରଟି ଅବା ମଜବୁତ୍‌ ହେବ କିପରି ?

 

ମୁଁ ଥିଲି ସାନ, ସେ ବଡ଼ । ମୋର ବୟସ ନଅବର୍ଷ, ତାଙ୍କର ଚଉଦ । ମୋର ବୟସ ନଅବର୍ଷ, ତାଙ୍କର ଚଉଦ । ମୋର ତତ୍ତ୍ୱାବଧାନରେ ଏବଂ ଶିକ୍ଷା ସମ୍ପର୍କୀୟ ଦାୟିତ୍ୱ ବହନ କରିବା ଦିଗରେ ତାଙ୍କର ଥିଲା ଜନ୍ମ–ସିଦ୍ଧ ପୂରା ଅଧିକାର ଏବଂ ତାଙ୍କର ଆଦେଶକୁ ଆଇନରୂପେ ଗ୍ରହଣ କରାଯିବା ମୋ ପାଖରେ ଥିଲା ଶାଳୀନତାର ଚିହ୍ନ ।

 

ସ୍ୱଭାବତଃ ଭାଇ ଥିଲେ ଅତ୍ୟନ୍ତ ଅଧ୍ୟୟନଶୀଳ । ଦେଖିବ ତ ପ୍ରତି ମୁହୂର୍ତ୍ତରେ ସେ ବହି ଖୋଲି ବସିଚନ୍ତି କିମ୍ବା ମସ୍ତିଷ୍କକୁ ଟିକେ ଆରାମ ଦେବା ଲାଗି ନୋଟ୍‍ଖାତା କିମ୍ବା ଛପା ବହିର ପୃଷ୍ଠାରେ ଥିବା ଖାଲି ସ୍ଥାନଗୁଡ଼ିକରେ କୁକୁର, ବିଲେଇ, ପକ୍ଷୀ ଆଦି ଜୀବଜନ୍ତୁର ଚିତ୍ର ଅଙ୍କନରେ ବ୍ୟସ୍ତ ଅଛନ୍ତି । ସମୟେ ସମୟେ ଗୋଟିଏ ନାମ କିମ୍ୱା ଶବ୍ଦ କିମ୍ବା ବାକ୍ୟକୁ ଦଶ, ବାର ଥର ନକଲ କରନ୍ତି । କେବେ ହୁଏତ କବିତାର ଗୋଟିଏ ପଦକୁ ସୁନ୍ଦର ଗୋଲ ଗୋଲ ଅକ୍ଷରରେ ବାରମ୍ବାର ନକଲ କରନ୍ତି । ବେଳେବେଳେ ସେ ଏଭଳି ଶବ୍ଦ ରଚନା କରନ୍ତି, ଯେଉଁଗୁଡ଼ିକର ଅର୍ଥ ନଥାଏ ଏବଂ ନଥାଏ ଗୋଟିକର ସହିତ ଅନ୍ୟଟିର ସାମଞ୍ଜସ୍ୟ । ଉଦାହରଣସ୍ୱରୂପ ଥରେ ମୁଁ ତାଙ୍କର ଖାତାରେ ଏ ସବୁ ଲେଖା ହୋଇଥିବା ଦେଖିଲି–ସ୍ପେଶଲ, ଅମୀନା, ଭାଇମାନେ, ନକଲି, ଭାଇ–ଭାଇ, ରାଧେଶ୍ୟାମ, ଶ୍ରୀଯୁକ୍ତ ରାଧେଶ୍ୟାମ, ଘଣ୍ଟାଏ ପର୍ଯ୍ୟନ୍ତ, ଶେଷରେ ଗୋଟାଏ ମଣିଷର ଚିତ୍ର । ଏ ପ୍ରହେଳିକାର ଅର୍ଥ ବାହାର କରିବାପାଇଁ ମୁଁ ବିଶେଷ ଚେଷ୍ଟା କଲି; କିନ୍ତୁ ସଫଳକାମ ହୋଇ ପାରିଲିନି ଏବଂ ଭାଇଙ୍କୁ ଏ ବିଷୟ ପଚାରି ବୁଝି ନେବା ଲାଗି ମୋର ସାହସବି ନଥିଲା । ସେ ଥିଲେ ନ’ କ୍ଲାସ୍‍ର ଛାତ୍ର, ମୋର ପାଞ୍ଚ କ୍ଲାସ୍ । ତାଙ୍କର ରଚନା ବୁଝିବା ମୋ ପକ୍ଷେ ଅସମ୍ଭବ !

 

ମୋର ମନ ମୋଟେ ପଢ଼ାରେ ଲାଗେନି । ଅନ୍ତତଃ ଘଣ୍ଟାଏ ଲାଗି ପୁସ୍ତକ ଧରି ବସିବାପାଇଁ ବିରକ୍ତ ବୋଧ ହେଉଥିଲା । ସୁବିଧା ମିଳିବାକ୍ଷଣି ହଷ୍ଟେଲ୍‌ରୁ ବାହାରି ଖେଳ ପଡ଼ିଆକୁ ଆସିଯାଏ ଏବଂ କେବେ ଉପରକୁ ଗୋଡ଼ି ଫିଙ୍ଗେ ତ କେବେ କାଗଜର ପ୍ରଜାପତି ଉଡ଼ାଏ ଆଉ ଯଦି ସାଥୀଟିଏ ଯୁଟିଗଲା–ସେ କଥା ଆଉ କ’ଣ କହିବି ! କେତେବେଳେ କାନ୍ଥରେ ଚଢ଼ି ତଳକୁ ଡେଉଁ ତ କେବେ ଫାଟକ ଉପରେ ଚଢ଼ି ଫାଟକଟିକୁ ଆଗପଛକୁ ଚଲାଇ ମୋଟର କାର୍‌ର ମଜା ଅନୁଭବ କରୁ । କିନ୍ତୁ ସେଠାରୁ ଫେରି କୋଠରୀରେ ପାଦ ଦେଉଁ ନ ଦେଉଁ ଭାଇଙ୍କର ରୌଦ୍ର ରୂପ ଦେଖି ପ୍ରାଣ ଏକବାରେ ଶୁଖିଯାଏ । ପ୍ରଥମେ ସେ ପ୍ରଶ୍ନ କରନ୍ତି–‘‘କେଉଁଠି ଥିଲୁ ?’’ ଏଇ ଗୋଟିଏ ପ୍ରଶ୍ନ ସର୍ବଦା ପଚରା ଯାଏଁ ଏବଂ ପ୍ରଶ୍ନଟିର ଉତ୍ତର ନ ଦେଇ ସର୍ବଦା ମୁଁ ଚୁପ୍‌ ରହେ । ‘‘ମୁଁ ବାହାରେ ଟିକେ ଖେଳୁଥିଲି’’–ଜାଣେନା ଏତକ କଥା କାହିଁକି ମୋର ପାଟିରୁ ବାହାରୁ ନଥିଲା । ମୋର ଚୁପ୍‌ ରହିବା ଢଙ୍ଗରୁ ବୁଝା ପଡ଼ୁଥିଲା–ମୁଁ ମୋର ଅପରାଧ ସ୍ୱୀକାର କରିଛି । ସ୍ନେହ ଏବଂ ରୋଷ ସମ୍ବଳିତ ଶବ୍ଦରେ ସତ୍କାର କରିବା ଛଡ଼ା ମୋପାଇଁ ଭାଇଙ୍କର ଅନ୍ୟ କୌଣସି ପନ୍ଥା ନଥିଲା ।

 

‘‘ଏଇଭଳି ଯଦି ଇଂରେଜ ପଢ଼ୁ, ତାହାହେଲେ ତୋର ସାରା ଜୀବନ ଏଇଥିରେ କଟିଯିବ ଏବଂ ଅକ୍ଷରଟାଏବି ଶିକ୍ଷା କରି ପାରିବୁନି । ଇଂରେଜ ପଢ଼ିବା ଏଭଳି ହସ ଖେଳର କଥା ନୁହେଁ ଯେ, ଯେ କେହି ଇଂରେଜୀ ପଢ଼ିପାରିବ, ନାହିଁ ତ ରାମା, ଭୀମା, ଶ୍ୟାମା, ଦୀନା, ମାଧିଆ ସମସ୍ତେ ଇଂରେଜୀରେ ପଣ୍ତିତ ହୋଇଯାଇ ଥାଆନ୍ତେ । ଏଥି ନିମିତ୍ତ ଦିନରାତି ଆଖି ଫାଡ଼ି ବସିବାକୁ ହୁଏ ଏବଂ ରକ୍ତ ଜଳାଇବାକୁ ହୁଏ । ତା’ପରେ ଯାଇ ଏଇ ବିଦ୍ୟା ଆସେ । ଆସେ ମାନେ କ’ଣ ? ‘ହଁ’ କହିବା ଛଡ଼ା ଆଉ କିଛି ନୁହ । କରିବା ଦୂରେ ଥାଉ, ବଡ଼ବଡ଼ ପଣ୍ତିତଗଣ ଶୁଦ୍ଧ ଇଂରେଜୀ ଲେଖିବି ପାରନ୍ତିନି । ପୁଣି ତୁ କେଡ଼େ ଗୋଟାଏ ବୋକା ଯେ, ମୋର ପାଠ ପଢ଼ା ଦେଖି ମଧ୍ୟ ତୁ ପାଠ ପଢ଼ୁ ନାହୁଁ । ମୁଁ କିଭଳି ପରିଶ୍ରମ କରେ ତୁ ନିଜ ଆଖିରେ ଦେଖୁ; ଯଦି ଦେଖୁ ନଥାଉ ତୋର ଆଖିର ଦୋଷ, ତୋର ନିର୍ବୋଧତା । ଏତେ ନାଟ, ଏତେ ମେଳା ହୁଏ, ମୁଁ କେବେ ସେ ଆଡ଼କୁ ଯାଏଁ ? ଏ କଥାବି ତୁ ଜାଣୁ ଯେ, ପ୍ରତିଦିନ କ୍ରିକେଟ୍‌ ଆଉ ହକି ମ୍ୟାଚ୍‌ ହୁଏ, ମୁଁ କିନ୍ତୁ ପାଖ ମାଡ଼େନି । ସର୍ବଦା ବସିଥାଏ ପାଠ ପଢ଼ାରେ । ତଥାପି ଗୋଟିଏ ଗୋଟିଏ କ୍ଲାସ୍‍ରେ ଦୁଇ ଦୁଇବର୍ଷ, ତିନି ତିନିବର୍ଷ ପଡ଼ି ରହୁଛି । ତେବେ ଖେଳାଧୂଳାରେ ସମୟ ଉଡ଼ାଇ ଦେଇ ପାସ୍ କରିଯିବୁ ବୋଲି ତୁ ଅବା କିଭଳି ଆଶା କରୁଛୁ ? ଗୋଟିଏ କ୍ଲାସ୍‌ରୁ ଉତ୍ତୀର୍ଣ୍ଣ ହେବାପାଇଁ ମତେ ଦୁଇ ତିନିବର୍ଷ ଲାଗି ଯାଉଛି । ତୁ କିନ୍ତୁ ସେଇ ଗୋଟିଏ କ୍ଲାସ୍‌ରେ ଜୀବନସାରା ପଡ଼ି ସଢ଼ିବୁ ! ଯଦି ଏଭଳି ଭାବରେ ଜୀବନ କଟେଇ ଦେବାର ଇଚ୍ଛା ଥାଏ, ତାହାହେଲେ ଘରକୁ ଚାଲିଯା ଏବଂ ମଜାମାରି ଡାଇଁପିଲ ଖେଳ । ବାବାଙ୍କର ଝାଳ ପୋଛା ଧନ ଏଭଳି ନଷ୍ଟ କରୁଛ କାହିଁକି ?’’

 

ଭାଇଙ୍କଠାରୁ ଏଭଳି ତିରସ୍କାର ପାଇଁ ମୁଁ ଅଶ୍ରୁ ବୁହାଇବାରେ ଲାଗେ । ଆଉ ଉପାୟ କ’ଣ ? ଅପରାଧୀ ମୁଁ, ଗାଳି ଶୁଣିବ କିଏ ? ଉପଦେଶ ଦେବାରେ ଭାଇ ଅତ୍ୟନ୍ତ ନିପୁଣ ଥିଲେ । ସେ ଏଭଳି କଟୁ କଥା କହନ୍ତି ଏବଂ ସୂକ୍ତିବାଣ ହାଣନ୍ତି ଯେ, ମୋର ହୃଦୟ ଖଣ୍ତଖଣ୍ତ ହୋଇଯାଏ ଏବଂ ସାହସ ଲୋପ ପାଇଯାଏ । ଏଭଳି ପ୍ରାଣପାତ ପରିଶ୍ରମ ଲାଗି ମୁଁ ମୋ ଭିତରେ ଶକ୍ତି ସଂଚୟ କରିପାରୁ ନଥିଲି, ଏବଂ ନିରାଶ ବଦନରେ ଅନେକ ସମୟ ଯାଏଁ ଚିନ୍ତା କରି ବସୁଥିଲି–‘‘ଘରକୁ ପଳେଇ ଯିବିନି କାହିଁକି ? ଯେଉଁ କାର୍ଯ୍ୟ ମୋର ଶକ୍ତିର ବାହାରେ ସେଥିରେ ହାତ ଦେଇ ଜୀବନଟାକୁ ଅଯଥା ନଷ୍ଟ କରିବି କାହିଁକି ? ବୋଧହୁଏ ମୂର୍ଖ ହେବା ମୋ ଭାଗ୍ୟରେ ଲେଖା ଅଛି । ଏତେ ପରିଶ୍ରମ.......ବାପ୍‌ରେ !’’ ମୁଣ୍ତ ମୋର ଘୂରିଯାଏ; କିନ୍ତୁ ଘଣ୍ଟାଏ ଦି’ ଘଣ୍ଟା ପରେ ନିରାଶ–ମେଘ ମୋ ସାମନାରୁ ହଟି ଯାଉଥିଲା ଏବଂ ମୁଁ ସଂକଳ୍ପ କରି ନେଇଥିଲି–ଭବିଷ୍ୟତରେ ମୁଁ ଖୁବ୍‌ ମନ ଦେଇ ପଢ଼ିବି । ଚଟପଟ ଗୋଟାଏ ଟାଇମ୍‌–ଟେବୁଲ୍‌ ତିଆରି କରି ବସେ । ଆଗରୁ ଟିକେ ବୋଲି ଚିନ୍ତା ନ କରୁଣୁ ଏକବାରେ ଯୋଜନା ଗଢ଼ି ବସିଲି । କାର୍ଯ୍ୟ କିଭଳି ଆରମ୍ଭ କରାଯାଏ ? ଟାଇମ୍‌–ଟେବୁଲ୍‌ରେ ଖେଳାଧୂଳାର ଗନ୍ଧ ପର୍ଯ୍ୟନ୍ତ ନଥିଲା । ସକାଳୁ ଉଠି ଛଅଟାବେଳେ ମୁହଁ ହାତ ଧୋଇବା, ପରେ ଜଳଖିଆ, ତା’ପରେ ପଠନ । ଛ’ରୁ ଆଠ ଇଂରେଜୀ, ଆଠରୁ ନ ଗଣିତ, ନ’ରୁ ସାଢ଼େ ନ ଇତିହାସ, ତା’ପରେ ଭୋଜନ ଏବଂ ବିଦ୍ୟାଳୟ ଗମନ । ସାଢ଼େ ତିନିଟାବେଳେ ସ୍କୁଲ୍‍ରୁ ଫେରି ଅଧ ଘଣ୍ଟାଏ ବିଶ୍ରାମ, ଚାରିରୁ ପାଞ୍ଚ ଭୂଗୋଳ, ପାଞ୍ଚରୁ ଛ’ ଗ୍ରାମାର୍, ଅଧଘଣ୍ଟା ହଷ୍ଟେଲ୍‌ ସାମନାରେ ଚଲାଫେରା, ସାଢ଼େ ଛ’ରୁ ସାତ ଇଂରେଜୀ ରଚନା, ତା’ପରେ ଭୋଜନ ସାରି ଆଠରୁ ନ ଅନୁବାଦ, ନ’ରୁ ଦଶ ହିନ୍ଦୀ, ଦଶରୁ ଏଗାର ବିବିଧ ବିଷୟ, ପରେ ବିଶ୍ରାମ ।

 

ଟାଇମ୍‌ ଟେବୁଲ୍‌ ତ ପ୍ରଥମେ ଗଢ଼ା ହୋଇଗଲା, ଦ୍ୱିତୀୟରେ ତାହାକୁ କାର୍ଯ୍ୟକାରୀ କରିବା କଥା । ପହିଲୁ ସେଥିପ୍ରତି ଅବହେଳା କରିବା ଆରମ୍ଭ ହୋଇଯାଏ । ଖେଳ ପଡ଼ିଆର ସେଇ ସୁଖଦ ସବୁଜଶ୍ରୀ, ସେଇ ମନ୍ଦପବନ, ଫୁଟବଲର ସେଇ ଡିଆଁ–ଉଛୁଳା, କବାଡ଼ି ଖେଳର ଲଢ଼େଇ, ଉଲିବଲ୍‌ର ଚଞ୍ଚଳତା ଏବଂ ଫୁର୍ତ୍ତି ମୋ ଅଜ୍ଞାତରେ ମତେ ଅନିବାର୍ଯ୍ୟ ଟାଣି ନିଅନ୍ତି ଏବଂ ମୁଁ ଚାଲି ଯାଉ ଯାଉ ସବୁ କଥା ଭୁଲିଯାଏ । ସେଇ ପ୍ରାଣଘାତୀ ଟାଇମ୍‌ ଟେବୁଲ୍‌ କିମ୍ବା ସେଇ ନୟନର ଜ୍ୟୋତି ଅପହରଣକାରୀ ପୁସ୍ତକାବଳୀ କୌଣସିଟିର ସ୍ମରଣ ରହେ ନାହିଁ ଏବଂ ପୁଣି ମୋର ଭାଇଙ୍କୁ ମତେ ଉପଦେଶ ଦେବାଲାଗି, ଦୁର୍ଦ୍ଦଶାଗ୍ରସ୍ତ କରିବା ଲାଗି ଅବସର ମିଳିଯାଏ । ମୁଁ ତାଙ୍କରି ପ୍ରଭାବରୁ ମୁକ୍ତ ରହିବାପାଇଁ ଓ ତାଙ୍କ ଦୃଷ୍ଟିପଥରୁ ଦୂରରେ ରହିବାପାଇଁ ସର୍ବଦା ଚେଷ୍ଟା କରେ । ସେ ଜାଣି ନ ପାରିବା ଭଳି ଧୀର ପଦକ୍ଷେପରେ କୋଠରୀ ଭିତରକୁ ପ୍ରବେଶ କରେ । ନଜର ତାଙ୍କରି ମୋରି ଉପରେ ପଡ଼ିଲା ତ ପ୍ରାଣ ଗଲା । ସବୁବେଳେ ମୁଣ୍ତ ଉପରେ ନଗ୍ନ ତରବାରିଟିଏ ଝୁଲି ରହିଛି ଯିମିତି । କିନ୍ତୁ ମୃତ୍ୟୁ ଏବଂ ବିପଦର ମଧ୍ୟଭାଗରେ ପଡ଼ି ମଣିଷ ଯେଭଳି ମୋହ ଏବଂ ମାୟାର ବନ୍ଧନରେ ଜଡ଼ିତ ରହେ, ସେଇଭଳି ମୁଁ ଗାଳି ଆଉ ଧମକର ସୁଆଦ ଚାଖି ମଧ୍ୟ ଖେଳାଧୂଳା ପ୍ରତି ତିରସ୍କାର ପ୍ରକାଶ କରିପାରୁ ନଥିଲି ।

 

ବାର୍ଷିକ ପରୀକ୍ଷାର ଫଳ ପ୍ରକାଶ ପାଇଲା । ଭାଇ ଫେଲ୍‌ କଲେ ଏବଂ ମୁଁ ପାସ୍‌ କଲି । କ୍ଲାସ୍‌ରେ ପ୍ରଥମ ସ୍ଥାନ ଅଧିକାର କଲି ମଧ୍ୟ । ତାଙ୍କ ମୋ ଭିତରେ ମୋଟେ ଦୁଇବର୍ଷର ତଫାତ୍‌ ରହିଗଲା । ମୋର ମନେ ହେଲା ଭାଇଙ୍କୁ ଉପହାସ କରି କହିଚି–‘‘ଭାଇନା ! ତମର ସେଇ ଘୋର ତପସ୍ୟା ଗଲା କୁଆଡ଼େ ? ଦେଖ ମୁଁ କିଭଳି ମଜାରେ ଖେଳିବୁଲି କ୍ଲାସ୍‌ରେ ପ୍ରଥମ ହେଲି ।’’ କିନ୍ତୁ ଭାଇ ଏଭଳି ଦୁଃଖିତ ଏବଂ ଉଦାସ ଥିଲେ ଯେ, ତାଙ୍କ ଲାଗି ମୋର ହୃଦୟରେ ଦୁଃଖ ଜାତହେଲା ଏବଂ ତାଙ୍କ କଟା ଘା’ରେ ଚୂନ ବୋଳିବା କଥାର ବିଚାରହିଁ ଲଜ୍ଜା ବୋଧହେଲା । ହଁ....ଏଥର ମୋ ନିଜ ଭିତରେ ଅଭିମାନ ଜାତହେଲା । ଆତ୍ମାଭିମାନ ବଢ଼ିଲା । ଭାଇଙ୍କର ସେ ପ୍ରଭାବ ମୋ ଉପରେ ଆଉ ରହିଲାନି । ସ୍ୱାଧୀନତାବଶତଃ ଖେଳାଧୂଳାରେ ଖୁବ୍‌ ମନ ଦେଲି । ହୃଦୟ ମଜବୁତ୍‌ ଥିଲା । ସେ ପୁଣି ଯଦି ମତେ ଗାଳି ଦିଅନ୍ତି, ମୁଁ ସଫାସଫା କହିଦେବି–‘ତମେ ତମର ରକ୍ତ ଜଳାଇ କ’ଣ ସବୁ କରି ପକାଇଛ ? ମୁଁ ତ ଖେଳାଧୂଳାରେ ମାତି କ୍ଲାସ୍‍ରେ ପ୍ରଥମ ହେଇଛି !’ କଥାରେ ଏଭଳି ଉଗ୍ରତା କରିବା ଯଦିଓ ମୋର ଶକ୍ତିର ବାହାରେ, ତଥାପି ମୋର ରଙ୍ଗଢ଼ଙ୍ଗରୁ ଜଣାଯାଉଥିଲା–ଭାଇଙ୍କ ପ୍ରତି ମୋର ତିଳେ ଡର ନାହିଁ । ସେ ମୋର ରଙ୍ଗଢ଼ଙ୍ଗ ଦେଖି ନେଲେ ।

 

ତାଙ୍କର ସହଜ ବୁଦ୍ଧି ଅତ୍ୟନ୍ତ ତୀବ୍ର ଥିଲା । ଦିନେ ସକାଳର ସମସ୍ତ ସମୟ ଡାଇଁପିଲରେ କଟାଇ ଦେଇ ମୁଁ ଯେତେବେଳେ ଠିକ୍ ଖାଇବାବେଳକୁ ଫେରି ଆସିଲି, ଭାଇ ମୋ ଉପରେ ଖଡ଼୍‌ଗହସ୍ତ ହୋଇ ଭାଙ୍ଗିପଡ଼ିଲେ । –‘‘ଦେଖୁଛି, ଏ ବର୍ଷ ତୁ ପାସ୍‌ କରି କ୍ଲାସ୍‍ରେ ପ୍ରଥମେ ହେଲୁ ବୋଲି ତୋର ଭାରି ଗର୍ବ; କିନ୍ତୁ ମନେରଖ–ବଡ଼ବଡ଼ୁଆଙ୍କ ତ ଗର୍ବ ରହେନି, ତୁ ଛାର ଗୋଟାଏ କେତେ ? ରାବଣର କି ଦଶା ହେଲା–ଇତିହାସରୁ ପଢ଼ିଥିବୁ । ତା’ର ଚରିତ୍ର ପାଠ କରି ତୁ କି ଉପଦେଶ ଗ୍ରହଣ କଲୁ ? ନା, ପଢ଼ିବାକୁ ହେବ ବୋଲି ପଢ଼ିଗଲୁ ?

 

କେବଳ ପରୀକ୍ଷାରେ ପାସ୍‌ କରିଯିବା ଗୋଟାଏ ବଡ଼କଥା ନୁହେଁ । ବୁଦ୍ଧିର ବିକାଶହିଁ ଅସଲ କଥା । ଯାହା କିଛି ପଢ଼ିଲେ ମଧ୍ୟ ତା’ର ଅଭିପ୍ରାୟ ବୁଝିବା ଦରକାର । ରାବଣ ସାରା ଜଗତର ରାଜା ଥିଲା । ଏଭଳି ରାଜାମାନଙ୍କୁ ଚକ୍ରବର୍ତ୍ତୀ କହନ୍ତି । ଇଂରେଜମାନଙ୍କର ରାଜ୍ୟ ଆଜିକାଲି ଖୁବ୍‌ ବଢ଼ିଯାଇଛି । ତଥାପି ଏମାନଙ୍କୁ ଚକ୍ରବର୍ତ୍ତୀ କୁହାଯାଇ ନ ପାରେ ! ଜଗତର ଅନେକ ରାଷ୍ଟ୍ର ଇଂରେଜମାନଙ୍କର ଆଧିପତ୍ୟ ସ୍ୱୀକାର କରନ୍ତିନି । ଏକବାରେ ସ୍ୱାଧୀନ ମନେ କରନ୍ତି । ରାବଣ କିନ୍ତୁ ଚକ୍ରବର୍ତ୍ତୀ ରାଜା । ଜଗତର ସମସ୍ତ ରାଜ୍ୟ ତାକୁ କର ଦେଉଥିଲେ । ବଡ଼ବଡ଼ ଦେବତାଗଣ ତା’ର ଚାକର ଥିଲେ । ଅଗ୍ନି ଓ ଜଳଦେବତା ମଧ୍ୟ ତା’ର ଦାସ ଥିଲେ । ଶେଷ ଅବସ୍ଥା କିନ୍ତୁ କ’ଣ ହେଲା ? ଗର୍ବ ଯୋଗୁଁ ତା’ର ନାମଗନ୍ଧ ପର୍ଯ୍ୟନ୍ତ ଲୋପ ପାଇଗଲା । ରାବଣର ପାଟିରେ ଟୋପାଏ ପାଣି ଦେବା ଲାଗି ମଧ୍ୟ କେହି ରହିଲେ ନାହିଁ । ମଣିଷ ଯାହା କୁକର୍ମ କରୁଛି କରୁ, କିନ୍ତୁ ଅଭିମାନ ନ କରୁ । ଅଭିମାନ କଲା ତ ବେଶ୍‌ ଇହକାଳ ଓ ପରକାଳରେ ତା’ର ସ୍ଥାନ ନାହିଁ । ତମୋଗୁଣଯୁକ୍ତ ସଇତାନର କଥାବି ପଢ଼ିଥିବୁ । ତା’ର ଅଭିମାନ ଥିଲା–ତା’ଠୁ ବଳି ସଚ୍ଚା ଈଶ୍ୱର ଭକ୍ତ ଏ ସଂସାରରେ କେହି ନାହାନ୍ତି । ଶେଷରେ କିନ୍ତୁ ତାକୁ ସ୍ୱର୍ଗରୁ ନର୍କକୁ ଠେଲି ଦିଆଗଲା-। ଶାହେରୁମ୍‌ବି ଥରେ ଅହଂକାର ପୋଷଣ କରିଥିଲା । ଶେଷରେ ଭିକ ମାଗି ମାଗି ମଲା । ତୁ ତ ବର୍ତ୍ତମାନ ସୁଦ୍ଧା ଗୋଟାଏ କ୍ଲାସ୍‌ ପାସ୍‌ କରିଛୁ ! ଏବଠୁଁ ତୋର ମୁଣ୍ତବୁଲା ହେଲାଣି । ତୁ କିନ୍ତୁ ବୁଝି ରଖିବା ଉଚିତ ଯେ, ତୁ ନିଜର ପରିଶ୍ରମଦ୍ୱାରା ପାସ୍ କରିନୁ, ପୋକ କାଟୁ କାଟୁ ‘ଠ’ ହୋଇ ଯାଇଛି ଯାହା । ଏ ସଫଳତା କେବଳ ଥରକପାଇଁ, ବାରମ୍ୱାର ଏଭଳି ସଫଳତା ମିଳେନା । ଡାଇଁପିଲି ଖେଳରେବି ବେଳେବେଳେ ଅନ୍ଧଭାବରେ ବାଡ଼ି ବୁଲେଇବାଦ୍ୱାରା ଲକ୍ଷ୍ୟ ହାସଲ ହୋଇଥାଏ-। କିନ୍ତୁ ପ୍ରକୃତ ଖେଳାଳି କେହି ଜାଣୁ ? ସେଇ–ଯେ ଥରକପାଇଁ ମଧ୍ୟ ଲକ୍ଷ୍ୟଭ୍ରଷ୍ଟ ହୁଏନା । ମୋର ଫେଲ୍ ହେବା ତେଣେ ଥାଉ, ଯେବେ ମୋର କ୍ଲାସ୍‍କୁ ଆସି ଆଲ୍‌ଜେବ୍ରା ଏବଂ ଜ୍ୟାମିତି ରୂପକ ଲୁହାର ଚଣା ଚୋବେଇବୁ ଏବଂ ଇଂଲଣ୍ତ ଇତିହାସ ପଢ଼ିବୁ, ସେତେବେଳେ ତୋର ଦାନ୍ତ ଝଡ଼ି ପଡ଼ିବ-। ବୁଝିଛୁ, ବାଦଶାହମାନଙ୍କର ନାମ ମନେ ରଖିବା ଏଡ଼େ ସହଜ ? ଆଠ ଆଠଟା ହେନେରୀ ଗଲେଣି । କେଉଁ ହେନେରୀ ରାଜୁତିରେ କି କାଣ୍ତ ଘଟିଲା......ଏ ସମସ୍ତ ମନେ ରଖିବା ଏଡ଼େ ସହଜ ନୁହେଁ । ହେନେରୀ ସପ୍ତମ ସ୍ଥାନରେ ହେନେରୀ ଅଷ୍ଟମ ଲେଖି ଦେଲୁ ତ ମୋଟେ ନମ୍ୱର ମିଳିବ ନାହିଁ । ସବୁ ସାଫ୍ । ଶୂନଟିଏବି ମିଳିବନି.....ଶୂନଟିଏ ! କ’ଣ ବିଚାରିଛୁ ? ଡଜନ୍ ଡଜନ୍ ଜେମ୍‌ସ, ଡଜନ୍ ଡଜନ୍ ଉଇଲିଅମ୍‌, କୋଡ଼ି କୋଡ଼ି ଚାର୍ଲସ......ମୁଣ୍ତ ଏକବାରେ ଘୂରି ଯାଏଁ-। ପଢ଼ି ପଢ଼ି ମଣିଷ ଅନ୍ଧ ହୋଇପଡ଼େ । ଅଭାଗାମାନଙ୍କୁ ଅନ୍ୟ ନାମ ମିଳୁ ନଥିଲା ଯିମିତି ! ଗୋଟିଏ ମାତ୍ର ନାମର ପଛରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ......ଲଗେଇ ଲଗେଇ ଚାଲିଗଲେ-। ମତେ ପଚାରି ଥାଆନ୍ତେ ଯଦି ଦଶ ଲକ୍ଷ ନାମ ବତେଇ ଦେଇଥାନ୍ତି ।

 

ଜ୍ୟାମିତି କଥା କ’ଣ କହିବି ? ଭଗବାନହିଁ ଭରସା । ଅବଜ ସ୍ଥାନରେ ଅଜବ ଲେଖି ଦେଲୁ ତ ସବୁ ନମ୍ବର କଟିଗଲା । କେହି ଏଇ ନିର୍ଦ୍ଦୟ, ମମତାହୀନ ଶିକ୍ଷକମାନଙ୍କୁ ପଚାରନ୍ତିନି ଯେ, ଅବଜ ଏବଂ ଅଜବ ଭିତରେ କି ଫରକ ରହିଛି ଏବଂ ବୃଥାରେ କାହିଁକି ଛାତ୍ରମାନଙ୍କର ରକ୍ତ ଶୋଷଣ କରାଯାଉଛି ? ଡାଲି, ଭାତ, ରୋଟି ଖାଇଲି କହିବା ଯାହା, ଭାତ, ଡାଲି, ରୋଟି ଖାଇଲି କହିବା ତାହା । ଏଥିରେ ଅବା କ’ଣ ଅଛି ? କିନ୍ତୁ ପରୀକ୍ଷକମାନଙ୍କର ଖାତିର ରହିବ କାହିଁକି ? ସେମାନେ ଚାହାନ୍ତି–ପୁସ୍ତକରେ ଯାହା ଯାହା ଲେଖା ଅଛି ପିଲାଏ ମୁଖସ୍ଥ କରି ନିଅନ୍ତୁ । ବର୍ତ୍ତମାନ ଏଇ ଘୋଷା ବିଦ୍ୟାକୁ ଶିକ୍ଷା ନାମରେ ନାମିତ କରାଯାଇଛି । ଫେର୍ ଏଭଳି ମୁଣ୍ତଗଣ୍ତି ହୀନ ବିଷୟ ପଢ଼ିବାରେ କି ଲାଭ ? ଏଇ ରେଖା ଉପରେ ସେଇ ଲମ୍ୱ ଟାଣ ଯାହାର ଆଧାର ଲମ୍ବର ଦୁଇ ଗୁଣ ହେବ । ଆଚ୍ଛା, ୟାର କି ପ୍ରୟୋଜନ ଅଛି ? ଦୁଇ ଗୁଣ କାହିଁକି ଚାରିଗୁଣ କିମ୍ବା ତା’ର ଅଧା ହେଉ, ଯାଏଁ ଆସେ କେତେ ? କିନ୍ତୁ ପରୀକ୍ଷାରେ ପାସ୍‌ କରିବାକୁ ହେଲେ ଏ ସମସ୍ତ କଦର୍ଯ୍ୟ କଥା ରଖିବାକୁହିଁ ହେବ । କହିଲେ ‘ସମୟର ମୂଲ୍ୟ’ ଉପରେ ଏକ ପ୍ରବନ୍ଧ ଲେଖ ଯାହା ଚାରି ପୃଷ୍ଠାରୁ କମ୍‌ ନହୁଏ । ବର୍ତ୍ତମାନ ଖାତା ଖୋଲି ଚାରି ପୃଷ୍ଠା ଯାଏଁ ବୃଥା ପରିଶ୍ରମ କରିଯା । କିଏ ଜାଣେନି ଯେ ସମୟର ମୂଲ୍ୟ ବୁଝିବା ଏକ ଉତ୍ତମ କଥା । ଏହାଦ୍ୱାରା ମଣିଷ ସଂଯମୀ ହୁଏ । ସମସ୍ତେ ତାକୁ ସ୍ନେହ ଚକ୍ଷୁରେ ଦେଖନ୍ତି ଏବଂ ତା’ର ବ୍ୟବସାୟ ଉନ୍ନତି ଲାଭ କରେ । କିନ୍ତୁ ଏଇ ଛୋଟିଆ କଥାଟାକୁ ନେଇ ଚାରି ପୃଷ୍ଠା ଅବା କି ଭଳି ଲେଖାଯିବ ? ଯେଉଁ କଥାଟାକୁ ଗୋଟିଏ ବାକ୍ୟରେ କୁହାଯାଇପାରେ, ତାକୁ ନେଇ ଏକାବେଳକେ ଚାରି ପୃଷ୍ଠା ଲେଖି ବସିବାରେ ଅବା କି ସାର୍ଥକତା ? ମୁଁ କହେ ଏହା ମୂର୍ଖତା । ଏଠି ତ ସମୟର ମୂଲ୍ୟ ରକ୍ଷା କରାଗଲା ନାହିଁ; ବରଂ ତା’ର ଅସଦ୍‌ବ୍ୟବହାର କରାଗଲା । କୌଣସି ବ୍ୟର୍ଥ ବିଷୟକୁ ନେଇ ପ୍ରବନ୍ଧ ଭିତରେ ଭରତି କରିବାକୁ ହେବ । ଆମେ ଚାହୁଁ ମଣିଷ ଯାହା କହିବ ଚଟ୍‌ପାଟ୍‌ କହିଯାଉ । କିନ୍ତୁ ନା........ଚାରିପୃଷ୍ଠା ଲେଖିବାକୁଇ ହେବ । ଯେ ଭଳି ଲେଖୁଚ ଲେଖ । ଫୁଲ୍‌ସ୍କେପ୍‌ ଚାରିପୃଷ୍ଠା ! ! ! ଛାତ୍ରମାନଙ୍କ ଉପରେ ଏହା ଅତ୍ୟାଚାର ନ ହୋଇ ଆଉ କ’ଣ ହୋଇପାରେ ? ‘‘ସଂକ୍ଷେପରେ ଲେଖ’’–ଏଭଳି କହିବାର ତ କୌଣସି ମାନେ ନାହିଁ । ସମୟର ମୂଲ୍ୟ ନିରୂପଣ କରି ଏକ ପ୍ରବନ୍ଧ ଲେଖ–ଯାହା ଚାରିପୃଷ୍ଠାରୁ କମ୍‌ ନହୁଏ । ଏହା କ’ଣ ଠିକ୍‌ ? କହିଲେ–ସଂକ୍ଷେପରେ ଚାରିପୃଷ୍ଠା ଲେଖ । କ’ଣ ଶଏ ଦୁଇଶ ପୃଷ୍ଠା ଲେଖାଇଥାନ୍ତେ ? ଚଞ୍ଚଳ ଚାଲ ଏବଂ ଧୀରେ ଧୀରେ ମଧ୍ୟ । ଏ କ’ଣ ଓଲଟା କଥା ନୁହ ? ଏତେ ଟିକେ କଥା ଛୋଟ ଛୁଆବି ବୁଝିବ, କିନ୍ତୁ ଏଇ ଅଧ୍ୟାପକମାନଙ୍କର ଏତେ ଟିକେ ବୁଦ୍ଧି ନାହିଁ । ପୁଣି କ’ଣ ନା, କହି ବୁଲନ୍ତି ଆମେ ଅଧ୍ୟାପକ ! ମୋ କ୍ଲାସ୍‌କୁ ଆସିଲେ ତତେ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିବ ଏବଂ ତେବେ ଯାଇ ସଂସାର ବିଷୟରେ ତୋର ଜ୍ଞାନୋଦୟ ହେବ । ଏବେ କ୍ଲାସ୍‍ରେ ପ୍ରଥମ ହୋଇଗଲୁ ବୋଲି ତୋର ପାଦ ତଳେ ଲାଗୁନି । ଏଥର ମୋ କଥା ଶୁଣ । ମୁଁ ଲକ୍ଷେ ଥର ଫେଲ୍‌ କରିଥିଲେବି ତୋଠାରୁ ଅବଶ୍ୟ ବଡ଼ । ତୋ ଅପେକ୍ଷା ଏ ସଂସାରକୁ ମୁଁ ଅଧିକ ଚିହ୍ନେ । ମୁଁ ଯାହା କହୁଛି ଗଣ୍ଠି ଦୃଢ଼ କର ନାହିଁ ତ ପଶ୍ଚାତ୍ତାପ କରିବୁ ।’’

 

ସ୍କୁଲ୍ ସମୟ ପାଖେଇ ଆସିଥିଲା । ଉପଦେଶମାଳା କେତେବେଳେ ସମାପ୍ତ ହେବ ଭଗବାନଙ୍କୁହିଁ ଗୋଚର । ଖାଇବା ଆଜି ମୋଟେ ପ୍ରୀତିପ୍ରଦ ବୋଧ ହେଲାନି । ପରୀକ୍ଷାରେ ପାସ୍‍କରି ସୁଦ୍ଧା ଯେତେବେଳେ ଏଭଳି ତିରସ୍କାର ମିଳିଲା, ଫେଲ୍‌ କରିଥିଲେ ହୁଏତ ପ୍ରାଣ ପର୍ଯ୍ୟନ୍ତ ଚାଲିଯାଇଥାନ୍ତା । ଭାଇ ତାଙ୍କ କ୍ଲାସ୍‌ର ପଢ଼ା ସମ୍ପର୍କରେ ମୋ ଆଗରେ ଯେଉଁ ଭୟଙ୍କର ବର୍ଣ୍ଣନା ବାଢ଼ିଥିଲେ, ତାହା ମୋତେ ଭୟଭୀତ କରାଇଦେଲା । ସ୍କୁଲ୍ ଛାଡ଼ି ପଳାଇ ନଗଲି କିପରି–ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଏତେ ତିରସ୍କାର ପାଇ ସୁଦ୍ଧା ପୂର୍ବଭଳି ପୁସ୍ତକ ପଢ଼ି ମୋର ଅରୁଚି ବଜାୟ ରହିଲା । ଖେଳାଧୂଳାର ଗୋଟାଏ ଅବସରବି କରଛଡ଼ା କରେନି । ଯଦିଓ ପଢ଼େ, ବହୁତ କମ୍‌ । ବେଶ୍‌, ପ୍ରତିଦିନର କାର୍ଯ୍ୟ ପୂରା ହୋଇଯିବା ଭଳି ଏବଂ କ୍ଲାସ୍‌ରେ ଅପମାନିତ ନ ହେବା ଭଳି ପଢ଼ି ନେଉଥିଲି । ନିଜ ଉପରେ ଯାହା ବିଶ୍ୱାସ ଥିଲା ଲୋପ ପାଇଗଲା । ଫେର୍‌ ଚୋର ଭଳି ଜୀବନ କଟେଇବାକୁ ଲାଗିଲି ।

 

ପୁଣି ଥରେ ବାର୍ଷିକ ପରୀକ୍ଷା ହେଲା । ପୁଣି ଏଭଳି ଘଟିଲା ଯେ ମୁଁ ପାସ୍‌ କରିଗଲି ଏବଂ ଭାଇ ଫେଲ୍‌ କଲେ । ଯଦିଓ ମୁଁ ବିଶେଷ ପରିଶ୍ରମ କରି ନଥିଲି, ତଥାପି ଜାଣେନା କି ଭଳି କ୍ଲାସ୍‌ରେ ପ୍ରଥମ ହେଲି । ଏ କଥାରେ ମୁଁ ନିଜେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲିନି । ଭାଇ ପ୍ରାଣାନ୍ତକ ପରିଶ୍ରମ କରିଥିଲେ । ପାଠ୍ୟ ବିଷୟର ପ୍ରତ୍ୟେକ ଶବ୍ଦ ସେ ମୁଖସ୍ଥ କରି ନେଇଥିଲେ । ତାଙ୍କର ପଢ଼ା ସମୟ ଥିଲା–ଏଆଡ଼ୁ ରାତି ଦଶଟା ଯାଏଁ, ପୁଣି ଭୋର ଚାରିଟାକୁ ସେଆଡ଼େ ଏବଂ ସ୍କୁଲ୍‍କୁ ଯିବା ପୂର୍ବରୁ ସକାଳ ଛ’ଟାରୁ ନ’ଟା ଯାଏଁ । ମୁଖଶ୍ରୀ ତାଙ୍କର କାନ୍ତିହୀନ ହୋଇ ପଡ଼ିଥିଲା । ଅଭାଗା କିନ୍ତୁ ଫେଲ୍‌ କଲେ । ତାଙ୍କ ପ୍ରତି ମୋ ହୃଦୟରେ କରୁଣା ଜାତହେଲା । ପରୀକ୍ଷା ଫଳ ଘୋଷଣା ପରେ ପରେ ସେ କାନ୍ଦିବାକୁ ଲାଗିଲେ । ମୁଁ ବି କାନ୍ଦିଲି । ଭାଇ ଫେଲ୍‌ କରୁଥିବା ଯୋଗୁଁ ମୋର ଉତ୍ତୀର୍ଣ୍ଣଜନିତ ଆନନ୍ଦ ପ୍ରାୟ ଅଧାଅଧି କମିଗଲା । ମୁଁ ଯଦି ଫେଲ୍‌ କରିଥାନ୍ତି, ଭାଇଙ୍କୁ ଏତେ ଦୁଃଖ ହୋଇ ନଥାନ୍ତା । ସବୁ କିନ୍ତୁ ନିୟତିର ନିୟମ !

 

ତାଙ୍କ ମୋ ଭିତରେ ବର୍ତ୍ତମାନ ଆଉ ମାତ୍ର ଗୋଟିଏ କ୍ଲାସ୍‍ର ଅନ୍ତର ରହିଲା । ମୋ ମନରେ କୁଟିଳ ଚିନ୍ତା ଜାତହେଲା–ଭାଇ ଆଉ ଗୋଟିଏ ବର୍ଷ ଫେଲ୍‌ କରି ଯାଆନ୍ତୁ, ମୁଁ ତାଙ୍କ ସହିତ ମିଶିଯାଏଁ । ସେ ଆଉ କିପରି ଗାଳି ଦେବେ ? ମୁଁ କିନ୍ତୁ ଏଭଳି ନୀଚ ବିଚାରକୁ ବଳପୂର୍ବକ ମନରୁ ତଡ଼ି ଦେଲି । କେବଳ ମୋର ହିତପାଇଁ ସେ ମୋତେ ଗାଳିଦିଅନ୍ତି । ଏକ୍ଷଣି ସେ ସବୁ ମତେ ଅପ୍ରିୟ ଜଣାଯାଉଛି ନିଶ୍ଚୟ; କିନ୍ତୁ ହୁଏତ ତାଙ୍କର ଉପଦେଶାବଳୀର ପ୍ରଭାବରୁ ମୁଁ ପରୀକ୍ଷାରେ ପାସ୍‌ କରି ଯାଉଛି ଏବଂ ଭଲ ନମ୍ୱର ରଖିପାରୁଛି ମଧ୍ୟ ।

 

ଏଥର ଭାଇ ଟିକେ ନରମି ଯାଇଛନ୍ତି । ମତେ ଗାଳି ଦେବା ଲାଗି ଅବସର ପାଇ ମଧ୍ୟ ଧୈର୍ଯ୍ୟ ଧରି ଚୁପ୍‌ ରହିଚନ୍ତି । ବୋଧହୁଏ ସେ ବୁଝି ପାରିଥିଲେ ମୋତେ ଗାଳି ଦେବାର ଅଧିକାର ତାଙ୍କର ନାହିଁ, ଯଦିଓ ଅଛି ବହୁତ କମ୍‌ । ମୋର ସ୍ୱାତନ୍ତ୍ର ବଢ଼ିବାକୁ ଲାଗିଲା । ତାଙ୍କର ସହିଷ୍ଣୁତାବଶତଃ ମୁଁ ଅନୁଚିତ ଲାଭ ଉଠେଇବାକୁ ଲାଗିଲି । ମୁଁ ପଢ଼େ ବା ନ ପଢ଼େ ନିଶ୍ଚୟ ପାସ୍‌ କରିବି–ସେଭଳି ଏକ ଧାରଣା ମୋ ଭିତରେ ଜାତହେଲା । ମୋର ଭାଗ୍ୟ ଆଣ୍ଟ । ସୁତରାଂ ଭାଇଙ୍କ ଡରରେ ଯାହା ଅବା ଟିକେ ପଢ଼ୁଥିଲି, ସେତକ ବନ୍ଦ ହୋଇଗଲା । ଘୁଡ଼ି ଉଡ଼େଇବା ଲାଗି ମୋ ଭିତରେ ଏକ ନୂତନ ସଉକ ଜାଗି ଉଠିଲା ଏବଂ ସମସ୍ତ ସମୟ ସେଇଥିରେ କଟେଇବାକୁ ଲାଗିଲି-। ତଥାପି ଭାଇଙ୍କ ପ୍ରତି ମୋର ସମ୍ମାନ ଥିଲା ଏବଂ ତାଙ୍କୁ ଲୁଚି ଲୁଚି ମୁଁ ଘୁଡ଼ି ଉଡ଼ାଇଥିଲି-। ଘୁଡ଼ି ଦଉଡ଼ିରେ ମହଣ ବୋଳିବା, ଘୁଡ଼ିରେ ଦଉଡ଼ି ବାନ୍ଧିବା ଇତ୍ୟାଦି ଓ ଘୁଡ଼ି ଉଡ଼ା ପ୍ରତିଯୋଗିତାର ସମସ୍ତ ବ୍ୟବସ୍ଥା ଗୁପ୍ତ ଭାବରେ ସମାଧାନ କରାଯାଉଥିଲା । ଭାଇଙ୍କ ପ୍ରତି ମୋର ସମ୍ମାନ ଏବଂ ବ୍ୟବହାର ନଷ୍ଟ ହୋଇଛି ବୋଲି ସେପରି ଯେଭଳି ସନ୍ଦେହ ନ କରନ୍ତି, ସେଥିପ୍ରତି ମୁଁ ସଜାଗ ଥିଲି-

 

ଦିନେ ସନ୍ଧ୍ୟାବେଳେ, ହଷ୍ଟେଲ୍‍ଠାରୁ ଦୂରରେ ଉଡ଼ି ଯାଉଥିବା ଗୋଟାଏ ଘୁଡ଼ିକୁ ଧରିବା ଲାଗି ମୁଁ ଖୁବ୍‌ ଜୋରରେ ଧାଇଁ ଯାଉଥିଲି । ଆଖି ଦୁଇଟି ମୋର ଆକାଶରେ ଲାଗି ରହିଥିଲା ଏବଂ ମନଲାଖି ରହିଥିଲା ସେଇ ଆକାଶଗାମୀ ପଥିକଟି ଉପରେ । ଯେ କି ଧୀରେ ଧୀରେ ଝୁଲି ଝୁଲି ପତନୋନ୍ମୁଖୀ ଥିଲା । ଯେପରି କି କୌଣସି ଆତ୍ମା ବିରକ୍ତ ମନରେ ସ୍ୱର୍ଗଲୋକରୁ ବାହାରି ନୂତନ ସଂସ୍କାର ପଥରେ ଚାଲିଯାଉଛି । ବାଳକମାନଙ୍କର ଗୋଟାଏ ଫଉଜ ବାଉଁଶ ନଳ ଏବଂ କଣିକା ହାତରେ ଧରି ତାକୁ ସ୍ୱାଗତ ଜଣାଇବା ପାଇଁ ଦଉଡ଼ି ଆସୁଥିଲେ । ଆଗପଛର ଖବର କାହାକୁ ଜଣା ନଥିଲା । ଜଣା ଯାଉଥିଲା ପତଙ୍ଗଟି ସହିତ ସଭିଏଁ ଆକାଶରେ ଉଡ଼ି ଯାଉଛନ୍ତି; ସେମାନଙ୍କର ଗତିପଥ ସମତଳ ଏବଂ ମୋଟରକାର୍, ଗାଡ଼ି ଓ ଟ୍ରାମ୍‌ର ଦୌରାତ୍ମ୍ୟରୁ ମୁକ୍ତ ।

 

ସହସା ଭାଇଙ୍କ ସହିତ ମୋର ମୁହାଁମୁହିଁ ଧକ୍କା ଲାଗିଲା । ବୋଧହୁଏ ସେ ବଜାରରୁ ଫେରୁଥିଲେ । ସେ ସେଇଠାରେହିଁ ମୋର ହାତ ଧରି ପକାଇଲେ ଏବଂ ଉଗ୍ର ଭାବ ଧାରଣ କରି କହିଲେ–‘‘ଏଇ ବଜାରୀ ପିଲାଙ୍କ ସହିତ ଆଠଣିକିଆ ଗୋଟାଏ ଘୁଡ଼ି ଧରିବାକୁ ଧାଇଁ ଚାଲିଛୁ ? ତତେ ଲାଜ ମାଡ଼ୁନି ? ତୁ ଏବେ ତଳ କ୍ଲାସ୍‌ରେ ନାହୁଁ, ଆଠ କ୍ଲାସ୍‌କୁ ଆସି ଗଲୁଣି, ଏବଂ ମୋଠାରୁ ମାତ୍ର ଗୋଟିଏ କ୍ଲାସ୍ ତଳେ । ତୋର ଟିକିଏ ହେଲେ ଭଦ୍ରତା ନାହିଁ ? ମଣିଷ ନିଜର ଆସ୍ଥାନ ରକ୍ଷା କରିବା ଉଚିତ ନୁହ କି ? ଇମିତି ଏକ ସମୟ ଥିଲା, ଲୋକେ ଆଠ କ୍ଲାସ୍‌ ପାସ୍‌ କରି ନାଏବ୍‌ ତହସିଲଦାର ହୋଇ ଯାଉଥିଲେ । ମୁଁ ଏପରି କେତେକ ଅଧାପାଠୁଆଙ୍କୁ ଜାଣେ, ଯେଉଁମାନେ ଆଜି ପ୍ରଥମ ଶ୍ରେଣୀର ଡେପୁଟି ମାଜିଷ୍ଟ୍ରେଟ କିମ୍ବା ସୁପରିଟେନ୍‌ଡ଼େଣ୍ଟ । ଆଠ କ୍ଲାସ୍‌ ପାସ୍‌ କରିଥିବା ଅନେକ ଲୋକ ଆଜି ଆମର ନେତା କିମ୍ବା ଖବରକାଗଜ ସମ୍ପାଦକ । ବଡ଼ବଡ଼ ବିଦ୍ୱାନ ତାଙ୍କ ତଳେ ଚାକିରି କରନ୍ତି । ଆଉ ତୁ ସେଇ ଆଠ କ୍ଲାସ୍‌ର ଛାତ୍ର ହୋଇ ବଜାରୀ ଟୋକାଙ୍କ ସହିତ ଘୁଡ଼ି ଉଡ଼େଇବାରେ ଲାଗିଛୁ ! ତୋର ଏଇ ନିର୍ବୋଧତା ଲାଗି ମୋର ଦୁଃଖ ହେଉଛି । ଅବଶ୍ୟ ତୁ ବୁଦ୍ଧିମାନ୍‌ କିନ୍ତୁ ବୁଦ୍ଧି ଥାଇ କି ଲାଭ ଯାହା ଆମର ଆତ୍ମଗୌରବକୁ କଳଙ୍କିତ କରେ । ହୁଏତ ତୁ ମନେମନେ ଭାବୁଥିବୁ–ଭାଇଙ୍କଠାରୁ ମୁଁ କେବଳ ଗୋଟିଏ କ୍ଲାସ୍‌ ତଳେ ଏବଂ ସେ ମୋତେ ଉପଦେଶ ଦେବାଲାଗି ହକ୍‍ଦାର ନୁହନ୍ତି । ଏହା କିନ୍ତୁ ତୋର ଭୁଲ ଧାରଣା । ମୁଁ ତୋଠାରୁ ପାଞ୍ଚବର୍ଷ ବଡ଼ । ହୁଏତ ତୁ ମୋ କ୍ଲାସ୍‍କୁ ଆସିଯାଇପାରୁ । ପରୀକ୍ଷକଗଣ ବିଚାରନ୍ତି ଆସନ୍ତା ବର୍ଷ ନିଶ୍ଚୟ ତୁ ମୋ କ୍ଲାସ୍‍କୁ ଆସିଯିବୁ ଏବଂ ହୁଏତ ଆଉ ବର୍ଷକ ପରେ ମୋଠାରୁ ଆଗେଇଯିବୁ ମଧ୍ୟ । କିନ୍ତୁ ତୋ, ମୋ ଭିତରେ ଯେଉଁ ପାଞ୍ଚବର୍ଷର ତଫାତ୍‌ ରହିଛି, କେବଳ ତୁ କାହିଁକି ସ୍ୱୟଂ ଭଗବାନବି କମେଇ ଦେଇ ପାରିବେନି । ଅଲବତ୍‌ ମୁଁ ତୋଠାରୁ ପାଞ୍ଚବର୍ଷ ବଡ଼ ରହିବି । ଏଇ ସଂସାର ଏବଂ ଜୀବନ ସମ୍ପର୍କରେ ମୋର ଯେ ଅଭିଜ୍ଞତା ରହିଛି, ତୁ ଏମ୍‌.ଏ., ଡି.ଲିଟ.ଡ଼ି. ଫିଲ୍‌ ପାସ୍ କଲେବି ତୋର ସେ ଅଭିଜ୍ଞତା ହେବନି । ପୁସ୍ତକ ପଢ଼ି ଅନୁଭୂତି ଅର୍ଜନ କରି ହୁଏନା, ସଂସାରର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଲେଇ ହୁଏ । ଆମର ମା’ ପାଠଶାଠ କିଛି ପଢ଼ି ନାହାନ୍ତି । ବାବା ମଧ୍ୟ ପାଞ୍ଚ ଛଅ କ୍ଲାସ୍‍ରୁ ଅଧିକ ପଢ଼ି ନାହାନ୍ତି । ଆମେ ସମଗ୍ର ଦୁନିଆର ବିଦ୍ୟା ହାସଲ କରି ପାରିଲେ ମଧ୍ୟ ଆମକୁ ବୁଝେଇ ଶୁଝେଇ ଠିକ୍‌ ବାଟକୁ ଆଣିବାର ଅଧିକାର ସର୍ବଦା ତାଙ୍କର ରହିବ । କେବଳ ଜନ୍ମଦାତା ବୋଲି ତାଙ୍କର ଏ ଅଧିକାର ଆମ ଉପରେ ରହିବନି । ଆମ ଅପେକ୍ଷା ସେମାନଙ୍କର ଦୁନିଆ ସମ୍ପର୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି ଓ ରହିଥିବ ।

 

ଆମେରିକାରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି । ଅଷ୍ଟମ ହେନେରୀ କେତୋଟି ବିବାହ କରିଥିଲେ ଏବଂ ଆକାଶରେ କେତୋଟି ନକ୍ଷତ୍ର ଅଛନ୍ତି–ଏ ସମସ୍ତ ବିଷୟ ସେମାନେ ନ ଜାଣନ୍ତୁ; ଏଭଳି ହଜାରେ କଥା ଅଛି ଯେଉଁ ବିଷୟରେ କି ତୋ–ମୋଠାରୁ ସେମାନଙ୍କର ଅଧିକ ଜ୍ଞାନ ଅଛି । ଦୈବୀ ଯୋଗରୁ ମୁଁ ଯଦି ବେମାର ପଡ଼େ, ତୁ ହତଜ୍ଞାନ ହୋଇ ପଡ଼ିବୁ । ବାବାଙ୍କ ନିକଟକୁ ତାର କରିବା ଛଡ଼ା ତୋ ଦେଇ ଆଉ କିଛି ହେବନି; କିନ୍ତୁ ତୋ ସ୍ଥାନରେ ଯଦି ବାବା ଥାଆନ୍ତି, ତାହାହେଲେ ସେ କାହାରି ପାଖକୁ ତାର କରିବେନି କିମ୍ବା ଘାବୁରେଇ ଯାଇ ବିକଳ ହୋଇ ପଡ଼ିବେନି । ପହିଲେ ରୋଗ ଚିହ୍ନି ନିଜେ ଚିକିତ୍ସା କରିବେ, ସଫଳ ନହେଲେ ଯାଇ କୌଣସି ଡାକ୍ତରଙ୍କୁ ଡାକିବେ । ବେମାରି–ଏ ହେଲା ଗୋଟାଏ ବଡ଼କଥା । ମାସକର ଖର୍ଚ୍ଚରେ ମାସେ କିପରି ଚଳାଯାଇପାରେ ସେ ଜ୍ଞାନ ତ ଆମର ନାହିଁ । ବାବା ଯାହା ପଠାନ୍ତି, ବାଇଶି ତେଇଶି ତାରିଖ ସୁଦ୍ଧା ଆମେ ତାହା ଖରଚ କରିଦେଉଁ । ପରେ ପଇସାଏ ପାଇଁ କାଙ୍ଗାଳ ବେଶରେ ଆମକୁ ଠିଆ ହେବାକୁ ପଡ଼େ । ଜଳଖିଆ ବନ୍ଦ । ପୁଣି କ’ଣ ନା ଧୋବା ଭଣ୍ତାରୀଙ୍କ ପାଖରେ ମୁହଁ ଦେଖାଇବାକୁ ଲାଜ ମାଡ଼େ ? ତୁ ମୁଁ ମିଶି ଆଜି ଯେତେକ ଖରଚ କରୁଚେ, ତା’ର ଅଧାକରେ ଆମର ବାବା ନ’ଜଣିକିଆ ଗୋଟାଏ କୁଟୁମ୍ବ ଚଳାଇ, ସମ୍ମାନ ଏବଂ ଯଶ ଅର୍ଜନ କରି, ଜୀବନର ଗୋଟାଏ ବଡ଼ ଭାଗ କଟାଇ ଦେଇ ପାରିଚନ୍ତି । ଆମ ହେଡ଼୍‍ମାଷ୍ଟରଙ୍କ କଥା ବିଚାର କର । ଏମ୍‌.ଏ. ପଢ଼ିଛନ୍ତି କି ନାହିଁ ? ପୁଣି ଆମ ଏଠାର ଏମ୍‌.ଏ. ନୁହନ୍ତି, ଆକସ୍‌ଫୋର୍ଡ଼ ଏମ୍‌.ଏ. ! ହଜାରେ ଟଙ୍କା ପାଆନ୍ତି । କିନ୍ତୁ ତାଙ୍କ ଘରର ଭଲ ଅସାର କିଏ ବୁଝେ ? ତାଙ୍କ ମା’ ବୁଢ଼ୀ । ଏଠାରେ ହେଡ଼୍‍ମାଷ୍ଟରଙ୍କର ଡିଗ୍ରୀର ମୂଲ୍ୟ ରହିଲା କେଉଁଠି ? ପହିଲେ ସେ ନିଜେ ନିଜ ଘରର ସମସ୍ତ ବ୍ୟବସ୍ଥା ବୁଝୁଥିଲେ । କେଉଁଠି ଖରଚ ଅଣ୍ଟୁ ନଥିଲା । କରଜ କରି ଚଳୁଥିଲେ । ଯେଉଁ ଦିନଠୁଁ ତାଙ୍କ ମା’ ଘରର ବ୍ୟବସ୍ଥା ନିଜ ହାତକୁ ନେଇଚନ୍ତି, ସେଇ ଦିନଠୁଁ ତାଙ୍କ ଘରେ ଲକ୍ଷ୍ମୀ ବିଜେ କରିଛନ୍ତି । ଶୁଣିଲୁ ତ ସବୁ ? ଏଥର ମୋ କ୍ଲାସ୍ ତଳକୁ ଆସି ଯାଇଛୁ ବୋଲି ଏବଂ ସ୍ୱତନ୍ତ୍ର ହୋଇ ଯାଇଛୁ ବୋଲି ତୋ ହୃଦୟରେ ଯାହା ଗର୍ବ ରହିଛି–ତ୍ୟାଗ କର । ତତେ ଚାପୁଡ଼ା ମାରିବାର କ୍ଷମତା ମୋର ଅଛି । ମୋ କଥା ତତେ ବିଷ ବୋଧ ହେଉଚି–ଏକଥା ମୁଁ ଜାଣେ ।

 

ତାଙ୍କର ଏଇ ନବୀନ ଯୁକ୍ତି ଆଗରେ ମୁଁ ନତମସ୍ତକ ହେଲି । ବାସ୍ତବିକ ମୁଁ ଆଜି ମୋ ଚିନ୍ତା ଭିତରେ ଥିବା ଲଘୁ ମନୋଭାବ ହୃଦୟଙ୍ଗମ କରି ପାରିଲି । ଭାଇଙ୍କ ପ୍ରତି ମନରେ ଶ୍ରଦ୍ଧା ଜାତହେଲା । ସଜଳ ଆଖିରେ ମୁଁ କହିଲି–‘‘ହଁ ତୁମେ ଯାହା କହୁଛ ସବୁ ସତ । ମୋତେ ଉପଦେଶ ଦେବାଲାଗି ଅବଶ୍ୟ ଅଧିକାର ରହିଛି ।’’

 

ଭାଇ ମତେ ସ୍ନେହରେ କୋଳ କରି ପକାଇଲେ ଏବଂ କହିଲେ–‘‘ଘୁଡ଼ି ଉଡ଼େଇବାକୁ ମୁଁ ଅବା ମନା କରନ୍ତି କାହିଁକି ? ଘୁଡ଼ି ଉଡ଼େଇବା ଲାଗି ମୋର କ’ଣ ଲୋଭ ନାହିଁ ? କିନ୍ତୁ କ’ଣ କରିବି ? ନିଜେ ଯଦି ଅବାଟରେ ଚାଲେ, ତତେ ଆଉ ବା ରକ୍ଷା କରିବି କିପରି ? ତତେ ଅବାଟରୁ ବାଟକୁ ଆଣିବାର ପୂରା କର୍ତ୍ତବ୍ୟ ମୋର ରହିଛି ।’’

 

ଯୋଗକୁ ଠିକ୍‌ ସେତିକିବେଳେ ଗୋଟାଏ ଛିଣ୍ତା ଘୁଡ଼ି ଆମ ମୁଣ୍ତ ଉପର ଦେଇ ଉଡ଼ିଗଲା । ଛିଣ୍ତା ସୂତା ଡୋରଟି ଘୁଡ଼ି ଦେହରୁ ଝୁଲି ରହିଥିଲା । ପିଲାମାନଙ୍କର ଗୋଟାଏ ଦଳ ପଛେ ପଛେ ଧାଇଁ ଆସୁଥିଲେ । ଭାଇ ତ ଡେଙ୍ଗା ମଣିଷ, ଡେଇଁ ଚଟ୍‌କରି ସୂତା ଡୋରଟି ଧରି ପକାଇଲେ ଏବଂ ହଷ୍ଟେଲ୍ ଆଡ଼କୁ ଧାଇଁଲେ । ପଛେ ପଛେ ମୁଁ ବି ଧାଇଁବାକୁ ଲାଗିଲି ।

Image

 

ଚୋରୀ

 

ହାୟରେ ଶୈଶବ ! ତୋର କଥା ଆଉ ପାସୋର ହେଉନି । ସେଇ କଚ୍ଚା, ଭଙ୍ଗା ଘର, ପାଳକୁଟାର ବିଛଣା, ନଗ୍ନ ଶରୀର, ନଗ୍ନ ପଦ ନେଇ କ୍ଷେତ ଭିତରର ଘୂରାଫେରା, ଆମ୍ବ ଗଛ ଚଢ଼ା–ସମସ୍ତ କଥା ଗୋଟି ଗୋଟି ହୋଇ ଆଖି ଆଗରେ ନାଚି ଯାଉଛି । ଚମଡ଼ାର ଜୋତା ପିନ୍ଧି ସେ ସମୟରେ ଯେ ଆନନ୍ଦ ପାଉଥିଲି, ଫ୍ଲେକ୍‌ସ ଜୋତାରେ ତାହା ଏବେ ବିରଳ ! ମଧୁର ଆଖୁ ରସର ମଜା ଏବେ ଗୋଲାପ ସର୍ବତ୍‍ରୁ ମିଳେନା ! ଭଜା ଶସ୍ୟ ଆଉ କଞ୍ଚା ବରକୋଳିର ଯେ ସ୍ୱାଦୁ, ବର୍ତ୍ତମାନ ଅଙ୍ଗୁର ଆଉ କ୍ଷୀରମୋହନରୁ କେଉଁଠୁଁ ମିଳେ ?

 

ମୁଁ ମୋର କକା ପୁଅ ଭାଇ ହଳଧର ସହିତ ଅନ୍ୟ ଏକ ଗ୍ରାମର ଜଣେ ମୌଲବୀ ସାହେବଙ୍କ ନିକଟକୁ ପଢ଼ିବାକୁ ଯାଉଥିଲି । ସେତେବେଳକୁ ମୋର ବୟସ ଥିଲା ଆଠବର୍ଷ । ସ୍ୱର୍ଗୀୟ ହଳଧର ମୋଠାରୁ ଦୁଇବର୍ଷ ବଡ଼ ଥିଲା । ଆମେ ଦୁହେଁ ସକାଳେ ବାସି ରୋଟି ଖାଇ, ଦୁଇ ପହର ଖିଆପାଇଁ ମଟର ଆଉ ଯଅ ଭଜାଧରି ମୌଲବୀ ସାହେବଙ୍କ ନିକଟକୁ ଯିବା ଉଦ୍ଦେଶ୍ୟରେ ଘରୁ ବାହାରି ପଡ଼ୁଥିଲୁ । ତେଣିକି ସାରା ଦିନ ଥିଲା ଆମ ନିଜର । ମୌଲବୀ ସାହେବଙ୍କ ନିକଟରେ କୌଣସି ରକମର ହାଜିରା ଖାତା ନଥିଲା କିମ୍ବା ଅନୁପସ୍ଥିତି ଲାଗି ଜୋରିମାନା ଦେବାକୁ ପଡ଼ୁ ନଥିଲା । ତେବେ କେଉଁ କଥାକୁ ଆଉ ଡର ? କେବେ ଥାନା ଆଗରେ ଠିଆ ହୋଇ ସିପାହୀମାନଙ୍କର କବାୟତ୍‌ (ମାର୍ଚ୍ଚିଙ୍ଗ୍) ଦେଖୁଁ ତ କେବେ ଭାଲୁ କିମ୍ୱା ମାଙ୍କଡ଼ ନଚାଳିର ଅନୁଗମନ କରି ଦିନ କଟାଇ ଦେଉଁ । ବେଳେବେଳେ ରେଳ ଷ୍ଟେସନ୍‌ ପଟେ ଚାଲି ଯାଇ ଗାଡ଼ି ଆସିବାର ସୌନ୍ଦର୍ଯ୍ୟ ଉପଭୋଗ କରୁଁ ମଧ୍ୟ । ଗାଡ଼ି ସମୟ ନେଇ ଆମର ଯେ ଜ୍ଞାନ ଥିଲା, ହୁଏତ ରେଲଓ୍ୱେ ଟାଇମ୍‌–ଟେବୁଲ୍‌ରୁ ସେ ଜ୍ଞାନ ଆହରଣ କରି ହେବ ନାହିଁ । ସହରର ଜଣେ ମହାଜନ ରାସ୍ତା କଡ଼ରେ ଗୋଟିଏ ବଗିଚା ତିଆରି ଆରମ୍ଭ କରିଥାନ୍ତି । ସେଠାରେ ଗୋଟାଏ କୂଅ ଖୋଳା ଯାଉଥାଏ । ତାହାବି ଆମ ପକ୍ଷରେ ଏକ ଚିତ୍ତାକର୍ଷକ ଦୃଶ୍ୟ ଥିଲା । ବୁଢ଼ା ମାଳୀ ତା’ର କୁଡ଼ିଆରେ ଆମକୁ ସସ୍ନେହେ ବସିବାକୁ କହେ । ଆମେ ତା’ ସହିତ କଜିଆ ଲଗାଇ ତା’ର କାମ କରିବସୁଁ । ବାଲଟି ନେଉ କେଉଁଠି ଗଛରେ ପାଣି ଦେଉଁ ତ କେଉଁଠି କୋଡ଼ିରେ କିଆରିର ମାଟି ତାଡ଼ୁ, ଏବଂ କେଉଁଠି କତୁରି ସାହାଯ୍ୟରେ ଶୁଖିଲା ପାଚିଲା ପତ୍ର କାଟି ଅଲଗା କରି ଦେଉଁ । ଉକ୍ତ ସମସ୍ତ କାର୍ଯ୍ୟରୁ ଆମେ ଅଶେଷ ଆନନ୍ଦ ଲାଭ କରୁଥିଲୁଁ । ମାଳୀ ଶିଶୁ ପ୍ରକୃତିର ପଣ୍ତିତ ଥିଲା । ସେ ଆମଠାରୁ କାମ ଆଦାୟ କରୁଥିଲା ଏବଂ ତଦ୍ୱାରା ଆମେ ଉପକୃତ ହେଉଥିଲୁଁ । ଗୋଟାଏ ଦିନରେ ସେ ଯେତେ କାମ କରେ, ଦୁଇ ଘଣ୍ଟା ପରିଶ୍ରମ କରି ଆମେ ସେତିକି କାମ କରି ଦେଉଁ । ସେ ଦିନର ସେ ମାଳୀ ଆଉ ନାହିଁ; କିନ୍ତୁ ବଗିଚାଟି ଶସ୍ୟ ଶ୍ୟାମଳିମାରେ ପରିପୂର୍ଣ୍ଣ ରହିଛି । ବଗିଚା ପାଖ ଦେଇ ଚାଲିଗଲାବେଳେ ମନେ ହୁଏ, ସେଇ ଗଛଗୁଡ଼ିକୁ କୋଳ କରି ଥୋଡ଼ାଏ କାନ୍ଦିବି ଆଉ କହିବି–‘‘ମୋର ପ୍ରିୟ ସୁହୃତ୍‌ ବୃକ୍ଷଗଣ ! ସତେ ତମେ ମତେ ଭୁଲିଗଲ ! ମୁଁ କିନ୍ତୁ ତୁମମାନଙ୍କୁ ଭୁଲି ପାରିନି । ମୋର ହୃଦୟ ଭିତରେ ତୁମର ସ୍ମୃତି ତୁମର ସବୁଜ ପତ୍ର ଭଳି ସବୁଜିତ ହୋଇ ରହିଛି । ନିଃସ୍ୱାର୍ଥ ପ୍ରେମର ଜୀବନ୍ତସ୍ୱରୂପ ତୁମେମାନେ !

 

ବେଳେବେଳେ ପାଠ ପଢ଼ି ନ ଯାଇ ଆମେ ସପ୍ତାହ ସପ୍ତାହ କଟାଇ ଦେଉଥିଲୁ ଏବଂ ଦରକାରବେଳେ ମୌଲବୀ ସାହେବଙ୍କୁ ଆମେ ଏଭଳି ଭୁଲେଇ ଦେଉଥିଲୁ ଯେ, ତାଙ୍କର ପ୍ରଚଣ୍ତ କ୍ରୋଧ ଏକବାରେ ଶାନ୍ତ ହୋଇଯାଉଥିଲା । ସେଇତକ କଳ୍ପନା ଶକ୍ତି ଆଜି ଯଦି ମୋର ଥାଆନ୍ତା, ତେବେ ମୁଁ ଗୋଟିଏ ଉପନ୍ୟାସ ରଚନା କରି ସମସ୍ତଙ୍କୁ ମୁଗ୍ଧ ଓ ଚକିତ କରି ଦେଇ ପାରନ୍ତି । ଏବର ଅବସ୍ଥା କିନ୍ତୁ କହିଲେ ନ ସରେ । ବହୁତ ଚିନ୍ତା କରିବା ପରେ ଯାଇ କୌଣସି କଥା ମୁଣ୍ତକୁ ଢୁକେ । ଆମର ମୌଲବୀ ସାହେବ ଥିଲେ ଦରଜି । କେବଳ ସଉକରେ ମୌଲବୀଗିରି କରୁଥାନ୍ତି । ଆମେ ଦୁଇ ଭାଇ ଆମ ଗାଁ କୁଡ଼ୁମ କୁହ୍ମାରଙ୍କ ଆଗରେ ତାଙ୍କ ଦରଜିପଣିଆର ଖୁବ୍‌ ପ୍ରଶଂସା କରୁଥିଲୁ । କୁହାଯାଇପାରେ, ଆମେ ମୌଲବୀ ସାହେବଙ୍କର ଭ୍ରାମ୍ୟମାଣ ପ୍ରତିନିଧି ଥିଲୁ । ଆମରି ଚେଷ୍ଟାରେ କେବେ ଯଦି ମୌଲବୀ ସାହେବଙ୍କୁ କିଛି କାମ ମିଳିଯାଏ, ତେବେ ଆମେ ଆନନ୍ଦରେ ଅଧୀର ହୋଇ ଉଠୁଥିଲୁ । ଯେବେ ମନକୁ କିଛି ଭଲ ଉପାୟ ଦେଖାଯାଉ ନଥିଲା, ସେତେବେଳେ ଆମେ ମୌଲବୀ ସାହେବଙ୍କ ପାଇଁ କିଛି ନା କିଛି ଭଲ ଉପହାର ନେଇ ଯାଉଥିଲୁ । କେବେ ସେରେ ଅଧସେରେ ଛୁଇଁ ତ କେବେ ପାଞ୍ଚ ଦଶ ଖଣ୍ତ ଆଖୁ ଏବଂ କେବେ ଯଅ କିମ୍ବା ଗହମର ସବୁଜ ଶିଂଷା । ଏ ସମସ୍ତ ଉପହାର ଦେଖୁଦେଖୁ ମୌଲବୀ ସାହେବଙ୍କର କ୍ରୋଧ ଶାନ୍ତ ହୋଇ ଯାଉଥିଲା-। ଯେବେ ଏ ସମସ୍ତ ଫସଲ ନଥାଏ, ଦଣ୍ତରୁ ରକ୍ଷା ପାଇବା ନିମିତ୍ତ ଆମେ ଅନ୍ୟ ଉପାୟ ଚିନ୍ତା କରି ବସୁଥିଲୁ ।

 

ମୌଲବୀ ସାହେବ ପକ୍ଷୀମାନଙ୍କୁ ଖୁବ୍‌ ଭଲ ପାଉଥିଲେ । ଆମ ପାଠଶାଳାରେ କୋଇଲି, ବୁଲ୍‌ବୁଲ୍‌, ଶୁଆ, ଶାରି ଆଦି ପକ୍ଷୀଙ୍କର ପଞ୍ଜୁରୀ ଥିଲା । ପାଠ ଆମର ମନେ ପଡ଼ୁ ନପଡ଼ୁ ପଛକେ, ପକ୍ଷୀମାନେ ସହଜରେ ସେ ସମସ୍ତ ସ୍ମରଣ କରିପାରୁଥିଲେ । ସେମାନେବି ଆମ ହସିତ ବଦଭ୍ୟାସ କରୁ ଥାଆନ୍ତି । ପକ୍ଷୀମାନଙ୍କ ପାଇଁ ବେସନ ପେଷିବାରେ ଆମେ ଖୁବ୍‌ ଉତ୍ସାହିତ ଥିଲୁ । ମୌଲବୀ ସାହେବ ଝିଣ୍ଟିକା ଆଦି କୀଟ ପତଙ୍ଗ ଖୋଜି ଆଣିବା ଲାଗି ପିଲାଙ୍କୁ ନିଯୁକ୍ତ କରନ୍ତି । ଏଇ କୀଟ ପତଙ୍ଗରେ ପକ୍ଷୀମାନଙ୍କର ଖୁବ୍‌ ରୁଚି । ଆମ ଉପରର ବିପତ୍ତି ବେଳେବେଳେ ଏଇ ପତଙ୍ଗଗୁଡ଼ିକ ଉପରେ ପଡ଼େ । ସେଗୁଡ଼ିକୁ ବଳି ଦେଇ, ମୌଲବୀ ସାହେବଙ୍କର ରୌଦ୍ର ରୂପକୁ ଆମେ ପ୍ରସନ୍ନ କରି ଦେଇପାରୁଥିଲୁ ।

 

ଦିନେ ସକାଳେ ଆମେ ଦୁଇ ଭାଇ ପୋଖରୀ କୂଳକୁ ମୁହଁ ଧୋଇବାକୁ ଯାଇଛୁ, ହଳଧର ମୁଠା ଭିତରୁ ଗୋଟାଏ ଶୁଭ୍ର ଜିନିଷ ଦେଖାଇଲା । ମୁଁ କୁଦାମାରି ଯାଇ ତା’ର ମୁଠା ଖୋଲି ଦେଖେ ତ ଗୋଟିଏ ଟଙ୍କା ! ବିସ୍ମୟରେ ପଚାରିଲି–‘‘ଏ ଟଙ୍କା ତୁ କେଉଁଠି ପାଇଲୁ ?’’

 

ହଳଧର କହିଲା–‘‘ମା’ ଏଇ ଟଙ୍କାଟି କାନ୍ଥ କୁରାରେ ରଖିଥିଲେ, ଖଟିଆଉପରେ ଚଢ଼ି ବାହାର କରି ଆଣିଚି ।’’

 

ଘରେ ତ ସିନ୍ଦୁକ କି ଆଲମିରା ନଥିଲା; ସୁତରାଂ ଟଙ୍କାପଇସା କିଛି ଉଚ୍ଚରେ ଗୋଟାଏ କାନ୍ଥ କୁରାରେ ରଖାଯାଉଥିଲା । କକା ଦିନକ ଆଗରୁ ଛଣି ବିକ୍ରି କରିଥାନ୍ତି । ବିକ୍ରିଲବ୍‌ଧ ଟଙ୍କା ଜମିଦାରଙ୍କ ନିକଟରେ ପୈଠ ଦେବାଲାଗି ରଖାଯାଇଥାଏ । କିପରି କେଜାଣି ହଳଧର ସେ କଥା ଜାଣିପାରିଥିଲା । ଘରଲୋକେ କାମଧନ୍ଦାରେ ଲାଗିଥିବାବେଳେ, ସେ ଖଟ ଉପରେ ଚଢ଼ି ଟଙ୍କାଟି ବାହାର କରି ଆଣିଛି ।

 

ସେ ସମୟଯାକେ ଟଙ୍କା କିଭଳି ଜିନିଷ ମୁଁ ଦେଖି ନଥିଲି । ସେଇ ଟଙ୍କାଟି ଦେଖି ଅନ୍ତର ଭିତରେ ଆନନ୍ଦ ଓ ଭୟର ଯେଉଁ ତରଙ୍ଗ ଉଠିଥିଲା–ତାହା ଏବେ ମଧ୍ୟ ମୋର ସ୍ମରଣ ଅଛି । ଆମ ପକ୍ଷରେ ଟଙ୍କା ଏକ ଅଲଭ୍ୟ ବସ୍ତୁ । ମୌଲବୀ ସାହେବ କେବଳ ବାରଅଣା ପଇସା ଆମ ଘରୁ ପାଉଥାନ୍ତି । ତା’ ପୁଣି, ମାସ ଶେଷରେ, କକା ନିଜେ ଯାଇ ସେ ପଇସା ଦେଇ ଆସନ୍ତି । ପଇସା ନେଇ ମୌଲବୀ ସାହେବଙ୍କୁ ଯେ ଆମେ ଦେଇପାରୁଁ କକାଙ୍କର ଏତେ ଟିକେ ବିଶ୍ୱାସ ଆମ ଉପରେ ନଥିଲା । ସେଇଥିପାଇଁ ସେ ଦିନ ଆମେ ସେଇ ଟଙ୍କାଟିକୁ ନେଇ ଛତ୍ରପତି ରାଜା ବୋଲାଇଲୁ ! ସତରେ ସେତିକିବେଳର ଆମର ସେ ଗର୍ବ କିଏ କଳି ପାରିଥାନ୍ତା ! କିନ୍ତୁ ମାଡ଼ ଭୟରେ ଆମେ ପୂରାପୂରି ଆନନ୍ଦ ଉପଭୋଗ କରି ପାରୁ ନଥାଉଁ । ଗୋଟିଏ ମାତ୍ର ଟଙ୍କା ହେଲେ ମଧ୍ୟ ଚୋରୀ ଧରାପଡ଼ିବାର ଆଶଙ୍କା ରହିଥାଏ । କକାଙ୍କର ଯେ କ୍ରୋଧ–ତା’ର ଅନୁଭୂତି ମୋର ନଥିଲେ ମଧ୍ୟ, ହଳଧରର ପ୍ରତ୍ୟକ୍ଷ ଅନୁଭୂତି ଥିଲା । ହୁଏତ କକାଙ୍କ ଭଳି ସରଳ ଲୋକ ଦୁନିଆରେ ଆଉ ନଥିଲେ । ଖୁଡ଼ୀ ଯଦି ତାଙ୍କ ରକ୍ଷଣାବେକ୍ଷଣର ଭାର ନିଜ ମୁଣ୍ତ ଉପରକୁ ନେଇ ନଥାନ୍ତେ, ତାହାହେଲେ କୌଣସି ବେପାରୀ ତାଙ୍କୁ ନେଇ ହାଟ ବଜାରରେ ସହଜରେ ବିକି ଦେଇ ପାରିଥାନ୍ତା-। କିନ୍ତୁ ଯେତେବେଳେ ସେ କ୍ରୁଦ୍ଧ ହୋଇ ଉଠୁଥିଲେ, ସେତେବେଳେ ତାଙ୍କୁ ଆଉ ସ୍ୱର୍ଗ ନର୍କ ଜଣା ପଡ଼ୁ ନଥିଲା । ଏପରିକି ଖୁଡ଼ୀବି ସେତିକିବେଳେ ତାଙ୍କ ସାମନାକୁ ଯିବାପାଇଁ ଡରୁଥିଲେ-। କିଛି ସମୟ ଯାଏଁ ଏ ସମସ୍ତ କଥା ଆମେ ବିଚାର କଲୁ ଏବଂ ଶେଷରେ ନିଶ୍ଚୟ କରି ନେଲୁ ଯେ, ହସ୍ତଗତ ଲକ୍ଷ୍ମୀଙ୍କୁ କରଛଡ଼ା କରିବା ସର୍ବାଦୌ ଅନୁଚିତ । ପ୍ରଥମ କଥା, କେହି ଆମ ଉପରେ ସନ୍ଦେହ କରିବେ ନାହିଁ, ଯଦି କରନ୍ତି, ଆମେ ସଫାସଫା ନାସ୍ତିବାଣୀ ଶୁଣାଇ କହିବୁ–‘‘ଟଙ୍କା ନେଇ ଆମେ କ’ଣ କରନ୍ତୁ ? ଆମର ମୁଣି ଖୋଲି ଦେଖୁନ ।’’ ଟିକେ ମାତ୍ର ଚିତ୍ତରେ ବିଚାର କରିଥିଲେ ଫଳ ଅବଶ୍ୟ ଭଲ ହୋଇଥାନ୍ତା, ଏବଂ ଭବିଷ୍ୟତରେ ଯେ ବୀଭତ୍ସ ଲୀଳା ଘଟିଲା, ହୁଏତ ସେଇଥିରୁ ମୁକ୍ତି ମିଳି ଥାଆନ୍ତା । ସେତେବେଳେ କିନ୍ତୁ ଶାନ୍ତିର ସହିତ ବିଚାର କରିବାର କ୍ଷମତା ଆମର ଆଦୌ ନଥିଲା ।

 

ମୁହଁ ହାତ ଧୋଇ ଆମେ ଘରକୁ ଫେରିଲୁ ଏବଂ ଡରି ଡରି ଘର ଭିତରକୁ ପାଦ ବଢ଼େଇଲୁ । ସେ ସମୟ ସୁଦ୍ଧା ଯଦି ଟଙ୍କାଟିର ଖୋଜାଲୋଡ଼ା ହୋଇ ଥାଆନ୍ତା, ତାହାହେଲେ ଭଗବାନଙ୍କ ଛଡ଼ା ସେତିକିବେଳେ ଆମର ଆଉ କେହି ସାହାଭରସା ରହି ନଥାନ୍ତେ । କିନ୍ତୁ ସମସ୍ତେ କାର୍ଯ୍ୟବ୍ୟସ୍ତ ଥିବା ଯୋଗୁଁ ଆମକୁ କେହି କିଛି ପଚାରିଲେନି । ଆମେ ଜଳଖିଆ ନ କରୁଣୁ ଏବଂ ଖରାବେଳ ଖିଆପାଇଁ ଭଜା ଶସ୍ୟ ନ ଧରୁଣୁ, ପୋଥିପତ୍ର କାଖରେ ଜାକି ପାଠଶାଳାକୁ ଛୁ ମାରିଲୁ-

 

ବର୍ଷା ଦିନ । ଆକାଶ ମେଘାବୃତ୍ତ । ଆମେ ଦୁହେଁ ଖୁବ୍‌ ଆନନ୍ଦରେ ପାଠଶାଳା ଆଡ଼କୁ ଚାଲି ଯାଉଥାଉଁ । ମନ୍ତ୍ରିତ୍ୱର ଆସନ ପାଇଲେବି ହୁଏତ ସେ ଆନନ୍ଦ ଆଜି ମିଳିବନି । ଚାଲି ଯାଉଁ ଯାଉଁ, ଲକ୍ଷାଧିକ ଅଭିଳାଷର ସମାରୋହ ଭିତରେ ଆମେ ଅସମ୍ଭବ କଳ୍ପନାମାନ ଗଢ଼ି ଯାଉଥାଉଁ । ଏଭଳି ଅବସର ଲାଭ, ଆମ ପକ୍ଷରେ ଅବଶ୍ୟ ଭାଗ୍ୟର କଥା । ସୁତରାଂ ବହୁଦିନ ଚଳେଇ ପାରିବା ଭଳି ଏ ଟଙ୍କାଟିକୁ ଖରଚ କରିବା ଲାଗି ଆମେ ଇଚ୍ଛା କରୁଥିଲୁ । ସେ ସମୟରେ ପାଞ୍ଚ ଅଣା ପଇସା ଦେଲେ ସେରେ ଖୁବ୍‌ ଭଲ ମିଠାଇ ମିଳୁଥିଲା; କିନ୍ତୁ ଅଧସେରେ ମିଠେଇ ଆମ ପକ୍ଷରେ ଯଥେଷ୍ଟ ହୋଇଥାନ୍ତା । ତଥାପି ଭାବିଲୁ, ମିଠେଇ ଖାଇଲେ ଦିନକରେ ଟଙ୍କାଟି ସରିଯାଇପାରେ । ସୁତରାଂ କୌଣସି ଶସ୍ତା ଜିନିଷ କିଣି ଖାଇବା ଉଚିତ, ଯଦ୍ୱାରା ଖୁବ୍‌ ମଜା ମିଳି ପାରିବ, ପେଟ ଭରତି ହୋଇ ପାରିବ ଆଉ ପଇସାବି କମ୍‌ ଖର୍ଚ୍ଚ ହେବ । ଶେଷରେ ପିଜୁଳି ଉପରେ ଆମ ନଜର ପଡ଼ିଲା ଏବଂ ଦୁହିଁଙ୍କ ମନକୁ ପାଇଲା ମଧ୍ୟ । ଦୁଇ ପଇସାର ପିଜୁଳି କିଣିଲୁ । ଶସ୍ତା ସମୟ–ବଡ଼ବଡ଼ ବାରଟି ପିଜୁଳି ମିଳିଲା । ଆମ ଦୁହିଁଙ୍କର ଅଣ୍ଟି ଭରିଗଲା । ହଳଧର ଯେତେବେଳେ ବିକାଳି ମାଇକିନିଆଟିର ହାତରେ ଟଙ୍କାଟି ରଖିଲା । ମାଇକିନିଆଟି ସଂଶୟରେ ପଚାରିଲା–‘‘ଏ ଟଙ୍କା କେଉଁଠୁଁ ପାଇଲ ବାବୁ ? ଚୋରୋଇ ଆଣିନ ତ ?’’

 

ଆମ ପାଖରେ ତା’ ପ୍ରଶ୍ନର ଉତ୍ତର ପ୍ରସ୍ତୁତ ଥିଲା । ବେଶୀ ନହେଲେବି ଦୁଇ ତିନି ଖଣ୍ତ ବହି ତ ଅବଶ୍ୟ ପଢ଼ିଥାଉଁ । ତା’ର ପ୍ରଭାବ ଆମ ଉପରେ ଥିଲା ନିଶ୍ଚୟ । ମୁଁ ସଙ୍ଗେ ସଙ୍ଗେ କହିଲି–‘‘ମୌଲବୀ ସାହେବଙ୍କୁ ପରା ଫିଜ୍‌ ଦେବାକୁ ହେବ । ଘରେ ରେଜା ପଇସା ନଥିଲା ବୋଲି କକା ଏଇ ଟଙ୍କାଟି ଦେଇଚନ୍ତି ।’’

 

ମୋର ଜବାବ ଶୁଣି ବିକାଳି ମାଇକିନିଆଟିର ସନ୍ଦେହ ଦୂର ହୋଇଗଲା । ହଳଧର ଆଉ ମୁଁ ଗୋଟିଏ ପୋଲ୍‌ ଉପରେ ବସି ମନ ଭରି ପିଜୁଳି ଖାଇଲୁ । ଏବେ କିନ୍ତୁ ଏଇ ସାଢ଼େ ପନ୍ଦର ଅଣା ପଇସା ନେଇଯିବୁ କୁଆଡ଼େ ? ରୁପା ଟଙ୍କାଟିକୁ ଲୁଚେଇ ରଖିବା କଷ୍ଟକର ନଥିଲା । ରେଜା ପଇସାର ଏ ଯେଉଁ ବିଶାଳ ଗଦାଟି, ତା’ କେଉଁଠି ଅବା ଲୁଚିବ ? ଅଣ୍ଟାରେ ଏତେ ଜାଗା ନଥିଲା କିମ୍ବା ମୁଣିବି ଖାଲି ନଥିଲା । ସେଗୁଡ଼ିକୁ ନିଜ ପାଖରେ ରଖିବା ଅର୍ଥ ‘ଚୋର’ କହି ନିଜ ନାମରେ ଟମକ ପିଟିବା । ବହୁତ ଚିନ୍ତା କରି ଶେଷରେ ନିଶ୍ଚୟ କଲୁ ଯେ, ସେଇଥିରୁ ବାରଅଣା ପଇସା ମୌଲବୀ ସାହେବଙ୍କର ଫିଜ୍‌ ବାବଦରେ ଦେଇ ଦେବୁ, ବଳକା ସାଢ଼େ ତିନି ଅଣାର ମିଠେଇ କିଣି ଖାଇବୁ । ଏକଥା ନିଷ୍ପତ୍ତି କରିସାରି ଆମେ ପାଠଶାଳାରେ ଯାଇ ପହଞ୍ଚିଲୁ । କେତେକ ଦିନ ଅନୁପସ୍ଥିତି ପରେ ଆଜି ଆମେ ପାଠଶାଳାକୁ ଯାଇଥାଉଁ । ମୌଲବୀ ସାହେବ ଖୁବ୍‌ ବିରକ୍ତି ପ୍ରକାଶ କରି ପଚାରିଲେ–‘‘କିରେ ! କେତେଦିନ ହେଲା ଦେଖାଯାଉ ନଥିଲ ତ ?’’

 

ମୁଁ କହିଲି–‘‘ଆଜ୍ଞା, ଘରେ ଅଶୌଚ ହୋଇ ପଡ଼ିଥିଲୁ ।’’

 

କହୁ କହୁ ବାରଅଣା ପଇସା ତାଙ୍କ ଆଗରେ ରଖିଦେଲି । ତା’ପରେ କ’ଣ ହେଲା ଆଉ କ’ଣ କହିବି ? ପଇସା ଦେଖୁଦେଖୁ ମୌଲବୀ ସାହେବଙ୍କର ହୃଦୟ ଅସୀମ ଆନନ୍ଦରେ ପୂରିଉଠିଲା । ମାସଶେଷ ହେବାକୁ ଆଉ ଅଳ୍ପ ଦିନ ବାକିଥାଏ । ସାଧାରଣତଃ ମାସ ଶେଷରେ ଥରକୁ ଦୁଇଥର ମାଗିଲେ ଯାଇ ତାଙ୍କୁ ପଇସା ମିଳେ । ଏବେ ଏତେ ଚଞ୍ଚଳ ପଇସା ପାଇ ଆନନ୍ଦିତ ହୋଇ ଉଠିବା ତାଙ୍କ ପକ୍ଷରେ ଅସ୍ୱାଭାବିକ ନଥିଲା । ଆମେ ସହପାଠୀମାନଙ୍କ ଆଡ଼କୁ ସଗର୍ବ ଦୃଷ୍ଟିନିକ୍ଷେପ କଲୁ । ଏହାଦ୍ୱାରା ଆମେ ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଥିଲୁ ଯେ–‘‘ତମେଗୁଡ଼ାକ କ’ଣରେ ! ମାଗି ମାଗି ଥେୟା ହେଲେବି ପଇସା ଦିଅନି; ଦେଖ, ଆମେ କିଭଳି ଅଗ୍ରିମ ପଇସା ଦେଉଛୁ ।’’

 

ପାଠ ପଢ଼ୁ ପଢ଼ୁ ଆମେ ଜାଣିପାରିଲୁ ଯେ ଆଜି ସ୍ନାନ–ମେଳା ବସୁଛି । ଦିପହରବେଳକୁ ଛୁଟି ମିଳିବ । ମୌଲବୀ ସାହେବ ମେଳାକୁ ଯାଇ ବୁଲ୍‌ବୁଲ୍‌ ଲଢ଼େଇରେ ଯୋଗଦେବେ । ଆମ ଆନନ୍ଦର ସୀମା ରହିଲା ନାହିଁ । ବାରଅଣା ତ ଆଗରୁ ବ୍ୟାଙ୍କ୍‍ରେ ଜମା କରି ଦେଇଚୁ, ସାଢ଼େ ତିନି ଅଣା ମେଳା ଦେଖିଯିବା ପାଇଁ ବାକି ରହିଛି ଯାହା । ଏ ଗୋଟାଏ ବଡ଼ ଧରଣର ଉତ୍ସବ । ମଜାର ସହିତ ରାବିଡ଼ି ଖାଇ ଗପ୍‍ସପ୍ କରିବୁ, ଦୋଳିରେ ଚଢ଼ିବୁ ଏବଂ ସନ୍ଧ୍ୟାବେଳେ ଘରକୁ ଫେରିବୁ । ଛୁଟି ଦେବା ଲାଗି ମୌଲବୀ ସାହେବ ଗୋଟାଏ କଡ଼ା ସର୍ତ୍ତ ରଖିଥାନ୍ତି । ଛୁଟି ପୂର୍ବରୁ ସମସ୍ତଙ୍କୁ ନିଜ ନିଜର ପାଠ ଶୁଣାଇବାକୁ ହେବ । ପାଠ କହି ପାରିଲ ତ ଛୁଟି ମିଳିଲା, ନହେଲେ ନାହିଁ । ପରିଣାମସ୍ୱରୂପ ମୁଁ ଛୁଟି ପାଇଲି ଏବଂ ହଳଧର ବନ୍ଦୀ ହୋଇ ରହିଲା । ଆଉ କେତେ ଜଣ ପିଲା ନିଜ ନିଜର ପାଠ ଶୁଣାଇପାରି ମେଳା ଦେଖିବାକୁ ଗଲେ । ମୁଁ ସେମାନଙ୍କ ସହିତ ସାଥୀ ହେଲି । ପଇସା ତ ମୋ ପାଖରେ ଥିଲା, ସୁତରାଂ ହଳଧରକୁ ସାଥୀ କରିବାପାଇଁ ମୁଁ ଆଉ ଅପେକ୍ଷା କଲି ନାହିଁ । ଅବଶ୍ୟ ଆଗରୁ ଦୁହେଁ ଠିକ୍‌ କରିଥିଲୁ ଛୁଟି ମିଳିଲେ ଉଭୟେ ସାଥୀ ହୋଇ ମେଳା ଦେଖିଯିବୁ । ମୁଁ ବି କଥା ଦେଇଥିଲି, ଯେ ପର୍ଯ୍ୟନ୍ତ ହଳଧର ନ ଆସିଛି, ପଇସାଟିଏବି ଖର୍ଚ୍ଚ କରିବି ନାହିଁ । ଭାଗ୍ୟ କିନ୍ତୁ ଅନ୍ୟ ପ୍ରକାର ଥିଲା । ମୁଁ ମେଳାରେ ପହଞ୍ଚି ପ୍ରାୟ ଘଣ୍ଟାଏ ବିତି ଗଲାଣି ଅଥଚ ହଳଧରର ଠିକଣା ନାହିଁ । ଏଯାଏଁ ମୌଲବୀ ସାହେବ ତାକୁ ଛୁଟି ଦେଇ ନାହାନ୍ତି, ନା ରାସ୍ତା ଭୁଲିଗଲା ? ଅପଲକ ଆଖିରେ ମୁଁ ରାସ୍ତା ଆଡ଼କୁ ଚାହିଁ ରହିଲି । ଏକାଏକା ମେଳା ଦେଖିବାକୁ ଇଚ୍ଛା ହେଉ ନଥାଏ । ଚୋରୀ କାଳେ ଧରା ପଡ଼ିଯାଇଚି ଏବଂ କକା ହଳଧରକୁ ଘରକୁ ଟାଣି ନେଇଚନ୍ତି–ଏ ସଂଶୟବି ମନକୁ ଛୁଇଁବାକୁ ଲାଗିଲା । ଶେଷରେ ସନ୍ଧ୍ୟାବେଳେ ମୁଁ କିଛି ରାବିଡ଼ି କିଣି ଖାଇଲି ଏବଂ ହଳଧର ଭାଗରେ ଯାହା ପଇସା ପଡ଼ିଥାନ୍ତା, ସେତକ ଧରି ଧୀରେ ଧୀରେ ଘର ଆଡ଼କୁ ପାଦ ବଢ଼ାଇଲି । ଯାଉ ଯାଉ ପାଠଶାଳା ଦେଇ ଘରକୁ ଯିବାପାଇଁ ଇଚ୍ଛା ହେଲା । ଭାବିଲି–ହୁଏତ ହଳଧର ସେଠାରେ ଥିବ । ଯାଇ ଦେଖେ ତ ସ୍ଥାନଟି ନିଃଶବ୍ଦ । ଗୋଟାଏ ପିଲାକୁ ସେଠାରେ ଖେଳୁଥିବା ଦେଖିଲି । ମୋତେ ଦେଖୁଦେଖୁ ସେ ମୋ ସହିତ ଥଟା ଖେଳିଲା । କହିଲା ଘରକୁ ଯା, ଖଜା ମିଳିବ ଯେ ! ତୋର କକା ଆସିଥିଲେ । ହଳଧରକୁ ମାରି ମାରି ନେଇ ଯାଇଚନ୍ତି-। ସେ ଯେମିତି ଖୁନ୍ଦା ମାରୁଥାନ୍ତି, ବାବାରେ ! ହଳଧର ଏକବାରେ ଦରମରା ହୋଇଯାଉଥାଏ-। ଘୋଷାରି ଘୋଷାରି ସେ ତାକୁ ଏଠାରୁ ନେଇଗଲେ । ମୌଲବୀ ସାହେବଙ୍କୁ ଯେଉଁ ତମେ ଫିଜ୍‌ ଦେଇଥିଲ ତା’ବି ଫେରସ୍ତ ନେଲେ । ଏବଠଉଁ କିଛି ଗୋଟାଏ ଉପାୟ ଚିନ୍ତା କରିବ ନାହିଁ ତ ଦଶା ଗାଆଣୀ ଗାଇବ ନାହିଁ ।’’

 

ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲି । ମୁହଁ ଶେତା ପଡ଼ିଗଲା । ମୁଁ ଯାହା ସନ୍ଦେହ କରୁଥିଲି ତାହାହିଁ ଘଟିଛି । ପାଦଦୁଇଟି ମହଣେ ମହଣେ ଓଜନର ବୋଧହେଲା । ଘରଆଡ଼କୁ ପାଦେ ବଢ଼ିବା ମୁସ୍କିଲ୍‌ ହୋଇ ଉଠିଲା । ଯେତେ ଦେବଦେବୀଙ୍କର ନାମ ମନେ ଥିଲା, ସମସ୍ତଙ୍କ ନାମରେ ଲଡ଼ୁ, ଗଜା, କୋରା ଇତ୍ୟାଦି ମାନସିକ କଲି । ଗାଁ ପାଖରେ ଯିମିତି ପହଞ୍ଚିଛି ଗ୍ରାମଦେବୀଙ୍କୁ ସ୍ମରଣ କଲି; କାରଣ ଆମ ଖଣ୍ଡକରେ ତାଙ୍କରି ମହିମା ପ୍ରତ୍ୟକ୍ଷ ।

 

ଏ ସମସ୍ତ ସତ୍ତ୍ୱେ ଘର ଯେତିକି ନିକଟ ହେଲା, ହୃଦୟର ସ୍ପନ୍ଦନ ସେତିକି ବଢ଼ିବାକୁ ଲାଗିଲା । ମେଘ ଗରଜୁଥାଏ । ଜଣାଯାଉଥାଏ ଆକାଶଟା ଫାଟିପଡ଼ିବ । ଦେଖିଲି–କାମଧାମ ଛାଡ଼ି ଲୋକମାନେ ଚାଲି ଯାଉଚନ୍ତି, ଗାଈଗୋରୁ ଲାଞ୍ଜ ଟେକି, କୁଦା ମାରି ଘର ଆଡ଼କୁ ଦଉଡ଼ିବାରେ ଲାଗିଛନ୍ତି ଏବଂ ପକ୍ଷୀଗୁଡ଼ିକ ନିଜ ନିଜର ବସା ଆଡ଼କୁ ବାହୁଡ଼ୁଚନ୍ତି । ମୁଁ କିନ୍ତୁ ମନ୍ଦଗତିରେ ଚାଲୁଥିଲି ଯିମିତିକି ପାଦରେ ମୋର ମୋଟେ ଶକ୍ତି ନଥିଲା ମନ ଚାହୁଁଥିଲା–ଖୁବ୍‌ ଜୋରରେ ଜ୍ୱର ମାଡ଼ିଆସୁ କିମ୍ବା କେଉଁଠି ମାଡ଼ ବାଜିଯାଉ । କିନ୍ତୁ ବିଚାରିବାମାତ୍ରେ କେଉଁକଥା କେବେ ସଫଳ ହୁଏ ? ମନାସିଲେ ମୃତ୍ୟୁବି ତ ଆସେନି, ଆଉ ରୋଗବଇରାଗ କଥା ଛାଡ଼ । ଶେଷରେ କିଛି ହେଲା ନାହିଁ ଏବଂ ଧୀରେ ଧୀରେ ଚାଲୁ ଚାଲୁ ଘର ପାଖରେ ଆସି ପହଞ୍ଚିଗଲି । ଏଥର କ’ଣ କରାଯାଏ ? ଆମ ଘର ଆଗରେ ଗୋଟାଏ ଝଙ୍କା କୟାଁ ଗଛ ଥିଲା । ମୁଁ ତା’ରି ଆଢ଼ୁଆଳରେ ଛପିଗଲି, ଭାବିଲି–ଟିକେ ଅନ୍ଧାର ହୋଇ ଆସିଲେ ଛପି ଛପି ଘର ଭିତରକୁ ଚାଲିଯିବି ଏବଂ ମା’ଙ୍କ କୋଠରୀର ଖଟତଳେ ଯାଇ ବସିଯିବି । ସମସ୍ତେ ଯେତେବେଳେ ଶୋଇପଡ଼ିବେ, ଗୋଟି ଗୋଟି କରି ସମସ୍ତ କଥା ମାଆଙ୍କୁ କହିବି । ମା’ ମତେ କେବେ ମାରନ୍ତିନି । ତାଙ୍କ ପାଖରେ ମିଛିମିଛିକା ଟିକେ ଯଦି କାନ୍ଦି ପକାଏ, ସେ ଖୁବ୍‌ ତରଳି ଯାଆନ୍ତି । ରାତି କଟିଯିବା ପରେ ଆଉ ପଚାରେ କିଏ ? ସକାଳ ସୁଦ୍ଧା ସମସ୍ତଙ୍କର କ୍ରୋଧ ଶାନ୍ତ ହୋଇ ଯାଇଥିବ । ମନକଥା ଯଦି ପୂରଣ ହୁଅନ୍ତା, ତେବେ ସତକୁସତ ମାଡ଼ ନ ଖାଉଣୁ ରକ୍ଷା ପାଇ ଯାଆନ୍ତି । କିନ୍ତୁ ବିଧାତାଙ୍କର ବିଧାନ ଅନ୍ୟ ରକମର ଥିଲା । ଗୋଟାଏ ପିଲା ମତେ ଦେଖି ପକାଇଲା ଏବଂ ବଡ଼ପାଟିରେ ମୋର ନାମ ରଟନା କରି କରି ସିଧା ଆମ ଘରକୁ ଧାଇଁଲା । ମୋର ଆଶା ଏଥର ଏକାବେଳକେ ଭୁଷୁଡ଼ି ପଡ଼ିଲା । ବାଧ୍ୟ ହୋଇ ଘରକୁ ଗଲି । ଏବଂ ହଠାତ୍‌ ଚିତ୍କାର କରି ଉଠିଲି, ଯିମିତିକି ମାଡ଼ ଖାଇଥିବା କୁକୁରଟାଏ କାହାରିକୁ ନିଜ ଆଡ଼କୁ ଆସୁଥିବା ଦେଖି ଭୟରେ ଚିତ୍କାର କରି ଉଠେ । ବାହାର କୋଠରୀରେ ବାପା ବସି ଥାଆନ୍ତି । ତାଙ୍କର ସ୍ୱାସ୍ଥ୍ୟ ସେ ସମୟକୁ ଟିକେ ଖରାପ ଥାଏ । ଛୁଟି ନେଇ ଘରକୁ ଆସିଥାନ୍ତି । ଅବଶ୍ୟ ତାଙ୍କୁ କି ରୋଗ ହୋଇଥିଲା କହି ପାରିବିନି; କିନ୍ତୁ ପ୍ରତ୍ୟହ ସେ ମୁଗ ଡାଲି ଖାଉଥିଲେ ଏବଂ ସନ୍ଧ୍ୟାବେଳେ କ’ଣ ଗୋଟାଏ ଜିନିଷ କାଚ ଗ୍ଲାସ୍‍କୁ ଢାଳି ପିଉଥିଲେ । ବୋଧହୁଏ କୌଣସି ଡାକ୍ତରୀ ଔଷଧ–ଗନ୍ଧଯୁକ୍ତ ଆଉ କଡ଼ା । ଔଷଧଟି ଭଲ ଜଣାଯାଉ ନଥାଏ; କିନ୍ତୁ କେଜାଣି କାହିଁକି ବାପା ଔଷଧଟିକୁ ଖୁବ୍‌ ମଜାର ସହିତ ସେବନ କରୁଥିଲେ । ଆମେ ଯେବେ ଔଷଧ ଖାଉଁ ତେବେ ଆଖି ବୁଜି ଗୋଟିଏ ଢୋକରେ ସମସ୍ତ ନିଃଶେଷ କରିଦେଉଁ । କିନ୍ତୁ ଧୀରେ ଧୀରେ ପିଇବାଦ୍ୱାରା ବୋଧହୁଏ ସେ ଔଷଧର ପ୍ରଭାବ ପଡ଼ୁଥିଲା । ବାପାଙ୍କ ପାଖରେ ଗାଁର ଦୁଇ ତିନି ଜଣ–ବେଳେବେଳେ ଚାରି ଛଅ ଜଣ ରୋଗୀବି ଜମା ହୁଅନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ଔଷଧ ସେବନ କରନ୍ତି । ଖାଇବାବେଳ ହେଲେ ଘରକୁ ଯିବା ଲାଗି ସେମାନେ ଖୁବ୍‌ କଷ୍ଟ ବୋଧ କରନ୍ତି । ମୁଁ ଘରେ ପହଞ୍ଚିବାବେଳକୁ ବାପା ଔଷଧ ସେବନରେ ବ୍ୟସ୍ତ । ରୋଗୀଗଣ ଉପସ୍ଥିତ ଥାଆନ୍ତି । ମତେ ଦେଖୁଦେଖୁ ବାପା ଆଖି ଲାଲ୍‌ କରି ପଚାରିଲେ–‘‘ଏଯାଏଁ କେଉଁଠି ଥିଲୁ ?’’

 

ମୁଁ ଧୀରେ ଉତ୍ତର ଦେଲି–‘‘କାଇଁ, କେଉଁଠି ନାଇଁ ତ !’’

 

‘‘ଏଥର ଚୋରୀ କରିବା ଅଭ୍ୟାସ କରିଛୁ ! ଟଙ୍କା ତୁ ଚୋରାଇଛୁ ନା ?’’

 

ମୋର ମୁଖ ବନ୍ଦ ହୋଇଗଲା । ଆଗରେ ଭୟଙ୍କର ବିପଦ । ପଦେ କଥା କହିବାକୁ ଡର ମାଡ଼ୁଥିଲା ।

 

ବାପା ଧମକ ଦେଇ ପଚାରିଲେ–‘‘ଟଙ୍କା ଚୋରାଇଛୁ କି ନା କହୁନୁ କାହିଁକି ?’’

 

ମୁଁ ମୋର ପ୍ରାଣକୁ ବାଜି ରଖି କହିଲି–‘‘ମୁଁ କେବେ...... ।’’

 

ମୁହଁରୁ ପୂରାପୂରି କଥା ନ ବାହାରୁଣୁ ବାପା ବିକଟାଳ ରୂପ ଧାରଣ କଲେ ଏବଂ ଦାନ୍ତ କଡ଼ମଡ଼ କରି, ହାତ ଉଠାଇ ମୋ ଆଡ଼କୁ ଝପଟି ଆସିଲେ । ମୁଁ ଖୁବ୍‌ ପାଟି କରି କାନ୍ଦିବାକୁ ଲାଗିଲି-। ଇମିତି ରଡ଼ି ଛାଡ଼ିଲି ଯେ, ବାପା ଭୟରେ ଥରହର । ତାଙ୍କର ହାତଟି ଟେକି ହୋଇଥିବା ଅବସ୍ଥାରେ ରହିଗଲା । ବୋଧହୁଏ ବୁଝି ପାରିଲେ–ଯଦି ଏତିକିବେଳକୁ ଏହାର ଅବସ୍ଥା ଏପରି, ମାଡ଼ ବାଜିଲେ ହୁଏତ ଏହାର ପ୍ରାଣ ଚାଲିଯିବ । ମୁଁ ଯେତେବେଳେ ଜାଣିପାରିଲି ଯେ ମୋର ଠକାମି ସଫଳ ହେବାକୁ ଯାଉଛି, ସେତେବେଳେ ମୁଁ ଆହୁରି ଅଧିକ ଗଳା ଫାଡ଼ି କାନ୍ଦିବାକୁ ଲାଗିଲି-। ଏତିକିବେଳେ ରୋଗୀ ମଣ୍ଡଳୀ ଭିତରୁ ଦୁଇ ଚାରି ଜଣ ଆସି ବାପାଙ୍କୁ ଧରି ପକାଇଲେ ଏବଂ ମତେ ପଳେଇ ଯିବାପାଇଁ ନିର୍ଦ୍ଦେଶ ଦେଲେ । ଅନେକ ସମୟରେ ପିଲାଏ ଏଭଳି ଅବସରରେ ଦବି ଯାଇଥାନ୍ତି ଏବଂ ମିଛରେ ମାଡ଼ଖାଇ ମରନ୍ତି । ମୁଁ କିନ୍ତୁ ବୁଦ୍ଧିମାନ କାମ କରି ଖସି ପଳେଇଗଲି-

 

କିନ୍ତୁ ଘରଭିତରର ଦୃଶ୍ୟ ଏହା ଅପେକ୍ଷା ଆହୁରି ଅଧିକ ଭୟଙ୍କର ଥିଲା । ସେ ଦୃଶ୍ୟ ଦେଖି ମୋ ଦେହର ରକ୍ତ ଜମାଟ ବାନ୍ଧିଗଲା ଯେପରି । ହଳଧରର ହାତ ଦୁଇଟି ଗୋଟାଏ ଖମ୍ବ ଦେହକୁ ବନ୍ଧା ହୋଇଥିଲା । ତା’ର ଦେହ ଧୂଳି ଧୂସର ଥିଲା ଏବଂ ସେ ସକସକ ହେଉଥିଲା । ବୋଧହୁଏ ମାଡ଼ଖାଇ ସେ ଅଗଣାସାରା ଗଡ଼ିଥିଲା । ଅଗଣାସାରା ତା’ର ଲୁହରେ ଭିଜି ଯାଇଥିବା ଭଳି ଜଣା ଯାଉଥାଏ । ଖୁଡ଼ୀ ହଳଧରକୁ ଗାଳି ଦେଉଥାନ୍ତି ! ମା’ ବସି ମସଲା ବାଟୁଥାନ୍ତି । ସର୍ବାଗ୍ରେ ଖୁଡ଼ୀଙ୍କର ଦୃଷ୍ଟି ମୋରି ଉପରେ ପଡ଼ିଲା । କହିଲେ–‘‘ହେଇ, ଇଏବି ଆସିଗଲା । କିରେ ! ତମ ଭିତରୁ ଟଙ୍କା କିଏ ଚୋରାଇଛି ?’’

 

‘‘ହଳଧର’’–ମୁଁ ନିର୍ଭୟରେ ଉତ୍ତର ଦେଲି ।

 

ମା’ କହିଲେ–ହଳଧର ଯଦି ଟଙ୍କା ଚୋରାଇଥିଲା ତେବେ ଘରକୁ ଆସି ତୁ କାହାକୁ କିଛି କହିଲୁ ନାହିଁ କାହିଁକି ?

 

ଏଥର ମିଛ କହିବା ଛଡ଼ା ଆଉ ନିସ୍ତାର ନଥିଲା । ମୁଁ ଜାଣେ, ମଣିଷର ପ୍ରାଣ ଉପରକୁ ବିପଦ ମାଡ଼ି ଆସିଲାବେଳେ ମିଛ କହିଲେ କ୍ଷମା ମିଳିଥାଏ । ହଳଧର ମାଡ଼ ଖାଇବାରେ ଅଭ୍ୟସ୍ତ ଥିଲା । ଅଧିକ ଦୁଇ ଚାରି ଖୁନ୍ଦା କିମ୍ବା ଗୋଇଠାରେ ତା’ର କିଛି କ୍ଷତି ହୋଇ ନଥାନ୍ତା । ମୁଁ କେବେ ମାଡ଼ ଖାଇ ନଥିଲି; ସୁତରାଂ, ଦୁଇ ଚାରିଟା ଖୁନ୍ଦାରେ ମୋର କାମ ଶେଷ ହୋଇଯାଇଥାଆନ୍ତା ଫେର୍‌ ହଳଧର ମଧ୍ୟ ନିଜକୁ ରକ୍ଷା କରିବା ନିମିତ୍ତ ମୋ ନାମରେ ମିଛ କହିବାପାଇଁ ଚେଷ୍ଟା କରିଥିଲା । ଏହା ଯଦି ହୋଇ ନଥାନ୍ତା ତେବେ ଖୁଡ଼ୀ କାହିଁକି ମତେ–‘‘ଟଙ୍କା ତୁ ଚୋରାଇଲୁ ନା ହଳଧର ଚୋରାଇଲା ?’’ ବୋଲି ପଚାରି ଥାଆନ୍ତେ ! ସେ ଯାହା ହେଉନା କାହିଁକି, ମୋ ପକ୍ଷରେ ମିଛ କହିବା ଯଦିଓ ଠିକ୍‌ ନଥିଲା, ତେବେ ସେଥିଲାଗି ନିଶ୍ଚୟ କ୍ଷମା ମିଳିବାର ଥିଲା । ମୁଁ ସେଠାରୁ ଚାଲି ଯାଉ ଯାଉ କହିଲି–‘‘ହଳଧର କହିଥିଲା–ମୁଁ ଯଦି ଏକଥା କାହାକୁ କହେ, ସେ ମତେ ମାରିବ-।’’

 

ମା’ ମନ୍ତବ୍ୟ କଲେ–‘‘ଦେଖିଲୁ, ସେଇକଥା ବାହାରିଲା ନା ? ମୁଁ ତ କହୁଥିଲି ମୋ ପୁଅର ଏ ଅଭ୍ୟାସ ନାହିଁ । ହାତରେ ପଇସାମାତ୍ରେ ସେ ଛୁଏଁନି । ସମସ୍ତେ ମତେଇ ଭାଲ ବନଉଥିଲ !’’

 

ହଳଧର–‘‘ମୁଁ କେବେ ତତେ ମାରିବି ବୋଲି କହିଥିଲି ?’’

 

ମୁଁ କହିଲି–‘‘ସେଇ ପୋଖରୀ ହୁଡ଼ାରେ !’’

 

ହଳଧର–‘‘ମା’, ଏ କଞ୍ଚା ମିଛ କହୁଛି ।’’

 

ଖୁଡ଼ୀ–‘‘ମିଛ ନୁହ, ସତ । ତୁ କେବଳ ମିଛୁଆ ଆଉ ସାରା ପୃଥିବୀ ସଚ୍ଚା । ଶେଷରେ ତୋରି ନାମ ବାହାରିଲା ନା ? ତୋ ବାପ ଯଦି ଚାକିରି କରୁଥାନ୍ତେ, ଟଙ୍କା ଆଣୁଥାନ୍ତେ, ଚାରି ଲୋକ ତାଙ୍କୁ ଯଦି ଭଲ କହୁଥାନ୍ତେ, ତେବେ ତୁ ବି ସଚ୍ଚା ହୋଇଥାନ୍ତୁ । ତୁ କେବଳ ମିଛୁଆ । ଯାହା ଭାଗ୍ୟରେ ମିଠେଇ ଲେଖାଥିଲା ସେ ମିଠେଇ ଖାଇଲା । ତୋ ଭାଗ୍ୟରେ କିନ୍ତୁ ଖୁନ୍ଦା ଖାଇବା ଲେଖାଥିଲା ।

 

ଏହା କହୁ କହୁ ଖୁଡ଼ୀ ହଳଧରକୁ ବନ୍ଧନ ମୁକ୍ତ କଲେ ଏବଂ ହାତ ଧରି ଘର ଭିତରକୁ ନେଇଗଲେ । ମୋ ସମ୍ପର୍କରେ ସ୍ନେହପୂର୍ଣ୍ଣ ଆଲୋଚନା କରି ପରିସ୍ଥିତିକୁ ମା’ ଏକରକମ ବଦଳାଇ ଦେଇଥାନ୍ତି । ନାହିଁ ତ, ମୁଁ ବିଚରା ଖୁବ୍‌ ମାଡ଼ ଖାଇଥାନ୍ତି । ମା’ ପାଖରେ ବସି, ମୁଁ ମୋର ନିର୍ଦ୍ଦୋଷତାର ଯଥେଷ୍ଟ ପ୍ରମାଣ ଦେବାକୁ ଭୁଲିଲି ନାହିଁ । ମୋର ସରଳ ହୃଦୟା ମା’ ମତେ ସତ୍ୟର ଅବତାର ବୋଲି ଧରି ନେଇଥାନ୍ତି । ତାଙ୍କର ପୂରା ବିଶ୍ୱାସ ଥିଲା–ଏ ଅପରାଧ କେବଳ ହଳଧରର-। କ୍ଷଣକ ପରେ ଗୁଡ଼ ଆଉ ଚଣା ନେଇ ମୁଁ କୋଠରୀ ବାହାରକୁ ଆସିଲି । ହଳଧର ସେଆଡ଼ୁ ଚୁଡ଼ା ଖାଇ ଖାଇ ଆସୁଥିଲା । ଦୁହେଁ ମିଶି ପଦାକୁ ଆସିଲୁ ଏବଂ ନିଜ ନିଜର ଅତୀତ ଇତିହାସ ପରସ୍ପରକୁ ଶୁଣାଇଲୁ । ମୋର କାହାଣୀ ଥିଲା ସୁଖମୟ ଏବଂ ହଳଧରର କାହାଣୀ ଦୁଃଖମୟ-। ଶେଷରେ କିନ୍ତୁ କ’ଣ ହେଲା । ? ଗୁଡ଼ ଆଉ ଚଣା ଭଳି ଉଭୟେ ମିଶିଗଲୁ ।

Image

 

Unknown

ଲଟରୀ

 

ଶୀଘ୍ର ଧନବାନ୍‌ ହେବାପାଇଁ କାହାର ଅବା ଲାଳସା ନଥାଏ ? ଥରେ ଲଟରୀ ଟିକେଟ୍‌ ବିକ୍ରି ହେଉଥିବାବେଳେ ମୋର ବନ୍ଧୁ ବିକ୍ରମର ବାପା, କକା, ମା’ ଭାଇ ସମସ୍ତେ ଗୋଟିଏ ଗୋଟିଏ ଟିକେଟ କିଣିନେଲେ । କିଏ ଜାଣେ କାହାର ଭାଗ୍ୟ ଆଣ୍ଟ ? ସେ ଯାହା ନାମରେ ଟଙ୍କା ଆସୁନା କାହିଁକି ଘରେ ତ ରହିବ !

 

ବିକ୍ରମ କିନ୍ତୁ ଏକଥା ସହ୍ୟ କରି ପାରିଲାନି । ଟଙ୍କା ତ ଆସିବ ଘରର ଅନ୍ୟମାନଙ୍କ ନାମରେ, ତାକୁ ଅବା ପଚାରେ କିଏ ? ବହୁତ ହେଲେ ଘରେ ଲୋକଙ୍କଠୁ ତାକୁ ପାଞ୍ଚ ଦଶ ହଜାର ମିଳିପାରେ । ଏତେ ଅଳ୍ପ ଟଙ୍କା ତା’ର ଅବା କି ଉପକାରରେ ଲାଗିବ ? ଜୀବନରେ ସେ ଖୁବ୍‌ ଉଚ୍ଚ ଅଭିଳାଷ ପୋଷଣ କରି ଆସିଛି । ପ୍ରଥମେ ପ୍ରତି ଗାଁ ଗଣ୍ଡା ଦେଇ ତା’ର ସମଗ୍ର ବିଶ୍ୱ ଭ୍ରମଣ କରିବା କଥା । ପେରୁ, ବ୍ରାଜିଲ୍‌, ଟିମ୍ବକ୍ଟୁ ହେନୋଲୁଲୁ ଆଦି ଏ ସମସ୍ତ ତା’ର ପ୍ରୋଗ୍ରାମ ଭିତରେ ସ୍ଥାନ ପାଇ ଆସିଚନ୍ତି । ମାସେ କିମ୍ବା ଦୁଇ ମାସ ଭିତରେ ତୋଫାନ ଭଳି ପୃଥିବୀ ଭ୍ରମଣ କରି ଆସିବା ତା’ର ଅଭିପ୍ରାୟର ବାହାରେ । ପ୍ରତ୍ୟେକ ସ୍ଥାନରେ କିଛିଦିନ ରହି ସେଠାରେ ଚାଲିଚଳନ, ଆଚାର ବ୍ୟବହାର, ରୀତିନୀତି ଆଦି ଅଧ୍ୟୟନ କରି, ବିଶ୍ୱ ଭ୍ରମଣ ସମ୍ପର୍କରେ ଗୋଟିଏ ବିଶାଳ ଗ୍ରନ୍ଥ ରଚନା କରିବା ଥିଲା ତା’ର ଅଭିପ୍ରାୟ । ତା’ପରେ, ସେ ଏପରି ଏକ ପୁସ୍ତକାଳୟ ଠିଆ କରାଇବାକୁ ଚାହୁଁଥିଲା ଯେଉଁଥିରେ କି ସମଗ୍ର ବିଶ୍ୱର ଉତ୍ତମ ଗ୍ରନ୍ଥ ସକଳ ସଂଗୃହୀତ ହୋଇପାରିବ-। ପୁସ୍ତକାଳୟ ନିମିତ୍ତ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାପାଇଁ ସେ ପ୍ରସ୍ତୁତ ଥିଲା । ରହିବାପାଇଁ ବଙ୍ଗଳା, ମଟରକାର୍, ଫର୍ଣ୍ଣିଚର୍‌ ଏ ସବୁ ତ ମାମୁଲି କଥା । ବାପା କିମ୍ବା କକାଙ୍କ ନାମରେ ଯଦି ଟଙ୍କା ଆସେ ତାହାହେଲେ ପାଞ୍ଚ ହଜାରରୁ ଅଧିକ ଆଶା କରାଯାଇ ନ ପାରେ । ମାଆଙ୍କ ନାମରେ ଟଙ୍କା ଆସେ ଯଦି କୋଡ଼ିଏ ହଜାର ଟଙ୍କା ମିଳିବ; କିନ୍ତୁ ଭାଇଙ୍କ ନାମରେ ଆସିବ ତ ଅଧଲାଏବି ତାକୁ ମିଳିବନି-। ସେ ଆତ୍ମାଭିମାନୀ । ଘରବାଲାଙ୍କଠାରୁ ଦାମ କିମ୍ବା ପୁରସ୍କାରସ୍ୱରୂପ କିଛି ଗ୍ରହଣ କରିବାକୁ ସେ ଅପମାନ ମଣୁଥିଲା । ସେ କହେ–ବୁଝିଲୁ ଭାଇ ! କାହା ଆଗରେ ଯାଇ ହାତ ବଢ଼ାଇବା ଅପେକ୍ଷା ପାଣିରେ ବୁଡ଼ି ମରିବା ଭଲ । ମଣିଷ ଯଦି ନିଜପାଇଁ ଏ ଦୁନିଆରେ ସ୍ଥାନ କରି ପାରିଲାନି ତାହାହେଲେ ସେ ମରିଯିବା ଶତଗୁଣରେ ଶ୍ରେୟସ୍କର ।

 

ବିକ୍ରମ ଥିଲା ବେକାର । ସୁତରାଂ ଲଟରୀ ଟିକେଟ କିଣିବାପାଇଁ ଘରେ ଅବା ତାକୁ ପଇସା ଦେବ କିଏ ? ସେ ମାଗିବ ଅବା କିପରି ? ବହୁ ଭାବି ଚିନ୍ତି ସେ ମତେ କହିଲା–ଆଚ୍ଛା, ତୁ ଆଉ ମୁଁ ସାଥୀ ହୋଇ ଯଦି ଗୋଟାଏ ଟିକେଟ କିଣି ପାରନ୍ତେ ତାହାହେଲେ କିପରି ହୁଅନ୍ତା ?

 

ପ୍ରସ୍ତାବଟିକୁ ମୁଁ ପସନ୍ଦ କଲି । ସେ ସମୟକୁ ମୁଁ ଗୋଟାଏ ସ୍କୁଲ୍‍ରେ ଶିକ୍ଷକତା କରୁଥାଏ-। ଦରମା କୋଡ଼ିଏ ଟଙ୍କା । ସେଇତକ ଟଙ୍କାରେ ଅତି କଷ୍ଟରେ ଜୀବନ ଚଳୁଥିଲା । ମୋ ପକ୍ଷରେ ଦଶ ଟଙ୍କା ଦେଇ ଗୋଟାଏ ଟିକେଟ କିଣିବା ଅର୍ଥ ଗୋଟାଏ ହାତୀକୁ କିଣିବା ଭଳି ଥିଲା-। ଅବଶ୍ୟ ଗୋଟାଏ ମାସର ଘିଅ, ଦୁଧ ଜଳଖିଆ ଆଦି ଅନ୍ୟାନ୍ୟ ଉପୁରି ଖର୍ଚ୍ଚ ବନ୍ଦ କରି ଦେଇ ପାରିଲେ ପ୍ରାୟ ପାଞ୍ଚଟଙ୍କା ଯାଏଁ ବଳୁଥିଲା । ତଥାପି ସେଭଳି କରିବାକୁ ଅସମର୍ଥ ଥିଲି । ଉପୁରି କୁଆଡ଼ୁ କିଛି ମିଳିଯାଆନ୍ତା ଯଦି ହୁଏତ ସାହସ ବଢ଼ନ୍ତା ।

 

ବିକ୍ରମ କହିଲା–‘‘ଆହା, ଭାବିଲୁ ଦେଖି, ମୁଁ ମୋର ସୁନା ମୁଦିଟିକୁ ଯଦି ବିକ୍ରି କରିଦିଏ-? ଘରେ ପଚାରିଲେ କହିବି ଆଙ୍ଗୁଠିରୁ ଖସି କେଉଁଠି ପଡ଼ିଗଲା ।’’

 

ସୁନା ମୁଦିଟିର ଦାମ ଦଶଟଙ୍କାରୁ କମ୍ ହେବନି । ତଦ୍ୱାରା ପୂରା ଗୋଟାଏ ଟିକେଟ କିଣାଯାଇପାରିବ । ଯଦି ପଇସାଟିଏ ଖରଚ ନ କରୁଣୁ ଗୋଟାଏ ଟିକେଟରେ ଅଧା ଭାଗ ରହିପାରେ ତାହାହେଲେ ମନ୍ଦଟାଏ ବା କ’ଣ ହେବ ?

 

ହଠାତ୍‌ ବିକ୍ରମ ପୁଣି ଆରମ୍ଭ କଲା–କିନ୍ତୁ ଭାଇ, ତତେ ନଗଦ ଟଙ୍କା ଗଣିବାକୁ ପଡ଼ିବ । ତୋ ପାଖରୁ ପାଞ୍ଚୋଟି ଟଙ୍କା ନ ମିଳିଲେ ତୋ ସହିତ ମୁଁ ଭାଗ ମିଶିବିନି ।

 

ମୁଁ ବି ଏକଥାକୁ ଉଚିତ ମନେ କଲି । କହିଲି–ନିଶ୍ଚୟ । ଏଭଳି କରିବା ନିତାନ୍ତ ଅନୁଚିତ-। ଚୋରୀ ଧରା ପଡ଼ିଯାଏ ଯଦି ଏଭଳି ଲଜ୍ଜିତ ହେବାକୁ ପଡ଼ିବ । ଆଉ ତୋ ସହିତ ମୁଁ ମଧ୍ୟ ଗାଳି ଖାଇବାକୁ ପଡ଼ିବ ।

 

ଶେଷରେ ନିଷ୍ପତ୍ତି ହେଲା ଯେ ପାଖରେ ଥିବା ଆମର ପୁରୁଣା ପୁସ୍ତକଗୁଡ଼ିକୁ କୌଣସି ସେକେଣ୍ଡ୍ ହାଣ୍ଡ୍ ପୁସ୍ତକ ଦୋକାନୀକୁ ବିକ୍ରି କରି ଦିଆଯିବ ଏବଂ ସେ ପଇସାରେ ଟିକେଟ କିଣାଯିବ-। ପୁସ୍ତକଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ଅନାବଶ୍ୟକ ପଦାର୍ଥ ଆମ ପାଖରେ ନଥିଲା-। ଆମେ ଦୁହେଁ ଏକା ସାଥିରେ ମେଟ୍ରିକ୍‌ ପାସ୍ କରିଥିଲୁ; କିନ୍ତୁ ଚକ୍ଷୁଡ଼ୋଳାକୁ କଷ୍ଟ ଦେଇ, ଘରର ଟଙ୍କା ବରବାଦ୍‌ କରି, ଡିଗ୍ରୀ ଧାରଣ କରିଥିବା ଲୋକଙ୍କୁ ପରିଶେଷରେ ଜୋତା ପାଲିସ୍‌ କରୁଥିବା ଅବସ୍ଥାରେ ଦେଖି ଆମେ ଆଉ ଆଗକୁ ନ ବଢ଼ି ମେଟ୍ରିକ୍‌ ପରେପରେ ହାଲ୍‌ଟ କରିଗଲୁ-। ମୁଁ ସ୍କୁଲ୍‍ମାଷ୍ଟର ହେଲି ଆଉ ବିକ୍ରମ ଏପଟ ସେପଟ ଘୂରି ବୁଲିବାକୁ ଲାଗିଲା । ଆମର ପୁରୁଣା ପୁସ୍ତକ ସକଳ ବର୍ତ୍ତମାନ ଉଇମାନଙ୍କର ଖାଦ୍ୟହେବା ଛଡ଼ା ଆଉ କୌଣସି କାମରେ ଲାଗିଲା ନାହିଁ-। ସେଇ ବହିଗୁଡ଼ିକରୁ ଆମର ଯେତିକି ରସ ଶୋଷଣ କରିବାର କଥା କରି ସାରିଥିଲୁ-। ଏପରି କି ତା’ର ସତ୍ତା ପର୍ଯ୍ୟନ୍ତ ନିକାଲି ସାରିଥିଲୁ । ବର୍ତ୍ତମାନ ସେଗୁଡ଼ିକୁ ମୂଷା କାଟୁ କିମ୍ବା ଉଇ ଖାଉ ଆମର ଆଉ କି ପରବାୟ ? ଆମେ ଦୁହେଁ ଆଜି ସେଗୁଡ଼ିକୁ ଅଳିଆଗଦା ଭିତରୁ ଉଦ୍ଧାର କରି ଝାଡ଼ିଝୁଡ଼ି ପୋଛି ଗୋଟାଏ ବିଡ଼ା ବାନ୍ଧିଲୁ । ଯେହେତୁ ମୁଁ ଜଣେ ମାଷ୍ଟର ଥିଲି, ସେଥିପାଇଁ କୌଣସି ବୁକ୍‌ ସେଲର୍‌ର ଦୋକାନକୁ ଯାଇ ପୁସ୍ତକଗୁଡ଼ିକୁ ବିକ୍ରି କରିବାପାଇଁ ମୁଁ ଲଜ୍ଜା ଅନୁଭବ କରୁଥିଲି-। ସମସ୍ତେ ମୋର ଚିହ୍ନା । ସୁତରାଂ ପୁସ୍ତକଗୁଡ଼ିକୁ ବିକ୍ରି କରିବାର ଭାର ବିକ୍ରମ ଉପରେ ନ୍ୟସ୍ତ ରହିଲା ଏବଂ ସେ ଯାଇ ଅଧ ଘଣ୍ଟାକ ଭିତରେ ପୁସ୍ତକଗୁଡ଼ିକୁ ବିକ୍ରି କରି ଦଶ ଟଙ୍କାର ଗୋଟିଏ ନୋଟ୍‌ ନେଇ ଡେଇଁ ଡେଇଁ ଆସି ପହଞ୍ଚିଲା । ଏଭଳି ପ୍ରସନ୍ନ ଥିବା ମୁଁ ତାକୁ କେବେ ଆଉ ଦେଖି ନଥିଲି-। ପୁସ୍ତକଗୁଡ଼ିକର ଦାମ୍‌ ଚାଲିଶ ଟଙ୍କାରୁ କମ୍‌ ହୋଇ ନଥାନ୍ତା; କିନ୍ତୁ ଏଇ ସମୟରେ ଏଇ ଦଶ ଟଙ୍କା ଯିମିତି କେଉଁଠି ପଡ଼ିଥିଲା ଆଉ ଆମେ ତାକୁ ଗୋଟେଇ ପାଇଛୁ–ଏଭଳି ଅନୁଭବ କଲୁ-। ବର୍ତ୍ତମାନ ଏଇ ଟଙ୍କାରେ ଯେଉଁ ଟିକେଟ୍‌ କିଣାଯିବ ଉଭୟଙ୍କ ସେଥିରେ ଅଧାଅଧା ଭାଗ ରହିବ-। ମିଳିବ–ଦଶ ଲକ୍ଷ ଟଙ୍କାର ଗୋଟାଏ ରକମ । ପାଞ୍ଚ ଲକ୍ଷ ମୋର ଓ ପାଞ୍ଚ ଲକ୍ଷ ବିକ୍ରମର-। ଏ କଥାରେ ଆମେ ମଜ୍ଜି ଯାଇଥାଉଁ ।

 

ମୁଁ ସନ୍ତୋଷର ଭାବ ଫୁଟାଇ କହିଲି–ପାଞ୍ଚ ଲକ୍ଷ କମ୍‌ ନୁହେଁରେ ଭାଇ !

 

ବିକ୍ରମ କିନ୍ତୁ ମୋଭଳି ସନ୍ତୋଷ ଲାଭ କରି ନଥିଲା । କହିଲା ପାଞ୍ଚ ଲକ୍ଷ ଗୋଟାଏ କ’ଣ ? ଆମପାଇଁ ତ ବର୍ତ୍ତମାନ ପାଞ୍ଚ ଶହ ଯଥେଷ୍ଟ !’’ କିନ୍ତୁ ମୋ ଯାତ୍ରା ଜୀବନର ପ୍ରୋଗ୍ରାମ୍‌ଟିକୁ ବଦଳାଇବାକୁ ପଡ଼ିବ । ତେବେ, ମୋର ଯାତ୍ରା ସମ୍ବନ୍ଧୀୟ ସ୍କିମ୍‌ ଟଳି ନ ପାରେ । ଅବଶ୍ୟ ପୁସ୍ତକାଳୟ ପ୍ରସଙ୍ଗଟି ବିଲୟ ଭଜିଲାଣି ।

 

ମୁଁ ଆପତ୍ତି ଜଣାଇଲି–‘‘ଆଚ୍ଛା ଭାଇ, ବିଶ୍ୱ ଯାତ୍ରାରେ ତୁ ତ ଦୁଇ ଲକ୍ଷ ଟଙ୍କାରୁ ଅଧିକ ଖରଚ କରିବୁନି ?

 

‘‘ନା ଭାଇ ! ସେ ବଜେଟ ତ ସାଢ଼େ ତିନି ଲକ୍ଷ ଟଙ୍କାର ! ସାତବର୍ଷର ପ୍ରୋଗ୍ରାମ୍‌ । ବର୍ଷକେ ପଚାଶ ହଜାର କ’ଣ ଖର୍ଚ୍ଚ ହେବନି ?’’

 

‘‘ଆଚ୍ଛା, ମାସକୁ ଚାରି ହଜାର କୁହ । ମୁଁ ଭାବୁଛି ଦୁଇ ହଜାର ଖର୍ଚ୍ଚ କଲେ ତୁ ବେଶ୍‌ ଆରାମରେ ରହିବୁ !’’

 

ବିକ୍ରମ ଟିକେ ଉତ୍ତେଜିତ ହୋଇ କହିଲା–‘‘ମୁଁ ଖୁବ୍‌ ଆଡ଼ାରେ ଚଳିବାକୁ ଚାହେଁ । ଭିକାରିଙ୍କ ପରି ନୁହ ! ବୁଝିଲୁ ?’’

 

‘‘ଦୁଇ ହଜାରେବି ତୁ ନିଜର ଗୌରବ ରକ୍ଷା କରି ଚଳି ପାରିବୁ ।’’

 

‘‘କିନ୍ତୁ ଯେ ପର୍ଯ୍ୟନ୍ତ ତୁ ତୋ ଭାଗକୁ ଦୁଇ ଲକ୍ଷ ନ ଦେଇଚୁ ସେ ଯାଏଁ ପୁସ୍ତକାଳୟ ହେବା ଅସମ୍ଭବ !’’

 

‘‘ସହରର ପୁସ୍ତକାଳୟମାନଙ୍କ ଅପେକ୍ଷା ତୋର ପୁସ୍ତକାଳୟ ସ୍ୱତନ୍ତ୍ର ହେବା ବିଶେଷ ଜରୁରୀ ନୁହ ତ ?’’

 

‘‘ମୁଁ କିନ୍ତୁ ପୁସ୍ତକାଳୟଟିକୁ ଅସାଧାରଣ କରିବାକୁ ଚାହେଁ ।’’

 

‘‘ଏଭଳି ବିଚାରିବାର ଅଧିକାର ତୋର ରହିଛି; କିନ୍ତୁ ମୋ ଟଙ୍କାରୁ ତତେ କିଛି ମିଳିବନି-। ମୋ ବିଷୟ ତୁ କ’ଣ ଜାଣୁନା ? ତମଘରେ ଖୁବ୍‌ ସମ୍ପତ୍ତି ଅଛି । ତୋ ମୁଣ୍ଡ ଉପରେ କୌଣସି ବୋଝ ନାହିଁ । ମୋ ମୁଣ୍ଡ ଉପରେ ତ ଗୃହସ୍ଥିର ଗୋଟାଏ ବିରାଟ ବୋଝ ଲଦିହୋଇ ରହିଛି-। ଆଗରେ ଦୁଇ ଭଉଣୀଙ୍କର ବାହାଘର, ଭାଇ ଦୁଇଜଣଙ୍କର ପାଠପଢ଼ା, ଫେର୍‌ ଗୋଟାଏ ନୂଆ ଘର ମଧ୍ୟ ତୋଳାଇବାର କଥା । ମୁଁ ନିଶ୍ଚୟ କରି ନେଇଚି ଯେ, ସବୁ ଟଙ୍କା ବ୍ୟାଙ୍କ୍‍ରେ ଜମା କରିଦେବି-। ସେଇଥିରୁ ଯାହା ସୁଧ ମିଳିବ, ସେଇଥିରେ କାମ ଚଳାଇନେବି । ପୁଣି ବିଚାର କରୁଛି ଟଙ୍କା ଜମା ରଖିବାବେଳେ ଏଭଳି କେତେକ ସର୍ତ୍ତ କରାଇ ନେବି ଯଦ୍ୱାରା କି ମୋ ପରେ, ସେ ଧନରେ କେହି ହାତଦେଇ ପାରିବେନି ।’’

 

ବିକ୍ରମ ସହାନୁଭୂତି ପ୍ରକାଶ କରି କହିଲା–‘‘ତାହାହେଲେ ଏଭଳି ଅବସ୍ଥାରେ ତତେ କିଛି ମାଗିବା ଅନ୍ୟାୟ ହେବ । ଆଚ୍ଛା, ମୁଁ ନିଜେ କିଛି କଷ୍ଟ ସହ୍ୟ କରି ନେବି; କିନ୍ତୁ ବ୍ୟାଙ୍କ୍‍ର ସୁଧ ହାରତ ଖୁବ୍‌ କମି ଯାଇଛି !’’

 

ଆମେ କେତୋଟି ବ୍ୟାଙ୍କ୍‍ର ସୁଧହାର ସମ୍ପର୍କରେ ଅନୁସନ୍ଧାନ କରି ଜାଣିଲୁ ଯେ ସତକୁସତ ସ୍ଥାୟୀ କୋଷ ତଥା ସେଭିଙ୍ଗ୍‍ସ୍‌ବ୍ୟାଙ୍କ୍ ସୁଧର ହାର କମି ଯାଇଚି । ଦୁଇ କିମ୍ବା ଅଢ଼େଇ ଟଙ୍କା ସୁଧ ହାରରେ ଟଙ୍କା ଜମା କରିବା ବ୍ୟର୍ଥ । ଆଚ୍ଛା ୠଣ ଦିଆନିଆ କଲେ ତ ଭଲ ହୁଅନ୍ତା ! ବିକ୍ରମବି ବିଶ୍ୱଯାତ୍ରାରେ ନ ବାହାରି ରହନ୍ତା ଏବଂ ଉଭୟେ କୋଠି ଚଳାଇ ନିଅନ୍ତୁ କିଛି ଧନ ଜମା ହୋଇଯିବା ପରେ ସେ ବିଶ୍ୱଯାତ୍ରା କରନ୍ତା । ୠଣ ଦିଆନିଆରୁ ଯେଭଳି ଅତ୍ୟଧିକ ସୁଧ ମିଳନ୍ତା ସେଇଥିରେ ନିଜର ତେଜବି ବଢ଼ି ଉଠନ୍ତା; କିନ୍ତୁ ୠଣଦେଇ ଫେରି ପାଇବାର ସେଭଳି ଆଶା ନ ପାଇବା ଯାଏଁ କାହାରିକୁ ୠଣ ଦେବା ଉଚିତ ହେବନି । ଆସାମୀ ଯେତେ ବିଶ୍ୱାସଭାଜନ ହେଉନା କାହିଁକି, ମାତ୍ର ତା’ର କଥା ପଦକରେ ବିଶ୍ୱାସ କରି କାହିଁକି ଅବା ତାକୁ ୠଣ ଦିଆଯିବ ? ତାହା ପାଖରୁ କିଛି ସମ୍ପତ୍ତି ବନ୍ଧକ ରଖି ୠଣ ଦିଆଯାଇପାରେ । ତଦ୍ୱାରା ଆଉ ସନ୍ଦେହର ଅବକାଶ ରହିବନି ।

 

କଥାଟି ସ୍ଥିର ହେଲା । ପୁଣି ପ୍ରଶ୍ନ ଉଠିଲା–ଟିକେଟ୍‌ ଉପରେ କାହାର ନାମ ରହିବ ? ବିକ୍ରମ ନିଜ ନାମରେ ଟିକେଟ୍‌ କରାଇ ନେବାପାଇଁ ଖୁବ୍‌ ଆଗ୍ରହ ପ୍ରକାଶ କଲା । ଏପରି କି ଟିକେଟ ଉପରେ ତା’ର ନାମ ରହିଲେ ସେ ଟିକେଟରେ ଭାଗ ମିଶିବନି ବୋଲି କହିଲା । ମୁଁ ଅନ୍ୟ କୌଣସି ଉପାୟ ନ ଦେଖି ତା’ କଥାରେ ସମ୍ମତ ହେଲି । ଏ ସମ୍ପର୍କରେ କୌଣସି କାଗଜପତ୍ର କରାଗଲା ନାହିଁ । ଅବଶ୍ୟ ପରେ ମୁଁ ବିଶେଷ ଦୁଃଖ ଅନୁଭବ କଲି ?

 

(୨)

 

ପ୍ରତୀକ୍ଷାର ଦିନଗୁଡ଼ିକ ଗୋଟି ଗୋଟି ହୋଇ କଟିଯିବାକୁ ଲାଗିଲା । ଭୋର ହେଉହେଉ ଆମ ଆଖି କ୍ୟାଲେଣ୍ଡର ଉପରେ ପଡ଼େ । ମୋ ଘରକୁ ଲାଗି ବିକ୍ରମର ଘର । ମୁଁ ସ୍କୁଲ୍‍କୁ ଯିବା ପୂର୍ବରୁ ଓ ସ୍କୁଲ୍‍ରୁ ଫେରିବା ପରେ ଆମେ ଦୁହେଁ ଏକାଠି ବସି ନିଜ ନିଜର ଭବିଷ୍ୟତ କଳ୍ପନା କରିଯାଉ ଏବଂ ଯେପରି ଆମର କଥା କେହି ଶୁଣି ନ ନିଅନ୍ତି ସେଥିପ୍ରତି ସଜାଗ ରହୁ । ଆମର ଟିକେଟ କିଣା ରହସ୍ୟଟାକୁ ଆମେ ଲୁଚେଇ ରଖିବାକୁ ଚାହୁଁଥିଲୁ । ଏଇ ରହସ୍ୟ ଯେତେବେଳେ ସତ୍ୟର ରୂପ ଧାରଣ କରିନେବ ଲୋକେ କେଡ଼େ ଆଶ୍ଚର୍ଯ୍ୟ ନ ହେବେ ? କଳ୍ପନା ଦୃଶ୍ୟର ନାଟକୀୟ ଆନନ୍ଦଟିକୁ କରଛଡ଼ା କରିବା ଆମର ଅଭିଳାଷ ନଥିଲା ।

 

ଦିନେ କଥାପ୍ରସଙ୍ଗରେ ବିବାହ ବିଷୟ ଉଠିଲା । ବିକ୍ରମ ଦାର୍ଶନିକତା ପୂର୍ଣ୍ଣ ଗମ୍ଭୀରତା ପ୍ରକାଶ କରି କହିଲା–‘‘ବୁଝିଲୁ ଭାଇ ! ବିବାହ କରି ଜଞ୍ଜାଳରେ ପଡ଼ିବା ମୋର ଇଚ୍ଛା ନୁହେଁ । ସବୁବେଳେ ବ୍ୟର୍ଥ ଚିନ୍ତା କରି ହାୟ ହାୟ କରିବାକୁ ପଡ଼ିବ । ସ୍ତ୍ରୀର ବିଳାସ ସାମଗ୍ରୀରେ ସମସ୍ତ ଉଡ଼ିଯିବ !’’

 

ମୁଁ ବିରୋଧ କଲି–‘‘ଏକଥା ଅବଶ୍ୟ ସତ; କିନ୍ତୁ ଯେ ଯାଏଁ ସୁଖ ଦୁଃଖର ସାଥୀଟିଏ ପାଖକୁ ମିଳିନି ଜୀବନରେ ଆନନ୍ଦ ମିଳିବ କେଉଁଠୁଁ ? ବିବାହିତ ଜୀବନଯାପନ କରିବାରେ ମୋର ଆଗ୍ରହ ଅଛି । ଅବଶ୍ୟ ମୁଁ ଏଭଳି ଏକ ସାଥୀ ଚାହେଁ ଯେ କି ଶେଷ ଜୀବନ ଯାଏଁ ମୋ ସଙ୍ଗେ ରହିବ । ତୁ କ’ଣ ଭାବୁଛୁ ଏଭଳି ଗୋଟିଏ ସାଥୀ ପତ୍ନୀ ବିନା ଅନ୍ୟ କେହି ହୋଇପାରେ ?’’

 

ବିକ୍ରମ ଅଳ୍ପ ଚିଡ଼ି ଉଠି କହିଲା–‘‘ଅବଶ୍ୟ ଏ ହେଉଛି ଆପଣା ଆପଣା ଦୃଷ୍ଟିକୋଣ । ତାହାହେଲେ ତୋର ଗୋଟାଏ ସ୍ତ୍ରୀ ପ୍ରାପ୍ତ ହେଉ ଏବଂ କୁକୁରଙ୍କ ଭଳି ତା’ ପଛେପଛେ ଘୂରି ବୁଲ, ସଂସାରର ଶ୍ରେଷ୍ଠ ବିଭୂତି ଏବଂ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ କୃପା ମନେ କରିବାପାଇଁ ତୁ ପୁତ୍ର କନ୍ୟାବି ପ୍ରାପ୍ତ ହୁଅ । ଏ ସମ୍ପର୍କରେ ମୁଁ ତତେ ଶୁଭେଚ୍ଛା ଜଣାଉଛି । ମୁଁ କିନ୍ତୁ ସେଇଥିରୁ ମୁକ୍ତ ରହିବି ଏବଂ ଯେଉଁଆଡ଼େ ଚାହିଁବି ଯାଇ ପାରିବି । ଯେତେବେଳେ ଚାହିଁବି ଉଡ଼ି ପାରିବି ଏବଂ ଯେବେ ଚାହିଁବି ଘରକୁ ଫେରି ଆସିପାରିବି । ପ୍ରତି ମୁହୂର୍ତ୍ତରେ କେହି ଯେମିତି ମୁଣ୍ଡ ଉପରେ ଜଗୁଆଳ ହେଇ ରହିଛି–ଏ ସେଭଳି ନୁହେଁ । ଘରକୁ ଫେରିବାର ଏତେ ଟିକେ ବିଳମ୍ବ ହେଲା ତ ପ୍ରଶ୍ନବାଣ ଛୁଟିବ–ଏଯାଏଁ କେଉଁଠି ଥିଲ ? ଟିକେ ବାହାରକୁ ବାହାରିଲେ ତ ପ୍ରଶ୍ନ ହେବ–କେଉଁଆଡ଼େ ଯାଉଚ ? ଏବଂ ଦୁର୍ଭାଗ୍ୟରୁ ସେତିକିବେଳେ ପତ୍ନୀ ଯଦି ସାଙ୍ଗରେ ଯିବାକୁ ଚାହାନ୍ତି ତ ବୁଡ଼ି ମରିବା ଛଡ଼ା ଆଉ ବାଟ ରହିବନି । ବୁଝିଲୁ ଭାଇ ! ତୋ ଲାଗି ମୋର ଏତେ ଟିକେ ସହାନୁଭୂତି ନାହିଁ । କୌଣସି ପିଲାକୁ ସର୍ଦି ଟିକେ ହେଲା ତ ଧଇଁସଇଁ ହୋଇ କୌଣସି ହୋମିଓ ଡାକ୍ତରଙ୍କ ନିକଟକୁ ଦୌଡ଼ । ସେଇଥିରେ ପୁଣି କ’ଣନା ଯେତେବେଳେ ବୟସ ଖସି ଆସିବ ପିଲାଏ କହିବେ ଏହାଙ୍କର ଏଥର ପ୍ରସ୍ଥାନ କରିବା ଉଚିତ । ଥଟା ପରିହାସରେ ଉଡ଼ାଇ ଦେବେ ମଧ୍ୟ । ସୁବିଧା ମିଳିଲେ ବିଷ ଖୁଆଇ ଦେଇ ବାହାରେ ଯାଇ ପ୍ରଚାର କରିବେ ଏହାଙ୍କୁ ହଇଜା ହୋଇଚି । ବୁଝିଲୁ ଭାଇ, ଏ ଜଞ୍ଜାଳରେ ମୁଁ ସଡ଼ିବିନି ।’’

 

ଏତିକିବେଳେ କୁନ୍ତୀ ଆସିଲା । ବିକ୍ରମର ଛୋଟ ଭଉଣୀ କୁନ୍ତୀ । ବୟସ ଏଗାର । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ଏବଂ ସବୁବେଳେ ସେଇଥିରେ ଫେଲ୍‌ କରୁଥିଲା । ବଡ଼ ନଟଖଟିଆ ଆଉ ଚଞ୍ଚଳ ସ୍ୱଭାବ । ସେ ଏତେ ଜୋର ଧକ୍କା ଦେଇ କବାଟଟିକୁ ଖୋଲିଲା ଯେ ଆମେ ଚମକି ଉଠି ଠିଆ ହୋଇପଡ଼ିଲୁ ।

 

ବିକ୍ରମ ବିଗିଡ଼ି ଯାଇ କହିଲା–‘‘ତୁ ଗୋଟାଏ ବଡ଼ ସଇତାନଲୋ କୁନ୍ତୀ ! ତତେ କିଏ ଏଠାକୁ ଡାକିଲା ?’’

 

କୁନ୍ତୀ ଗୁପ୍ତ ପୋଲିସ୍‌ଙ୍କ ଭଳି କୋଠରୀ ଚାରିପାଖେ ଥରେ ଦୃଷ୍ଟି ବୁଲାଇ ନେଇ କହିଲା ‘‘ତମେ ଦିହେଁ ସବୁବେଳେ ଏଇ ଘର ଭିତରେ କବାଟ ବନ୍ଦ କରି କ’ଣ ସବୁ କଥାବାର୍ତ୍ତା କରୁଛ ? ଯେତେବେଳେ ଦେଖିବ ତମେ ଦିହେଁ ଏଇଠି । କେଉଁଆଡ଼େ ତ ବୁଲିଚାଲି ଯାଉନା, ନାଟଯାତ୍ରା ଦେଖିବାକୁ ତ ଯାଉନା, ଏଇଠି ବସିବସି କ’ଣ ସବୁ ତନ୍ତ୍ରମନ୍ତ୍ର କରୁଛ ?’’

 

ବିକ୍ରମ ତା’ର ବେକ ଧରି ପକାଇ ଟିକେ ହଲେଇ ଦେଇ କହିଲା–‘‘ହଁ, ହଁ ଆମେ ତନ୍ତ୍ରମନ୍ତ୍ର କରୁଛୁ । ତା’ ପୁଣି କାହିଁକି ଜାଣୁ ? ତତେ ଗୋଟାଏ ବର ମିଳିବ ବୋଲି, ଯେ କି ରୋଜ୍‌ ଗଣି ଗଣି ତୋ ପିଠିରେ ପାଞ୍ଚ ବେତ ମାଡ଼ ଚଢ଼ାଉଥିବ ।’’

 

କୁନ୍ତୀ ତା’ ପିଠି ଉପରେ ବସିପଡ଼ି କହିଲା–‘‘ମୁଁ ଇମିତି ଗୋଟିଏ ଲୋକକୁ ବାହା କରିବି, ଯେ କି ମୋ ସାମନାରେ ଠିଆ ହୋଇ ସର୍ବଦା ଲାଞ୍ଜ ହଲାଇବାରେ ଲାଗିବ । ମୁଁ ମିଠେଇ ଖାଇ ପତ୍ର ଫିଙ୍ଗିଦେବା ପରେ ସେ ଚାଟିବ । ଏତେ ଟିକେ ଉଁ କି ଚୁ କଲା ତ କାନ ରଗଡ଼ି ଲାଲ୍‌ କରି ଦେବି । ମା’ କହିଛି ତା’ ନାମରେ ଲଟେରି ଉଠିଲେ, ସେ ମତେ ପଚାଶ ହଜାର ଟଙ୍କା ଦେବ । ବେଶ୍‌ ମଜା ମାରିବି । ମାଆପାଇଁ ଦିନକୁ ଦୁଇଥର ମୁଁ ଠାକୁରଙ୍କଠାରେ ପ୍ରାର୍ଥନା ଜଣାଏ । ମା’ କହନ୍ତି–କୁଆଁରୀ ଝିଅମାନଙ୍କର ପ୍ରାର୍ଥନା କେବେ ନିଷ୍ଫଳ ଯାଏନି । ମୋର ମନ ତ ଡାକୁଛି–ମା’କୁ ନିଶ୍ଚୟ ଟଙ୍କା ମିଳିବ ।’’

 

ଏତିକିବେଳେ ଗୋଟାଏ କଥା ମୋର ସ୍ମରଣ ହେଲା । ଥରେ ମୁଁ ମୋର ମାମୁଘର ଗାଁକୁ ଯାଇଥିଲି । ସେଠାରେ ଜମି ସବୁ ଶୁଖିଲା ପଡ଼ିଥାଏ । ଭାଦ୍ରବ ମାସ ଆସି ଯାଇଥାଏ ଅଥଚ ବର୍ଷାର ନାମଗନ୍ଧ ନାହିଁ । ଗାଁ ଲୋକେ ଚାନ୍ଦା ଉଠାଇ ଭୋଜି କଲେ ଏବଂ ଗାଁର ସମସ୍ତ କୁଆଁରୀ ଝିଅକୁ ନିମନ୍ତ୍ରଣ କରି ଭୋଜି ଖୁଆଇଲେ । ଠିକ୍‌ ତିନୋଟି ଦିନ ଯାଇଛି କି ନାହିଁ ମୂଷଳଧାରାରେ ବର୍ଷା ହେଲା । ଏଇଥିରୁ ଜଣାଯାଏ ଅବଶ୍ୟ କୁଆଁରୀ ଝିଅମାନଙ୍କର ପ୍ରାର୍ଥନାରେ ପ୍ରଭାବ ରହିଛି ।

 

ମୁଁ ବିକ୍ରମକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁଲି ଏବଂ ସେ ମତେ । ଚାହାଣିର ବିନିମୟରେ ଆମେ ପରସ୍ପର ଭିତରେ ପରାମର୍ଶ କରି ଗୋଟାଏ ନିଶ୍ଚୟ କରି ନେଲୁ । ବିକ୍ରମ କୁନ୍ତୀକୁ କହିଲା–‘‘ଆଚ୍ଛା, ମୁଁ ତତେ ଗୋଟାଏ କଥା କହିବି, ତୁ କାହାକୁ କିଛି କହିବୁନି ନା ? ନା, ନା, ତୁ ଭାରି ଭଲ ଝିଅଟିଏ, କାହାକୁ କିଛି କହିବୁ ନାହିଁ ଯେ ! ଏଥର ମୁଁ ତତେ ଭଲ କରି ପାଠ ପଢ଼ାଇ ପାସ୍‌ କରାଇ ଦେବି । କଥା ହେଉଛି, ଆମେ ଦୁହେଁବି ଲଟେରି ଟିକେଟ କିଣୁଛୁ । ତୁ ଆମପାଇଁବି ଭଗବାନଙ୍କ ନିକଟରେ ଟିକେ ପ୍ରାର୍ଥନା କର । ଆମକୁ ଟଙ୍କା ମିଳିବ ଯଦି, ତୋପାଇଁ ଖୁବ୍‌ ସୁନ୍ଦର ସୁନ୍ଦର ଗହଣା ତିଆରି କରାଇଦେବୁ ମୁଁ ଯାହା କହୁଛି ସତ–ବୁଝିଲୁ ?’’

 

କୁନ୍ତୀ ବିଶ୍ୱାସ କରି ପାରିଲାନି । ଆମେ ନିଜ ନିଜର ଦେହ ଛୁଇଁ ଏ କଥାରେ ତା’ର ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କଲୁ । ସେ କିନ୍ତୁ ଆମପାଇଁ ପ୍ରାର୍ଥନା ଜଣାଇବ ନାହିଁ ବୋଲି ମନା କରିବାକୁ ଲାଗିଲା । ଆମେ ଯେତେବେଳେ ତାକୁ ତାଳୁରୁ ତଳିପା ଯାଏଁ ହୀରା ଆଉ ସୁନାରେ ମଣ୍ଡିଦେବୁ ବୋଲି ପ୍ରତିଶ୍ରୁତି ଦେଲୁ, ସେତେବେଳେ ସେ ଆମପାଇଁ ପ୍ରାର୍ଥନା ଜଣାଇବ ବୋଲି ରାଜିହେଲା ।

 

ଯାହାର ପେଟ ଭିତରେ ମହଣେ ମିଠେଇ ହଜମ ହୋଇ ପାରୁଥିଲା । ତା’ର ପେଟରେ କିନ୍ତୁ ଏ ଟିକକ କଥା ହଜମ ହୋଇ ପାରିଲାନି । ସିଧା ଘର ଭିତରକୁ ଯାଇ କ୍ଷଣକ ମଧ୍ୟରେ ସମସ୍ତ କଥା ପ୍ରକାଶ କରିଦେଲା । ବର୍ତ୍ତମାନ ଯାହାକୁ ଦେଖିବ ସେ ବିକ୍ରମକୁ ଗାଳି ଦେବାରେ ଲାଗିଛି । ବିକ୍ରମର ଶୁଭକାମନା କରି କିମ୍ବା ଅନ୍ୟ କୌଣସି କଥା ନେଇ ତା’ର ମା’, ବାପା, କକା ସମସ୍ତେ ତାକୁ ଗାଳିଦେଇ ଯାଉଥାନ୍ତି–‘‘ବସି ବସି ତତେ ଏଇ ଦୁଷ୍କାର୍ଯ୍ୟଇ ଜୁଟେ ? ଟଙ୍କା ଦେଇ ପାଣିରେ ଫିଙ୍ଗିଦେଲୁ । ଘରେ ତ ଏତେ ଲୋକ ଟିକେଟ୍‌ କିଣିଥିଲେ, ତୁ ଅବା କାହିଁକି ଗୋଟାଏ ଟିକେଟ୍‌ କିଣିବାକୁ ଗଲୁ ? ଘରଲୋକେ ତତେ କ’ଣ କିଛି ଦେଇ ନଥାନ୍ତେ ?’’ ପୁଣି ସମସ୍ତେ ମୋ ଆଡ଼କୁ ଦୃଷ୍ଟି ଫେରାଇ କହିବାକୁ ଲାଗିଲେ ‘‘ଆଉ ତମେ ମାଷ୍ଟରବାବୁ ତମେବି କିମିତି ଗୋଟାଏ ମୂର୍ଖ କେଜାଣି ! ପିଲାକୁ ତମେ ଭଲ କଥା ଶିକ୍ଷା ନ ଦେଇ ତାକୁ ଏଭଳି ନଷ୍ଟ କରି ଦେଉଛ !’’

 

ବିକ୍ରମ ତ ଖୁବ୍‌ ଆଦରରେ ବଢ଼ିଥିଲା । ତାକୁ ଅବା ଆଉ କ’ଣ କହନ୍ତେ ? ଟିକେ ରୁଷି ଦିନେ ଓଳିଏ ଖାଇବନି ତ ବିପଦ । ସୁତରାଂ ମୋରି ଉପରେ ସମସ୍ତେ ଚିଡ଼ି ଉଠିଲେ–କେବଳ ଏହାରି ସଙ୍ଗରେ ପଡ଼ି ପୁଅ ଆମର ବିଗିଡ଼ି ଯାଉଛି ।’’

 

‘‘ଅନ୍ୟମାନଙ୍କୁ ଉପଦେଶ ଦେବାରେ କୁଶଳ’’–ପ୍ରବଚନଟି ମୋର ଆଖି ଆଗରେ ନାଚିଗଲା । ପିଲା ଦିନର ଗୋଟାଏ ଘଟଣା ମୋର ମନେ ପଡ଼ିଲା । ହୋରି ଖେଳର ସମୟ । ବୋତଲେ ମଦ ମଗା ଯାଇଥାଏ । ସେ ସମୟରେ ମାମୁ ଆମ ଘରକୁ ଆସିଥାନ୍ତି । ମୁଁ ଚୁପ୍‌ଚାପ୍‌ କୋଠରୀ ଭିତରେ ପ୍ରବେଶ କରି ଗିଲାସରେ କିଛି ମଦ ଢାଳି ଢୋକେ ପିଇଦେଲି । ତଟି ଜଳିବାକୁ ଲାଗିଲା । ଆଖି ଲାଲ୍‌ ହୋଇ ଉଠିଲା । ଏତିକିବେଳେ ମାମୁ କୋଠରୀ ଭିତରକୁ ପଶି ଆସିଲେ ଏବଂ ମୋର ଦୁଷ୍କାର୍ଯ୍ୟପାଇଁ ଏତେ ବିଗିଡ଼ିଲେ ଯେ, ଭୟରେ ମୁଁ ଥରିବାକୁ ଲାଗିଲି । ମୋର ବାପା, ମା’ବି ମତେ ଗାଳିଦେଲେ । ମୁଁ ମୋ ଅଶ୍ରୁଜଳରେ ସେମାନଙ୍କର କ୍ରୋଧାଗ୍ନି ଶାନ୍ତ କରିବାକୁ ଲାଗିଲି-। ତା’ପରେ କ’ଣ ହେଲା ନା ଠିକ୍‌ ଦୁଇ ପହରବେଳକୁ ମାମୁ ନିଶାରେ ପାଗଳ ହୋଇ ଉଠି ଗୀତ ଗାଇଲେ, କାନ୍ଦିଲେ, ମାଆକୁ ଗାଳିଦେଲେ, ମନା କରୁ କରୁ ବାପାଙ୍କୁ ମାଡ଼ ଦେବାକୁ ଧାଇଁଲେ । ଶେଷରେ ବାନ୍ତି କରି ଭୂମି ଉପରେ ହତଜ୍ଞାନ ହୋଇ ଲେଉଟି ପଡ଼ିଲେ-

 

(୩)

 

ବିକ୍ରମର ପିତା ବଡ଼ଠାକୁର ଓ କକା ସାନ ଠାକୁର ଉଭୟେ ଜଡ଼ବାଦୀ । ପୂଜାପାଠର ନାମ ଶୁଣିଲେ ହସରେ ଉଡ଼େଇ ଦିଅନ୍ତି । ପୂରା ନାସ୍ତିକ ସେମାନେ । ଆଜିକାଲି କିନ୍ତୁ ଉଭୟେ ଅତ୍ୟନ୍ତ ନିଷ୍ଠାପର ଏବଂ ଈଶ୍ୱର ଭକ୍ତ ହୋଇ ଉଠିଚନ୍ତି । ଖୁବ୍‌ ଭୋରରୁ ବଡ଼ଠାକୁର ଗଙ୍ଗାସ୍ନାନ କରିବାକୁ ଯାଆନ୍ତି ଏବଂ ମନ୍ଦିର ମନ୍ଦିର ଘୂରି ସାରା ଦେହରେ ଚନ୍ଦନ ବୋଳି ଦୁଇ ପ୍ରହରବେଳକୁ ଘରକୁ ଲେଉଟି ଆସନ୍ତି । ଛୋଟ ଠାକୁରଘରେ ଗରମ ଜଳରେ ସ୍ନାନ ସମାପନ କରନ୍ତି ଏବଂ ଗଣ୍ଠିବାତ ରୋଗଗ୍ରସ୍ତ ହୋଇ ମଧ୍ୟ ରାମନାମ ଲେଖିବା ଆରମ୍ଭ କରି ଦିଅନ୍ତି । ସକାଳ ହେଉ ହେଉ ପୁଣି ସେ ପାର୍କ୍‍କୁ ଯାଆନ୍ତି ଏବଂ ପିମ୍ପୁଡ଼ିମାନଙ୍କୁ ଖାଦ୍ୟ ଦିଅନ୍ତି । ସନ୍ଧ୍ୟା ହେଉ ହେଉ ଉଭୟେ ଆପଣା ଆପଣା ଠାକୁର ଦୁଆରେ ଯାଇ ବସନ୍ତି ଏବଂ ଅର୍ଦ୍ଧରାତ୍ର ଯାଏଁ ତନ୍ମୟ ହୋଇ ଭାଗବତ ଶୁଣନ୍ତି । ବିକ୍ରମର ବଡ଼ ଭାଇ ପ୍ରକାଶ ସାଧୁ ମହାତ୍ମାମାନଙ୍କୁ ଅଧିକ ବିଶ୍ୱାସ କରନ୍ତି । ସେ ମଠ ମନ୍ଦିରକୁ ଯାଆନ୍ତି ଏବଂ ସାଧୁମାନଙ୍କର ଆଖଡ଼ାଗୁଡ଼ିକୁ ଘୂରି ବୁଲନ୍ତି । ସକାଳୁ ଅଧରାତି ଯାଏଁ ବିକ୍ରମର ମା’ଙ୍କର ସ୍ନାନ, ପୂଜା, ବ୍ରତ ଛଡ଼ା ଅନ୍ୟ କାର୍ଯ୍ୟ ନଥାଏ । ସେ ବୟସରେ ମଧ୍ୟ ସେ ଶୃଙ୍ଗାର ଅଭିଳାଷିଣୀ ଥିଲେ । ଆଜିକାଲି କିନ୍ତୁ ପୂରା ତପସ୍ୱିନୀ । ବୃଥା, ଲୋକେ ଲାଳସା ପ୍ରତି ଖରାପ ମନୋଭାବ ପୋଷଣ କରି ଥାଆନ୍ତି । ମୁଁ କିନ୍ତୁ ବୁଝୁଛି–ଆମ ଭିତରେ ଏ ଯେଉଁ ଭକ୍ତି, ନିଷ୍ଠା ଏବଂ ଧର୍ମ ପ୍ରେମ ରହିଛି ତାହା କେବଳ ଆମରି ଆକାଂକ୍ଷାକୁ ନେଇ ଆମରି ଧର୍ମ ଓ ଆମରି ଲାଳସା ଉପରେ ପ୍ରତିଷ୍ଠିତ । ଇଚ୍ଛାଶକ୍ତି ମଣିଷର ମନ ଆଉ ବୁଦ୍ଧି ଉପରେ ଏଡ଼େ ସଂସ୍କାର ଆଣିପାରେ–ଏହା ବିଲ୍‍କୁଲ୍‌ ମୋର ନୂତନ ଅନୁଭୂତି । ବିକ୍ରମ ଆଉ ମୁଁ ବେଳେବେଳେ ଜ୍ୟୋତିଷ ଶାସ୍ତ୍ରଜ୍ଞ ଏବଂ ପଣ୍ଡିତମାନଙ୍କୁ ନାନା ପ୍ରଶ୍ନ ପଚାରି ନିଜ ନିଜକୁ ଦୁଃଖିତ କରାଉ ।

 

ଲଟରୀ ଉଠିବା ଦିନ ଯେତିକି ପାଖେଇ ଆସୁଥାଏ, ଆମ ମନ ଭିତରର ଶାନ୍ତି ସେତିକି ବ୍ୟାହତ ହେଉଥାଏ । ମନଟା ସର୍ବଦା ସେଇ ଆଡ଼କୁ ଟାକିରହେ । ଥରେ ମୁଁ ସନ୍ଦେହ କରିବାକୁ ଲାଗିଲି ଯେ ବିକ୍ରମ ଯଦି ଭାଗ ଦେବନି ବୋଲି କହେ ତେବେ ମୁଁ କ’ଣ କରିବି ? ଟିକେଟ୍‌ରେ ମୋର ଭାଗ ନାହିଁ ବୋଲି ହୁଏତ ସେ ସଫା ମନା କରି ଦେଇପାରେ । ଆମ ଭିତରେ ସେ ସମ୍ପର୍କ ନେଇ କୌଣସି ଲେଖାଲେଖି ହୋଇ ନାହିଁ କି ସେଭଳି ପ୍ରମାଣବି କିଛି ନାହିଁ । ସବୁ କିଛି ବିକ୍ରମ ଉପରେ ନିର୍ଭର କରୁଛି । ସେ ଯଦି ତା’ର ମତିଗତି ବଦଳାଇଲା ତ ମୋର ସର୍ବନାଶ । କେଉଁଠି କାହା ଆଗରେ କିଛି କହିବା ଦୂରେ ଥାଉଁ ପାଟିବି ଫିଟେଇ ହେବନି । ଏବେ ମୁଁ ତାକୁ କିଛି କହେ ତ ତାହାହେଲେବି କୌଣସି ଫଳ ହେବନି । ଯଦି ତା’ର ମତିଗତିରେ ପରିବର୍ତ୍ତନ ଆସି ଯାଇଥାଏ ସେ ଏବଠୁଁ ମନା କରି ଦେଇପାରେ । ଯଦି ମନରେ ତା’ର ସେଭଳି ପରିବର୍ତ୍ତନ ଆସି ନଥାଏ ତାହାହେଲେ ମୋର ଏ ପ୍ରକାର ସନ୍ଦେହଦ୍ୱାରା ସେ ମର୍ମାନ୍ତିକ ବେଦନା ପାଇବ । ଲୋକଟି କିନ୍ତୁ ସେଭଳି ନୁହେଁ; କିନ୍ତୁ ଧନ ଯେବେ ହାତକୁ ଆସିଯାଏ ତେବେ ନିଜର ବିଶ୍ୱାସକୁ ବଜାୟ ରଖିବା କଠିନ ହୋଇ ଉଠେ । ଆଚ୍ଛା, ଏଯାଏଁ ଟଙ୍କା ମିଳିନି; ଏତିକିବେଳେ ନିଜକୁ ବିଶ୍ୱାସଭାଜନ କରାଇବାରେ କଷ୍ଟ ହେବ ଅବା କାହିଁକି ? ପରୀକ୍ଷାର ସମୟ ସେତିକିବେଳେ ଆସିବ, ଯେତିକିବେଳେ କି ଦଶ ଲକ୍ଷ ଟଙ୍କା ଆସିଯାଇଥିବ । ପୁଣି ମୋର ଅନ୍ତଃକରଣ ଭିତରୁ ପ୍ରଶ୍ନ ଉଠିଲା–ଯଦି ଟିକେଟ୍‌ଟି ମୋ ନାମରେ ଥାଆନ୍ତା ଓ ମତେ ଦଶ ଲକ୍ଷ ମିଳନ୍ତା, ତାହାହେଲେ କ’ଣ ମୁଁ ବିନା କାନ ମୁଣ୍ଡ ହଲାଇ ଅଧା ଟଙ୍କା ତାକୁ ଦେଇ ଦିଅନ୍ତି ? କେଜାଣେ ? ବହୁତ ସମ୍ଭବ, ମୁଁ ଏପଟ ସେପଟ ହୁଅନ୍ତି ଏବଂ କହନ୍ତି–ତୁ ମତେ ପାଞ୍ଚ ଟଙ୍କା ଧାର ଦେଇଥିଲୁ । ସେଇଥିପାଇଁ ତୁ ତୋ ଟଙ୍କାର ଦଶଗୁଣ କିମ୍ବା ୧୨ ଗୁଣ ନେଇଯା । ଆଉ କରିବୁ କ’ଣ ? କିନ୍ତୁ....ନା..., ମୋଠାରେ ଏଭଳି ଅବିଶ୍ୱାସ କଥା ସମ୍ଭବ ହୁଅନ୍ତାନି ।

 

ତା’ପର ଦିନ ଆମେ ବସି ଖବରକାଗଜ ଦେଖୁଥାଉଁ । ସହସା ବିକ୍ରମ କହିବାକୁ ଲାଗିଲା–‘‘ଯଦି ଲଟରୀରେ ଆମ ଟିକେଟ ଉଠିଯାଏ, ତାହାହେଲେ ତୋ ସହିତ ମିଶି ଟିକେଟ୍‌ କିଣିବା ବିଷୟ ନେଇ ମୋର ଖୁବ୍‌ ଦୁଃଖ ହେବ ।’’

 

ଏହା କହିଦେଇ ଖୁବ୍‌ ସରଳ ଭାବରେ ସେ ହସି ଉଠିଲା । ତାହା କିନ୍ତୁ ଥିଲା ତା’ର ଅନ୍ତରର କଥା ଏବଂ ସେ ହସକୁ ମନୋବିନୋଦନ ଆଢ଼ୁଆଳରେ ଲୁଚେଇ ଦେବାକୁ ଚାହୁଁଥିଲା ।

 

ମୁଁ ଚମକି ଉଠି କହିଲି–‘‘ସତେ ! ମୋରବି ତ ଦୁଃଖ ହେବ ଏଥିରେ ।’’

 

‘‘କିନ୍ତୁ ଟିକେଟ୍‌ ତ ମୋ ନାମରେ ଅଛି ।’’

 

‘‘ଥିଲେ କ’ଣ ହେଲା ?’’

 

‘‘ଆଚ୍ଛା, ମନେକର ଯେ, ମୁଁ ଏ କଥାକୁ ଅସ୍ୱୀକାର କରୁଛି । ତାହାହେଲେ ?’’

 

ମୋ ଦେହର ରକ୍ତ ଥଣ୍ଡା ହୋଇଗଲା । ଚାରିଆଡ଼ ଅନ୍ଧକାରମୟ ଦେଖାଗଲା । କହିଲି–‘‘ମୁଁ ତତେ ଏଭଳି ଅବିଶ୍ୱାସୀ ମନେ କରେନା !’’

 

‘‘କିନ୍ତୁ ଏହା ଖୁବ୍‌ ସମ୍ଭବ ହୋଇପାରେ । ପାଞ୍ଚ ଲକ୍ଷ ଟଙ୍କାର କଥା ! ଟିକେ ଭାବିନେ । ମୁଣ୍ଡ ଏକାବେଳକେ ଘୂରି ଯାଉଛି ।’’

 

‘‘ତାହାହେଲେ ଭାଇ, ଏବଠଉଁ ତୋ ମୋ ଭିତରେ କିଛି କାଗଜପତ୍ର କରି ଦେବା ଭଲ ହେବ । ଏଭଳି ସନ୍ଦେହର ଅବା କି ଆବଶ୍ୟକତା ଅଛି ?’’

 

ବିକ୍ରମ ହସିହସି କହିଲା–‘‘ବୁଝିଲୁ, ତୁ ବଡ଼ ସନ୍ଦେହୀ । ମୁଁ ତତେ ପରୀକ୍ଷା କରୁଥିଲି । ଭଲା ଏଭଳି କେଉଁଠି ହୋଇପାରେ ? ପାଞ୍ଚ ଲକ୍ଷ କ’ଣ, ପାଞ୍ଚ କୋଟିବି ହେଉ, ଭଗବାନ୍‌ ଯଦି ଚାହାନ୍ତି, ମନରେ ଏତେ ଟିକେବି ପରିବର୍ତ୍ତନ ଆସିବନି ।’’

 

ମୋର କିନ୍ତୁ ତା’ର ଏଇ ଆଶ୍ୱାସବୋଳା କଥାରେ ଏତେ ଟିକେ ବିଶ୍ୱାସ ହେଲାନି । ମନ ଭିତରେ ସଂଶୟ ଘର ବାନ୍ଧି ବସିଲା । କହିଲି–‘‘ମୁଁ ଜାଣେ ତୋର ନିୟମ କେବେ ବଦଳିବନି; କିନ୍ତୁ କିଛି ଗୋଟାଏ ଲେଖାଲେଖି କରାଇ ନେବାରେ କ’ଣ ଆପତ୍ତି ଅଛି ଶୁଣେ ?’’

 

‘‘ବୃଥା ।’’

 

‘‘ସେ ବୃଥା ହେଉ ପଛେ.... ।’’

 

‘‘ତାହାହେଲେ କାଗଜ ଉପରେ ଖୁବ୍‌ ପକ୍କା କରି ଲେଖିବାକୁ ପଡ଼ିବ । ଦଶ ଲକ୍ଷ ଟଙ୍କାପାଇଁ କୋର୍ଟ ଫିସ୍‌ ସାଢ଼େ ସାତ ହଜାର ! ତୋର କାହିଁକି ଏ ଭ୍ରମ ଜାତ ହେଇଚି କହିଲୁ ?’’

 

ଭାବିଲି, ହୁଏତ ସାଦା କାଗଜ ଉପରେ ଲେଖାଇ ନେଲେ ତା’ରି ଉପରେ କୋର୍ଟ କଚେରିର ପ୍ରଭାବ ରହି ନପାରେ; କିନ୍ତୁ ବିକ୍ରମକୁ ଲଜ୍ଜିତ କରିବାପାଇଁ, ଅପମାନିତ କରିବାପାଇଁ ସମସ୍ତଙ୍କ ସାମନାରେ ଏହାକୁ ବର୍ତ୍ତମାନ ସିଦ୍ଧ କରିବାକୁ ଅବଶ୍ୟ ମୁଁ ସୁଯୋଗ ପାଇବି । ଦୁନିଆରେ ବଦନାମର ଭୟ ଯଦି ନ ରହେ, ମଣିଷ କ’ଣ ନା କ’ଣ କରିଯାଇପାରେ । ଅପମାନଜନିତ ଭୟ, ନିୟମ କାନୁନ୍‍ର ଭୟ ଅପେକ୍ଷା ସିମିତି କମ୍‌ କ୍ରିୟାଶୀଳ ନୁହ । କହିଲି–‘‘ସାଦା କାଗଜରେ ଲେଖାଇ ନେଲେବି ମୋର ବିଶ୍ୱାସ ରହିବ ।’’

 

ବିକ୍ରମ ବେଖାତିର କରି କହିଲା–‘‘ଯେଉଁ କାଗଜରେ ନିୟମ କାନୁନ୍‌ର କୌଣସି ପ୍ରଭାବ ରହିବନି ତାକୁ ଲେଖି ଅନ୍ୟଥା କାହିଁକି ସମୟ ନଷ୍ଟ କରିବା ?’’

 

ତା’ର ଏକଥାରୁ ମୁଁ ନିଶ୍ଚୟ କରି ନେଲି ଯେ, ବର୍ତ୍ତମାନଠାରୁ ବିକ୍ରମର ନିୟତ ଅବଶ୍ୟ ବଦଳି ଗଲାଣି । ନାହିଁ ତ ସାଦା କାଗଜ ଉପରେ ଟିକେ ଲେଖାଇ ନେବାରେ କ’ଣ ବାଧା ଥିଲା ? ବିଗିଡ଼ି ଯାଇ କହିଲି–‘‘ଦେଖୁଛି, ତୋର ମତିଗତି ଏବଠଉଁ ବଦଳିଲାଣି ।’’

 

ସେ ନିର୍ଲଜ୍ଜ ଭଳି କହିବାକୁ ଲାଗିଲା–‘‘ତାହାହେଲେ ତୁ କ’ଣ ଏହା ପ୍ରମାଣ କରିବାକୁ ଚାହୁଁ ଯେ, ଏଭଳି ପରିସ୍ଥିତିରେ ତୋର ମତିଗତି ବଦଳି ନଥାନ୍ତା ?’’

 

‘‘ମୋର ମନ ଏଡ଼େ ଦୁର୍ବଳ ନୁହ ।’’

 

‘‘ରଖ ରଖ । ବଡ଼ ମତିଗତି ଥିଲାବାଲା ! ଏଭଳି କେତେ ଲୋକଙ୍କୁ ଦେଖିଛି ।’’

 

‘‘ଏଇ ମୁହୂର୍ତ୍ତରେ ତତେ ଲେଖାଇ ନେବାକୁ ପଡ଼ିବ । ତୋ ଉପରେ ମୋର ଆଦୌ ବିଶ୍ୱାସ ନାହିଁ ।’’

 

‘‘ମୋ ଉପରେ ତୋର ବିଶ୍ୱାସ ଯଦି ନାହିଁ, ତେବେ ଲେଖାଲେଖିରେ ମୋର ମଧ୍ୟ ବିଶ୍ୱାସ ନାହିଁ ।’’

 

‘‘ତାହାହେଲେ ତୁ କ’ଣ ଭାବିଚୁ–ମୋ ଟଙ୍କା ତୁ ହଜମ କରି ଦେଇ ପାରିବୁ ?’’

 

‘‘କାହାର ଟଙ୍କା ଏବଂ କି ଟଙ୍କା ?’’

 

‘‘ମୁଁ କହି ରଖୁଛି ବିକ୍ରମ ! ଆମ ଭିତରର ବନ୍ଧୁତା ତୁଟିଯିବ । ବରଂ ପରିମାଣ ଏହାଠାରୁ ବଳି ଅଧିକ ଭୟଙ୍କର ହୋଇପାରେ ।’’

 

ସହସା ବୈଠକଖାନାରେ ବାକ୍‌ଯୁଦ୍ଧ ହେଉଥିବା ଶୁଣିପାରି ମୋର ଧ୍ୟାନ ସେ ଆଡ଼କୁ ଆକୃଷ୍ଟ ହେଲା । ସେଇ ବୈଠକଖାନାଟି ଠାକୁର ଦୁଇ ଭାଇଙ୍କର ବସାଉଠା ଘର । ଆଦର୍ଶ ଭାଇମାନଙ୍କ ଭିତରେ ବନ୍ଧୁତା ଯେଭଳି ରହେ, ତାଙ୍କରି ଭିତରେ ଠିକ୍‌ ସେଇଭଳି ବନ୍ଧୁତା ଥିଲା । ରାମ ଏବଂ ଲକ୍ଷ୍ମଣଙ୍କ ଭିତରେ ଥିବା ବନ୍ଧୁତା ସଙ୍ଗେ ଏମାନଙ୍କ ବନ୍ଧୁତା ତୁଳନୀୟ । ବାକ୍‌ଯୁଦ୍ଧର କଥା ତେଣେ ଥାଉ ମୁଁ କେବେ ସେମାନଙ୍କ ଭିତରେ କୌଣସି ପ୍ରକାର କଳହ ହୋଇଥିବା ଶୁଣି ନାହିଁ । ବଡ଼ଠାକୁର ଯାହା କହନ୍ତି ତାହା ଛୋଟ ଠାକୁରଙ୍କ ପାଇଁ କାନୁନ୍‌ ଭଳି ଥିଲା । ଏବଂ ଛୋଟ ଠାକୁରଙ୍କର ଇଚ୍ଛା ଅନିଚ୍ଛା ନେଇ ବଡ଼ଠାକୁର ଚଳୁଥିଲେ । ସୁତରାଂ ସେମାନଙ୍କ ଭିତରେ ବାକ୍‌ଯୁଦ୍ଧ ହେଉଥିବା ଲକ୍ଷ୍ୟ କରି ଆମେ ଚକିତ ହୋଇ ଉଠିଲୁ; ଯାଇ ବୈଠକଖାନାର ଦୁଆରେ ଠିଆ ହେଲୁ-। ଦୁଇ ଭାଇ ନିଜ ନିଜର ଚଉକି ଛାଡ଼ି ଠିଆ ହୋଇଥାନ୍ତି, ଏପରିକି ପାଦେ ପାଦେ ଆଗକୁ ବଢ଼ି ଆସିଥାନ୍ତି ମଧ୍ୟ । ଆଖି ଲାଲ, ମୁଖ ବିକୃତ, ଦୃଷ୍ଟି ତୀବ୍ର, ମୁଠା ମୁଠା ହାତ । ଜଣାଯାଉଥାଏ ଯେପରିକି ହାତାହାତି ହେବାକୁ ଯାଉଚନ୍ତି ।

 

ଛୋଟ ଠାକୁର ଆମକୁ ଦେଖିପାରି ଟିକେ ପଛକୁ ହଟି ଯାଇ କହିଲେ–‘‘ସମ୍ମିଳିତ ପରିବାର ଭିତରେ ସେ ଯାହା କିଛି, କିନ୍ତୁ ଯାହାରି ନାମରେ ଆସୁ ପଛେ ତାହା ବରାବର ସମସ୍ତଙ୍କର ।

 

ବଡ଼ଠାକୁର ବିକ୍ରମକୁ ଦେଖିପାରି ପାଦ ଆହୁରି ଆଗକୁ ବଢ଼ାଇ ଆଣି କହିଲେ–‘‘କଦାପି ନୁହ । ମୁଁ ଯଦି ଜୁଲମ କରେ, ତେବେ ପୋଲିସ୍‌ ମତେ ବାନ୍ଧିବ; କିନ୍ତୁ ସମ୍ମିଳିତ ପରିବାରକୁ ନୁହ । ଦଣ୍ଡ ମତେ ମିଳିବ–ସମ୍ମିଳିତ ପରିବାରକୁ ନୁହ । ଏ ତ ବ୍ୟକ୍ତିଗତ କଥା ।’’

 

‘‘କିନ୍ତୁ ଏହାର ନିଷ୍ପତ୍ତି ଅଦାଲତ ଦେବ ।’’

 

‘‘ଇଚ୍ଛା ହେଲେ ଅଦାଲତ ଯାଇପାର; କିନ୍ତୁ ମୋର ପୁଅ ନାମରେ କିମ୍ବା ମୋର ସ୍ତ୍ରୀ ନାମରେ କିମ୍ବା ମୋର ନିଜ ନାମରେ ଲଟରୀ ଉଠିଲା ତ ସେଥିସହିତ ତମର କୌଣସି ସମ୍ପର୍କ ରହିବନି । ଠିକ୍‌ ସିମିତି ଯଦି ତୋ ନାମରେ ଲଟରୀ ଉଠେ, ତେବେ ମୋର କିମ୍ବା ମୋ ସ୍ତ୍ରୀର କିମ୍ବା ମୋ ପୁଅର ସେଥିସହିତ କୌଣସି ସମ୍ପର୍କ ରହିବନି ।’’

 

‘‘ଆଗରୁ ଯଦି ଜାଣିଥାନ୍ତି ଯେ ତମର ମତିଗତି ଏଭଳି, ତେବେ ମୁଁ ବି ମୋ ସ୍ତ୍ରୀ ପିଲାଙ୍କ ନାମରେ ଟିକେଟ କିଣି ପାରିଥାନ୍ତି ।’’

 

‘‘ତାହାହେଲେ ତୁ ଭୁଲ କରିଛୁ ।’’

 

‘‘ତମେ ମୋର ଭାଇ ବୋଲି ମୁଁ ଏଭଳି ବିଶ୍ୱାସ କରିଥିଲି ।’’

 

‘‘ତୋର ବୁଝିରଖିବା ଉଚିତ ଯେ ଏ ହେଉଛି ଜୁଆଖେଳ । ଜୁଆଖେଳର ହାରଜିତ ନେଇ ପରିବାର ଉପରେ କୌଣସି ପ୍ରଭାବ ପଡ଼ି ନ ପାରେ । କାଲି ତୁ ଯଦି ପାଞ୍ଚ ଦଶ ହଜାର ରେସ୍‍ରେ ହାରୁ ତ ପରିବାର ସେଥିପାଇଁ ଦାୟୀ ହେବନି ।’’

 

‘‘କିନ୍ତୁ ଭାଇର ହକ୍‌ ମାରି ନେଇ ତୁମେ ସୁଖୀ ହୋଇ ପାରିବନି ।’’

 

‘‘ତୁ କିନ୍ତୁ ବ୍ରହ୍ମା ନୋହୁ କି ସେଭଳି ମହାତ୍ମା ନୋହୁ ।’’

 

ବିକ୍ରମର ମା’ ଯେତେବେଳେ ଶୁଣିଲେ ଏ ଦୁହିଁଙ୍କ ମଧ୍ୟରେ ବଚସା ଆଉ ହାତାହାତି ହେବାକୁ ଯାଉଛନ୍ତି, ସେତେବେଳେ ସେ ଦଉଡ଼ି ବାହାରକୁ ଆସିଲେ ଏବଂ ଦୁହିଁଙ୍କୁ ବୁଝାଇବାକୁ ଲାଗିଲେ ।’’

 

ଛୋଟ ଠାକୁର ବିଗିଡ଼ି ଯାଇ କହିଲେ–‘‘ତମେ ମତେ କ’ଣ ଗୋଟାଏ ବୁଝାଉଛହେ ! ତାଙ୍କୁ ବୁଝାଅ, କି ଚାରି ଚାରିଟି ଟିକେଟ୍‌ କିଣି ବସିଛନ୍ତି । ମୋ ପାଖରେ ଅବା କ’ଣ ଅଛି ? ଗୋଟିଏ ବୋଲି ଟିକେଟ ! ଏଇ ଗୋଟିକ ଉପରେ ଅବା କି ଭରସା ? ମୋ ଅପେକ୍ଷା ଯାହାଙ୍କର ଟଙ୍କା ପାଇବାର ଚାରି ଗୁଣ ଚାନ୍‌ସ ଅଛି, ତାଙ୍କର ଯଦି ନିୟତ ବଦଳିଯାଏ ତ ଲଜ୍ଜା ଏବଂ ଦୁଃଖର କଥା ହେବ ।’’

 

ବିକ୍ରମର ମା’ ଦିଅରଙ୍କୁ ଆଶ୍ୱାସନା ଦେଇ କହିଲେ–‘‘ଆଚ୍ଛା, ମତେ ମିଳିବ, ସେଇଥିରୁ ଅଧେ ତୁମର । ଏଥର ଖୁସି ହେଲନା ?’’

 

ବଡ଼ଠାକୁର ସ୍ତ୍ରୀଙ୍କର କଥା ଛଡ଼ାଇ ନେଇ କହିଲେ, ‘‘ଅଧେ କାହିଁକି ନେବ ? ଅଧଲାଏବି ମୁଁ ଦେବିନି । ଉଦାରତା ଏବଂ ସହୃଦୟତାର ସହିତ ଯଦି କାମ କରାଯାଏ, ତଥାପି ଏହାକୁ ଏକ ପଞ୍ଚମାଂଶରୁ ଅଧିକ କୌଣସି ପ୍ରକାରେ ମିଳିବନି । ଅଧେ ଦାବିକରିବା ପାଇଁ କି ନିୟମ ଅଛି ? ନା ବୌଦ୍ଧିକ, ନା ଧାର୍ମିକ, ନା ନୈତିକ ?’’

 

ଛୋଟ ଠାକୁର ରାଗିଯାଇ କହିଲେ–‘‘ତମେଇ ତ ସାରା ଦୁନିଆର ନିୟମ କାନୁନ୍‌ ଜାଣ-!’’

 

‘‘ମୁଁ ନିଶ୍ଚୟ ଜାଣେ । ତିନିବର୍ଷ ଯାଏଁ କ’ଣ ଓକିଲାତି କରି ନଥିଲି ?’’

 

‘‘ସାମନାରେ ଯେତେବେଳେ କଲିକତି ବାରିଷ୍ଟର ଆଣି ଠିଆ କରାଇଦେବି, ତମର ସେ ଓକିଲାତି ଛାଡ଼ିଯିବ ।’’

 

‘‘ଗୋଳି ମାର୍‌ ସେ ବାରିଷ୍ଟରକୁ–ସେ କଲିକତାର ହେଉ କି ଲଣ୍ଡନର ହେଉ !’’

 

‘‘ଘର ସମ୍ପତ୍ତିରେ ଯେଭଳି ମୋର ଅଧା ଭାଗ ରହିଛି, ସେଇ ଭଳି ମୁଁ ଅଧେ ନେବି ।’’

 

ଏତିକିବେଳେ ବିକ୍ରମର ବଡ଼ଭାଇ ମୁଣ୍ଡ ଆଉ ହାତରେ ପଟି ବାନ୍ଧି, ଛୋଟେଇ ଛୋଟେଇ, ଦେହ ଲୁଗାରେ ତାଜା ରକ୍ତର ଦାଗ ନେଇ, ପ୍ରସନ୍ନ ମୁଖରେ ଆସି ଏକ ଆରାମ ଚଉକି ଉପରେ ପଡ଼ିଗଲେ । ବଡ଼ଠାକୁର ଘାବୁରେଇ ଯାଇ ପଚାରିଲେ–‘‘ଏ ତୋର କ’ଣ ହୋଇଛି ? ଏଁ....ଏଭଳି ମାଡ଼ ଲାଗିଛି କେଉଁଠି ? କାହା ସହିତ ମାଡ଼ପିଟ୍‌ ହେଇନି ତ ?’’

 

ପ୍ରକାଶ ଚଉକି ଉପରେ ଶୋଇ ଥରେ କଇଁକଇଁ କାନ୍ଦି ଉଠିଲା, ଫେର୍‌ ମୁରୁକି ହସି କହିଲା–‘‘ନା, ସିମିତି କିଛି ନୁହେଁ । ସେଭଳି ବଡ଼ ଆଘାତବି ନୁହେଁ ।’’

 

‘‘ଆଘାତ ଲାଗିନି ବୋଲି କିପରି ଅବା କହୁଛୁ ? ସାରା ହାତ ଆଉ ମୁଣ୍ଡ ତ ଫୁଲିଉଠିଛି-। ରକ୍ତରେ ଲୁଗା ବୁଡ଼ିଯାଇଛି । ଇଏ ପୁଣି କି ମାମଲା ? ମଟର ଦୁର୍ଘଟଣାରେ କେଉଁଠି ପଡ଼ିନୁତ-?’’

 

‘‘ବଡ଼ ମାମୁଲି ଆଘାତ ! ଦିଚାରିଦିନରେ ଭଲ ହୋଇଯିବ । ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।’’

 

ପ୍ରକାଶର ମୁଖମଣ୍ଡଳରେ ଏକ ଆଶାପୂର୍ଣ୍ଣ ଶାନ୍ତ ହସ ପହଁରୁଥିଲା । କ୍ରୋଧ, ଲଜ୍ଜା କିମ୍ବା ପ୍ରତିଶୋଧର ଲେଶମାତ୍ର ଭାବନା ନଥିଲା ।

 

ବଡ଼ଠାକୁର ଆହୁରି ବ୍ୟଗ୍ର ହୋଇ ପଚାରିବାକୁ ଲାଗିଲେ ‘‘କିନ୍ତୁ କ’ଣ ହେଲା ତୁ କହୁନୁ କାହିଁକି ? କାହା ସହିତ ମାଡ଼ପିଟ୍‌ ହୋଇଯାଏ ଯଦି, ଥାନାରେ ରିପୋର୍ଟ ଦିଆଯିବ ।’’

 

ପ୍ରକାଶ ହାଲୁକା ହୋଇ କହିଲା–‘‘ମୋର କାହା ସହିତ ମାଡ଼ପିଟ୍‌ ହୋଇ ନାହିଁ । କଥା ହେଉଛି ମୁଁ ଝକ୍‌କଡ଼ ବାବାଙ୍କ ନିକଟକୁ ଯାଇଥିଲି । ଆପଣ ଜାଣନ୍ତି ଯେ ମଣିଷକୁ ଦେଖିଲାକ୍ଷଣି ଝକ୍‌କଡ଼ବାବା ଚିଡ଼ିଉଠନ୍ତି ଏବଂ ପଥର ହାତରେ ଧରି ମାରି ଗୋଡ଼ାନ୍ତି । ଡରି ଯେ ଧାଇଁ ପଳାଇଲା, ସେ ଗଲା । ଯେ ପଥର ଚୋଟ ଖାଇବି ବୋଲି ତାଙ୍କ ପଛେ ଲାଗିଲା, ସେ ପରଶମଣି ପାଲଟିଗଲା । ଏହା ତାଙ୍କର ହେଉଛି ଏକ ପରୀକ୍ଷା । ମୁଁ ଆଜି ସେଠାରେ ପହଞ୍ଚି ଦେଖେ ତ ପଚାଶ ଲୋକ ଠିଆ ହୋଇଛନ୍ତି । କାହା ହାତରେ ନୂଆ ଲୁଗା । ଝକ୍‌କଡ଼ବାବା ଧ୍ୟାନାବସ୍ଥାରେ ବସିଥାନ୍ତି । ଯିମିତି ଆଖିଖୋଲି ସେ ଏଇ ଜନସମୁଦ୍ର ଦେଖନ୍ତି, ସେମିତି କିଛି ପଥର ଗୋଟେଇ ସେମାନଙ୍କର ପିଛା ଧରିଲେ । କ’ଣ ଅବା ଆଉ କହିବି, ସମସ୍ତେ ପଡ଼ି ଉଠି ଦଉଡ଼ିଯିବାକୁ ଲାଗିଲେ । ହାଲ୍‌ହୋଳି ପଡ଼ିଗଲା । କେହି ସେଠାରେ ରହିଲେନି । ସ୍ତମ୍ଭ ଭଳି କେବଳ ମୁଁ ଜଣେ ମାତ୍ର ସେଇଠି ଠିଆହୋଇ ରହିଲି । ବେଶ୍‌, ସେ ତ ପଥର ମାରିବାକୁ ଲାଗିଲେ । ପ୍ରଥମ ଆଘାତ ମୁଣ୍ଡରେ ଲାଗିଲା । ତାଙ୍କର ମାଡ଼ କେବେ ଲକ୍ଷ୍ୟହୀନ ହୁଏନି । ମୁଣ୍ଡ ଫାଟିଗଲା । ରକ୍ତର ଧାରା ଛୁଟିଚାଲିଲା । ଫେର୍‌ ବାବାଙ୍କ ହାତରୁ ଆଉ ଗୋଟିଏ ପଥର ଛୁଟିଆସିଲା । ସେଇଟି ହାତରେ ବାଜିଲା । ମୁଁ ତଳେ ପଡ଼ି ବେହୋସ ହୋଇଗଲି । ହୋସ୍‌ ଫେରିଲାବେଳକୁ ସେ ସ୍ଥାନଟି ଶୂନଶାନ୍‌, ନିଃଶବ୍ଦ । ବାବା କେଉଁଆଡ଼େ ଅଦୃଶ୍ୟ ହୋଇଯାଇଥାନ୍ତି । ବେଳେବେଳେ ସେ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏତିକିବେଳେ କାହାକୁ ଡାକନ୍ତି ଆଉ ଅବା କାହାକୁ ଗାଡ଼ି ଧରି ଆସିବାପାଇଁ କହନ୍ତି ? ବ୍ୟଥାରେ ହାତଟି ଦେହରୁ ଛିଣ୍ଡିଯିବା ଭଳି ମନେ ହେଉଥାଏ ଏବଂ ଏଯାଏଁ ମୁଣ୍ଡରୁ ରକ୍ତର ଧାରା ଛୁଟି ଚାଲିଥାଏ । କୌଣସି ପ୍ରକାରେ ସେଇଠୁ ଉଠି ଡାକ୍ତରଙ୍କ ନିକଟକୁ ଗଲି । ଦେଖି ସେ କହିଲେ–ହାଡ଼ ଭାଙ୍ଗିଯାଇଛି । ପୁଣି ସେ ପଟି ବାନ୍ଧିଦେଲେ । ଗରମ ପାଣିରେ ସେକିବାପାଇଁ ସେ କହିଛନ୍ତି । ସନ୍ଧ୍ୟାବେଳକୁ ପୁଣି ସେ ଆସିବେ । ମାଡ଼ ଖାଇଲି ତ ଖାଇଲି । ବର୍ତ୍ତମାନ ଲଟରୀ କିନ୍ତୁ ମୋରି ନାମରେ ଉଠିବ । ଏକଥା ସୁନିଶ୍ଚିତ । ଝକ୍‌କଡ଼ବାବାଙ୍କଠାରୁ ମାଡ଼ ଖାଇ କେବେ କାହାରି ଅଭିଳାଷ ପୂରଣ ହୋଇ ନଥିବା କଥା ଶୁଣାଯାଇନି । ସର୍ବପ୍ରଥମେ ମୁଁ ଝକ୍‌କଡ଼ବାବାଙ୍କର କୁଟୀରଟିକୁ ତିଆରି କରାଇଦେବି ।’’

 

ବଡ଼ଠାକୁରଙ୍କ ମୁହଁରେ ସନ୍ତୋଷର ଏକ ଝଲକ ଖେଳିଗଲା । ପଲଙ୍କ ଉପରେ ଶୀଘ୍ର ଶେଯ ବିଛାଇ ଦିଆଗଲା । ପ୍ରକାଶ ତା’ରି ଉପରେ ଶୋଇଲା । ପ୍ରକାଶର ମା’ ପଙ୍ଖା କରିବାକୁ ଲାଗିଲେ । ତାଙ୍କର ମୁଖବି ପ୍ରଫୁଲ୍ଲିତ ଥିଲା । ଏତେ ମାଡ଼ ଖାଇ ଦଶ ଲକ୍ଷ ଟଙ୍କା ପାଇବାର ଯେ ସଉଦା, ତା’ ଆଦୌ ମନ୍ଦ ନୁହେଁ ।

 

ଛୋଟଠାକୁର ସେତେବେଳକୁ ଭୋକରେ ଛଟପଟ ହୋଇ ଯାଇଥାନ୍ତି । ବଡ଼ଠାକୁର ଯିମିତି ଖାଇବାପାଇଁ ଚାଲିଗଲେ ଏବଂ ମା’ ଯେତେବେଳେ ପ୍ରକାଶପାଇଁ ଭୋଜନର ବ୍ୟବସ୍ଥା କରିବାରେ ବ୍ୟସ୍ତ, ସେତେବେଳେ ଛୋଟଠାକୁର ପ୍ରକାଶକୁ ପଚାରିଲେ–‘‘କ’ଣ ସେ ଖୁବ୍‌ ଜୋର୍‌ ଲଗାଇ ପଥର ମାରନ୍ତି ? ବୋଧହୁଏ ଜୋର୍‌ ଲଗାଇ ମାରୁ ନଥିବେ ।’’

 

ପ୍ରକାଶ ତାଙ୍କର ଅଭିପ୍ରାୟ ବୁଝିପାରି କହିଲେ, ‘‘ଆରେ ବାପ୍‌ରେ ! ସେ କ’ଣ ପଥର ମାରନ୍ତି ? ପଥରଗୁଡ଼ାକ ପରା ଗୋଟିଏ ଗୋଟିଏ ବୋମା ଯିମିତି !! ତାଙ୍କ ଚେହେରା ତ ଦେବତାଙ୍କ ଭଳି ଡଉଳ ଡାଉଲ । ପୁଣି ସେ ଏତେ ବଳବାନ ଯେ, ଗୋଟିଏ ଗୋଇଠାରେ ସିଂହକୁ ଗଡ଼ାଇଦିଅନ୍ତି । ସାଧାରଣ ଲୋକ ହେଲେ ଗୋଟିଏ ମାତ୍ର ପଥରରେ କେଁ ହୋଇଯିବ । ଅନେକ ମଲେଣି; କିନ୍ତୁ ବର୍ତ୍ତମାନ ସୁଦ୍ଧା ଝକ୍‌କଡ଼ବାବାଙ୍କ ଉପରେ ମକଦ୍ଦମା ହୋଇ ନାହିଁ । କେବଳ ଦୁଇ ଚାରୋଟି ପଥର ମାରିଦେଇ ତ ତୁନି ରହନ୍ତିନି, ମଣିଷ ତଳେ ପଡ଼ି ବେହୋସ ହୋଇଯିବା ଯାଏଁ ସେ ପଥର ମାରନ୍ତି । ରହସ୍ୟ ହେଉଛି ତମେ ଯେତେ ଅଧିକ ମାଡ଼ ଖାଇବ, ତମର ଉଦ୍ଦେଶ୍ୟ ସେତିକି ଫଳବତୀ ହେବାପାଇଁ ଆଗେଇବ ।’’

 

ପ୍ରକାଶ ଏଭଳି ଏକ ରୋମାଞ୍ଚକର ଚିତ୍ର ସାମନାରେ ଉପସ୍ଥାପିତ କଲା ଯେ, ଛୋଟଠାକୁର ଏକବାରେ ଥରିଉଠିଲେ । ପଥର ମାଡ଼ ଖାଇବାପାଇଁ ତାଙ୍କର ଆଉ ସାହସ କୁଳେଇଲାନି ।

 

(୪)

 

ଶେଷରେ ଭାଗ୍ୟନିରୂପଣର ଦିବସଟି ଆସି ପହଞ୍ଚିଲା । ଜୁଲାଇ କୋଡ଼ିଏ ତାରିଖ । ଦୁର୍ଭାଗ୍ୟର ରାତି ! ସକାଳେ ଆମେ ଉଠିଲୁ । ଆଶା ଏବଂ ଭୟର ଦ୍ୱନ୍ଦ୍ୱ ରୂପକ ନିଶା ଆମକୁ ଘାରୁଥାଏ । ଠାକୁର ଦୁହେଁ ଘଡ଼ିଏ ରାତିରୁ ଗଙ୍ଗାସ୍ନାନ ସାରି ମନ୍ଦିର ଭିତରେ ପୂଜାପାଠରେ ମଗ୍ନ ଥାଆନ୍ତି । ଆଜି ମୋର ମନ ଭିତରେବି ଏକରକମର ଶ୍ରଦ୍ଧା ଜାତହେଲା । ମନ୍ଦିରକୁ ଯାଇ ମନ ଭିତରେ ଠାକୁରଙ୍କର ସ୍ତୁତି ଗାନ କରିବାକୁ ଲାଗିଲି–‘‘ହେ ଅନାଥର ନାଥ ! ତୁମର କୃପାଦୃଷ୍ଟି କ’ଣ ଆମ ଉପରେ ପଡ଼ିବନି ? ଆମେ ଯେ କେଡ଼େ କଷ୍ଟରେ ଟିକେଟ୍‌ କିଣିଛୁ, ଏକଥା ତୁମକୁ କ’ଣ ଅଛପା ଅଛି ? ତୁମେ ତ ସାକ୍ଷାତ୍‌ ଅନ୍ତର୍ଯ୍ୟାମୀ ! ଆମ ଅପେକ୍ଷା ଅଧିକ କିଏ ଆଉ ତୁମର କରୁଣା ଡିଜର୍ବ (Deserve) କରେ !’’ ଏତିକିବେଳେ ବିକ୍ରମ ସୁଟ୍‌ବୁଟ୍‌ ପିନ୍ଧି ମନ୍ଦିର ଦୁଆରେ ଆସି ପହଞ୍ଚିଲା ଏବଂ ମୋତେ ଆଙ୍ଗୁଠିରେ ଠାରି ଡାକି କହିଲା–‘‘ମୁଁ ଡାକଘରକୁ ଯାଉଚି ।’’ ତା’ପରେ ଶୀଘ୍ର ସେ ସେଠାରୁ ଚାଲିଗଲା । ପ୍ରକାଶ ଟିକେ ଡେରିରେ ଘରୁ ମିଠାଇଥାଳୀ ଧରି ବାହାରିଲେ ଏବଂ ମନ୍ଦିର ଦୁଆରେ ଠିଆହୋଇ କାଙ୍ଗାଳମାନଙ୍କୁ ବାଣ୍ଟିବାକୁ ଲାଗିଲେ । କାଙ୍ଗାଳମାନଙ୍କର ଖୁବ୍‌ ଭିଡ଼ଟାଏ ଜମିଗଲା । ସେଆଡ଼େ କ’ଣ ନା ଠାକୁର ଦୁହେଁ ଦୀପାଳି ଜାଳି ଭଗବାନଙ୍କର ପାଦପଦ୍ମ ନିକଟରେ ଧ୍ୟାନମଗ୍ନ ଥାଆନ୍ତି । ଅବନତ ମସ୍ତକ, ନିମୀଳିତ ଚକ୍ଷୁ ଏବଂ ଅନୁରାଗପୂର୍ଣ୍ଣ ହୃଦୟ !

 

ବଡ଼ଠାକୁର ମୁଣ୍ଡ ଟେକି ପୂଜାରୀଙ୍କ ଆଡ଼କୁ ଅନାଇ କହିଲେ–‘‘ଭଗବାନ ଅତ୍ୟନ୍ତ ଭକ୍ତବତ୍ସଳ । କ’ଣ କହୁଛ ପୂଜାରୀ ?’’

 

ପୂଜାରୀ ସମର୍ଥନ ଜଣାଇଲେ–‘‘ହଁ ଆଜ୍ଞା, ଭକ୍ତଙ୍କର ରକ୍ଷାର୍ଥେ କେବଳ ଭଗବାନ କ୍ଷୀରସାଗରରୁ ଧାଇଁ ଆସି ଗଜକୁ ଗ୍ରାହମୁଖରୁ ରକ୍ଷା କରିଥିଲେ ।’’

 

କ୍ଷଣକ ପରେ ଛୋଟ ଠାକୁର ମୁଣ୍ଡ ଟେକିଲେ ଏବଂ ପୂଜାରୀଙ୍କୁ ଲକ୍ଷ୍ୟକରି ପଚାରିଲେ–‘‘କ’ଣ କହୁଛ ପୂଜାରୀ ! ଭଗବାନ ତ ସର୍ବଶକ୍ତିମାନ ! ଅନ୍ତର୍ଯ୍ୟାମୀ କ’ଣ ସମସ୍ତଙ୍କ ହୃଦୟର ଭାବ ଜାଣନ୍ତିନି ?’’

 

ପୂଜାରୀ ସମର୍ଥନ ଜଣାଇଲେ–‘‘ଆଜ୍ଞା ! ଭଗବାନ ନଥାନ୍ତେ ଯଦି, ସମସ୍ତଙ୍କ ମନର କଥା କିପରି ଜାଣନ୍ତେ ? ଶବରୀର ଭକ୍ତି ଦେଖି ସ୍ୱୟଂ ଭଗବାନ ତା’ର ମନକାମନା ପୂରଣ କରିଥିଲେ ପରା !’’

 

ପୂଜା ସମାପ୍ତ ହେଲା । ଆରତି ଆରମ୍ଭ । ଦୁଇ ଠାକୁର ଖୁବ୍‌ ପାଟିକରି ଆରତି ଗାନ କଲେ । ବଡ଼ଠାକୁର ଦୁଇଟି ଟଙ୍କା ଥାଳୀରେ ପକାଇଦେଲେ । ଛୋଟ ଠାକୁର ଚାରି ଟଙ୍କା ! ବଡ଼ଠାକୁର କୋପଦୃଷ୍ଟି ନିକ୍ଷେପ କରି ମୁହଁ ବୁଲେଇନେଲେ ।

 

ସହସା ବଡ଼ଠାକୁର ପୂଜାରୀଙ୍କୁ ପଚାରିଲେ–‘‘ତମର ମନ କ’ଣ କହୁଛି ପୂଜାରୀ ?’’

 

ପୂଜାରୀ ଉତ୍ତର ଦେଲେ–‘‘ସରକାରଙ୍କର ଜୟ ହେବ ।’’

 

ଛୋଟଠାକୁର ପଚାରିଲେ–‘‘ଆଉ ମୋର ?’’

 

ପୂଜାରୀ ସେଇଭଳି ତତ୍ପରତା ପ୍ରକାଶ କଲେ–‘‘ଆପଣଙ୍କର ବିଜୟ ହେବ ।’’

 

ବଡ଼ଠାକୁର ଶ୍ରଦ୍ଧାରେ ବୁଡ଼ିଯାଇ ଭଜନ ଗାଇ ଗାଇ ମନ୍ଦିର ଭିତରୁ ବାହାରକୁ ଆସିଲେ–

 

‘‘ପ୍ରଭୁଜୀ, ତୁମ ଶରଣ ଗଲିହେ ପ୍ରଭୁଜୀ !’’

 

ମିନିଟିଏ ଯାଇଛି କି ନାହିଁ ଛୋଟଠାକୁର ମନ୍ଦିର ଭିତରୁ ଗୀତ ଗାଇ ଗାଇ ପଦାକୁ ଆସିଲେ–

 

‘‘ଦୟାନିଧି ! ମୋର ସମ୍ମାନ ରଖ...... ।’’

 

ପଛେ ପଛେ ମୁଁ ବି ବାହାରିଆସିଲି । ଧାଇଁଯାଇ ମିଠେଇ ବାଣ୍ଟିବାରେ ପ୍ରକାଶବାବୁଙ୍କୁ ସାହାଯ୍ୟ କରିବା ଲାଗି ଯେତେବେଳେ ଇଚ୍ଛା ପ୍ରକାଶ କରେ, ସେତେବେଳେ ସେ ଥାଳୀ ହଟାଇନେଇ କହିଲେ–‘‘ଥାଉଁଥାଉଁ, ମୁଁ ବାଣ୍ଟି ଦେଇପାରିବି ଯେ ! ଆଉ ଅବା କେତେ ଅଛି !’’

 

ମୁଁ ଲଜ୍ଜିତ ହୋଇ ଡାକଘର ଆଡ଼କୁ ଯାଉ ଯାଉ ବିକ୍ରମ ମୁରୁକିହସା ଦେଇ ସାଇକଲ୍‌ରେ ଆସି ପହଞ୍ଚିଲା । ତାକୁ ଦେଖୁଦେଖୁ ସମସ୍ତେ ପାଗଳ ହୋଇଉଠିଲେ । ଠାକୁର ଦୁହେଁ ସାମନାରେ ଠିଆ ହୋଇଥାଆନ୍ତି । ତାକୁ ଦେଖି ଛଞ୍ଚାଣ ଭଳି ଝପଟିଗଲେ । ପ୍ରକାଶଙ୍କ ଥାଳୀରେ ଆଉ ଅଳ୍ପ ମିଠେଇ ବାକି ରହିଥାଏ । ଥାଳୀଟିକୁ ଭୂମି ଉପରେ କଚାଡ଼ିଦେଇ ସେ ଦୌଡ଼ିବାକୁ ଲାଗିଲେ । ଉନ୍ମାଦନାର ବଶବର୍ତ୍ତୀ ହୋଇ ମୁଁ ମଧ୍ୟ ବିକ୍ରମକୁ କୋଳ କରିବାକୁ ଲାଗିଲି । କେହି କିନ୍ତୁ ତାକୁ କିଛି ପଚାରୁ ନଥାନ୍ତି । ସମସ୍ତଙ୍କ ମୁଖରୁ ଜୟ ଜୟକାର ଉଛୁଳି ଉଠୁଥାଏ ।

 

ବଡ଼ଠାକୁର ଆକାଶ ଆଡ଼କୁ ଚାହିଁ କହିଲେ–‘‘ବୋଲ, ରାଜା ରାମଚନ୍ଦ୍ରଙ୍କର ଜୟ !’’

 

ଛୋଟଠାକୁର ଉଛୁଳି ଉଠି କହିଲେ–‘‘ବୋଲ, ହନୁମାନଙ୍କର ଜୟ !’’

 

ପ୍ରକାଶ ତାଳି ବଜାଇ ଚିତ୍କାର କରିଉଠିଲା–ବାବା ଝକ୍‌କଡ଼ଙ୍କର କୋଟି କୋଟି ରାଣ ।’’

 

ବିକ୍ରମ ଆହୁରି ଜୋରରେ ଖିଲିଖିଲି ହସିଉଠିଲା । ଅଲଗା ଠିଆ ହୋଇଯାଇ କହିଲା–‘‘ଯାହାର ନାମରେ ଲଟରୀ ଉଠିଛି, ସେ ଯଦି ମତେ ଲକ୍ଷେ ଟଙ୍କା ଦେବେ, ତେବେ ମୁଁ ତାଙ୍କ ନାମଟି କହିବି । କ’ଣ ? ଦେବ ?’’

 

ବଡ଼ଠାକୁର ତା’ର ହାତ ଧରିପକାଇ କହିଲେ–‘‘କହିଲୁ ଆଗେ ।’’

 

‘‘ନା ଖାଲି ଖାଲି କହିବିନି ।’’

 

ଛୋଟଠାକୁର ବିଗିଡ଼ି ଉଠିଲେ–‘‘ନାମଟା ଶୁଣାଇବା ପାଇଁ ଲକ୍ଷେ ଟଙ୍କା ? ସାବାସ୍‌ ।’’

 

ପ୍ରକାଶରବି ଆଖି ଠିଆଠିଆ ହୋଇଗଲା–‘‘ଆମେ କ’ଣ ଡାକଘର ଦେଖିନୁ ?’’

 

‘‘ଆଚ୍ଛା, ଆଚ୍ଛା, ନିଜର ନାମ ଶୁଣିବାପାଇଁ ପ୍ରସ୍ତୁତ ହୁଅ ।’’

 

‘‘ସମସ୍ତେ ଫଉଜି ଆଟେନ୍‌ସନ୍‌ରେ ନୀରବ ନିଶ୍ଚଳ ଠିଆ ହୋଇଗଲେ ।’’

 

‘‘ଜାଗ୍ରତ ।’’

 

ସମସ୍ତେ ପୂରା ସଚେତ ହୋଇଉଠିଲେ ।

 

‘‘ଆଚ୍ଛା, କାନ ଖୋଲି ଶୁଣ । ଏ ସହରର ଶୂନ୍‌ । କେବଳ ଏ ସହରର ନୁହେଁ, ସାରା ଭାରତର । ଆମେରିକାର ଜଣେ ବ୍ୟକ୍ତି ପାଇଛନ୍ତି ।’’

 

ବଡ଼ଠାକୁର ଚିଡ଼ିଉଠି କହିଲେ–‘‘ନା......ନା....ବିଲ୍‌କୁଲ୍‌ ମିଛ ।’’

 

ଛୋଟଠାକୁର ଅଙ୍ଗଭଙ୍ଗୀ ଦେଖାଇ କହିଲେ–‘‘ନା, ତା’ କେବେ ହୋଇ ନ ପାରେ । ତିନି ମାସର ତପସ୍ୟା କ’ଣ ଶୁଖୁଆ ପୋଡ଼ାରେ ଗଲା ? ବାଃ !!!’’

 

ପ୍ରକାଶ ଛାତି ପିଟି କହିଲେ–ମୁଁ ଏଆଡ଼େ ହାତ ଭାଙ୍ଗି, ମୁଣ୍ଡ ଫଟାଇ କ’ଣ ଗେଲରେ ବସିଚି ?’’

 

ଏତିକିବେଳେ ଆଉ ପଚାଶ ଲୋକ ନିଜର ଦୁଃଖିତ ଚେହେରା ନେଇ ସେଇ ବାଟ ଦେଇ ଆସିଲେ । ଡାକଘରୁ ଏମାନେ ନିଜ ଭାଗ୍ୟକୁ ନେଇ ଫେରୁଥାନ୍ତି । ମୁଖରୁ ଶୁଣାଯାଉଥାଏ, ମାରିନେଲାରେ ଶଳା ଆମେରିକାର ଲୋକ ! ପିଶାଚ !! ଦୁଷ୍ଟ !!!

 

ଏଥର ଆଉ କିଏ ଅବା କିପରି ବିଶ୍ୱାସ ନ କରନ୍ତା ? ବଡ଼ଠାକୁର ତମତମ ହୋଇ ମନ୍ଦିରକୁ ଗଲେ ଏବଂ ପୂଜାରୀକୁ ଡିସ୍‌ମିସ୍‌ କରି କହିଲେ–‘‘ଏଇଥିପାଇଁ ତତେ ଏଠାରେ ଏତେ ଦିନ ପାଳି ପୋଷି ରଖିଥିଲି ? ହାରାମଜାଦା ! ମାଲ ଖାଇ ମଜା ମାରୁଛୁ ?’’

 

ଛୋଟଠାକୁରଙ୍କର ତ ଅଣ୍ଟା ଭାଙ୍ଗିଗଲା । ଦୁଇ ତିନି ଥର ମୁଣ୍ଡକୁ ବାଡ଼େଇ ସେଇଠି ବସିପଡ଼ିଲେ । ପ୍ରକାଶଙ୍କ କ୍ରୋଧର ପାରାବାର ନଥାଏ । ସେ ନିଜର ମୋଟା ଠେଙ୍ଗାଟିକୁ ନେଇ ଝକ୍‌କଡ଼ବାବାଙ୍କୁ ଠିକଣା ବନେଇବା ପାଇଁ ବାହାରିଲେ ।

 

ବିକ୍ରମର ମା’ କେବଳ ଏତିକି କହିଲେ–‘‘ସମସ୍ତେ ବେଇମାନୀ କରିଚନ୍ତି । ଏକଥା ମୁଁ କେବେ ମାନିବିନି । ଦେବତା ଆମର ଅବା କ’ଣ କରନ୍ତେ । କାହା ହାତରୁ କ’ଣ ସେ ଛଡ଼ାଇ ଆଣନ୍ତେ ?’’

 

ସେ ରାତି ଆଉ କେହି ଖାଇଲେନି । ମୁଁ ଉଦାସଭାବେ ବସିଚି, ବିକ୍ରମ ଆସି କହିଲା–‘‘ଚାଲ, ହୋଟେଲରେ ଯାଇ କିଛି ଖାଇ ଆସିବା । ଘରେ ଆଜି ଚୁଲି ଜଳିନି ।’’

 

ମୁଁ ପଚାରିଲି–‘‘ତୁ ଡାକଘରୁ ଫେରିବାବେଳେ ଏଡ଼େ ପ୍ରସନ୍ନ ଦେଖା ଯାଉଥିଲୁ କାହିଁକି-?’’

 

ସେ କହିଲା–‘‘ଯେତେବେଳେ ଡାକଘର ନିକଟରେ ହଜାର ଲୋକ ଠିଆ ହୋଇଥିବା ମୁଁ ଦେଖିଲି, ସେତିକିବେଳେ ଆମ ଲୋକଙ୍କର ଗଧାପଣିଆ ଉପରେ ମତେ ହସ ମାଡ଼ିଲା । ଗୋଟିଏ ସହରରେ ଯେତେବେଳେ ଏତେ ଲୋକ ଅଛନ୍ତି, ତେବେ ହିନ୍ଦୁସ୍ଥାନରେ ଏହାର ହଜାର ଗୁଣରୁ ବଳିପଡ଼ିବ । ସେ ସମୟ ସୁଦ୍ଧା ମୋର ଆଶା ପର୍ବତ ଭଳି ଠିଆ ହୋଇ ରହିଥାଏ; କିନ୍ତୁ ପରେ ତାହା ଏତେ ଛୋଟ ହୋଇଗଲା ଯେ, ଗୋଟିଏ ରାଇରେ ପରିଣତ ହୋଇଗଲା ! ମତେ ହସ ମାଡ଼ିଲା । କୌଣସି ଦାନୀ ପୁରୁଷ ଯିମିତି ଛଟାଙ୍କିଏ ଅନ୍ନ ନେଇ ଲକ୍ଷେ ଲୋକଙ୍କୁ ଭୋଜନ ଦେଇ ବସିଚି !! ପୁଣି ଏଆଡ଼େ, ଆମ ଘରର ପ୍ରତ୍ୟେକେ ବୁଝି ବସିଛନ୍ତି ଯେ–’’

 

ମୁଁ ବି ହସି ପକାଇଲି । ‘‘ହଁ, ଏ ହେଉଚି ଯଥାର୍ଥ । ଆମେ ପୁଣି ଚୁକ୍ତିନାମା ନେଇ ଲଢ଼ି ମରୁଥିଲେ ! ଆଚ୍ଛା, ସତ କହିଲୁ ତୋର ନିୟତ ବଦଳିଥିଲା କି ନା ?’’

 

ବିକ୍ରମ ମୁରୁକି ହସି କହିଲା–‘‘ଏବେ ପଚାରି ଆଉ କ’ଣ କରିବୁ ? ଢାଙ୍କୁଣି ଖୋଲି ଆଉ ଲାଭ କ’ଣ ?’’

Image

 

ବିଷମ ସମସ୍ୟା

 

ମୁଁ ଯେଉଁ କଚେରିରେ କାମ କରୁଥିଲି, ସେଠାରେ ଚାରିଜଣ ଚପରାସି ଥାଆନ୍ତି । ସେମାନଙ୍କ ଭିତରୁ ଜଣକର ନାମ ଗରିବ । ସେ ଥିଲା ଅତ୍ୟନ୍ତ ସରଳ ଆଉ ଆଜ୍ଞାକାରୀ । ଯଦିଓ ସେ ନିଜ କାମରେ ହୁସିଆର ଥିଲା, ତଥାପି ଧମକ ଖାଇ ଚୁପ୍‌ ରହୁଥିଲା ମଧ୍ୟ । ସେ ଥିଲା ଯଥା ନାମ ତଥା ଗୁଣରେ ଗୋଟିଏ ମଣିଷ । ମୁଁ ଏ କଚେରିରେ ପାଦ ଦେବାର ପ୍ରାୟ ବରଷେ ହୋଇଗଲାଣି; କିନ୍ତୁ ମୁଁ ତାକୁ ଦିନକପାଇଁବି ଅନୁପସ୍ଥିତ ଥିବା ଦେଖିନି । ପ୍ରତ୍ୟହ ସକାଳ ନଅଟାବେଳକୁ ସେ ନିଜର ଚିରା ସତରଞ୍ଜି ଖଣ୍ଡିକ ଉପରେ ବସିଥାଏ । ଏହା ଦେଖି ମୁଁ ଏଭଳି ଅଭ୍ୟସ୍ତ ହୋଇ ପଡ଼ିଥିଲି ଯେ, ସେ ସେଇ କୋଠାର ଏକ ଅଂଶ ବିଶେଷ ବୋଲି ମୁଁ ଧରି ନେଇଥିଲି । ସେ ଏଭଳି ସରଳ ଥିଲା ଯେ କାହାରି କଥା ଭାଙ୍ଗିବା ଜାଣି ନଥିଲା । ଆଉ ଜଣେ ଚପରାସି ମୁସଲମାନ । କାହିଁକି କେଜାଣି କଚେରିର ସମସ୍ତେ ତାକୁ ଦେଖି ଡରନ୍ତି । ଏହାର କାରଣ, ତା’ର ଚଢ଼ା ଚଢ଼ା କଥା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ମୁଁ ଜାଣିପାରିଥିଲି । ସେ କହିବା ଅନୁଯାୟୀ ତା’ର କକାପୁଅ ଭାଇ ରାମପୁର ରାଜ୍ୟର ଜଣେ ପ୍ରଧାନ ପୋଲିସ୍‌ କର୍ମଚାରୀ । ସର୍ବସମ୍ମତିକ୍ରମେ ତାଙ୍କୁ ‘ନ୍ୟାୟାଧୀଶ’ ଉପାଧି ମିଳିଥିଲା । ଅନ୍ୟ ଦୁଇ ଜଣ ଚପରାସି ଜାତିରେ ବ୍ରାହ୍ମଣ । ସେମାନଙ୍କର ଆଶୀର୍ବାଦର ମୂଲ୍ୟ ସେମାନଙ୍କର କାର୍ଯ୍ୟ ଅପେକ୍ଷା କିଛି ଅଧିକ । ଏ ତିନିହେଁ କାମଚୋର, ଅଶିଷ୍ଟ ଏବଂ ଆଳସ୍ୟପରାୟଣ କୌଣସି ଗୋଟାଏ ଛୋଟକାମ କରିବାକୁ କହିଲେବି ନାକ କାନ ନ ଟେକୁଣୁ କରନ୍ତିନି । କ୍ଳର୍କମାନଙ୍କ ପ୍ରତି ତାଙ୍କର ମୋଟେ ଖାତିର ନଥାଏ । କେବଳ ବଡ଼ବାବୁ (ହେଡ଼୍‌ କିରାଣି)ଙ୍କୁ ଯାହା ଟିକେ ଡରୁଥିଲେ । ତଥାପି ତାଙ୍କ ପାଖରେବି ବେଳେବେଳେ ଅଶିଷ୍ଟ କାମ କରିବସନ୍ତି । କିନ୍ତୁ ଏ ସମସ୍ତ ଦୁର୍ଗୁଣ ସତ୍ତ୍ୱେ ସେମାନଙ୍କର ଅବସ୍ଥା ଗରିବର ମନ୍ଦ ଅବସ୍ଥା ଭଳି ନଥିଲା । ଉନ୍ନତିର ଅବସରରେ ସେମାନଙ୍କର ଖୁବ୍‌ ଲାଭ ହୁଏ । ବିଚରା ଗରିବକୁ କେହି ପଚାରନ୍ତିନି । ତିନିହେଁ ପ୍ରତ୍ୟେକ ଦଶ ଦଶ ଟଙ୍କା ପାଉଥିବାବେଳେ ଗରିବ ପାଉଥିଲା ମାତ୍ର ସାତଟି ଟଙ୍କା ! ସକାଳୁ ସନ୍ଧ୍ୟାଯାଏଁ ଜଣକପାଇଁବି ଗରିବର ପାଦ ଥକୁ ନଥିଲା । ଏପରି କି ତା’ର ସହ ଚପରାସି ତିନି ଜଣବି ତା’ ଉପରେ ଆଧିପତ୍ୟ ବିସ୍ତାର କରି ବସୁଥିଲେ, ଏବଂ ଉପୁରି ଆମଦାନିରୁ ତାକୁ କିଛି ଭାଗ ଦେଉ ନଥିଲେ । କଚେରିର ସମସ୍ତ କର୍ମଚାରୀ ଦପ୍ତରିଠୁ ଆରମ୍ଭ କରି ବଡ଼ବାବୁ ପର୍ଯ୍ୟନ୍ତ ତା’ ଉପରେ ଚିଡ଼ି ଚିଡ଼ି ହୁଅନ୍ତି । ଅନେକ ଥର ସେ ଜୋରିମାନା ଭୋଗିଛି । ଶାସନ କରିବା ଓ ଗାଳିଦେବା ତା’ ପ୍ରତି ସମସ୍ତଙ୍କର ଦୈନନ୍ଦିନ ବ୍ୟବହାର ଥିଲା । ଏହାର ରହସ୍ୟ ମୁଁ ଜାଣି ପାରୁ ନଥାଏ । ତା’ ପ୍ରତି ମୋର ଦୟା ହୁଏ । ନିଜର ବ୍ୟବହାରଦ୍ୱାରା ମୁଁ ତାକୁ ଜଣାଇଦେବାକୁ ଚାହୁଁଥିଲି ଯେ, ଅନ୍ୟ ତିନି ଜଣ ଚପରାସିଙ୍କ ଅପେକ୍ଷା ତା’ ପ୍ରତି ମୋର ଆଦର କମ୍‌ ନୁହେଁ । ଏପରି କି ତା’ ଲାଗି ମୁଁ କେତେ ଥର ଆମ ଅଫିସ୍‌ କର୍ମଚାରୀଙ୍କ ସହିତ ଲଢ଼ି ସାରିଥିଲି ।

 

(୨)

 

ଦିନେ ନିଜ ମେଜ ସଫା କରିବା ନିମିତ୍ତ ବଡ଼ବାବୁ ଗରିବକୁ ଆଦେଶ ଦେଲେ । ତୁରନ୍ତ ସେ ମେଜ ସଫା କରିବାରେ ଲାଗିଲା । ଦଇବଯୋଗରୁ ଝାଡ଼ୁ ବାଜି ଦୁଆତଟି ଢଳିଗଲା ଏବଂ ମେଜ ଉପର ସ୍ୟାହିମୟ ହୋଇଗଲା । ଏହା ଦେଖୁଦେଖୁ ବଡ଼ବାବୁ ନିଜକୁ ଆୟତ୍ତରେ ରଖିପାରିଲେ ନାହିଁ । ତା’ର ଦୁଇ କାନ ଧରି ଖୁବ୍ ରଗଡ଼ିଲେ ଏବଂ ଭାରତବର୍ଷର ସମସ୍ତ ପ୍ରଚଳିତ ଭାଷାରୁ ଯେତେକ ଦୁର୍ବଚନ ବାଛି ତାକୁ ଶୁଣାଇଲାଗିଲେ । ଗରିବ ବିଚରା ଆଖିରେ ଆଖିଏ ଲୁହ ଧରି ମୂର୍ତ୍ତିବତ୍ ସବୁ ଶୁଣି ଯାଉଥିଲା । ତାକୁ ଦେଖି କୌଣସି ହତ୍ୟା ଅପରାଧରେ ଅଭିଯୁକ୍ତ ଏକ ଆସାମୀକୁ ଦେଖିବା ଭଳି ବୋଧ ହେଉଥିଲା । ସାମାନ୍ୟ ଗୋଟାଏ କଥାରେ ବଡ଼ବାବୁ ଏଭଳି ଭୟଙ୍କର ରୁଦ୍ରରୂପ ଧାରଣ କରିବା ମତେ ଭଲ ଲାଗିଲାନି । ଅନ୍ୟ କୌଣସି ଚପରାସି ଯଦି ୟା ଅପେକ୍ଷା କିଛି ଗୋଟାଏ ବଡ଼ ଧରଣର ଅପରାଧ କରି ବସିଥାନ୍ତା, ତାହାହେଲେବି ତା’ ଉପରେ ଏଭଳି ବଜ୍ର କଠୋର ପାହାର ପଡ଼ି ନଥାନ୍ତା ! ବଡ଼ବାବୁଙ୍କୁ ମୁଁ ଇଂରେଜୀରେ କହିଲି–‘‘ଆଜ୍ଞା, ଆପଣ ଅନ୍ୟାୟ କରୁଛନ୍ତି । ସେ ଜାଣିଶୁଣି ଦୁଆତ ଢାଳିନି । ଏଇ ଗୋଟିଏ କଥାପାଇଁ ଏଡ଼େ କଡ଼ା ଦଣ୍ଡ ଦେବା ଏକାନ୍ତ ଅନୁଚିତ ।’’

 

ବଡ଼ବାବୁ ନମ୍ରତାର ସହିତ କହିଲେ–‘‘ଏହାକୁ ଆପଣ ଚିହ୍ନିନାହାନ୍ତି । ଏ ବଡ଼ ଦୁଷ୍ଟ ।’’

 

‘‘ମୁଁ କିନ୍ତୁ ଏହା ପାଖରେ କୌଣସି ଦୁଷ୍ଟାମି ଦେଖୁନି ।’’

 

‘‘ଆପଣ ଆହୁରି ଏହାକୁ ଜାଣିପାରୁନାହାନ୍ତି । ଏ ଗୋଟିଏ ସଇତାନ୍‌ । ଏହା ପାଖରେ ଦୁଇଟି ହଳର ଚାଷଜମି ଅଛି । ହଜାର ଟଙ୍କା ୠଣ ଦିଏ । କେତୋଟି ମଇଁଷିବି ଏ ପାଳିଛି । ବୁଝିଲେ, ଏଇସବୁ ଲାଗି ଏହାର ଏଡ଼େ ଗର୍ବ ।’’

 

‘‘ଘରର ଅବସ୍ଥା ଯଦି ଏଭଳି, ତେବେ ସେ ଏଠାରେ ଚପରାସି କାମ କରୁଛି କାହିଁକି ?’’

 

‘‘ବିଶ୍ୱାସ କରନ୍ତୁ, ଏ ଅତ୍ୟନ୍ତ କଠୋର ଏବଂ ପ୍ରଥମ ଶ୍ରେଣୀର କୃପଣ ।’’ ଏହା କହିବାବେଳକୁ ବଡ଼ବାବୁ ଗମ୍ଭୀର ଦେଖା ଯାଉଥାନ୍ତି ।

 

‘‘ତାହାହେଲେ ଅପରାଧ ଆଉ କ’ଣ ?’’

 

‘‘ଆପଣ ଏଠାରେ ଆଉ କେତେକ ଦିନ ରହିବା ପରେ ଜାଣିପାରିବେ ଏ କେଡ଼େ ନୀଚ-।’’

 

ଅନ୍ୟ ଜଣେ ମହାଶୟ କହିବାକୁ ଲାଗିଲେ–‘‘ଭାଇ ! ଏହାର ଘରେ ମହଣ ମହଣ ଦୁଧ ଦୁହାଁ ହୁଏ । ମହଣ ମହଣ ଯଅ, ଚଣା, ମଟର ଆମଦାନୀ ହୁଏ; କିନ୍ତୁ କଚେରିବାଲାଙ୍କୁ କିଛି ଦେବା ଲାଗି ଟିକେ ବୋଲି ଏହାର ସାହସ ନାହିଁ । ଏ ସମସ୍ତ ଜିନିଷ ପାଇବାପାଇଁ ଏଠାରେ ପ୍ରାୟ ସମସ୍ତେ ବ୍ୟାକୁଳ । ତେବେ ୟାକୁ ଦେଖି ହୃଦୟ ଜଳିବନି କିଆଁ କହିଲେ ? ଆହୁରି ଗୋଟାଏ ଏଇ ନୌକରି ଯୋଗେଇ ତା’ର ଏ ସମସ୍ତ ସମ୍ଭବ ହୋଇପାରିଛି । ପ୍ରଥମେ ତ ୟା ଘରେ ଚୁଲି ଜଳୁ ନଥିଲା ।’’

 

ବଡ଼ବାବୁ ସଂକୁଚିତ ହୋଇ କହିଲେ–‘‘ନା, ସେମିତି ନୁହେଁ । ସେ ତା’ର ଜିନିଷ କାହାକୁ ଦେଉ ନ ଦେଉ ଆମର କ’ଣ ଅଛି ?’’

 

ଏ କଥାର ମର୍ମ ମୁଁ କିଛି ବୁଝିଗଲି । କହିଲି–‘‘ଏହାର ହୃଦୟ ସତରେ ଯଦି ଏତେ ତୁଚ୍ଛ, ତେବେ ବାସ୍ତବରେ ଏ ଗୋଟିଏ ପଶୁ । ଏହା ମୁଁ ଜାଣି ନଥିଲି ।’’

 

ଏଥର ସଂକୋଚ ନ କରି ବଡ଼ବାବୁ କହିବାକୁ ଲାଗିଲେ–‘‘କାହାକୁ କିଛି ଦେଇ କେହି କେବେ ମୁକ୍ତି ପାଏନା; କେବଳ ଦେବା ଲୋକର ସହୃଦୟତା ପ୍ରକାଶ ପାଇଥାଏ ଏବଂ ସେଭଳି ଯୋଗ୍ୟ ଲୋକଠାରୁ କେବଳ ଏ ଆଶା କରାଯାଇପାରେ । ଯେ ସାମର୍ଥହୀନ, ତା’ ପାଖରୁ କେହି କିଛି ପାଇବା ଆଶା ରଖେନି । ନଥିଲା ଲୋକଠାରୁ କିଏ କ’ଣ ପାଇବ ?’’

 

ସମସ୍ତ ରହସ୍ୟ ଖୋଲିଗଲା । ବଡ଼ବାବୁ ସରଳ କରି ସମସ୍ତ କଥା ଦର୍ଶାଇଲେ–ସମୃଦ୍ଧିର ଶତ୍ରୁ ସମସ୍ତେ । ଛୋଟ କେବଳ ନୁହନ୍ତି, ବଡ଼ ମଧ୍ୟ । ଆମର ଶ୍ୱଶୁର କିମ୍ବା ଅଜାଘର ଯଦି ଦରିଦ୍ର ହୋଇପଡ଼ନ୍ତି, ତାହାହେଲେ ସେମାନଙ୍କଠାରୁ କିଛି ଆଶା କରିବା ବୃଥା । ହୁଏତ ଆମେ ତାଙ୍କୁ ଭୁଲିଯାଉଁ । ଯଦି ସେମାନେ ସମର୍ଥ ହୋଇ ଆମକୁ ନ ପଚାରନ୍ତି ଏବଂ ପର୍ବପର୍ବାଣିରେ ଆମ ଘରକୁ କିଛି ନ ପଠାନ୍ତି, ତାହାହେଲେ ଆମ ହୃଦୟରେ ନିଆଁ ଜଳିଉଠେ ।

 

ଆମେ ଯଦି ଆମର କୌଣସି ଗରିବ ବନ୍ଧୁଙ୍କ ଘରକୁ ଯାଉଁ, ତେବେ ତାଙ୍କର ଖିଲେ ପାନରେ ଆମେ ସନ୍ତୋଷ ଲାଭ କରିଥାଉଁ । କିନ୍ତୁ ଏପରି କିଏ ଅଛି, ଯେ କି କୌଣସି ଧନୀ ବନ୍ଧୁଙ୍କ ଘରକୁ ଯାଇ ବିନା ଜଳଖିଆରେ ଫେରି ଜୀବନସାରା ତାଙ୍କୁ ତିରସ୍କାର ନ କରିଚି ? ସୁଦାମ ଶ୍ରୀକୃଷ୍ଣଙ୍କ ଘରୁ ଯଦି ନିରାଶ ହୋଇ ଫେରିଥାଆନ୍ତେ, ତେବେ ହୁଏତ ଶିଶୁପାଳ ଏବଂ ଜରାସନ୍ଧଠାରୁ ମଧ୍ୟ ସେ ତାଙ୍କର ବଡ଼ ଶତ୍ରୁ ହୋଇ ଉଠିଥାନ୍ତେ ।

 

(୩)

 

କେତେ ଦିନ ପରେ ମୁଁ ଗରିବକୁ ପଚାରିଲି–‘‘କିରେ ! ତୁମର ଚାଷବାସ କିଛି ହୁଏ ?’’

 

ଦୀନତାପୂର୍ବକ ଗରିବ ଜଣାଇଲା–‘‘ଆଜ୍ଞା, ହୁଏ । ଘରେ ଦୁଇ ଜଣ ଚାକର ଅଛନ୍ତି । ସେମାନେ ସବୁ କରନ୍ତି ।’’

 

ମୁଁ ପଚାରିଲି–‘‘ଗାଈ ମଇଁଷିବି ଅଛନ୍ତି ନା କ’ଣ ?’’

 

‘‘ଦୁଇଟି ମଇଁଷି ଦୁଧ ଦିଅନ୍ତି । ଗାଈଟିଏବି ଅଛି–ତା’ର ଗର୍ଭାବସ୍ଥା । ଆପଣମାନଙ୍କ ଦୟାରୁ ପେଟ ପୋଷି ହୋଇଯାଉଚି ।’’

 

‘‘କଚେରିର ବାବୁମାନଙ୍କୁ କେବେ କିଛି ଦିଆନିଆ କରୁ ?’’

 

ଦୀନତାପୂର୍ଣ୍ଣ ଆଶ୍ଚର୍ଯ୍ୟରେ କହିଲା ‘‘ହଜୁର ! ସରକାର ଲୋକଙ୍କୁ ମୁଁ କ’ଣ ଦେଇପାରେ-? ଯଅ, ଚଣା, ମକ୍କା, ଜହ୍ନା–ଏସବୁକୁ ଛାଡ଼ିଦେଲେ ଆଉ ଅବା କ’ଣ ଆଦାୟ ହୁଏ ? ଆପଣମାନେ ତ ରାଜା । ଏଇ ରୋଟା ମୋଟା ଜିନିଷ କେଉଁ ମୁହଁରେ ଆପଣମାନଙ୍କୁ ଭେଟି ଦେବି-? ମନରେ ଭୟ ହୁଏ–କେହି ଗାଳି କରି ବସିବେ ଏବଂ କହିବେ–ଏଡ଼େ ଟିକେ ଲୋକର ଏତେ ଶକ୍ତି-! ଏଇଥିପାଇଁ ବାବୁ, ମୁଁ କେବେ ସାହସ କରିପାରିନି । ନାହିଁ ତ ଦୁଧ ଦହିର ଅଭାବ କ’ଣ-? ପାନଖିଲ ଅନ୍ତତଃ ମୁହଁ ଯୋଗ୍ୟ ହେବା ଉଚିତ ।’’

 

‘‘ଆଚ୍ଛା, ଦିନେ ସମସ୍ତଙ୍କୁ କିଛି ଦେ, ସେମାନେ କ’ଣ କହୁଚନ୍ତି ଦେଖିବା । ସହରରେ ଏ ସମସ୍ତ ଜିନିଷ କେଉଁଠୁଁ ମିଳେ । ବେଳେବେଳେ ଏଇ ଲୋକଙ୍କର ମନବି ରୋଟା ମୋଟା ଜିନିଷ ଆଡ଼କୁ ଧାଏଁ ।’’

 

‘‘ଆଜ୍ଞା, କେହି କିଛି କହନ୍ତି ଯଦି ? ସାହେବଙ୍କ ପାଖରେ କେହି ଯଦି ଆପତ୍ତି କରିବସେ, ଅବସ୍ଥା ମୋର ଅସମ୍ଭାଳ ହୋଇଉଠିବ ।’’

 

‘‘ସେ କଥା ମୁଁ ବୁଝିବି । କେହି ତତେ କିଛି କହିବେନି । ଯଦି କେହି କିଛି କହନ୍ତି, ମୁଁ ସେ କଥା ବୁଝିବି ।’’

 

‘‘ଆଜ୍ଞା, ଆଜିକାଲି କ୍ଷେତରେ ମଟର ଫସଲ ରହିଛି । ଘଣାବି ଠିଆ କରାଗଲାଣି । ଏହା ଛଡ଼ା ଆଉ କିଛି ନାହିଁ ।’’

 

‘‘ବେଶ୍‌ ସେଇ ଜିନିଷ ଆଣ ।’’

 

‘‘ଆଜ୍ଞା, ଯଦି କିଛି ଅସୁବିଧା ହୁଏ, ଆପଣହିଁ ସେଇ କଥା ସମ୍ଭାଳିବେ ।’’

 

‘‘ଆରେ ! କହିଲି ପରା ସେ କଥା ମୁଁ ବୁଝିବି !’’

 

ତା’ ପରଦିନ ଗରିବ ଆସିଲା । ସାଥିରେ ହୃଷ୍ଟପୁଷ୍ଟ ତିନିଜଣ ଯୁବକ । ଦୁଇ ଜଣଙ୍କ ମୁଣ୍ଡରେ ଦୁଇଟି ଟୋକେଇ । ଦୁଇଟି ମଟର ଛୁଇଁରେ ଭରା । ଆଉ ଜଣଙ୍କ ମୁଣ୍ଡ ଉପରେ ମାଠିଆଏ ଆଖୁରସ । ଯୁବକ ତିନିହେଁ ବିଡ଼ାଏ ବିଡ଼ାଏ ଆଖୁବି କାଖରେ ଜାକି ଧରିଥାଆନ୍ତି । ଗରିବ ଚୁପ୍‍ଚାପ୍‌ ଆସି ବାରଣ୍ଡା ସାମନାର ଗୋଟିଏ ଗଛତଳେ ଠିଆ ହେଲା । କଚେରି ଭିତରକୁ ଯିବାପାଇଁ ତା’ର ସାହସ ହେଲାନି । ସତେ ସେ ଯେପରି ଏକ ଅପରାଧୀ ! ସେ ଗଛ ତଳେ ଠିଆ ହୋଇଛି । ଏତିକିବେଳେ କଚେରିର ଚପରାସି ଏବଂ ଅନ୍ୟ କର୍ମଚାରୀଗଣ ଆସି ତାକୁ ଘେରିଗଲେ । କେହି ଆଖୁ ଖାଇବାକୁ ଲାଗିଲା ତ କେହି ଟୋକେଇ ପାଖକୁ ଗଲା । ଏ ସମୟରେ ବଡ଼ବାବୁ ଆସି କଚେରିରେ ପହଞ୍ଚିଲେ । ଏଭଳି କୌତୁକ ଦେଖି ସେ ପାଟି କରିଉଠିଲେ–‘‘କ’ଣ ଗୋଟାଏ ଭିଡ଼ ଜମିଛି ଏଇଠି ? ଚାଲ, ନିଜ ନିଜ କାମ ଦେଖ ।’’

 

ମୁଁ ଯାଇ ତାଙ୍କ କାନରେ କହିଲି–‘‘ଗରିବ ନିଜ ଘରୁ ଏସବୁ ଉପହାର ଧରି ଆସିଚି । ଆପଣ କିଛି ଗ୍ରହଣ କରି ବଳକା ଆମ ଭିତରେ ବାଣ୍ଟିଦିଅନ୍ତୁ ।’’

 

ବଡ଼ବାବୁ କୃତ୍ରିମ କ୍ରୋଧ ଧାରଣ କରି କହିଲେ–‘‘କ’ଣ କିରେ ଗରିବ ! ଏସବୁ ଏଠାକୁ ତତେ ଆଣିବାକୁ କିଏ କହିଲା ? ଫେରାଇନେ କହୁଛି, ନାହିଁ ତ ସାହେବଙ୍କୁ ଯାଇ କହିବି । ଆମେ କ’ଣ କାଙ୍ଗାଳ ହେଇଚୁ ?’’

 

ଗରିବ କଳାକାଠ ପଡ଼ିଗଲା । ଖୁବ୍‌ ଥରିଉଠିଲା । ମୁହଁରୁ ଗୋଟାଏ ଶବ୍ଦବି ବାହାରିଲାନି । ମୋ ଆଡ଼କୁ ସେ ଅପରାଧୀଙ୍କ ଭଳି ଚାହିଁରହିଲା ।

 

ବଡ଼ବାବୁଙ୍କ ପାଖରେ ମୁଁ ତା’ରି ପାଇଁ କ୍ଷମାପ୍ରାର୍ଥନା କଲି । ବହୁତ କୁହାବୋଲା କରିବା ପରେ ବଡ଼ବାବୁ ରାଜି ହେଲେ । ଅଧେ ଜିନିଷ ନିଜ ଘରକୁ ପଠାଇଦେଇ ବଳକା ଅଧକ ଆମ ଭିତରେ ବାଣ୍ଟିଦେଲେ । ଅଭିନୟ ସମାପ୍ତ ହେଲା ।

 

(୪)

 

କଚେରିରେ ଗରିବର ଖୁବ୍‌ ନାଁ ହୋଇଗଲା । ପ୍ରତିଦିନ ତାକୁ ଆଉ ଗାଳି ମିଳିଲାନି । ଦିନ ତମାମ ତାକୁ ପୂର୍ବପରି ଏପଟ ସେପଟ ଦୌଡ଼ିବାକୁ ପଡ଼ିଲାନି । କର୍ମଚାରୀମାନଙ୍କଠାରୁ ବ୍ୟଙ୍ଗ କିମ୍ବା ସହକର୍ମୀମାନଙ୍କଠାରୁ କଟୁବଚନ ଶୁଣିବାକୁ ହେଲାନି । ଚପରାସିଗଣ ନିଜେ ତା’ର କାମ କରିଦିଅନ୍ତି । ନାମରେବି ତା’ର ଟିକେ ପରିବର୍ତ୍ତନ ଆସିଲା । ‘ଗରିବ’ରୁ ଗରିବ ଦାସ’ ହେଲା ସେ । ତା’ର ସ୍ୱଭାବବି ପରିବର୍ତ୍ତିତ ହେଲା । ଦୀନତାର ସ୍ଥାନରେ ଆତ୍ମଗୌରବର ଉଦ୍ଭବ ହେଲା । ତତ୍ପରତାର ସ୍ଥାନ ଆଳସ୍ୟ ଗ୍ରହଣ କଲା । ସେ ଏଥର ବେଳେବେଳେ ଡେରି କରି କଚେରିକୁ ଆସେ । ବେଳେବେଳେ ମିଛରେ ଦେହ ଭଲ ନଥିବା ଦର୍ଶାଇ ଘରେ ବସିରହେ । ଏକ୍ଷଣି କିନ୍ତୁ ତା’ର ସମସ୍ତ ଅପରାଧ କ୍ଷମଣୀୟ । ତା’ ଦେହରେ ସ୍ୱପ୍ରତିଷ୍ଠାର ଗନ୍ଧ ଲାଗିଲା । ସେ ଏଥିର ପାଞ୍ଚ ଦଶ ଦିନ ତଫାତ୍‌ରେ ଦୁଧ ଦହି ଆଦି ଆଣି ବଡ଼ବାବୁଙ୍କୁ ଭେଟି ଦିଏ । ସେ ଯେତେବେଳେ ଦେବତାଙ୍କୁ ସନ୍ତୁଷ୍ଟ କରିବା ଶିଖିଗଲା, ତା’ର ସରଳତା ସ୍ଥାନରେ ଜଟିଳତା ଦେଖାଦେଲା । ବଡ଼ବାବୁ ଦିନେ ସରକାରୀ ଫର୍ମ୍‍ର ଗୋଟାଏ ପାର୍ସଲ ଛଡ଼ାଇବା ପାଇଁ ତାକୁ ରେଳଷ୍ଟେସନ୍‌କୁ ପଠାଇଲେ । ପାର୍ସଲଗୁଡ଼ିକ ଓଜନ କଲି । ଠେଲାଗାଡ଼ିର ସାହାଯ୍ୟ ନେବାକୁ ପଡ଼ିଲା । ଠେଲାଗାଡ଼ିବାଲାଙ୍କୁ ବରଅଣା ମଜୁରୀ ଦେବ ବୋଲି ଗରିବ ପ୍ରଥମେ ଠିକ୍‌ କରିଥିଲା । ପାର୍ସଲ କଚେରିରେ ପହଞ୍ଚିଗଲା ପରେ ଠେଲାଗାଡ଼ିବାଲାଙ୍କୁ ଦେବ କହି ବାରଅଣା ପଇସା ବଡ଼ବାବୁଙ୍କୁ ମାଗିଆଣିଲା । କିନ୍ତୁ କଚେରିଠାରୁ କିଛି ଦୂର ଗଲା ପରେ ସେ ତା’ର ନିଷ୍ପତ୍ତି ବଦଳାଇଦେଲା ଏବଂ ଗାଡ଼ିବାଲାଙ୍କୁ ଇନାମ୍‌ ମାଗିଲା । ଠେଲାବାଲା ରାଜି ହେଲେନି । ଗରିବ ବିଗିଡ଼ିଯାଇ ସବୁ ପଇସା ପକେଟରେ ରଖିଲା ଏବଂ ଧମକାଇ କହିଲା–‘‘ଜାଣିଥା, ଆଉ କାଣି କଉଡ଼ିଟିଏବି ମିଳିବନି । କାହାକୁ କହୁଛ କୁହ; ତମେ କ’ଣ କରୁଛ ଦେଖୁଛି !’’

 

ଠେଲାଗାଡ଼ିବାଲା ଦେଖିଲେ, ଭେଟି ନ ଦେଲେ ପଇସା ମିଳୁନି । ସୁତରାଂ କାନ୍ଦି କୁନ୍ଥେଇ ଗରିବକୁ ଚାରି ଅଣା ପଇସା ଦେବାପାଇଁ ରାଜି ହେଲେ । ଗରିବ ସେମାନଙ୍କୁ ଆଠଅଣିଟିଏ ଦେଇ ସେମାନଙ୍କର ଟିପଚିହ୍ନ ସହିତ ବାରଅଣାର ରସିଦ ଆଣି କଚେରିରେ ଦାଖଲ କଲା ।

 

ଏଭଳି କୌତୁକ ଦେଖି ମୁଁ ସ୍ତମ୍ଭିତ ହୋଇଗଲି । ଏ ସେଇ ଗରିବ, ଯେ କି କେତେକ ଦିନ ତଳେ ସତ୍ୟ ଏବଂ ଦୀନତାର ଏକ ପ୍ରତିମୂର୍ତ୍ତି ଥିଲା । ସାଥୀ ଚପରାସିଙ୍କଠାରୁ ନିଜର ଭାଗ ମାଗି ନେବାପାଇଁ ଏହାର ସାହସ କୁଳଉ ନଥିଲା । ନିଜେ ତ ଖାଉ ନଥିଲା, ଅନ୍ୟମାନଙ୍କୁ ଖୁଆଇବା କଥା ଛାଡ଼ । ତା’ର ଏଇ ସ୍ୱଭାବାନ୍ତର ଦେଖି ମୁଁ ଖୁବ୍‌ ଦୁଃଖିତ ହେଲି । ଏହାର ଉତ୍ତରଦାୟିତ୍ୱ କାହା ଉପରେ ? ମୋରି ଉପରେ । ମୁଁ କେବଳ ଏହାକୁ ଧୂର୍ତ୍ତତାର ପ୍ରଥମ ପାଠ ପଢ଼ାଇଥିଲି । ମନ ଭିତରେ ମୁଁ ପ୍ରଶ୍ନ କଲି–ଏଇ କୁଟିଳତା ଅପେକ୍ଷା ତା’ର ସେଇ ସରଳତା କ’ଣ ମନ୍ଦ ଥିଲା ? ବର୍ତ୍ତମାନ ଗରିବ ନିଜର କୁଟିଳ ସ୍ୱଭାବ ବଳରେ ଅନ୍ୟର ତଣ୍ଟିକାଟିବାରେ ବ୍ୟସ୍ତ ଏବଂ ପୂର୍ବେ ସେଇ ତା’ର ସରଳତା ଅନ୍ୟମାନଙ୍କର ଅନ୍ୟାୟକୁ ମୁଣ୍ଡ ପାତି ସହ୍ୟ କରି ନେଉଥିଲା-। ସେଇ ମୁହୂର୍ତ୍ତଟି ଯେତେବେଳେ ମୁଁ ତାକୁ ତା’ର ପ୍ରତିଷ୍ଠାପ୍ରାପ୍ତିର ମାର୍ଗ ଦେଖାଇଦେଲି ବଡ଼ ଅଶୁଭ ଥିଲା, ଯେହେତୁ ତାହା ତା’ର ପତନର ଭୟଙ୍କର ମାର୍ଗ ହେଲା । ବାହ୍ୟ ପ୍ରତିଷ୍ଠା ଲାଗି ମୁଁ ତା’ର ଆତ୍ମପ୍ରତିଷ୍ଠାକୁ ବଳି ଦେଇଦେଲି ।

Image

 

ଲାଞ୍ଛନା

 

ମେହେନ୍ତର ମୁନ୍ନୁ ମୁନ୍‌ସୀ ଶ୍ୟାମକିଶୋରଙ୍କର ଦୁଆର ଝାଡ଼ୁ କରିସାରି ଗାଧୁଆଘରଟିକୁ ଧୋଇଧାଇ ସଫା କଲା ଏବଂ ପରେ ଦୁଆରକୁ ଆସି ସାଆନ୍ତାଣୀଙ୍କୁ କହିଲା–‘‘ଦେଖିନିଅନ୍ତୁ ମା’ ! ସବୁ ସଫା କରିଦେଇଛି । ମା’ ! ଆଜି କିଛି ଖାଇବାକୁ ମିଳୁ ।’’

 

ଦେବୀରାଣୀ ଦୁଆରକୁ ଆସି କହିଲେ–ତୁ ଦରମା ନେବାର ଦଶ ଦିନବି ହୋଇନି, ପୁଣି ଏତେ ଚଞ୍ଚଳ ମାଗିବା ଆରମ୍ଭ କରିଦେଲୁଣି ?

 

ମୁନ୍ନୁ–କ’ଣ କରିବି ମା’ ! ଖରଚ ଅଣ୍ଟୁନି । ଏକୁଟିଆ ମଣିଷ ଘର ଦେଖିବି ନା ଏଆଡ଼େ ଆସି କାମ କରିବି ?

 

ଦେବୀ–ତେବେ ବିବାହ କରୁନୁ କାହିଁକି ?

 

ମୁନ୍ନୁ–ଆଜ୍ଞା ! ସମସ୍ତେ ଟଙ୍କା ମାଗୁଛନ୍ତି ! ପେଟକୁ ତ ପଇସା ନାହିଁ, ଏତେ ଟଙ୍କା ପୁଣି କେଉଁଠୁଁ ପାଇବି ?

 

ଦେବୀ–ତୋର ତ ଏବେ ଯୁବା ବୟସ; ଆଉ କେତେ କାଳ ହାତକୁ ଦି’ହାତ ନ କରି ରହିବୁ ?

 

ମୁନ୍ନୁ–ମୋ ପ୍ରତି ଆପଣଙ୍କ ଏତିକି ସୁଦୃଷ୍ଟି ଥିଲେ କେଉଁଠି ନା କେଉଁଠି ନିଶ୍ଚୟ ଯୋଗାଡ଼ ହେଇଯିବ । କିଛି ସାହାଯ୍ୟ କରିବେ ତ ମା’ ?

 

ଦେବୀ–ହଁ...ହଁ...ତୁ ଠିକ୍‌ଠାକ୍‌ କର । ମୋ ଦେଇ ଯା ହେବ ଦେବି ।

 

ମୁନ୍ନୁ–ମା’, ଆପଣ ଭାରି ଭଲ ମଣିଷ । ଆପଣଙ୍କର ଏଡ଼େ ଦୟା ! ଆଉ କାହା ଘର ମାଆମାନେ ତ ପଦେ କଥାବି କହନ୍ତିନି । ଭଗବାନ ଆପଣଙ୍କୁ ଯେଉଁଭଳି ସୌନ୍ଦର୍ଯ୍ୟ ଦେଇଚନ୍ତି, ସେଭଳି ହୃଦୟବି ଦେଇଚନ୍ତି । ଆପଣଙ୍କୁ ଦେଖି ମୋର ଭୋକଶୋଷ କିଭଳି ଉଭେଇଯାଏ, ଭଗବାନଇ ଜାଣନ୍ତି । ବଡ଼ଘର ସ୍ତ୍ରୀମାନଙ୍କୁ ଦେଖିଚି; ସେମାନେ କିନ୍ତୁ ହଜୁରଙ୍କ ପାଦଧୂଳିକିବି ସରି ହେବେନି ।

 

ଦେବୀ–ଯା ମିଛୁଆ ! ମୁଁ କ’ଣ ଇମିତି ସୁନ୍ଦର ହେଇଚି ?

 

ମୁନ୍ନୁ–ଆପଣଙ୍କୁ ଅବା ଆଉ କ’ଣ କହିବି ? ବଡ଼ଘରର କ୍ଷତ୍ରିୟ ସ୍ତ୍ରୀମାନଙ୍କୁ ଦେଖିଆସୁଚି; ସେମାନଙ୍କର ଦେହର ରଙ୍ଗ ଅବଶ୍ୟ ଗୋରା; କିନ୍ତୁ ସେମାନଙ୍କଠାରେ ଏ ଲାବଣ୍ୟ କେଉଁଠି ଅଛି ?

 

ଦେବୀ–ଟଙ୍କାଟିଏ ଦେଲେ ଏବେ ତୋର କାମ ଚଳିବ ତ ?

 

ମୁନ୍ନୁ–ଆଜ୍ଞା ! ଦୁଇଟି ଟଙ୍କା ଦେଲେ ଭଲ ହୁଅନ୍ତା ?

 

ଦେବୀ–ଆଚ୍ଛା, ଏଇ ନେ । ଯା ।

 

ମୁନ୍ନୁ–ଯାଉଛି ଆଜ୍ଞା ! ଆପଣ କିଛି ମନେ କରିବେନି ଯଦି ଗୋଟାଏ କଥା ପଚାରିବି ।

 

ଦେବୀ–କ’ଣ ପଚାର ! ଜଲଦି ! ମୁଁ ଏକ୍ଷଣି ଚୁଲି ଲଗେଇବାକୁ ଯିବି ।

 

ମୁନ୍ନୁ–ତେବେ ଯାଆନ୍ତୁ ଆଜ୍ଞା ! ଆଉ ଦିନେ ପଚାରିବି ।

 

ଦେବୀ–ନା, ନା ପଚାର । କଥା କ’ଣ ? ମୋର ଏକ୍ଷଣି ତରବର ହେବାର ନାହିଁ ।

 

ମୁନ୍ନୁ–ଦାଲ୍‌ମଣ୍ଡିରେ ଆପଣଙ୍କର କେହି ସମ୍ବନ୍ଧୀୟ ଲୋକ ଅଛନ୍ତି ?

 

ଦେବୀ–ନା, ସେଠାରେ ସେମିତି କେହି ନାହାନ୍ତି ।

 

ମୁନ୍ନୁ–ତେବେ ବାବୁଙ୍କର କେହି ସାଥୀ ଥାଇପାରନ୍ତି । ବାବୁଙ୍କୁ ବେଳେବେଳେ ଗୋଟାଏ କୋଠା ଉପରୁ ଓହ୍ଲାଉଥିବା ମୁଁ ଦେଖେ ।

 

ଦେବୀ–ଦାଲ୍‌ମଣ୍ଡିରେ ତ ବେଶ୍ୟାମାନେ ରହନ୍ତି ।

 

ମୁନ୍ନୁ–ହଁ, ସେଠାରେ ବହୁତ ବେଶ୍ୟା ଅଛନ୍ତି । ବାବୁ ଖୁବ୍‌ ସରଳ ଜଣାଯାଆନ୍ତି । ରାତିରେ ଡେରି କରି ସେ ଏଠାକୁ ଫେରନ୍ତିନି ତ ?

 

ଦେବୀ–ନା, ସନ୍ଧ୍ୟା ପୂର୍ବରୁ ସେ ଫେରିଆସନ୍ତି । ପୁଣି କେଉଁଆଡ଼େ ଯାଆନ୍ତିନି । ହଁ, ବେଳେବେଳେ ଲାଇବ୍ରେରିକୁ ଯାଆନ୍ତି ।

 

ମୁନ୍ନୁ–ବେଶ୍‌, ଏଇ କଥା । ବେଳ ଦେଖି ତାଙ୍କୁ ବୁଝେଇ ଦିଅନ୍ତୁ, ଯିମିତି ସେ ରାତିରେ ଆଉ ସେ ଆଡ଼କୁ ନ ଯାଆନ୍ତି । ମଣିଷର ହୃଦୟ ଯେଡ଼େ ନିର୍ମଳ ହେଉ ପଛେ, ଦେଖଣାହାରି ସନ୍ଦେହ କରନ୍ତି ।

 

ଏତିକିବେଳେ ଶ୍ୟାମକିଶୋରବାବୁ ଆସି ଉପସ୍ଥିତ ହେଲେ । ମୁନ୍ନୁ ତାଙ୍କୁ ନମସ୍କାର ଜଣାଇ ବାଲଟି ଉଠାଇ ଚାଲିଗଲା ।

 

ଶ୍ୟାମକିଶୋର ଦେବୀରାଣୀଙ୍କୁ ପଚାରିଲେ–ମୁନ୍ନୁ କ’ଣ କହୁଥିଲା ?

 

ଦେବୀ–ସେ କିଛି ନୁହେଁ । ନିଜର ଦୁଃଖ ଶୁଣାଉଥିଲା । ଖାଇବାବୁ ମାଗିଲା–ଦୁଇଟି ଟଙ୍କା ଦେଲି । ତା’ର କଥାଭାଷାର ଢଙ୍ଗ ଖୁବ୍‌ ସୁନ୍ଦର ।

 

ଶ୍ୟାମ–କାହାରି ସହିତ କଥାଭାଷା ହେବା ତମର ଯିମିତି ଗୋଟାଏ ବେମାରି । ତା’ ପୁଣି ଗୋଟାଏ ସାମାନ୍ୟ ମେହେନ୍ତର ସହିତ ! ଗୋଟାଏ ଭୂତ ସାଙ୍ଗରେ କେଜାଣି କିଭଳି ତମେ କଥାଭାଷା କର !

 

ଦେବୀ–ତା’ର ରୂପ ଭେକରେ ମୋର କ’ଣ ଅଛି ? ଗରିବ ଲୋକ । ଯେତେବେଳେ ସେ ତା’ର ଦୁଃଖ ଶୁଣାଉଚି, କିପରି ନ ଶୁଣନ୍ତି ?

 

ଶ୍ୟାମକିଶୋରବାବୁ ରୁମାଲ୍‌ ଭିତରୁ ଗୋଟାଏ ଫୁଲମାଳା ବାହାର କରି ଦେବୀରାଣୀଙ୍କ ଗଳାରେ ପିନ୍ଧାଇଦେଲେ । କିନ୍ତୁ ଦେବୀରାଣୀଙ୍କ ମୁହଁରେ ପ୍ରସନ୍ନତାର ଏତେ ଟିକେ ଚିହ୍ନ ଦେଖାଗଲା ନାହିଁ ବରଂ ସେ ବକ୍ରଦୃଷ୍ଟିପାତ କରି କହିଲେ–ତମେ ଆଜିକାଲି ଦାଲ୍‌ମଣ୍ଡି ଆଡ଼କୁ ଖୁବ୍‌ ବୁଲିବାକୁ ଯାଅ, ନୁହେଁ ?

 

ଶ୍ୟାମକିଶୋର ଚକିତ ହୋଇ ପଚାରିଲେ–କିଏ ? ମୁଁ ?

 

ଦେବୀ–ହଁ, ତମେ । ଲାଇବ୍ରେରିକୁ ଯିବା ବାହାନାରେ ସେଠାକୁ ଯାଇ ଗାଉଣା–ବାଜଣାଦିର ମଉଜ ଚାଲିଛି !

 

ଶ୍ୟାମ–ଖାଣ୍ଟି ମିଛ । ଷୋଳଣା ମିଛ । ତମକୁ ଏ କଥା କିଏ କହିଛି ? ମୁନ୍ନୁ ?

 

ଦେବୀ–ମୁନ୍ନୁ ମତେ କିଛି କହିନି; କିନ୍ତୁ ତମ ବିଷୟ ନେଇ ସମସ୍ତ ଖବର ମତେ ମିଳେ-

 

ଶ୍ୟାମ–ତମେ ମୋର ଆଉ ଖୋଜ୍‍ଖବର ନିଅନି । ସନ୍ଦେହ କରି କରି ମଣିଷ ସନ୍ଦେହୀ ହୋଇଯାଏ । ତଦ୍ଦ୍ୱାରା ଅନର୍ଥ ଜାତ ହୋଇଥାଏ ମଧ୍ୟ । ଆଚ୍ଛା, କହିଲ, ମୁଁ ଅବା ଦାଲ୍‌ମଣ୍ଡି କାହିଁକି ଯିବି ? ତମଠାରୁ ଅଧିକ ଦାଲ୍‌ମଣ୍ଡିରେ ଆଉ କେହି ଅଛି ? ମୁଁ ତମର ଏଇ ମତୁଆଲା ଦୁଇଟି ଆଖିର ଉପାସକ । କୌଣସି ଅପ୍ସରା ଯଦିବି ମୋ ସାମନାକୁ ଆସିଯାଏ, ମୁଁ ଆଖି ଟେକି ଚାହିଁବିନି-। ଶାରଦା କେଉଁଠି ଅଛି ?

 

ଦେବୀ–ତଳକୁ ଖେଳିବାକୁ ଯାଇଚି ।

 

ଶ୍ୟାମ–ତଳକୁ ଯିବାପାଇଁ ତାକୁ ମନା କରିଦିଅ । ରିକ୍ସା, ମଟର, ବଗି ଆଦି ପ୍ରତି ମୁହୂର୍ତ୍ତରେ ଯା–ଆସ କରନ୍ତି । ହୁଏତ କେବେ ଦୁର୍ଘଟଣା ଘଟିଯାଇପାରେ । ଆଜି ଅର୍ଦ୍ଦଳୀ ବଜାରରେ ଗୋଟାଏ ଦୁର୍ଘଟଣା ଘଟିଯାଇଚି । ତିନୋଟି ବାଳକ ଏକାସଙ୍ଗେ ଗାଡ଼ିତଳେ ଚାପା ପଡ଼ିଗଲେ ।

 

ଦେବୀ–ତିନୋଟି ବାଳକ ! ଆହା କେଡ଼େ ବିପଦ ଯେ !! ମଟର କାହାର ?

 

ଶ୍ୟାମ–ଏଯାଏଁ ଠିକଣା ମିଳିନି । ସେ ମଟରଟି କାହାର ଭଗବାନ୍‌ହିଁ ଜାଣନ୍ତି ! ବୁଝିଲ ଦେବୀରାଣୀ । ଫୁଲହାରଟି ତମକୁ ଖୁବ୍‌ ମାନୁଚି ।

 

ମୁରୁକିହସି ଦେବୀରାଣୀ କହିଲେ–ଚାଲ ସେଆଡ଼େ, ଖୁବ୍‌ କଥା କହିଆସେ ।

 

(୨)

 

ତୃତୀୟ ଦିନ ମୁନ୍ନୁ ଦେବୀରାଣୀଙ୍କୁ କହିଲା–ଗୋଟାଏ ଜାଗାରେ ସମ୍ବନ୍ଧ ଠିକ୍‌ ହେଉଚି । ଏଥର ଆଉ ହାତରୁ ଖସିବନି । ଆପଣଙ୍କ ଉପରେ ମୁଁ ଖୁବ୍‌ ଭରସା ରଖିଚି ।

 

ଦେବୀ–କନ୍ୟାଟିକୁ ଦେଖିଲୁ ? ଦେଖିବାକୁ କିପରି ?

 

ମୁନ୍ନୁ–ଆଜ୍ଞା ! ଭାଗ୍ୟରେ ଯେଭଳି ଲେଖା ଅଛି ସେଭଳି । ଯା ହଉ ଘର ରୋଟି ଖଣ୍ଡେ ଖାଇବାକୁ ମିଳିବ । ହାତରେ ଆଉ ରୋଟି ତିଆର କରି ଖାଇବାକୁ ପଡ଼ିବନି । ସ୍ୱଭାବବି ତା’ର ସରଳ । ବୁଝିଲ ମା’, ଆମ ଜାତିର ସ୍ତ୍ରୀଲୋକମାନେ ଖୁବ୍‌ ଚଞ୍ଚଳ ସ୍ୱଭାବର । ଶହେକେ ଗୋଟିଏ ଭଲ ମିଳିବେନି ।

 

ଦେବୀ–ମେହେନ୍ତରମାନେ ନିଜ ସ୍ତ୍ରୀଙ୍କୁ କିଛି କହନ୍ତିନି ?

 

ମୁନ୍ନୁ–କ’ଣ କହିବେ ଆଜ୍ଞା ! କାଳେ କାହା ସହିତ ସମ୍ବନ୍ଧ ଯୋଡ଼ି ଚାକିରି ଛଡ଼େଇଦେବେ ବୋଲି ଡରନ୍ତି । ବାବୁମାନେ ମେହେନ୍ତରାଣୀଙ୍କ ଉପରେ ଖୁବ୍‌ ଆଖି ପକାନ୍ତି ।

 

ମୁରୁକିହସି ଦେବୀରାଣୀ କହିଲେ–ଚାଲ୍‌, ମିଛୁଆ ! ବାବୁମାନଙ୍କର ସ୍ତ୍ରୀମାନେ କ’ଣ ମେହେନ୍ତରାଣୀଙ୍କଠାରୁ ନିକୃଷ୍ଟ ?

 

ମୁନ୍ନୁ–ଆପଣ ଆଉ ସେଭଳି କହନ୍ତୁନି । ହଜୁରଙ୍କୁ ଛାଡ଼ିଦେଲେ ଆଉ ସେଭଳି କେହି ବାବୁଆଣୀ ନାହାନ୍ତି, ଯାହାଙ୍କର ମୁଁ ପ୍ରଶଂସା ଗାଇପାରେ । ମୁଁ ବହୁତ ଛୋଟଲୋକ ଆଜ୍ଞା; କିନ୍ତୁ ମୋର ସ୍ତ୍ରୀ ଯଦି ଏଇ ବାବୁଆଣୀମାନଙ୍କ ପରି ହୋଇଥାନ୍ତା, ତାକୁ ତେବେ କଥା କହିବାକୁ ଇଚ୍ଛା ହୁଅନ୍ତାନି । ଆପଣଙ୍କ ଚେହେରା ଥାଇ ଅନ୍ୟ କୌଣସି ସ୍ତ୍ରୀଲୋକୁ ମୁଁ ଦେଖିନି ।

 

ଦେବୀ–ଯା, ମିଛୁଆ ! ଏଭଳି ଖୋସାମଦ କରିବା କାହାଠୁ ଶିଖିଛୁ ?

 

ମୁନ୍ନୁ–ଖୋସାମଦ କରୁନି ଆଜ୍ଞା ! ସତ କଥା କହୁଛି । ହଜୁର ଦିନେ ଝରକା ଆଗରେ ଠିଆ ହୋଇଥିଲେ; ରଜା ମିଆଁର ଦୃଷ୍ଟିପଡ଼ିଲା । ତାଙ୍କର ଗୋଟିଏ ବଡ଼ ଜୋତା ଦୋକାନ ଅଛି । ଭଗବାନ ତାଙ୍କୁ ଧନ ଯିମିତି ଦେଇଚନ୍ତି, ହୃଦୟବି ସିମିତି ଦେଇଚନ୍ତି । ସେ ଆପଣଙ୍କୁ ଦେଖୁଦେଖୁ ଆଖି ତଳକୁ କରିନେଲେ । ଆଜି ସେ କଥା କଥାକେ ଆପଣଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ଯାଉଥାନ୍ତି । ମୁଁ କହିଲି–ହଜୁର ଯେଭଳି ସୁନ୍ଦରୀ, ଭଗବାନଙ୍କଠାରୁ ସେଭଳି ହୃଦୟଟାଏବି ପାଇଛନ୍ତି ।

 

ଦେବୀ–ଆଚ୍ଛା, ସେଇ ଲମ୍ବା ସାବନ ଯୁବକଟି ନା ?

 

ମୁନ୍ନୁ–ହଁ ଆଜ୍ଞା ! ସେଇ । ମତେ କହିଲେ–ପୁଣି କିମିତି ସେ ଆପଣଙ୍କୁ ଦେଖିପାରନ୍ତେ କି ! ମୁଁ କିନ୍ତୁ ଖୁବ୍‌ କଡ଼ା କରି କହିଲି–ଖବରଦାର୍‌ ମିଆଁ ! ଏଭଳି କଥା ମୋ ଆଗରେ ଆଉ କେବେ କହିବନି । ତମ ଅଭିପ୍ରାୟ ସେଠାରେ କେବେ ଖାଟିବନି ।

 

ଦେବୀ–ଖୁବ୍‌ ଭଲ କରିଚୁ । ନୀଚଟାର ଆଖି ଫୁଟିଯାଉ । ଏଇ ବାଟ ଦେଇ ସେ ଯେବେ ଯାଉଚି, ଆଖି ଯୋଡ଼ିକ ତା’ର ଏଇ ଝରକା ଉପରେଇ ଲାଖିରହୁଚି । କହିଦେବୁ–ଏ ଆଡ଼କୁ ଭଲରେ ସୁଦ୍ଧା ସେ ଆଉ ଯିମିତି ନ ଚାହେଁ ।

 

ମୁନ୍ନୁ–କହିଦେଇଚି ଆଜ୍ଞା ! ହୁକୁମ ଦେଲେ ଏଥର ଯିବି । ସଫା କରିବାପାଇଁ ଆଉ କିଛି ଅଛି ? ବାବୁଙ୍କ ଆସିବାବେଳ ହେଲାଣି । ମତେ ଦେଖିଲେ କହିବେ–ଏ ପୁଣି କି କଥା ହେଉଚି ?

 

ଦେବୀ–ଏଇ ରୋଟି ଦିଖଣ୍ଡ ନେଇଯା । ଆଜିକ ଚୁଲି ପାଖରୁ ଅବସର ମିଳିବ ଅନ୍ତତଃ-

 

ମୁନ୍ନୁ–ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ମୋର ତ ମନେହେଉଚି–ଆପଣଙ୍କ ଦୁଆରେ ପଡ଼ିରହି ଖଣ୍ଡେ ଦିଖଣ୍ଡ ରୋଟି ଖାଇନେଲେ ଚଳନ୍ତା । ସତରେ ହଜୁରଙ୍କୁ ଦେଖିଲେ ମୁଁ ଭୋକଶୋଷ ଭୁଲିଯାଏ ।

 

ମୁନ୍ନୁ ଚାଲିଯାଉଥିବାବେଳେ ଶ୍ୟାମକିଶୋରବାବୁ ଆସି ପହଞ୍ଚିଲେ । ମୁନ୍ନୁର ଶେଷକଥା ପଦକ ତାଙ୍କ କାନରେ ପଡ଼ିଥିଲା । ମୁନ୍ନୁ ଯିମିତି ତଳକୁ ଯାଇଚି, ଶ୍ୟାମକିଶୋରବାବୁ ଦେବୀରାଣୀଙ୍କୁ କହିଲେ–ମୁଁ ତୁମକୁ ମନା କରି କହିଥିଲି ମୁନ୍ନୁକୁ କିଛି କହିବ ନାହିଁ, ତମେ କିନ୍ତୁ ମୋ କଥା ମାନିଲ ନାହିଁ ତ ! ଛୋଟଲୋକେ ଗୋଟିଏ ଘରର କଥା ଅନ୍ୟ ଘରେ ନେଇ ପହଞ୍ଚାଇଥାନ୍ତି । ଏଭଳି ଲୋକଙ୍କୁ କୌଣସି କାଳେ କିଛି କହିବା ଅନୁଚିତ । ଭୋକଶୋଷ ଭୁଲିଯିବା ନେଇ ସେ କ’ଣ କହୁଥିଲା ?

 

ଦେବୀ–ଭୋକଶୋଷ କଥା ମୁଁ କି ଜାଣେ ? ଏଭଳି କୌଣସି କଥା ନଥିଲା ତ !

 

ଶ୍ୟାମ–ନଥିଲା କ’ଣ ! ମୁଁ ସଫା ଶୁଣିଛି ।

 

ଦେବୀ–ମୋର କିନ୍ତୁ ମନେପଡ଼ୁନି । କ’ଣ ହୋଇଥିବ । ମୁଁ କ’ଣ ତା’ର ସବୁ କଥା ଶୁଣେ ?

 

ଶ୍ୟାମ–ତାହାହେଲେ ସେ କ’ଣ କାନ୍ଥବାଡ଼ ସହିତ କଥାବାର୍ତ୍ତା କରେ ? ଦେଖ, ତଳେ କିଏ ଜଣେ ଏ ଝରକା ଆଡ଼କୁ ଚାହିଁ ଚାହିଁ ଚାଲିଯାଉଛି । ଏ ସାହିରେ ଗୋଟାଏ ମୁସଲମାନ ଟୋକା ଅଛି । ତା’ର ଗୋଟାଏ ଜୋତା ଦୋକାନ ଅଛି । ତମେ କ’ଣ ଏଇ ଝରକା ପାଖରେ ଆସି ଠିଆ ହୁଅ ?

 

ଦେବୀ–ଝରକା ଆଗରେ ପରଦାଟାଏ ତ ପଡ଼ିଛି ।

 

ଶ୍ୟାମ–ପରଦା ପାଖରେ ଠିଆ ହେଲେ ବାହାର ଲୋକ ତୁମକୁ ସଫା ଦେଖିପାରେ ।

 

ଦେବୀ–ଏକଥା ମତେ ଜଣା ନଥିଲା । ଏଥର କେବେ ଆଉ ଝରକା ଖୋଲିବିନି ।

 

ଶ୍ୟାମ–ହଁ, ଝରକା ଖୋଲି ଲାଭ କ’ଣ ? ମୁନ୍ନୁକୁ ଏଥର ଘର ଭିତରକୁ ଆସିବାପାଇଁ ଦିଅନି ।

 

ଦେବୀ–ତାହାହେଲେ ଗାଧୁଆଘର କିଏ ସଫା କରିବ ?

 

ଶ୍ୟାମ–ଆଚ୍ଛା, ଆସୁ । କିନ୍ତୁ ତା’ ସହିତ କଥାଭାଷା କରିବା ଅନୁଚିତ । ହଁ, ଆଜି ଗୋଟାଏ ନୂଆ ଥିଏଟର୍‌ ଆସିଚି । ଚାଲ ଦେଖିଆସିବା । ଶୁଣିଛି ଶିଳ୍ପୀସକଳ କଳାକୁଶଳୀ ।

 

ଏତିକିବେଳେ ଶାରଦା ଗୋଟାଏ ମିଠେଇ ପୁଡ଼ିଆ ଧରି ତଳୁ ଧାଇଁ ଧାଇଁ ଆସିଲା । ଦେବୀରାଣୀ ପଚାରିଲେ–ଆରେ ! ଏ ମିଠେଇ ପୁଡ଼ିଆଟି କିଏ ଦେଲା ?

 

ଶାରଦା–ରଜା ଭାଇ ତ ଦେଇଚନ୍ତି । କହୁଥିଲେ ସେ ମୋପାଇଁ ଭଲ ଭଲ ଖେଳନା ଆଣି ଦେବେ ।

 

ଶ୍ୟାମ–ରଜା ଭାଇ କିଏ ?

 

ଶାରଦା–ସେଇ ତ, ଏବେ ଯେ ଏଇ ବାଟ ଦେଇ ଗଲେ ।

 

ଶ୍ୟାମ–ସେଇ ସାବନ ଲମ୍ବା ଲୋକଟି ?

 

ଶାରଦା–ହଁ, ହଁ....ସେଇ, ସେଇ । ଏଥର ରୋଜ୍ ମୁଁ ତାଙ୍କ ଘରକୁ ଯିବି ।

 

ଦେବୀ–ତୁ କ’ଣ ତା’ ଘରକୁ ଯାଇଥିଲୁ ?

 

ଶାରଦା–ସେ ତ ମତେ କୋଳ କରି ନେଇଗଲେ ।

 

ଶ୍ୟାମ–ତୁ ଆଉ ତଳକୁ ଖେଳିବାକୁ ଯାଆନା । କେଉଁ ଦିନ ହୁଏତ ମଟର ମାଡ଼ିଯିବ । ଦେଖୁନୁ–କେତେ ଗାଡ଼ି ଘୋଡ଼ା ଯା–ଆସ କରୁଛି ।

 

ଶାରଦା–ରଜା ଭାଇ କହୁଥିଲେ, ସେ ତମକୁ ମଟରରେ ବସାଇ ବୁଲାଇନେବେ ।

 

ଶ୍ୟାମକିଶୋର ଦେବୀରାଣୀଙ୍କୁ କହିଲେ–ତମେ ବସି ବସି କ’ଣ କରୁଚ ଯେ ଏଇ ଛୋଟ ଝିଅଟି ପ୍ରତି ଟିକେ ଦୃଷ୍ଟି ଦେଇପାରୁନ !

 

ଦେବୀ–ଏତେ ବଡ଼ ଝିଅଟାକୁ ତ ଆଉ ସିନ୍ଦୁକରେ ଭରତି କରି ରଖାଯାଇପାରିବନି ।

 

ଶ୍ୟାମ–ମୁଁ ଜାଣେ, ତମେ ଖୁବ୍‌ ଟାଣ ଜବାବ ଦେଇପାର । ତେବେ ଏକଥା କାହିଁକି କହୁ ନାହଁ ଯେ ଗପବାଢ଼ି ବସିବା ଫଳରେ ଫୁରୁସତ୍‌ ମିଳେନି ।

 

ଦେବୀ–କାହା ସହିତ ମୁଁ ଗପ କରୁଛି ? ଏଠାରେ ତ ପଡ଼ୋଶୀ କେହି ନାହାନ୍ତି !

 

ଶ୍ୟାମ –ମୁନ୍ନୁ ତ ଅଛି !

 

ଓଠ କାମୁଡ଼ି ପକାଇ ଦେବୀରାଣୀ କହିଲେ–ମୁନ୍ନୁ କ’ଣ ମୋର ଭାଇ ନା ବଂଶର ଲୋକ ଯେ ତା’ ସହିତ ମୁଁ ଗପ ବାଢ଼ିବସୁଛି ! ଗରିବ ବାପୁଡ଼ା ନିଜର ଦୁଃଖ ଶୁଣାଏ ଅନେକ ସମୟରେ । ମୁଁ ତାକୁ ଆଉ କ’ଣ କହନ୍ତି ? ଦୂର୍‌....ଦୂର୍‌....କରିବା ମୋ ଦେଇ ହୁଏନି ।

 

ଶ୍ୟାମ–ଆଚ୍ଛା, ରନ୍ଧାବଢ଼ା ସାରିନିଅ । ନଅଟାବେଳେ ଖେଳ ଆରମ୍ଭ ହୋଇଯିବ । ବର୍ତ୍ତମାନ ସାତଟା ବାଜିଲାଣି ।

 

ଦେବୀ–ତମେ ଯାଇ ଦେଖିଆସ । ମୁଁ ଆଜି ଯାଉନି ।

 

ଶ୍ୟାମ–ତମେ ତ ମାସେ ହେଲା ଥିଏଟର ଥିଏଟର ରଟ ଲଗାଇଥିଲ । ଏବେ କ’ଣ ହେଲା ? ତମେ କ’ଣ ଶପଥ କରିନେଇଚ ଯେ ମୁଁ ଯାହା କହିବି, ତମେ ଶୁଣିବନି ?

 

ଦେବୀ–ତମର ଏ ଧାରଣା କୁଆଡ଼ୁ ଆସିଲା କେଜାଣି ! ତମର ଇଚ୍ଛା ଅନୁଯାୟୀ ମୁଁ ସମସ୍ତ କାମ କରେ । ମୁଁ ଗଲେ ଅଧିକ ପଇସା ଖର୍ଚ୍ଚ ହେବ ଏବଂ ଟଙ୍କା କମିଗଲେ ତମେ ମୋର ପ୍ରାଣ ଖାଇବ–କେବଳ ଏଇ କଥା ଭାବି ମୁଁ ଯିବାପାଇଁ ମନା କରୁଥିଲି । କହୁଚ ଯଦି ଯିବି । ଥିଏଟର୍ ଦେଖିବାପାଇଁ କାହାକୁ ଖରାପ ଲାଗେ ।

 

(୩)

 

ନଅଟାବେଳେ ଶ୍ୟାମକିଶୋରବାବୁ ଦେବୀରାଣୀ ଆଉ ଶାରଦା ସହିତ ଟାଙ୍ଗାରେ ଥିଏଟର ଦେଖିବାକୁ ବାହାରିଲେ । ଅଳ୍ପ ଦୂର ଯାଇଛନ୍ତି କି ନାହିଁ ଆଉ ଗୋଟାଏ ଟାଙ୍ଗା ପଛରୁ ଆସୁଥିବାର ଦେଖାଗଲା । ସେଇ ଟାଙ୍ଗାଟିରେ ବସିଥିଲା ରଜା ମିଆଁ, ଆଉ ତା’ ପାଖକୁ ବସିଥିଲା ମେହେନ୍ତର ମୁନ୍ନୁ, ଯେ ଶ୍ୟାମବାବୁଙ୍କ ଗାଧୁଆଘର, ଅଗଣା ଆଦି ସଫା କରେ । ଦେବୀରାଣୀ ସେ ଦୁହିଁଙ୍କୁ ଦେଖୁଦେଖୁ ମୁଣ୍ଡ ନୁଆଁଇନେଲେ । ଆଶ୍ଚର୍ଯ୍ୟର ସହିତ ଭାବିବାକୁ ଲାଗିଲେ–ରଜା ଆଉ ମେହେନ୍ତର ମୁନ୍ନୁ ଏ ଦୁଇ ଜଣଙ୍କ ଭିତରେ କ’ଣ ଏଭଳି ମିତ୍ରତା ଅଛି ଯେ ରଜା ତାକୁ ଟାଙ୍ଗାରେ ବସାଇ ବୁଲେଇ ନେଉଚି ! ଶାରଦା ରଜାକୁ ‘‘ଦେଖୁଦେଖୁ କହିଲା–ଦେଖ ବାବା, ରଜା ଭାଇ ଆସୁଛନ୍ତି ।’’ ସେ ତାଳି ବଜାଇ ପାଟି କରିଉଠିଲା–‘‘ରଜା ଭାଇ ! ଏଆଡ଼େ ଦେଖ, ଆମେ ଥିଏଟର ଦେଖି ଯାଉଚୁ ।’’

ରଜା ମୁରୁକି ହସିଲା । କିନ୍ତୁ ଶ୍ୟାମକିଶୋରବାବୁ କ୍ରୋଧାନ୍ଧ ହୋଇଉଠିଲେ । ତାଙ୍କୁ ଜଣାଗଲା, ଯେପରି ସେଇ ଦୁଷ୍ଟଗୁଡ଼ାକ ତାଙ୍କରି ପିଛା ଧରିଛନ୍ତି । ଦୁହିଁଙ୍କ ଭିତରେ ଯୋଗସୂତ୍ର ରହିଚି ଅବଶ୍ୟ । ନାହିଁ ତ ରଜା କାହିଁକି ମୁନ୍ନୁକୁ ସାଥିରେ ରଖନ୍ତା ? ସେମାନଙ୍କ ହାବୁଡ଼ରୁ ଖସିବାପାଇଁ ସେ ଟାଙ୍ଗାବାଲାକୁ କହିଲେ–‘‘ଟାଙ୍ଗା ଆଉ ଟିକେ ଜଲଦି ଚଳା ଡେରି ହୋଇ ଯାଉଚି-।’’ ଟାଙ୍ଗାର ଗତି ବଢ଼ିଗଲା । ରଜା ମଧ୍ୟ ନିଜର ଟାଙ୍ଗା ଜୋରରେ ଚଳାଇଲା । ଶ୍ୟାମକିଶୋରବାବୁ ଯେତେବେଳେ ଧୀରେ ଟାଙ୍ଗା ଚଳାଇବାକୁ କହିଲେ, ରଜା ବସିଥିବା ଟାଙ୍ଗାର ଗତିବି ଶିଥିଳ ହୋଇଗଲା । ଶେଷରେ ଶ୍ୟାମକିଶୋରବାବୁ ଚିଡ଼ିଯାଇ ଟାଙ୍ଗାବାଲାକୁ କହିଲେ–‘‘ଟାଙ୍ଗା ଛାଉଣୀ ଆଡ଼କୁ ନେଇ ଚାଲ, ଆମେ ଆଉ ଥିଏଟର ଯିବୁନି ।’’ ଟାଙ୍ଗାବାଲା କୌତୂହଳର ସହିତ ପଛକୁ ଚାହିଁଲା ଏବଂ ପରେ ଟାଙ୍ଗା ଫେରାଇନେଲା । ରଜାର ଟାଙ୍ଗା ମଧ୍ୟ ଦିଗ ବଦଳାଇଲା-। ଶ୍ୟାମକିଶୋରବାବୁଙ୍କ ହୃଦୟରେ ଏଭଳି କ୍ରୋଧ ଜାତ ହେଉଥିଲା ଯେ, ଭାବିଲେ, ରଜାକୁ ଡାକି ସେ ଏକଥା ପଚାରିବେ । ତାଙ୍କୁ କିନ୍ତୁ ଡର ମାଡ଼ିଲା । –ଯଦି ଝଗଡ଼ା ହୁଏ, ବହୁତ ଲୋକ ଜମା ହୋଇଯିବେ, ଏବଂ ବୃଥାରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିବ । ସୁତରାଂ ସେ ରକ୍ତ ଚାଉଳ ଚୋବେଇ ତୁନି ରହିଲେ । ମିଛରେ ଥିଏଟର ଆସିଲେ ବୋଲି ସେ ନିଜ ଉପରେ ଚିଡ଼ିଉଠିଲେ । କିନ୍ତୁ କିଏ ଜାଣିଥିଲା ଏ ସଇତାନ୍ ଦୁଇଟି ଆସି ମୁଣ୍ଡ ଉପରେ ବସିବେ । ପରଦିନଠାରୁ ମୁନ୍ନୁକୁ ତଡ଼ିଦେବା ପାଇଁ ସ୍ଥିର କଲେ । ଶେଷରେ ରଜାର ଟାଙ୍ଗା କିଛି ଦୂର ଯାଇ ଅନ୍ୟ ଏକ ଦିଗକୁ ଫେରିଲା ଏବଂ ଶ୍ୟାମକିଶୋରବାବୁଙ୍କର କ୍ରୋଧ ଟିକେ ଶାନ୍ତ ହେଲା । ଥିଏଟର୍ ଯିବାପାଇଁ ଆଉ ସମୟ ନଥିଲା ସୁତରାଂ ସେମାନେ ଘରକୁ ଫେରିଆସିଲେ ।

ଦେବୀରାଣୀ କୋଠା ଉପରକୁ ଆସି କହିଲେ–ବୃଥାଟାରେ ଟାଙ୍ଗାବାଲା ଦୁଇ ଟଙ୍କା ନେଲା !

ଶ୍ୟାମକିଶୋର ତାଙ୍କ ଆଡ଼କୁ ରକ୍ତଚକ୍ଷୁରେ ଚାହିଁ କହିଲେ–ଆହୁରି ମୁନ୍ନୁ ସହିତ କଥାବାର୍ତ୍ତା କର ! ଝରକା ପାଖରେ ଠିଆ ହୋଇ ରଜା ମିଆଁକୁ ରୂପ ପ୍ରଦର୍ଶନ କରାଅ !! ତମେ କ’ଣ ଯେ କରିବାକୁ ଯାଉଛ କେଜାଣି !!!

ଦେବୀ–ତମେ ଏଭଳି କଥା କହିପାରୁଚ, ତୁମକୁ ଲଜ୍ଜା ବୋଧ ହେଉନି ? ତମେ ମତେ ମିଛରେ ଅପମାନ ଦେଉଅଛ । ଏହାର ଫଳ କିନ୍ତୁ ଭଲ ହେବନି । କୌଣସି ଯୁବକ ତୁମର ପାଦଧୂଳିକି ସରି ହେବ ବୋଲି ମୁଁ କେବେ ଚିନ୍ତା କରିନି । ଅଭାବୀ ମେହେନ୍ତର, ସେ କିଏ ? ତମେ ମତେ ଏଡ଼େ ନୀଚ ମନେ କରିପାର ?

 

ଶ୍ୟାମ–ନା; ମୁଁ ତୁମକୁ ନୀଚ ମନେକରୁନି; କିନ୍ତୁ ନିଶ୍ଚୟ ଅବୁଝା ମନେକରୁଚି । ତମେ ସେଇ ବଦମାସଟା ସହିତ କଥାଭାଷା ହେବା ଉଚିତ ନଥିଲା । ବର୍ତ୍ତମାନ ତୁମେ ବୁଝିପାରୁଥିବ, ସେ ହେଉଚି ଗୋଟାଏ ପକ୍କା ବଦମାସ । ଏଥିରେ ଆଉ ତମର ସନ୍ଦେହ ଅଛି ?

 

ଦେବୀ–କାଲି ମୁଁ ତାକୁ ନିଶ୍ଚୟ ତଡ଼ିଦେବି ।

 

ଶ୍ୟାମକିଶୋର ମେଜ ଉପରେ ଟିକେ ଗଡ଼ପଡ଼ ହେଲେ । ଚିତ୍ତ କିନ୍ତୁ ଅଶାନ୍ତ । ଦିନସାରା ସେ କଚେରିରେ ରହନ୍ତି । ଦେବୀରାଣୀ ତାଙ୍କ ପଛରେ କ’ଣ କରନ୍ତି ସେ ଜାଣନ୍ତିନି । ସେ ଜାଣିଥିଲେ ଦେବୀରାଣୀ ପତିବ୍ରତା । କିନ୍ତୁ ଏହାବି ଜାଣିଥିଲେ ଯେ ନିଜର ରୂପ ପ୍ରଦର୍ଶନ କରିବା ସୁନ୍ଦରୀ ସ୍ତ୍ରୀମାନଙ୍କର ଗୋଟାଏ ରୋଗ । ଦେବୀରାଣୀ ଅଡ଼ି କରି ନିଶ୍ଚୟ ଝରକା ସାମନାରେ ଠିଆ ହୁଅନ୍ତି ଏବଂ ସାହିର ସମସ୍ତ ବ୍ୟଭିଚାରୀ ତାହାଙ୍କ ରୂପ ଦେଖି ଦେଖି କେତେକଅଣ କଳ୍ପନା କରିଯାଆନ୍ତି । ଶ୍ୟାମକିଶୋର ଅନୁଭବ କଲେ–ଏ କଥାକୁ ରୋକିବା ତାଙ୍କର ଆୟତ୍ତର ବାହାରେ । ବ୍ୟଭିଚାରୀଗଣ ବଶୀକରଣ ବିଦ୍ୟାରେ ନିପୁଣ । ଭଗବାନ କରନ୍ତୁ, ଯେପରି ଏଇ ବଦମାସଙ୍କର ଦୃଷ୍ଟି କୌଣସି ଭଦ୍ରଘରର ଝିଅ ବୋହୂ ଉପରେ ନ ପଡ଼ୁ । ଏମାନଙ୍କ କବଳରୁ କି ପ୍ରକାର ରକ୍ଷା ମିଳିବ ?

 

ବହୁତ ଚିନ୍ତା କରିବା ପରେ ଶ୍ୟାମକିଶୋର ସେ ଘର ଛାଡ଼ି ଚାଲିଯିବା ପାଇଁ ନିଶ୍ଚୟ କଲେ । ଏହା ଛଡ଼ା ତାଙ୍କର ଆଉ ଅନ୍ୟ ଉପାୟ ନଥିଲା । ଦେବୀରାଣୀଙ୍କୁ କହିଲେ–କହିବ ଯଦି ଏ ଘର ଛାଡ଼ିଦେବି । ଏଇ ବଦମାସମାନଙ୍କ ମଧ୍ୟରେ ରହିଲେ ସମ୍ମାନ ନଷ୍ଟ ହେବାର ଭୟ ରହିଛି ।

 

ଦେବୀରାଣୀ ଆପତ୍ତି ଜଣାଇବା ଭଳି ସ୍ୱରରେ କହିଲେ–ତମର ଯାହା ଇଚ୍ଛା !

 

ଶ୍ୟାମ–ତାହାହେଲେ ତମେ କିଛି ଗୋଟାଏ ଉପାୟ ସ୍ଥିର କର ।

 

ଦେବୀ–ମୁଁ କି ଉପାୟ ସ୍ଥିର କରିବି ଏବଂ କାହିଁକି ? ଏ ଘର ଛାଡ଼ି ପଳେଇବା ମୁଁ ଜରୁର୍ ମନେକରେନି । ଜଣେ ଦି’ଜଣ କ’ଣ ଲକ୍ଷ ଲକ୍ଷ ବଦମାସ ଥିଲେବି ଆମର ଯାଏଁ ଆସେ କେତେ ? କୁକୁର ଭୁକିବା ଭୟରେ କିଏ କ’ଣ ନିଜର ଘର ଛାଡ଼ି ପଳାଏ ?

 

ଶ୍ୟାମ–କୁକୁର ବେଳେବେଳେ କାମୁଡ଼ିଦିଏ ମଧ୍ୟ ।

 

ଦେବୀରାଣୀ ଏହାର କୌଣସି ଜବାବ ଦେଲେନାହିଁ । ତର୍କ କରିବାଦ୍ୱାରା ସ୍ୱାମୀଙ୍କର ଦୁଶ୍ଚିନ୍ତା ବଢ଼ିଯାଇପାରେ–ଏ ଭୟ ତାଙ୍କର ଥିଲା । ଏ ତ ସନ୍ଦେହୀ ନିଶ୍ଚୟ, ହୁଏତ କ’ଣ ନା କ’ଣ ବୁଝି ବସିବେ ।

 

ଦୁଇ ଦିନ ପରେ ଶ୍ୟାମକିଶୋର ସେ ଘର ଛାଡ଼ି ଚାଲିଗଲେ ।

 

(୪)

 

ଶ୍ୟାମକିଶୋର ନୂଆ ଘରକୁ ଆସିବାର ଏକ ସପ୍ତାହ ପରେ ଦିନେ ମୁନ୍ନୁ ମୁଣ୍ଡରେ ପଟି ବାନ୍ଧି, କାନ୍ଧରେ ଲାଠିଟାଏ ଧରି ଆସି ଦୁଆରେ ଡାକିଲା । ମୁନ୍ନୁ ଡାକୁଥିବା ଦେବୀରାଣୀ ଜାଣିପାରିଲେ ଏବଂ ଦୂର୍.....ଦୂର୍.....ନ କହି ଆସି କବାଟ ଖୋଲିଲେ । ପୁରୁଣା ଘରଟିର ଖବର ଜାଣିବାପାଇଁ ତାଙ୍କର ଚିତ୍ତ ଲାଳାୟିତ ଥିଲା । ମୁନ୍ନୁ ଘର ଭିତରକୁ ଆସି କହିଲା–ଆଜ୍ଞା ! ଯେଉଁ ଦିନଠାରୁ ଆପଣ ସେଇ ଘର ଛାଡ଼ିଲେଣି, ରାଣ ପକେଇ କହୁଛି, ମୁଁ ସେ ଆଡ଼କୁ ଆଉ ଦିନେ ଯାଇନି । ସେ ଘରଟିକୁ ଦେଖିଲେ କାନ୍ଦ ମାଡ଼େ । ଏ ସାହିକୁ ଚାଲିଆସିବା ପାଇଁ ମୋରବି ମନ ଡାକୁଚି । ପାଗଳ ଭଳି ଏପଟ ସେପଟ ଘୂରିବୁଲୁଚି ଆଜ୍ଞା ! କୌଣସି କାମରେ ମୋ ମନ ଲାଗୁନି । ସବୁବେଳେ ଆପଣ ମନେ ପଡ଼ନ୍ତି । ହଜୁର ଯେଭଳି ପାଳିଥିଲେ, ଏବେ ଆଉ କିଏ ସେଭଳି ମତେ ପାଳିବ ! ଏ ଘରଟି ନିହାତି ଛୋଟ ଜଣାଯାଉଛି ।

ଦେବୀ–ତୋରି ଯୋଗୁଁହିଁ ତ ସେ ଘର ଛାଡ଼ିବାକୁ ହେଲା ।

ମୁନ୍ନୁ–ମୋରି ଯୋଗୁଁ ! ମୁଁ କି ଅପରାଧ କଲି ଆଜ୍ଞା ?

ଦେବୀ–ସେଦିନ ତୁ ରଜା ମିଆଁ ସହିତ ଟାଙ୍ଗାରେ ବସି ମୋର ପିଛା ଧରିଥିଲୁ । ଏଇ କାରଣରୁ ମଣିଷ ମଣିଷକୁ ସନ୍ଦେହ କରେ ।

ମୁନ୍ନୁ–ଆଜ୍ଞା ! ସେ ଦିନର କଥା ଆଉ କହନ୍ତୁନି । ରଜା ମିଆଁ ଜଣେ ଓକିଲ ପାଖକୁ ଯାଉଥିଲେ । ଓକିଲ ମହାଶୟ ଛାଉଣୀରେ ରହନ୍ତି । ମତେବି ସେ ସାଥିରେ ନେଲେ । ତାଙ୍କର ଘୋଡ଼ା ଜଗୁଆଳ କେଉଁଆଡ଼େ ଚାଲି ଯାଇଥାଏ । ଶିଷ୍ଟତା ଦୃଷ୍ଟିରୁ ସେ ନିଜର ଟାଙ୍ଗା ଆପଣଙ୍କ ଟାଙ୍ଗା ଆଗକୁ ନେଇପାରୁ ନଥାନ୍ତି । ଆଜ୍ଞା, ତାକୁ ବଦମାସ କହୁଛନ୍ତି ? ତା’ ଭଳି ମଣିଷ ସାହି ଗୋଟାକରେ ମିଳିବେନି । କ’ଣ କହିବି ମା’ ! ଦିନକେ ସେ ପାଞ୍ଚ ଥର ନମାଜ ପଢ଼େ । ପୂଜାବେଳେ ମାସେ ହବିଷ୍ୟ କରେ । ଘରେ ସ୍ତ୍ରୀ ପିଲା ଅଛନ୍ତି । କାହା ଉପରକୁ ଦୃଷ୍ଟି ପକାଇବା ପାଇଁ ତା’ର ଶକ୍ତି କାହିଁ ?

ଦେବୀ–ସେ ଯାହାହେଉ, ତୋ ମୁଣ୍ଡରେ ପଟି ବନ୍ଧା ହୋଇଚି କାହିଁକି କହିଲୁ ?

ମୁନ୍ନୁ–ସେ କଥା ଆଉ ପଚାରନ୍ତୁନି ଆଜ୍ଞା ! କେହି ଆପଣଙ୍କର ଅନିଷ୍ଟ କରିବାକୁ ଚାହିଁଲେ ମୋ ହୃଦୟରେ ନିଆଁ ଲାଗିଯାଏ । ଫାଟକ ପାଖରେ ସେ ଯେଉଁ ଗୁଡ଼ିଆ ନଥିଲା, କହିଲା, ବାବୁ ତା’ର କେତେ ପଇସା ବାକି କରି ଅଛନ୍ତି । ମୁଁ କହିଲି, ବାବୁ ଏଭଳି ଲୋକ ନୁହଁନ୍ତି ଯେ ତୋର ପଇସା ହଜମ କରି ଚାଲିଯିବେ । ବେଶ୍, ଏଇ କଥାରୁ ତ ମାଡ଼ଗୋଳ ଆରମ୍ଭ ହୋଇଗଲା । ସେତିକିବେଳକୁ ମୁଁ ଦୋକାନ ତଳର ନାଳ ସଫା କରୁଥାଏ । ସେ ଉପରକୁ କୁଦିଆସି ମତେ ପେଲିଦେଲା । ମୁଁ ଅସାବଧାନ ହୋଇ ଠିଆ ହୋଇଥିଲି, ସଡ଼କ ଉପରେ ଚାରିକାତ ଛାଡ଼ି ଚିତ୍ ହୋଇ ପଡ଼ିଗଲି । ମାଡ଼ ତ ଖାଇଲି, କିନ୍ତୁ ମୁଁ ଦୋକାନ ଆଗରେ ତାକୁ ଏତେ ଗାଳି ଶୁଣାଇଲି ଯେ ପୁଅର ଜୀବନଯାକ ମନେ ପଡ଼ୁଥିବ । ମୋର ମୁଣ୍ଡର ଘା ଏବେ ଶୁଖି ଆସିଲାଣି ।

ଦେବୀ–ରାମ୍ ରାମ୍ ! ମିଛରେ ମାଡ଼ ଖାଇଲୁ । ସାଧାରଣ କଥା, କହି ଦେଇଥାନ୍ତୁ–ତମର ପଇସା ଯଦି ଅଛି ଯାଇ ମାଗିଆଣ । ସେ ତ ସହରରେ ଅଛନ୍ତି, କେଉଁଆଡ଼େ ଚାଲି ଯାଇନାହାନ୍ତି ତ !

 

ମୁନ୍ନୁ–ହଜୁର ! ଆପଣଙ୍କ ବିରୁଦ୍ଧରେ ଏଭଳି କଥା ଶୁଣିଲେ ମୁଁ ତୁନି ହୋଇ ରହିପାରେନା । ସେ ତା’ ଘରର ଲାଟ୍ ହେଉନା କାହିଁକି, କୁଦିପଡ଼ିବ ! ତା’ ବଡ଼ଲୋକୀ ତା’ ଘରେ-। ସେ କ’ଣ କାହାକୁ ଖୁଆଉଚି ନା ପିଆଉଚି ?

ଦେବୀ–ଆଚ୍ଛା, ସେ ଘରକୁ ଏବେ କିଏ ଆସିଲାଣି ନା ନାହିଁ ?

ମୁନ୍ନୁ–କେତେକ ଲୋକ ଦେଖିବାକୁ ଆସିଥିଲେ । କିନ୍ତୁ ଆପଣ ଯେଉଁଠି ରହି ସାରିଚନ୍ତି, ବର୍ତ୍ତମାନ ଆଉ ସେଠାରେ କିଏ ରହିପାରେ ? ଆମେ ସେମାନଙ୍କୁ ଡରେଇଦେଲୁ । ଆପଣ ସେ ଘର ଛାଡ଼ିବା ଦିନଠାରୁ ରଜା ମିଆଁ ଏକରକମ ଖିଆପିଆ ଛାଡ଼ି ଦେଇଛନ୍ତି । ଶାରଦାକୁ ମନେପକାଇ ସେ କାନ୍ଦିଉଠନ୍ତି । ହଜୁର ଆମ ଭଳି ଗରିବ ଲୋକଙ୍କୁ ଆଉ କାହିଁକି ମନେ ପକାଇବେ ?

ଦେବୀ–ମନେ ପଡ଼ିବନି କାହିଁକି ? ମୁଁ କ’ଣ ମଣିଷ ନୁହେଁ ? ପଶୁବି ସ୍ଥାନଛଡ଼ା ହେଲେ ଦିଚାରିଦିନ ଘାସ ଖାଆନ୍ତିନି । ଏ ପଇସା ନେଇଯା, ବଜାରରୁ କିଛି କିଣି ଖାଇବୁ । ଭୋକ ହେଉଥିବ ।

ମୁନ୍ନୁ–ହଜୁରଙ୍କ ଆଶୀର୍ବାଦରୁ ଖିଆପିଆର କୌଣସି ଅଭାବ ନାଇଁ । ମଣିଷର ହୃଦୟ କେବଳ ଜଣାଯାଇଥାଏ ସିନା, ପଇସାରେ କ’ଣ ଅଛି ? ଆପଣଙ୍କର ତ ଖାଉଚି । ଆପଣ ଇମିତି ଲୋକ ଯେ ବିନା ପଇସାରେ ମଣିଷ ଆପଣଙ୍କର ହୋଇଯାଉଚି । ଏଥର ଯାଉଚି ଆଜ୍ଞା ! ବାବୁ ଆସୁଥିବେ । କହିବେ–ସଇତାନ୍ ପୁଣି ଏଠାରେ ଆସି ପହଞ୍ଚିଲାଣି ।

ଦେବୀ–ସେ ଆସୁ ଆସୁ ଆହୁରି ଡେରି ହେବ ।

ମୁନ୍ନୁ–ଓହୋ, ଆଉ ଗୋଟାଏ କଥା ଭୁଲି ଯାଇଥିଲି । ରଜା ମିଆଁ ଶାରଦାପାଇଁ ଏତକ ଖେଳଣା ପଠାଇଛନ୍ତି । କଥା ହେଉ ହେଉ ଏପରି ଭୁଲି ଯାଇଥିଲି ଯେ ଏଗୁଡ଼ିକର ସ୍ମରଣ ନଥିଲା-। ଝିଅ କାହିଁ ?

ଦେବୀ–ଏପର୍ଯ୍ୟନ୍ତ ତ ସ୍କୁଲ୍‍ରୁ ଆସିନି । କିନ୍ତୁ ଏତେଗୁଡ଼ାଏ ଖେଳଣା ଆଣିବାର କି ଆବଶ୍ୟକତା ଥିଲା ? ରଜା ମିଆଁ ଖୁବ୍ ଅନ୍ୟାୟ କରିଛନ୍ତି । ପଠାଇବାର ଥିଲା ଯଦି ଦି’ ଚାରି ଅଣାର ଖେଳଣା ପଠାଇଥିଲେ ଚଳିଥାନ୍ତା । ଏକା ଏଇ ମେମ୍‍ଟିର ଦାମ ତିନି ଚାରି ଟଙ୍କାରୁ କମ୍ ହୋଇ ନଥିବ । ଏ ଖେଳଣାଗୁଡ଼ିକର ଦାମ ତିରିଶ ପଞ୍ଚତିରିଶି ଟଙ୍କାରୁ ତ କମ୍ ହେବନି !

ମୁନ୍ନୁ–ମତେ କି ଜଣା ମା’ ! ମୁଁ ତ କେବେ କିଣିନି । ତିରିଶ ପଞ୍ଚତିରିଶି ଟଙ୍କାର ଯଦି ବା ହୋଇଥିବ, ତେବେ ତାଙ୍କ ପକ୍ଷରେ କ’ଣ ଗୋଟାଏ ବଡ଼କଥା ହୋଇଗଲା ? କ’ଣ କହିବି ଆଜ୍ଞା ! କେବଳ ଗୋଟାଏ ଦୋକାନରୁ ତାଙ୍କର ଦିନକୁ ପଚାଶ ଟଙ୍କା ମିଳେ ।

ଦେବୀ–ନା, ଏଗୁଡ଼ାକୁ ଫେରାଇନେ । ଏତେଗୁଡ଼ାଏ ଖେଳଣା ନେଇ ସେ କ’ଣ କରିବ-? ମୁଁ ମେମ୍‍ଟିକୁ କେବଳ ରଖି ନେଉଚି ।

ମୁନ୍ନୁ–ହଜୁର ! ରଜା ମିଆଁ ଖୁବ୍ ଦୁଃଖ କରିବେ । ମତେ ଆଉ ଜିଇଁ ଥାଉଁଥାଉଁ ଛାଡ଼ିବେନି । ବଡ଼ ରସିକ ମଣିଷ ସେ । ଦୁଇ ଚାରି ଦିନ ଲାଗି ସ୍ତ୍ରୀ ଯେବେ ମା’ ଘରକୁ ଚାଲିଯାଆନ୍ତି, ତାଙ୍କ ମନ ଚଞ୍ଚଳ ହୋଇଉଠେ ।

 

ସହସା ଶାରଦା ପାଠଶାଳାରୁ ଆସିଗଲା ଏବଂ ଖେଳଣାଗୁଡ଼ିକୁ ଦେଖୁଦେଖୁ ସେଗୁଡ଼ିକ ଉପରେ ଯାଇ ପଡ଼ିଲା । ଦେବୀରାଣୀ ପାଟିକରି ଉଠିଲେ–କ’ଣ କରୁଚୁ ଏଁ, କ’ଣ କରୁଚୁ ? ମେମ୍‍ଟି କେବଳ ନେଇଯା । ସବୁ ନେଇ କ’ଣ କରିବୁ ?

 

ଶାରଦା–ମୁଁ ସବୁ ନେବି । ମେମ୍‍କୁ ମଟରରେ ବସାଇ ଦୌଡ଼ାଇବି । କୁକୁର ପଛେ ପଛେ ଦୌଡ଼ିବି । ଏଇ ବାସନଗୁଡ଼ିକରେ କଣ୍ଢେଇପାଇଁ ଭାତ ରାନ୍ଧିବି । କହ ମା’ ! ଏସବୁ କିଏ ଆଣିଚି ?

 

ଦେବୀ–କିଏ ଆଣିବ ? ମୁଁ ଦେଖିବାକୁ ମଗାଇଲି । ଏଗୁଡ଼ିକ ଭିତରୁ ତୁ କୌଣସି ଗୋଟିଏ ରଖିନେ ।

 

ଶାରଦା–ମୁଁ ସବୁ ନେବି ! ମା’ । ସବୁ ରଖିନେ । କିଏ ଆଣିଚି ମା’ ?

 

ଦେବୀରାଣୀ ମୁନ୍ନୁକୁ କହିଲେ–ମୁନ୍ନୁ ! ଖେଳଣାଗୁଡ଼ିକୁ ନେଇ ତୁ ଚାଲିଯା । ଏକା ମେମ୍‍ଟି ଥାଉ ।

 

ଶାରଦା–ଏ ମୁନ୍ନୁ ! କେଉଁଠୁଁ ଆଣିଛୁ କହ ?

 

ମୁନ୍ନୁ–ରଜା ଭାଇ ତମପାଇଁ ପଠାଇ ଦେଇଚନ୍ତି ।

 

ଶାରଦା ନାଚି ନାଚି କହିବାକୁ ଲାଗିଲା–ରଜାଭାଇ ପଠାଇଚନ୍ତି ! ହୋ...ହୋ...ରଜାଭାଇ ଭାରି ଭଲ । ଏସବୁ ମୁଁ ମୋ ସାଥୀମାନଙ୍କୁ ଦେଖାଇବି । କାହାରି ପାଖରେ ଆଉ ଏଭଳି ଖେଳଣା ନଥିବ ।

 

ଦେବୀ–ଆଚ୍ଛା, ମୁନ୍ନୁ । ତୁ ଏଥର ଯା । ରଜା ମିଆଁକୁ କହିବୁ, ପୁଣି ସେ ଏଠାକୁ ଯେପରି ଖେଳଣା ନ ପଠାଏ !

 

ମୁନ୍ନୁ ଚାଲିଗଲା ପରେ ଦେବୀରାଣୀ ଶାରଦାକୁ କହିଲେ–ଆଣ, ତୋର ଖେଳଣାଗୁଡ଼ିକୁ ରଖି ଦେଇଥିବି । ବାବା ଦେଖିଲେ ବିରକ୍ତ ହେବେ । କହିବେ–ରଜା ମିଆଁର ଏ ଖେଳଣା କାହିଁକି ରଖିଲ ? ଭାଙ୍ଗିଭୁଙ୍ଗି ଫିଙ୍ଗିଦେବେ । ଭୁଲରେବି ତୁ ତାଙ୍କୁ ଏ ଖେଳଣାଗୁଡ଼ିକର କଥା କହିବୁନି ।

 

ଶାରଦା–ହଁ ମା’, ରଖିଦେ । ବାବା ଭାଙ୍ଗିଦେବେ ।

 

ଦେବୀ–ରଜା ଭାଇ ଖେଳଣା ପଠାଇଛନ୍ତି ବୋଲି ବାବାଙ୍କୁ କେବେ କହିବୁନି । କହିବୁ ଯଦି ବାବା ରଜା ଭାଇକୁ ମାରିବେ ଆଉ ତୋର କାନ କାଟିଦେବେ । କହିବେ–ଝିଅଟା ଗୋଟାଏ ଭିକମଗା । ସମସ୍ତଙ୍କୁ ଖେଳଣା ମାଗୁଚି ।

 

ଶାରଦା–ମା’ ! ମୁଁ ତାଙ୍କୁ କିଛି କହିବିନି । ସବୁ ଖେଳଣା ରଖି ଦେଇଥା । ଏତିକିବେଳେ ଶ୍ୟାମକିଶୋରବାବୁ କଚେରିରୁ ଆସିଗଲେ । ଭ୍ରୂଲତା କପାଳକୁ ଚଢ଼ି ଯାଇଥାଏ । ଆସୁ ଆସୁ କହିଲେ–ସେଇ ସୟତାନ, ମୁନ୍ନୁ ଏ ସାହିକୁବି ଆସିଲାଣି ! ଆଜି ମୁଁ ତାକୁ ଦେଖିଲି । ଏଠାକୁ ଆସିଥିଲା କି ?

 

ଦେବୀରାଣୀ ଡରି ଡରି କହିଲେ–ହଁ, ଆସିଥିଲା ।

 

ଶ୍ୟାମ–ଆଉ ତମେ ତାକୁ ଆସିବାକୁ ଦେଲ । ମୁନ୍ନୁ ଏ ଘରେ ପାଦ ନ ଦେବା ଲାଗି ମୁଁ ତୁମକୁ କହି ନଥିଲି ?

 

ଦେବୀ–ଦୁଆରେ ଆସି ତ ଡାକିଲା, ଆଉ କ’ଣ କରନ୍ତି ?

 

ଶ୍ୟାମ–ତା’ ସାଥିରେ ସେଇ ଛତରା ଟୋକାଟାବି ଥିଲା ନା କ’ଣ ?

 

ଦେବୀ–ତା’ ସାଥିରେ ଆଉ କେହି ନଥିଲା ।

 

ଶ୍ୟାମ–ଏଠାକୁ ଆଉ ନ ଆସିବାପାଇଁ ଆଜି ମଧ୍ୟ ତମେ ତାକୁ କହି ନ ଥିବ !

 

ଦେବୀ–ଆରେ ! ଏକଥା ତ ମୋର ମନେପଡ଼ିଲାନି । ସେ ମଧ୍ୟ ଏଠାକୁ ଆଉ କ’ଣ ପାଇଁ ଆସିବ ?

 

ଶ୍ୟାମ–ଆଜି ଯେଉଁଥିପାଇଁ ଆସିଥିଲା, ପୁଣି ସେଇଥିପାଇଁ ଆସିବ । ଲାଗୁଛି, ତମେ ଯେମିତି ମୋ ମୁହଁରେ କଳା ବୋଳିବାପାଇଁ ବସିଛ ।

 

ଦେବୀରାଣୀ କ୍ରୋଧବଶତଃ କହିବାକୁ ଲାଗିଲେ–ମତେ ତମେ ଏପରି ବେହିଆ କଥା ଆଉ କହିବନି । ଏଭଳି କଥା ତମ ମୁହଁରୁ ବାହାରିପାରୁଚି, ତୁମକୁ ଲଜ୍ଜାବୋଧ ହେଉନି ? ପୂର୍ବେ ଥରେ ଏଭଳି କହିଥିଲ । ଆଜି ପୁଣି ତୁମେ ସେଇ କଥା କହୁଚ । ପୁଣି ଯଦି ତମଠାରୁ ଏଇ କଥା ଶୁଣେ, ପରିଣାମ ଭଲ ହେବନି କହି ରଖୁଚି । ତମେ କ’ଣ ମତେ ବେଶ୍ୟା ମନେକରିଛ ?

 

ଶ୍ୟାମ–ମୁଁ ଚାହେଁ ତା’ର ପାଦ ଏ ଘରେ ନ ପଡ଼ୁ ।

 

ଦେବୀ–ତେବେ ମନା କରିଦେଉନ ?

 

ଶ୍ୟାମ–ତମେ କିଆଁ ମନା କରିଦେଉନ ଶୁଣେ ?

 

ଦେବୀ–ଏ କଥା କହିବାବେଳକୁ ତୁମକୁ ଲଜ୍ଜା ମାଡ଼ୁଛି କି ନା କହିଲ ପ୍ରଥମେ ?

 

ଶ୍ୟାମ–ମୋର ମନା କରିବା ହୁଏତ ବ୍ୟର୍ଥ ହୋଇପାରେ । ମୁଁ ମନାକଲେବି ତୁମର ମୁହଁ ପାଇ ଏଠାକୁ ଯେ ଆସିବ ନିଶ୍ଚୟ ।

 

ଦେବୀରାଣୀ ଜିଭ କାମୁଡ଼ି ପକାଇ କହିଲେ–ଆଚ୍ଛା, ସେ ଯଦି ଆସେ, କ’ଣ କ୍ଷତିଟାଏ ହେବ ଶୁଣେ ? ମେହେନ୍ତର ସମସ୍ତଙ୍କ ଘରକୁ ଯିବା ଆସିବା କରେ ।

 

ଶ୍ୟାମ–ମୁଁ କିନ୍ତୁ ଏତିକି କହିରଖୁଛି, ଆଉ ଦିନେ ଯଦି ମୁନ୍ନୁକୁ ଦୁଆରେ ଦେଖେ, ତେବେ ତୁମର ମଙ୍ଗଳ ହେବନି ।

 

ଏହା କହୁ କହୁ ଶ୍ୟାମକିଶୋର ତଳକୁ ଚାଲିଗଲେ ଏବଂ ଦେବୀରାଣୀ ସ୍ତବ୍ଧ ଚକିତ ହୋଇ ଠିଆହୋଇ ରହିଲେ । ପରେ ତାଙ୍କର ହୃଦୟ ଏଇ ଅପମାନ, ଲାଞ୍ଛନା ଆଉ ଅବିଶ୍ୱାସର ଆଘାତରେ ପୀଡ଼ିତ ହୋଇଉଠିଲା । କଇଁକଇଁ ହୋଇ କାନ୍ଦିବାକୁ ଲାଗିଲେ ସେ । ସ୍ୱାମୀ ତାଙ୍କୁ ଏଡ଼େ ନୀଚା, ଏଡ଼େ ନିର୍ଲଜ୍ଜା ମନେ କରନ୍ତି–ଏଇ କଥା ତାଙ୍କୁ ବେଶୀ ବାଧିଲା । ଯେଉଁ କାର୍ଯ୍ୟ ବେଶ୍ୟା କରେନି, ସେଇ କଥା ନେଇ ସ୍ୱାମୀ ତାଙ୍କରି ଉପରେ ସନ୍ଦେହ କରନ୍ତି !!!

 

(୫)

 

ଶ୍ୟାମକିଶୋର ଘରେ ପ୍ରବେଶ କରୁ କରୁ ଶାରଦା ନିଜର ଖେଳଣାଗୁଡ଼ିକୁ ନେଇ ଚାଲି ଯାଇଥିଲା । ତା’ର ଭୟ ହୋଇଥିଲା, କାଳେ ବାବା ଖେଳନାଗୁଡ଼ିକୁ ଦେଖିଲେ ଭାଙ୍ଗିଦେବେ । ତଳକୁ ଯାଇ ସେ ଭାବିବାକୁ ଲାଗିଲା–ଖେଳନାଗୁଡ଼ିକୁ ସେ ଲୁଚାଇବ କେଉଁଠି ? ଏକଥା ସେ ଭାବୁଥିବାବେଳେ, ତା’ର ଗୋଟାଏ ସାଥୀ ଅଗଣାରେ ଆସି ଉପସ୍ଥିତ ହେଲା । ଶାରଦା ନିଜର ଖେଳନାଗୁଡ଼ିକୁ ତାକୁ ଦେଖାଇବା ପାଇଁ ଆତୁର ହୋଇଉଠିଲା । ଏ ପ୍ରଲୋଭନକୁ ସେ କୌଣସି ପ୍ରକାରେ ରୋକିପାରିଲା ନାହିଁ । ସେ ଭାବିଲା–ବାବା ତ ଉପରେ ଅଛନ୍ତି, ସେ କ’ଣ ଏଡ଼େ ଜଲଦି ତଳକୁ ଆସିବେ ? ସେ ପର୍ଯ୍ୟନ୍ତ କାହିଁକି ସେ ନିଜର ଖେଳନାଗୁଡ଼ିକୁ ନିଜ ସାଥୀକୁ ଦେଖାଇବନି ? ସାଥୀକୁ ତା’ର ସେ ଡାକିଲା । ଖେଳନାଗୁଡ଼ିକୁ ଦେଖିବାରେ ଉଭୟେ ଏଭଳି ମଗ୍ନ ହୋଇଗଲେ ଯେ ଶ୍ୟାମକିଶୋରବାବୁ ତଳକୁ ଓହ୍ଲାଇବା ସେମାନେ ଜାଣିପାରିଲେନି । ଖେଳନାଗୁଡ଼ିକୁ ଦେଖି ଶ୍ୟାମକିଶୋର ଶାରଦା ପାଖକୁ ଝପଟିଗଲେ ଏବଂ ପଚାରିଲେ–ତୁ ଏ ଖେଳନାଗୁଡ଼ିକୁ କେଉଁଠୁଁ ପାଇଲୁ ?

 

ଶାରଦା ହତଜ୍ଞାନ ହୋଇପଡ଼ିଲା । ଭୟରେ ଥରିବାକୁ ଲାଗିଲା । ତା’ ମୁହଁରୁ ପଦିଏ କଥା ବାହାରିଲାନି ।

 

ଶ୍ୟାମକିଶୋର ପୁଣି ଗର୍ଜିଉଠି ପଚାରିଲେ–କହୁନୁ କାହିଁକି ଏ ଖେଳନାଗୁଡ଼ିକୁ ତତେ କିଏ ଦେଲା ?

 

ଶାରଦା କାନ୍ଦିବାକୁ ଲାଗିଲା । ଶ୍ୟାମକିଶୋର ତାକୁ କଅଁଳେଇ କହିଲେ–କାନ୍ଦନା, ମୁଁ ତତେ ମାରିବିନି । ତୁ ଏଇ ସୁନ୍ଦର ଖେଳନାଗୁଡ଼ିକୁ କେଉଁଠୁଁ ପାଇଲୁ ଖାଲି କହ ।

 

ଦୁଇ ଚାରି ଥର ଏଭଳି ଆଶ୍ୱାସନା ପାଇ ଶାରଦା ଟିକେ ଧୈର୍ଯ୍ୟ ସଞ୍ଚୟ କରିପାରିଲା । ସବୁ କଥା ସେ କହି ପକେଇଲା । ହାୟ ! ଶାରଦା ମଉନ ରହିଥାନ୍ତା ଯଦି, ଏହା ଅପେକ୍ଷା ଅଧିକ ଭଲ ହୋଇଥାନ୍ତା । ସେ ଯଦି ବାକ୍‍ଶକ୍ତିରହିତ ହୋଇ ଯାଇଥାନ୍ତା, ତାହାହେଲେ ତ ଆହୁରି ଭଲ ହୋଇଥାନ୍ତା । ଦେବୀରାଣୀ ସିନା କିଛି ଗୋଟାଏ ଉପାୟ ଖଞ୍ଜି ବିପଦରୁ ରକ୍ଷା ପାଆନ୍ତି, କିନ୍ତୁ ଏଇ ଭାବୀ ମଣିଷକୁ କିଏ ରକ୍ଷା କରନ୍ତା ? ଶ୍ୟାମକିଶୋରଙ୍କ ପ୍ରତି ଲୋମକୋପରୁ ଅଗ୍ନି ଉଦ୍‍ଗୀରଣ ହେବାକୁ ଲାଗିଲା । ଖେଳନାଗୁଡ଼ିକୁ ସେଇଠି ଛାଡ଼ିଦେଇ ସେ ରାଗଜର୍ଜରିତ ହୋଇ ଉପରକୁ ଗଲେ ଏବଂ ଦେବୀରାଣୀଙ୍କର ଦୁଇ କାନ୍ଧକୁ କଷି କରି ହଲାଇ ଦେଇ ପଚାରିଲେ–‘‘ତମେ ଏ ଘରେ ରହିବ କି ନା ସଫାସଫା କହିଦିଅ ।’’ ଦେବୀରାଣୀ ଏପର୍ଯ୍ୟନ୍ତ କାନ୍ଦୁଥାଆନ୍ତି । ଏଇ ନିର୍ମମ ପ୍ରଶ୍ନବାଣରେ ତାଙ୍କର ଅଶ୍ରୁ ଏକାବେଳକେ ଉଭେଇଗଲା । କୌଣସି ଗୋଟାଏ ବଡ଼ ଧରଣର ବିପଦ ଆଶଙ୍କା ଭିତରେ ଛୋଟ ଆଘାତଟି ଲୁଚିଗଲା । ଯେପରିକି ଘାତକର ଖଣ୍ଡା ଦେଖି କୌଣସି ପ୍ରାଣୀ ରୋଗଶଯ୍ୟାରୁ ଉଠି ଧାଇଁ ପଳାଇଥାଏ । ଦେବୀରାଣୀ ଶ୍ୟାମକିଶୋରଙ୍କୁ ଭୟାତୁର ନେତ୍ରରେ ଚାହିଁଲେ; କିନ୍ତୁ କିଛି କହିଲେ ନାହିଁ । ଏ ପ୍ରଶ୍ନର ଉଦ୍ଦେଶ୍ୟ ବୁଝିବାପାଇଁ ସେ ଉତ୍କଣ୍ଠିତ ଥିଲେ ।

 

ଶ୍ୟାମକିଶୋର ପୁଣି କହିଲେ–ତମର ଯାହା ଇଚ୍ଛା ସଫାସଫା କହିଦିଅ । ମୋ ପାଖେ ରହି ତମ ମନ ଭାଙ୍ଗିଗଲାଣି ଯଦି, ତମ ଅଧିକାର ନେଇ ତମେ ଯାଇପାର ।

 

ଦେବୀରାଣୀ ଟିକେ ସମ୍ଭାଳି ଯାଇ କହିଲେ–ଆଜିକାଲି ସତରେ ତୁମର କ’ଣ ଯେ ହୋଇଚି କେଜାଣି ! ପ୍ରତି ମୁହୂର୍ତ୍ତରେ ଖାଲି ଯିମିତି ବିଷ ବାନ୍ତି କରିବାରେ ଲାଗିଚ ! ମୋ ଉପରୁ ଯଦି ତୁମ ମନ ଭାଙ୍ଗିଗଲାଣି ତେବେ ବିଷ ଦେଇ ମାରିଦିଅ । ଜାଳି ପୋଡ଼ି ମାରୁଛ କାହିଁକି ? ଗୋଟାଏ ମେହେନ୍ତର ସହିତ କଥାବାର୍ତ୍ତା କରିବା ସେଭଳି ଅପରାଧ ବୋଲି ମନେହୁଏନା । ସେ ଯେତେବେଳେ ଆସି ଡାକିଲା, ମୁଁ ଦୁଆର ଖୋଲିଦେଲି । ଏତେ ଟିକେ କଥାରେ ତାକୁ ଦୁର୍.......ଦୁର୍.......କହିଥାନ୍ତି ।

 

ଶ୍ୟାମ–ମୋର ମନ ହେଉଛି; ତମର ଜିଭ ଝିଙ୍କି ଦିଅନ୍ତି କି ! କଥାବାର୍ତ୍ତା, ଆଖିଠରା ସାଙ୍ଗକୁ ଉପହାରବି ମିଳିଲାଣି । ଆଉ ବାକି ରହିଲା କ’ଣ ?

 

ଦେବୀ–ବୃଥା ଘା ଉପରେ ଲୁଣ ମଡ଼ାଉଚ କାହିଁକି ? ଗୋଟାଏ ଅବଳାର ପ୍ରାଣନେଇ ସୁଫଳ ହେବନି !

 

ଶ୍ୟାମ–ମୁଁ କ’ଣ କହୁଛି ଭାବିଚ ?

 

ଦେବୀ–ମିଛ ନୁହ ତ ଆଉ କ’ଣ ?

 

ଶ୍ୟାମ–ଏ ଖେଳନାଗୁଡ଼ିକ କେଉଁଠୁଁ ଆସିଲା କହିଲ ?

 

ଦେବୀରାଣୀ ସ୍ତବ୍ଧ, ଚକିତ ହୋଇପଡ଼ିଲେ । ମୁହଁ ଶୁଖିଗଲା । ସେ ବୁଝିପାରିଲେ ଗ୍ରହ ଅବଶ୍ୟ ବିଗିଡ଼ିଚି । ସର୍ବନାଶର ସମସ୍ତ ପଥ ଆସି ମିଳିତ ହୋଇଛନ୍ତି । ଜାଣେନା ଏ ଦରପୋଡ଼ା ଖେଳଣାଗୁଡ଼ିକୁ କେଉଁ ଅଶୁଭ ମୁହୂର୍ତ୍ତରେ ଅଣାଯାଇଥିଲା । ମୁଁ ଅବା ଗ୍ରହଣ କଲି କାହିଁକି ? ସେତିକିବେଳେ ଫେରାଇଦେଲିନି କାହିଁକି ? –ଏହା ଚିନ୍ତାକରି ଦେବୀରାଣୀ ଟିକେ ବାଗେଇ କହିବା ଆରମ୍ଭ କଲେ–ନିଆଁ ଲାଗୁ ଏଗୁଡ଼ାକରେ । ଏଗୁଡ଼ାକ ପୁଣି ଉପହାର । ପିଲାକୁ କିଏ କେମିତି ରୋକିବ ? ଏମାନେ କାହା କଥା ଶୁଣନ୍ତି ? କହିଲି ନେଏନି, ନେଏନି । କିନ୍ତୁ ମୋ କଥା କ’ଣ ସେ ଶୁଣିଲା ? ମୁଁ ଆଉ କ’ଣ କରନ୍ତି ? ହଁ, ଯଦି ଜାଣିଥାଆନ୍ତି ଯେ ଏଇ ଖେଳଣାଗୁଡ଼ିକ ଲାଗି ମୋର ପ୍ରାଣ ନଷ୍ଟ ହେବ, ତାହାହେଲେ ଜବରଦସ୍ତ ଛଡ଼େଇ ଫିଙ୍ଗି ଦେଇଥାନ୍ତି ।

 

ଶ୍ୟାମ–ଏଗୁଡ଼ିକ ସାଙ୍ଗକୁ ଆଉ କି କି ଜିନିଷ ଆସିଚି ? ଭଲ ଦଶା ଅଛି ତ ଏବେ ଆଣ-

 

ଦେବୀ–ଯାହା ଅବା ଆସିଥିବ । ଏଇ ଘରେ ଥିବ ତ, ଦେଖିନିଅ ଘରଟା ତ ଏତେ ବଡ଼ ନୁହ ଯେ ଖୋଜିବାପାଇଁ ଚାରି ଦିନ ଲାଗିବ ।

 

ଶ୍ୟାମ–ମୋର ଏତେ ସମୟ ନାହିଁ । ଏଇ କଥାରେ ତୁମ୍ଭର ମଙ୍ଗଳ ହେବ ଯେ, ଯେଉଁସବୁ ଜିନିଷ ଆସିଚି, ସେଗୁଡ଼ିକୁ ଆଣି ମୋ ସାମନାରେ ଥୋଇଦିଅ । ଝିଅପାଇଁ ଖେଳଣା ଆସିଲା ଆଉ ତମପାଇଁ କିଛି ଆସିନି ? ଅସମ୍ଭବ ! ତମେ ଗଙ୍ଗାଜଳ ଧରି ପ୍ରମାଣ କଲେବି ମୁଁ ବିଶ୍ୱାସ ଯିବିନି ।

 

ଦେବୀ–ତେବେ ଘରେ କେଉଁଠି ଅଛି ତମେ ଦେଖି ନେଉନ କାହିଁକି ?

 

ଶ୍ୟାମକିଶୋର ଦେବୀରାଣୀଙ୍କୁ ଖୁନ୍ଦାଏ ମାରି କହିଲେ–କହିଲି ପରା ମୋର ଫୁରୁସତ୍ ନାହିଁ । ସିଧାସଳଖ ସବୁ ଜିନିଷ ଆଣି ଥୋଇଦିଅ । ନାହିଁ ତ ଏକ୍ଷଣି ତଣ୍ଟି ଚିପି ମାରିଦେବି ।

 

ଦେବୀ–ମାରିବା କଥା ତ ମାରିଦିଅ । ଯାହା ନାହିଁ, ତାହା ଦେଖାଇବି କେଉଁଠୁଁ ?

 

ଶ୍ୟାମକିଶୋର କ୍ରୋଧୋନ୍ମତ୍ତ ହୋଇ ଦେବୀରାଣୀଙ୍କୁ ଏଭଳି ଏକ ଧକ୍କା ଦେଲେ ଯେ, ସେ ଚିତ୍‍ପଟାଙ୍ଗ ହୋଇ ପଡ଼ିଗଲେ । ତା’ପରେ ତାଙ୍କ ତଣ୍ଟି ଉପରେ ହାତ ରଖି ଶ୍ୟାମକିଶୋର କହିଲେ–ତଣ୍ଟି ଚିପିଦେବି । ଜିନିଷଗୁଡ଼ାକ ତମେ ଦେଖାଇବ କି ନାହିଁ ?

 

ଦେବୀ–ତମର ଯାହା ଇଚ୍ଛା କରିଯାଅ ।

 

ଶ୍ୟାମ–ତମର ରକ୍ତ ପିଇବି ! କ’ଣ ବୋଲି ତମେ ମତେ ଭାବିଛ ?

 

ଦେବୀ–ଯଦି ହୃଦୟର ପିପାସା ମେଣ୍ଟିବ ତ ପିଇଯାଅ ।

 

ଶ୍ୟାମ–ଫେର୍ ସେଇ ମେହେନ୍ତର ସହିତ ଆଉ କଥାଭାଷା ହେବନି ତ ? ଏଥର କେବେ ଯଦି ସେଇ ମୁନ୍ନୁ କିମ୍ବା ଛତରା ରଜାକୁ ଦୁଆରେ ଦେଖେ ତମର ତଣ୍ଟି କାଟିଦେବି ।

 

ଏହା କହି ଶ୍ୟାମକିଶୋର ଦେବୀରାଣୀଙ୍କୁ ଛାଡ଼ିଦେଲେ ଏବଂ ବାହାରକୁ ଚାଲିଗଲେ; କିନ୍ତୁ ଦେବୀରାଣୀ ସେଇଠି ସେଇ ଦଶାରେ ଅନେକ ସମୟ ଯାଏଁ ପଡ଼ିରହିଲେ । ସେତିକିବେଳେ ତାଙ୍କ ମନରେ ପତି–ପ୍ରେମ ତଥା ମର୍ଯ୍ୟାଦାରକ୍ଷାର ଏତେ ଟିକେ ଗନ୍ଧ ନଥିଲା । ତାଙ୍କ ଅନ୍ତଃକରଣ ପ୍ରତିକାର ଉଦ୍ଦେଶ୍ୟରେ ବିକଳ ହୋଇଉଠିଲା । ଏକ୍ଷଣି ଶ୍ୟାମକିଶୋରଙ୍କୁ ବଜାରରେ ଜୋତା ମାଡ଼ ହେଲା ବୋଲି ଯଦି ସେ ଶୁଣନ୍ତେ, ତାହାହେଲେ ହୁଏତ ସେ ସୁଖୀ ହୁଅନ୍ତେ । କେତେ ଦିନ ପାଣିରେ ଭିଜିବା ପରେ ଆଜିର ଏ ଧକ୍କାରେ ପ୍ରେମରୂପ ମହଲଟି ତଳେ ଭୁଷୁଡ଼ି ପଡ଼ିଲା ଏବଂ ମନକୁ ରକ୍ଷା କରିଲା ଭଳି କୌଣସି ସାଧନା ରହିଲା ନାହିଁ । ଆଉ ଯାହା ବାକି ରହିଲା, ତା’ ହେଉଚି ସଂକୋଚ ଆଉ ଲୋକଲଜ୍ଜାର ମାତ୍ର ଖିଏ ସୂତା, ଯାହା କି ଟିକକରେ ଛିଡ଼ି ଯାଇପାରେ ।

 

(୬)

 

ଶ୍ୟାମକିଶୋରବାବୁ ଚାଲିଯିବା ପରେ ଶାରଦା ମଧ୍ୟ ନିଜର ଖେଳଣାଗୁଡ଼ିକୁ ନେଇ ଘରୁ ବାହାରିଲା । ଖେଳଣାଗୁଡ଼ିକୁ ଦେଖି ତା’ର ବାବା ତ କିଛି କହିଲେନି, ତେବେ ଆଉ ତା’ର କି ଚିନ୍ତା, କି ଭୟ ? ଏଥର ସେ କାହିଁକି ଅବା ନିଜର ସାଥୀମାନଙ୍କୁ ଖେଳଣା ନ ଦେଖାଇବ ? ସଡ଼କ ସେପାରିରେ ଗୋଟାଏ ଗୁଡ଼ିଆ ଦୋକାନ । ଗୁଡ଼ିଆର ଝିଅ ଦୁଆରେ ଠିଆ ହୋଇଥାଏ । ଶାରଦା ସେଇ ଝିଅଟିକୁ ଖେଳଣାଗୁଡ଼ିକୁ ଦେଖାଇବାରେ ଲାଗିଲା । ମଝିରେ ସଡ଼କ । ଗାଡ଼ି, ଘୋଡ଼ାର ସୁଅ ଛୁଟିଥାଏ । ଶାରଦାର ଅନ୍ୟ କୌଣସି ବିଷୟ ନେଇ ଜ୍ଞାନ ନଥାଏ । ବାଳସୁଲଭ ଉତ୍ସୁକତାବଶତଃ ଖେଳଣାଗୁଡ଼ିକୁ ନେଇ ସେ ଦୌଡ଼ିବାକୁ ଲାଗିଲା । ସେ କ’ଣ ଜାଣିଥିଲା ଯେ ମୃତ୍ୟୁବି ତା’ର ପ୍ରାଣର ଖେଳଣାଗୁଡ଼ିକୁ ନେଇ ଖେଳିବାପାଇଁ ଦୌଡ଼ିଆସୁଛି ! ସାମନାରୁ ଗୋଟିଏ ମଟର ଆସୁଥିବା ଦେଖାଗଲା । ଅନ୍ୟ ଦିଗରୁ ଆସୁଥିଲା ଗୋଟିଏ ବଗି । ଶାରଦା ଚାହୁଁଥିଲା ଦଉଡ଼ି ଦଉଡ଼ି ସେପାରି ଚାଲିଯିବ । ମୋଟର ହର୍ଣ୍ଣ ଦେଲା । କିନ୍ତୁ ଶାରଦା ମଟର ଆଗକୁ ଆସିଯାଇଥାଏ । ଡ୍ରାଇଭର ମୋଟର ବନ୍ଦ କରିବାକୁ ଚେଷ୍ଟା କଲା । ମୋଟର ଆଗରୁ ହଟିଯିବା ପାଇଁ ଶାରଦାବି ଖୁବ୍ ଜୋରରେ ଦୌଡ଼ିବାକୁ ଲାଗିଲା । କିନ୍ତୁ ଭବିଷ୍ୟତକୁ କିଏ ରୋକିପାରନ୍ତା ! ବାଳିକା ଶାରଦାକୁ ପଦଦଳିତ କରି ମୋଟର ଚାଲିଗଲା ! ସଡ଼କ ଉପରେ ମାଂସର ପିଣ୍ଡୁଳାଟିଏ ପଡ଼ିରହିଲା ଯାହା ! ଖେଳଣାଗୁଡ଼ିକ ତ ପଡ଼ି ରହିଲେ; କିନ୍ତୁ ଖେଳିବାବାଲା ଚାଲିଗଲା !! ଉଭୟଙ୍କ ମଧ୍ୟରୁ କିଏ ସ୍ଥାୟୀ କିଏ ଅସ୍ଥାୟୀ, ଏହାର ସମାଧାନ କିଏ କରିବ ?

 

ଘଟଣା ଦେଖି ଚତୁର୍ଦ୍ଦିଗରୁ ଲୋକେ ଦଉଡ଼ି ଆସିଲେ । ଆରେ ! ଏ ତ ଏଇ କୋଠା ଉପରେ ରହୁଥିବା ଶ୍ୟାମକିଶୋରବାବୁଙ୍କ ଝିଅ ! ଶବ ଉଠାଇବ କିଏ ? ଜଣେ କିଏ ଧାଇଁଯାଇ ଦୁଆରେ ଡାକିଲା–‘‘ବାବୁ ! ଆପଣଙ୍କ ଝିଅ ସଡ଼କ ଉପରେ ଖେଳୁଥିଲା ? ଟିକେ ତଳକୁ ଆସନ୍ତୁ ତ-।’’

 

ଦେବୀରାଣୀ କୋଠା ଉପରେ ଠିଆହୋଇ ସଡ଼କ ଉପରକୁ ଦୃଷ୍ଟିପାତ କଲେ । ସଡ଼କ ଉପରେ ଶାରଦାର ଶବ ! ! ଆର୍ତ୍ତଚିତ୍କାର କରି ସେ ତଳକୁ ଦୌଡ଼ିଆସିଲେ ଏବଂ ସଡ଼କ ଉପରକୁ ଯାଇ ବାଳିକାଟିକୁ କୋଳକୁ ଉଠାଇନେଲେ । ପାଦ ତାଙ୍କର ଥରଥର କମ୍ପିବାକୁ ଲାଗିଲା । ଏଭଳି ବଜ୍ରପାତରେ ସେ ସ୍ତମ୍ଭିତ ହୋଇଗଲେ । କାନ୍ଦିପାରିଲେନିବି ।

 

ସାହିର କେତେକ ଲୋକ ପଚାରିବାକୁ ଲାଗିଲେ–ବାବୁ କେଉଁଆଡ଼େ ଯାଇଚନ୍ତି ? କିଏ ଯାଇ ତାଙ୍କୁ ଡାକିବ ?

 

ଦେବୀରାଣୀ ଅବା କ’ଣ ଜବାବ ଦିଅନ୍ତେ ! ସେ ଏକରକମ ସଂଜ୍ଞାହୀନ ହୋଇପଡ଼ିଲେ-। ଝିଅର ଶବଟିକୁ କୋଳରେ ନେଇ ରକ୍ତଭିଜା ବସ୍ତ୍ରରେ ସେ ଆକାଶ ଆଡ଼କୁ ଚାହିଁ ରହିଥିଲେ ଏବଂ ଜଣାଯାଉଥିଲା ସେ ଯିମିତି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରୁଚନ୍ତି–ତାହାହେଲେ ମୋରି ଉପରେହିଁ ଏ ସମସ୍ତ ବିପତ୍ତି ?

 

ବେଳକୁ ବେଳ ଅନ୍ଧାର ହୋଇ ଆସିଲା, ଶ୍ୟାମକିଶୋରଙ୍କର କିନ୍ତୁ ପତ୍ତା ନାହିଁ । କେଉଁଆଡ଼େ ଯାଇଚନ୍ତି ଜଣା ନାହିଁ । ଧୀରେ ଧୀରେ ରାତି ନଅଟା ବାଜିଲା । ବାବୁ କିନ୍ତୁ ଏଯାକେ ଲେଉଟି ନାହାନ୍ତି ! ଏତେ ଡେରିଯାକେ ସେ କେବେ ବାହାରେ ରହନ୍ତିନି । ଆଜି କେବଳ ତାଙ୍କୁ ଏଭଳି ଅଦୃଶ୍ୟ ହୋଇଯିବାର ଦେଖାଗଲା ! ଦଶଟା ବାଜିଲା ଦେବୀରାଣୀ କାନ୍ଦି ଉଠିଲେ । ଝିଅର ମୃତ୍ୟୁ ଲାଗି ତାଙ୍କର ସେତେ ଦୁଃଖ ନଥିଲା । ଯେତିକି ଥିଲା ତାଙ୍କ ନିଜର ଅସାମର୍ଥ୍ୟ ଲାଗି । ସେ କିଭଳି ଶବସଂସ୍କାର କରିବେ ? କିଏ ତାଙ୍କ ସହିତ ଯିବ ? ଏତେ ରାତିରେ ତାଙ୍କ ସହିତ ଯିବାପାଇଁ କିଏ କ’ଣ ପ୍ରସ୍ତୁତ ? ଯଦି କେହି ନ ଆସନ୍ତି, ତେବେ କ’ଣ ସେ ଏକା ଯିବେ ? ରାତିସାରା ଶବ କ’ଣ ଏଭଳି ପଡ଼ି ରହିଥିବ ? –ଏ ସମସ୍ତ ପ୍ରଶ୍ନ ଦେବୀରାଣୀଙ୍କ ହୃଦୟକୁ ଆନ୍ଦୋଳିତ କରୁଥିଲା ।

 

ରାତ୍ରିର ନିଃଶବ୍ଦତା ଯେତିକି ଯେତିକି ବଢ଼ୁଥିଲା, ଦେବୀରାଣୀଙ୍କ ମନରେ ଅଧିକତର ଭୟର ସଞ୍ଚାର ହେଉଥିଲା । ସେ ପଶ୍ଚାତ୍ତାପ କଲେ–କାହିଁକି ମୁଁ ଏହାକୁ ସନ୍ଧ୍ୟାବେଳେ ନେଇ ନଗଲି ?

 

ରାତି ଏଗାର । ସହସା କିଏ ଦୁଆର ଖୋଲିଲା । ଦେବୀରାଣୀ ଉଠି ଠିଆ ହୋଇପଡ଼ିଲେ । ଶ୍ୟାମକିଶୋର ଆସିଲେ ବୋଲି ଅନ୍ଦାଜ କରି ନେଲେ । ହୃଦୟ ତାଙ୍କର ତରଳି ଉଠିଲା ଏବଂ କାନ୍ଦି କାନ୍ଦି ସେ ବାହାରକୁ ଆସିଲେ । ହାୟ ! ଏ କିନ୍ତୁ ଶ୍ୟାମକିଶୋର ନୁହନ୍ତି, ପୋଲିସ୍ ଅଫିସର, ଯେ କି ଏହି ଦୁର୍ଘଟଣାର ଅନୁସନ୍ଧାନରେ ଆସିଚନ୍ତି । ସନ୍ଧ୍ୟା ପାଞ୍ଚଟାର ଘଟଣା, ଅନୁସନ୍ଧାନ ଚାଲିଚି ରାତି ଏଗାରଟାରେ ! କହିବାକୁ ଗଲେ ଥାନାବାବୁବି ତ ମଣିଷ ! ସନ୍ଧ୍ୟାବେଳେ ସେ ବି ଘେରାଏ ବୁଲି ଯାଆନ୍ତି !

 

ପ୍ରାୟ ଘଣ୍ଟାଏ ଅନୁସନ୍ଧାନ ଚାଲିଲା । ଦେବୀରାଣୀ ଦେଖିଲେ, ସଙ୍କୋଚ କଲେ ଆଉ ଚଳିବନି । ଥାନାବାବୁ ତାଙ୍କୁ ଯାହା କିଛି ପଚାରିଲେ, ନିଃସଙ୍କୋଚରେ ସେ ତା’ର ଉତ୍ତର ଦେଲେ । ଏତେ ଟିକେ ଲାଜ କିମ୍ବା ଏତେ ଟିକେ ଭୟ ତାଙ୍କର ନଥିଲା । ଥାନାବାବୁ ସ୍ତବ୍ଧ ହୋଇଗଲେ ।

 

ଥାନାବାବୁ ଯେତେବେଳେ ସମସ୍ତ ବ୍ୟାଖ୍ୟାନ ଟିପାଟିପି କରି ଫେରିବାକୁ ବାହାରିଲେ, ସେତିକିବେଳେ ଦେବୀରାଣୀ ପଚାରିଲେ–ଆପଣ ସେଇ ମୋଟରଟିର ସନ୍ଧାନ ନେବେ ତ ?

ଥାନାବାବୁ–ଏଥର ବୋଧହୁଏ ତା’ର ଠିକଣା ମିଳିବ ।

ଦେବୀ–ସେମାନଙ୍କୁ କିଛି ଦଣ୍ଡ ମିଳିବ ?

ଥାନାବାବୁ–ନା, ଆଉ ହୋଇ ପାରିବନି । ଗାଡ଼ିର ନମ୍ବର କେହି ଜାଣିନାହାନ୍ତି ।

ଦେବୀ–ସରକାର ଏ ସମ୍ପର୍କରେ କୌଣସି ବ୍ୟବସ୍ଥା କରନ୍ତିନି ? ଗରିବ ପିଲାଙ୍କୁ ସର୍ବଦା ଏଇଭଳି ଗାଡ଼ି ତଳେ ଚାପି ଦିଆଯାଉଥିବ ?

ଥାନାବାବୁ–ଏଥିଲାଗି ଆଉ କି ବ୍ୟବସ୍ଥା କରାଯାଇପାରେ ? ମୋଟରଗୁଡ଼ିକୁ ତ ଆଉ ବନ୍ଦ କରାଯାଇ ନପାରେ ?

ଦେବୀ–ସେ ଯା ହଉ, ଅନ୍ତତଃ ପୋଲିସ୍‍ବାଲା ଗାଡ଼ିଗୁଡ଼ିକର ଗତି ନିୟନ୍ତ୍ରଣ କରିବା ଉଚିତ ନୁହକି ? ଆପଣ ଅବା କାହିଁକି ଏକଥା କରିବାକୁ ଯିବେ ? ଆପଣଙ୍କ ଉପର ଅଫିସର ତ ମୋଟରରେ ବସୁଚନ୍ତି । ଆପଣ ଯଦି ତାଙ୍କର ମୋଟର ବନ୍ଦ କରନ୍ତି ଚାକିରି ଚାଲିଯିବ ।

ଥାନାବାବୁ ଲଜ୍ଜିତ ହୋଇ ଚାଲିଗଲେ । ସମସ୍ତେ ସଡ଼କ ଉପରକୁ ଆସିଯିବା ପରେ ଜଣେ ସିପାହୀ କହିଲା–ବାଃ ! ସ୍ତ୍ରୀଲୋକଟି ଭାରି ପ୍ରତ୍ୟୁତ୍ତର ଦେଇ ପାରୁଚି ତ !

ଥାନାବାବୁ–ଆରେ ! ସେ ତ ମୋର ମୁହଁ ବନ୍ଦ କରିଦେଲା । କି ଅପୂର୍ବ ସୌନ୍ଦର୍ଯ୍ୟ ! କିନ୍ତୁ ସତ କହୁଛି, ଥରକପାଇଁବି ମୁଁ ତାକୁ ଆଖି ଟେକି ଚାହିଁ ପାରିନି । ତାକୁ ଚାହିଁବା ଲାଗି ସାହସ କୁଳଉ ନଥାଏ ।

ରାତି ବାରଟା ପରେ ଶ୍ୟାମକିଶୋର ମଦ ଖାଇ ପାଗଳ ଅବସ୍ଥାରେ ଘରେ ଆସି ପହଞ୍ଚିଲେ । ରାସ୍ତାରେ ସେ ଏ ଖବର ପାଇ ସାରିଥାନ୍ତି । କାନ୍ଦି କାନ୍ଦି ଘରେ ପ୍ରବେଶ କଲେ । ଦେବୀରାଣୀ ଦୁଃଖରେ ବସିଥାନ୍ତି । ଦେବୀରାଣୀ ବିଚାରି ଥିଲେ, ଆଜି ଯାହା ହେଉନା କାହିଁକି ତାଙ୍କୁ ଆଚ୍ଛା କରି ଶୁଣାଇବେ ନିଶ୍ଚୟ । କିନ୍ତୁ ଶ୍ୟାମକିଶୋରଙ୍କୁ କାନ୍ଦୁଥିବା ଦେଖି ତାଙ୍କର ସମସ୍ତ କ୍ରୋଧ ଅଦୃଶ୍ୟ ହୋଇଗଲା । ଦେବୀରାଣୀ କାନ୍ଦିବାକୁ ଲାଗିଲେ । ଅନେକ ସମୟ ଯାଏଁ ଉଭୟେ କାନ୍ଦିଲେ । ଏଇ ବିପତ୍ତିର ମାଧ୍ୟମରେ ଦୁହିଁଙ୍କର ହୃଦୟ ପରସ୍ପର ଆଡ଼କୁ ଆକର୍ଷିତ ହେଲା । ସେମାନେ ବୋଧକଲେ ଯେପରିକି ଉଭୟଙ୍କ ଭିତରେ ପୂର୍ବ ସ୍ନେହ ଜାଗ୍ରତ ରହିଛି ।

ସକାଳେ ଦାହ କ୍ରିୟା ଶେଷ କରି ଲୋକମାନେ ଯେତେବେଳେ ଲେଉଟିଲେ, ଶ୍ୟାମକିଶୋରବାବୁ ଦେବୀରାଣୀଙ୍କ ପ୍ରତି ସ୍ନେହାସିକ୍ତ ଦୃଷ୍ଟି ଢାଳି କରୁଣ କଣ୍ଠରେ କହିଲେ–ମୋ ଅନୁପସ୍ଥିତିରେ ତମେ ଏଠାରେ ଏକା କିପରି ରହିବ ?

ଦେବୀ–ତମେ ପାଞ୍ଚ ଦଶ ଦିନ ଛୁଟି ନେଲେ ଭଲ ହୁଅନ୍ତା ।

ଶ୍ୟାମ–ମୁଁ ମଧ୍ୟ ଏଇ କଥା ଭାବୁଛି । ପନ୍ଦର ଦିନ ଛୁଟି ନେବି ।

ଛୁଟି ନେଇ ଆସିବାପାଇଁ ଶ୍ୟାମକିଶୋର କଚେରିକୁ ଗଲେ । ଏ ବିପତ୍ତିର ମଧ୍ୟରେ ଦେବୀରାଣୀଙ୍କର ହୃଦୟ ଯେଭଳି ପ୍ରସନ୍ନ ରହିଛି, ଗତ ଏକ ମାସ ଧରି ସେଭଳି କେବେ ଦେଖା ନଥିଲା । ବାଳିକାଟିକୁ ହଜେଇ ଦେବାଦ୍ୱାରା ସ୍ୱାମୀଙ୍କଠାରୁ ସେ ବିଶ୍ୱାସ ଓ ପ୍ରେମ ପାଇ ପାରିଲେ ଏବଂ ଏହା ତାଙ୍କ ଆଖିର ଲୋତକ ପୋଛି ଦେଇ ପାରିଥିଲା ।

 

ହାୟ ! ଅଭାଗୀନିର ଏଡ଼େ ଆନନ୍ଦ କାହିଁକି ? ଜୀବନର ଯେ ଦୁର୍ଦ୍ଦଶା ଏଯାଏଁ ବାକି ରହିଛି, ତାହା କଳ୍ପନା କରାଯାଇ ନପାରେ ।

 

(୭)

 

ଦୁର୍ଘଟଣାର ଦ୍ୱିତୀୟ ଦିନ ଶ୍ୟାମକିଶୋରବାବୁ ଘରେ ଥିବା ସମୟରେ ମୁନ୍ନୁ ଆସି ନମସ୍କାର ଜଣାଇଲା । ଶ୍ୟାମକିଶୋର ଟିକେ କଡ଼ା ଗଳାରେ ପଚାରିଲେ–କ’ଣ କିରେ ! ବାରମ୍ୱାର ତୁ ଏଠାକୁ ଆସୁଚୁ କାହିଁକି ?

 

ମୁନ୍ନୁ କଣ୍ଠରେ ଦୀନତା ଭରି କହିଲା–ଆଜ୍ଞା ! କାଲିର ଘଟଣା ଶୁଣିଲେ ଯେ କେହି ଦୁଃଖ କରିବ । ମୁଁ ତ ଆପଣଙ୍କ ଚାକର ! ନୁହ ତ ଆଉ କ’ଣ ? ମୁଁ ଆପଣଙ୍କର ଖାଇଚି । ଭଲା ସବୁ କ’ଣ ଏ ହାଡ଼ ମାଉଁସରୁ ନିଭିଗଲାଣି ? ବେଳେବେଳେ ବିପଦ ସୁଖ ଦୁଃଖ ହେବାକୁ ଏଭଳି ଆସିଯାଏ; ଯେଉଁ ସମୟଠାରୁ ଏ ଦୁର୍ଘଟଣା କଥା ଶୁଣିଛି ଆଜ୍ଞା ! ସେଇ ସମୟଠାରୁ ମନରେ ଏଭଳି ଦୁଃଖ ହେଉଚି ଆଉ କ’ଣ କହିବି ?

 

ହାୟ ! ପିଲାଟି କି ସୁନ୍ଦର ! ଦେଖିଲେ ଦୁଃଖ ଦୂର ହୋଇଯାଉଥିଲା । ମତେ ଦେଖୁଦେଖୁ ‘ମୁନୁ’, ‘ମୁନୁ’ କହି ଦଉଡ଼ି ଆସୁଥିଲା । ମୋ ଭଳି ଲୋକଙ୍କର ଯେତେବେଳେ ଏପରି ଅବସ୍ଥା । ତେବେ ଆପଣଙ୍କର ହୃଦୟ କ’ଣ ଯେ ନ ହେଉଥିବ !

 

ଶ୍ୟାମବାବୁ ଟିକେ ନରମି ଯାଇ କହିଲେ–ଈଶ୍ୱରଙ୍କର କାର୍ଯ୍ୟରେ ମଣିଷର କି ହାତ ? ମୋ ଘର ଏକାବେଳେକେ ଅନ୍ଧାର ହୋଇଗଲା ! ! ଏଠାରେ ରହିବାପାଇଁ ଆଉ ମନ ବଳୁନି ।

 

ମୁନ୍ନୁ–ମା’ ତ ଅଧିକ ବିକଳ ହେଉଥିବେ ।

 

ଶ୍ୟାମ–ସେ ତ ହେବା କଥା । ସକାଳ ସଙ୍ଗରେ ମୁଁ ତାକୁ ସାଥିରେ ଖୁଆଉଥିଲି । ଦିନସାରା ମା’ ତା’ର ତାକୁ ନିଜ ପାଖରେ ରଖୁଥିଲା । କାମଧନ୍ଦା ଭିତରେ ମୁଁ ହୁଏତ ତାକୁ ଭୁଲି ଯାଇପାରେ । ମା’ କ’ଣ ଭୁଲି ପାରିବ ? ଜୀବନସାରା ତାକୁ କାନ୍ଦିବାକୁ ହେବ ।

 

ସ୍ୱାମୀଙ୍କୁ ମୁନ୍ନୁ ସହିତ କଥାଭାଷା ହେଉଥିବା ଦେଖି ଦେବୀରାଣୀ କୋଠା ଉପରୁ ଅଗଣା ଆଡ଼କୁ ଚାହିଁଲେ । ମୁନ୍ନୁକୁ ଦେଖି ଆଖିରେ ତାଙ୍କର ଅଣାୟତ୍ତଅଶ୍ରୁ ଭରିଗଲା । କହିଲେ–ମୁନ୍ନୁ ! ମୋର ସର୍ବସ୍ୱ ସରିଗଲା ! !

 

ମୁନ୍ନୁ–ହଜୁର ଧୈର୍ଯ୍ୟ ଧରନ୍ତୁ । କନ୍ଦାକଟାରେ ଆଉ କି ଲାଭ ? ଏ ସମସ୍ତ ଅନ୍ୟାୟ ଦେଖି ବେଳେବେଳେ ଭଗବାନଙ୍କୁବି ଲୁଣ୍ଠନକାରୀ କୁହାଯାଇଥାଏ ! ଯେଉଁ ଅଧର୍ମୀ ଅନ୍ୟମାନଙ୍କର ଗଳା କାଟନ୍ତି, ତାଙ୍କୁ ଭଗବାନବି ଡରନ୍ତି । ଯେ ସରଳ ଆଉ ସତ୍‌ପ୍ରକୃତିର, ତାଙ୍କରି ଉପରେହିଁ ସମସ୍ତ ବିପଦ ପଡ଼ିଥାଏ ।

 

ମୁନ୍ନୁ ଦେବୀରାଣୀଙ୍କୁ ସାନ୍ତ୍ୱନା ଦେବାରେ ଲାଗିଲା । ଶ୍ୟାମକିଶୋର ତା’ କଥାକୁ ସମର୍ଥନ ଜଣାଉଥାନ୍ତି । ସେ ଯେତେବେଳେ ଚାଲିଗଲା, ଶ୍ୟାମକିଶୋର କହିଲେ–ଲୋକଟା ସେତେ ଖରାପ ଜଣାଯାଉନି ।

 

ଦେବୀରାଣୀ କହିଲେ–ହୃଦୟବାନ ମଣିଷ । ଦୁଃଖ ହେଇ ନଥିଲେ ସେ ଏଠାକୁ ଆସିଥାନ୍ତା କାହିଁକି ?

 

(୮)

 

ପନ୍ଦର ଦିନ ବିତିଗଲା । ଶ୍ୟାମକିଶୋର ପୁଣି କଚେରି ଯିବାକୁ ଲାଗିଲେ । ଏ ଭିତରେ ମୁନ୍ନୁ କେବେ ଆଉ ଆସି ନଥିଲା । ଦେବୀରାଣୀ ସ୍ୱାମୀଙ୍କ ସହିତ ବାର୍ତ୍ତାଳାପ କରି ସମସ୍ତ ସମୟ କାଟି ଦେଉଥାନ୍ତି । କିନ୍ତୁ ସ୍ୱାମୀ କଚେରି ଯିବା ଦିନଠାରୁ ସେ ଶାରଦାକୁ ଖୁବ୍‌ ମନ ପକାଇବାକୁ ଲାଗିଲେ । ସାରା ଦିନ ପ୍ରାୟ କାନ୍ଦିବାରେ କଟି ଯାଉଥିଲା । ସାହିରେ ଥିବା ନିଜ ଜାତିର ଦୁଇ ଚାରିଜଣ ସ୍ତ୍ରୀ ବେଳେବେଳେ ଆସନ୍ତି; କିନ୍ତୁ, ସେମାନଙ୍କ ସହିତ ଦେବୀରାଣୀଙ୍କର ମନ ମିଳେନା । ମିଥ୍ୟା ସହାନୁଭୂତି ଦେଖାଇ ଦେବୀରାଣୀଙ୍କଠାରୁ କିଛି ପାଇବା ଆଶା ସେମାନେ ରଖିଥାନ୍ତି ।

 

ଦିନେ ଚାରିଟାବେଳେ ଫେର୍‌ ମୁନ୍ନୁ ଆସିଲା ଏବଂ ଅଗଣାରେ ଠିଆ ହୋଇ କହିଲା–ମା’ ! ମୁଁ ମୁନ୍ନୁ ଆସିଛି । ଟିକେ ତଳକୁ ଆସନ୍ତୁ ।

 

ଦେବୀରାଣୀ ଉପରେ ଥାଇ ପଚାରିଲେ–କ’ଣ କିଛି କାମ ଅଛି ?

 

ମୁନ୍ନୁ–ଟିକେ ଆସନ୍ତୁ ।

 

ଦେବୀରାଣୀ ତଳକୁ ଆସିଲେ । ମୁନ୍ନୁ କହିଲା–ରଜା ମିଆଁ ବାହାରେ ଠିଆ ହୋଇଚନ୍ତି ଏବଂ ଆପଣଙ୍କୁ ସମବେଦନା ଜଣାଉଚନ୍ତି ।

 

ଦେବୀରାଣୀ କହିଲେ–ଯାଇ କହିଦେ, ଭଗବାନଙ୍କର ଯାହା ଇଚ୍ଛାଥିଲା ତାହାହିଁ ହୋଇଛି !

 

ରଜା ଦୁଆରେ ଠିଆ ହୋଇଥାଏ । ଏ କଥା ସେ ସଫା ଶୁଣି ପାରିଲା । ବାହାରେ ଥାଇ କହିଲା–ଭଗବାନହିଁ ଜାଣନ୍ତି, କିଭଳି ଏ ଖବର ଶୁଣିବା ଦିନଠାରୁ ମୋର ହୃଦୟ ଖଣ୍ଡଖଣ୍ଡ ହୋଇପଡ଼ୁଛି । ମୁଁ ଦିଲ୍ଲୀ ଚାଲିଯାଇଥିଲି । ଆଜି ଲେଉଟିଛି ମୋ ଉପସ୍ଥିତିରେ ଯଦି ଏ ଘଟଣା ଘଟିଥାନ୍ତା, ତେବେ କ’ଣ ଯେ କରିଥାନ୍ତି ଆଉ କ’ଣ କହିବି ? ମୋଟର ଚାଳକକୁ, ସେ କୌଣସି ରାଜାଙ୍କର ମୋଟର ହେଉ ପଛେ, ଦଣ୍ଡ ନ ଦିଆଇ ଛାଡ଼ି ନଥାନ୍ତି । ସହରସାରା ଛାଣି ତାକୁ ବାହାର କରିଥାନ୍ତି । ବାବୁସାହେବ ଚୁପ୍‌ ରହିଗଲେ । ଏ କ’ଣ ଭଲ ହେଲା ? ମୋଟର ଚଳାଇଲା ବୋଲି କିଏ କ’ଣ କାହାରି ପ୍ରାଣ ନେଇ ଯାଇପାରେ ? ଫୁଲ ପରି କୋମଳ ନିରୀହା ବାଳିକାଟିକୁ ଗୁଣ୍ଡାଗଣ ପ୍ରାଣରେ ମାରି ଦେଲେ !! ହାୟ ! ଆଉ କିଏ ମତେ ରଜା ଭାଇ ବୋଲି ଡାକିବ ? ଆଲ୍ଲାଙ୍କ ରାଣ, ଦିଲ୍ଲୀରୁ ଟୋକେଇଏ ଖେଳନା ନେଇ ଆସିଛି । ଏଆଡ଼େ ଏ ଦୁର୍ଦ୍ଦଶା !

 

ମୁନ୍ନୁ ହାତକୁ ଗୋଟିଏ ଡେଉଁରିଆ ବଢ଼େଇ ଦେଇ ସେ ପୁଣି କହିବାକୁ ଲାଗିଲା–ମୁନ୍ନୁ ଏ ଡେଉଁରିଆଟା ନେଇ ବୋହୂ ରାଣୀଙ୍କୁ ଦେ । ସେ ଏଇଟିକୁ ଜୁଡ଼ାରେ ବାନ୍ଧି ନିଅନ୍ତୁ । ଭଗବାନ ଚାହିଁଲେ କୌଣସି ପ୍ରକାର ଡର ଚମକ ରହିବନି । ସେ ଖରାପ ସ୍ୱପ୍ନ ଦେଖୁ ଥାଇ ପାରନ୍ତି । ହୁଏତ ରାତିରେ ନିଦ ଭାଙ୍ଗିଯାଉଥିବ ଏବଂ ହୃଦୟ ଉଦ୍‌ବିଗ୍ନ ହୋଇ ଉଠୁଥିବ । ଏ ଡେଉଁରିଆଦ୍ୱାରା ସେ ସମସ୍ତ ଦୋଷ କଟିଯିବ । ଜଣେ ଫକୀର ମତେ ଏ ଡେଉଁରିଆଟି ଦେଇଥିଲେ ।

 

ଏଭଳି ବାହାନା କରି, ଶ୍ୟାମକିଶୋରବାବୁ ଘରକୁ ଫେରିବା ଦେଖା ନଯିବା ଯାଏଁ, ରଜା ଆଉ ମୁନ୍ନୁ ଦୁଆର ଛାଡ଼ି ଗଲେ ନାହିଁ । ଶ୍ୟାମକିଶୋର ଘରକୁ ଫେରିବା ବାଟରେ ଏ ଦୁହିଁଙ୍କୁ ଯାଉଥିବା ଦେଖିଲେ । ଉପରକୁ ଯାଇ ଗମ୍ଭୀରତା ପ୍ରକାଶ କରି ଦେବୀରାଣୀଙ୍କୁ ପଚାରିଲେ–ରଜା କାହିଁକି ଆସିଥିଲା ?

 

ଦେବୀ–ସମବେଦନା ଜଣାଇବା ପାଇଁ ସେ ଆସିଥିଲା । ଆଜି ଦିଲ୍ଲୀରୁ ଫେରିଚି । ଏ ଖବର ଶୁଣି ଦଉଡ଼ି ଆସିଥିଲା ।

 

ଶ୍ୟାମ–ପୁରୁଷ ପୁରୁଷକୁ ସମବେଦନା ଜଣାଏ ନା ସ୍ତ୍ରୀକୁ ?

 

ଦେବୀ–ତମେ ନଥିବା ଦେଖି ମୋ ପାଖରେ ସମବେଦବା ଜଣାଇ ଚାଲିଗଲା ।

 

ଶ୍ୟାମ–ଏହାର ଅର୍ଥ ଏଇ ଯେ, ଯେଉଁମାନେ ମତେ ସାକ୍ଷାତ କରିବା ଲାଗି ଆସିବେ, ସେମାନେ ମୋରି ଅନୁପସ୍ଥିତିରେ ତମ ସହିତ ମିଶି ପାରିବେ । ଏଇଥିରେ ଅବା କ୍ଷତି କ’ଣ ?

 

ଦେବୀ–ମୁଁ କ’ଣ ସମସ୍ତଙ୍କ ସହିତ ମିଶିବାକୁ ଯାଏଁ ?

 

ଶ୍ୟାମ–ତେବେ ରଜା ମୋର ଶଳା ନା ଶ୍ୱଶୁର ?

 

ଦେବୀ–ତମେ ତ ଟିକେ ଟିକେ କଥାରେ ଚିଡ଼ି ଉଠୁଚ ।

 

ଶ୍ୟାମ–ଏହା କ’ଣ ଛୋଟକଥା ହେଇଚି ? ଗୋଟାଏ ଭଦ୍ରଘରର ସ୍ତ୍ରୀ ଗୋଟାଏ ଛତରା ସହିତ କଥାଭାଷା କରିପାରେ ? ଏଇଥିରେ କ’ଣ କିଛି ଗୁରୁତ୍ୱ ନାହିଁ ତେବେ ଆଉ କେଉଁ କଥାରେ ଗୁରୁତ୍ୱ ଦେବା ? ଏ ଘଟଣା ନେଇ ମୁଁ ଯଦି ତମର ତଣ୍ଟି ଚିପି ମାରିଦିଏ ତେବେବି ମୋ ଉପରେ ପାପ ଲାଗିବନି । ଦେଖୁଛି ପୁଣି ତମେ ସେଇ ରଙ୍ଗରେ ମାତିଲଣି । ଏତେ ବଡ଼ ଦଣ୍ଡ ପାଇ ମଧ୍ୟ ତମର ଆଖି ଖୋଲିଲା ନାହିଁ ! ତାହାହେଲେ କ’ଣ ମୋର ପ୍ରାଣ ନେବାକୁ ଚାହୁଁଚ ?

 

ଦେବୀରାଣୀ ସ୍ତମ୍ଭିତ ରହିଗଲେ । ଏକ ଦିଗରେ କନ୍ୟା ବିୟୋଗଜନିତ ଦୁଃଖ, ଅପର ଦିଗରେ ଅପଶବ୍ଦର ଉଦ୍‌ଗୀରଣ ଏବଂ ଭୀଷଣ ଆକ୍ଷେପ !! ତାଙ୍କ ମୁଣ୍ଡ ଘୂରିଗଲା, ବସି ସେ କାନ୍ଦିବାକୁ ଲାଗିଲେ । ‘ଏଭଳି ଜୀବନ ଅପେକ୍ଷା ମୃତ୍ୟୁ ଅନେକ ଗୁଣରେ ଭଲ !’–ଏତକ କଥା ତାଙ୍କ ମୁଖରୁ ବାହାରି ପଡ଼ିଲା ।

 

ଶ୍ୟାମକିଶୋର ରାଗ ଜର୍ଜରିତ ହୋଇ କହିଲେ–ତାହାହିଁ ହେବ । ଅଧୀର ହୁଅ ନାହିଁ, ଆଉ ଅଧୀର ହୁଅ ନାହିଁ । ତାହାହିଁ ହେବ । ତମେ ମରିବାକୁ ଚାହଁ, ମୋରବି ଇଚ୍ଛା ତମେ ଅମର ହୁଅନି । ଯେତେ ଚଞ୍ଚଳ ତମ ଜୀବନର ଅବସାନ ହେବ ସେତେ ଭଲ । ଅନ୍ତତଃ କୁଳରେ କଳଙ୍କ ଲାଗିବ ନାହିଁ ।

 

ଦେବୀରାଣୀ ଧକେଇ ଧକେଇ କହିଲେ–ଗୋଟାଏ ଅବଳା ପ୍ରତି ଏଭଳି ଅନ୍ୟାୟ କରୁଛ କାହିଁକି ? ହୃଦୟରେ ଏତେ ଟିକେ ଦୟା ଜାତ ହେଉନି ?

 

ଶ୍ୟାମ–ଚୁପ୍‌ ରହ କହୁଛି ।

 

ଦେବୀ–ଚୁପ୍‌ ରହିବି କାହିଁକି ? କାହାରି କଥା ହେବାଟାକୁବି ତମେ ବନ୍ଦକରି ଦେଇପାର-?

 

ଶ୍ୟାମ–ପୁଣି ପାଟି ଫିଟାଉଚ ! ମୁଣ୍ଡ ଚୂନା କରିଦେବି ।

 

ଦେବୀ–ମୁଣ୍ଡ ଚୂନା କରି ଦେବ ? ଜବରଦସ୍ତି ?

 

ଶ୍ୟାମ–ଆଚ୍ଛା ଡାକ, କିଏ ତୋର ସହାୟ ହେବ ।

 

ଏହା କହୁ କହୁ ଶ୍ୟାମକିଶୋର ଖୁବ୍‌ ରାଗି ଉଠିଲେ ଏବଂ ଦେବୀରାଣୀଙ୍କୁ କେତୋଟି ଚାପୁଡ଼ା ଓ ମୁଥ ଲଗାଇଲେ । ଦେବୀରାଣୀ କିନ୍ତୁ କାନ୍ଦିଲେ ନାହିଁ, ପାଟି କଲେ ନାହିଁ, ପଦିଏ କଥା ପାଟିରୁ ବାହାର କଲେ ନାହିଁ, କେବଳ ଅର୍ଥଶୂନ୍ୟ ଦୃଷ୍ଟି ଢାଳି ସ୍ୱାମୀଙ୍କୁ ଚାହିଁ ରହିଲେ । ଭାବିବାକୁ ଲାଗିଲେ–ଏ ମଣିଷ ନା ଆଉ କିଛି ?

 

ମାଡ଼ ଦେଇସାରି ଶ୍ୟାମକିଶୋର ଟିକେ ଦୂରେଇ ଯାଇ ଠିଆ ହେଲେ ଯେତେବେଳେ, ଦେବୀରାଣୀ କହିଲେ–ହୃଦୟର ପିପାସା ମେଣ୍ଟିନି ଯଦି ମେଣ୍ଟାଇ ନିଅ । ହୁଏତ ଏ ଅବସର ଆଉ ମିଳିବ ନାହିଁ ।

 

ଶ୍ୟାମକିଶୋର କହିଲେ–ମୁଣ୍ଡ କାଟିଦେବି, କ’ଣ ବୋଲି ଧରି ନେଇଛୁ ମତେ ?

 

କହୁ କହୁ ସେ ତଳକୁ ଆସି, ଖୁବ୍‌ ଜୋରରେ ଦୁଆର ଖୋଲି ଧଡ଼୍‌ଧାଡ଼୍‌ ବନ୍ଦ କରି କେଉଁଆଡ଼େ ଚାଲିଗଲେ ।

 

ଦେବୀରାଣୀଙ୍କ ନୟନ ଯୁଗଳରୁ ଲୋତକଧାରା ଛୁଟି ଚାଲିଥାଏ ।

 

(୯)

 

ରାତି ଦଶଟା ବାଜିଲା । ଶ୍ୟାମକିଶୋର ଘରକୁ ଲେଉଟିଲେ ନାହିଁ । କାନ୍ଦି କାନ୍ଦି ଦେବୀରାଣୀଙ୍କ ଆଖି ଦୁଇଟି ଫୁଲିଉଠିଲା । କ୍ରୋଧବଶତଃ ମନରୁ ତାଙ୍କର ସକଳ ମଧୁର ସ୍ମୃତି ଲୋପ ପାଇବାକୁ ଲାଗିଲା । ସେ ମନେ କରିବାକୁ ଲାଗିଲେ ଯେପରି କି ଶ୍ୟାମକିଶୋର ସହିତ କେବେ ତାଙ୍କର ପ୍ରେମ ସମ୍ୱନ୍ଧ ନଥିଲା । ଅବଶ୍ୟ କେତେକ ଦିନ ଲାଗି ସେ ତାଙ୍କ ମୁହଁକୁ ଚାହିଁ ରହିଥିଲେ; କିନ୍ତୁ ସେ ପ୍ରେମ ଥିଲା କୃତ୍ରିମ । ଯୌବନର ସମସ୍ତ ଆନନ୍ଦ ଲୁଟିନେବାପାଇଁ ତାଙ୍କ ସହିତ ପ୍ରେମପୂର୍ଣ୍ଣ ମଧୁର କଥାବାର୍ତ୍ତା କରାଯାଉଥିଲା, ତାଙ୍କୁ ଛାତିରେ ଲଗାଯାଉଥିଲା ଏବଂ ହୃଦୟ ଉପରେ ଶୁଆଇ ଦିଆଯାଉଥିଲା । ସେ ସବୁ କିନ୍ତୁ ଦେଖାଣିଆ ଏବଂ ସୁଆଙ୍ଗ ଧରଣର । ଦେବୀରାଣୀ ଯେ କେବେ ବାସ୍ତବ ପ୍ରେମପୂର୍ଣ୍ଣ ବ୍ୟବହାର ପାଇଥିଲେ ମନେ କରି ପାରୁ ନଥାନ୍ତି । ବର୍ତ୍ତମାନ ତାଙ୍କଠି ପୂର୍ବର ସେ ରୂପ, ସେ ଯୌବନ, ସେ ନବୀନତା ନାହିଁ । ତାହାହେଲେ ତାଙ୍କ ଉପରେ ଅତ୍ୟାଚାର କରାଯିବ କାହିଁକି ? ସେ ଭାବିଲେ–ନା, ସେ ଆଉ କିଛି ନୁହ । ମୋ ଉପରୁ ତାଙ୍କର ମନ ଭାଙ୍ଗିଗଲାଣି ନାହିଁ ତ ଏତେ ଟିକେ କଥାରେ ସେ ମୋ ଉପରେ ଭାଙ୍ଗିପଡ଼ନ୍ତେ କାହିଁକି ? କୌଣସି ପ୍ରକାର କଳଙ୍କ ଲଗାଇ ମତେ ପାଖରୁ ଅନ୍ତର କରିଦେବାକୁହିଁ ସେ ଚାହୁଁଚନ୍ତି । ତାହାହେଲେ ମୁଁ ଅବା କାହିଁକି ୟାଙ୍କର ରୋଟି ଆଉ ତା’ ସଙ୍ଗେ ସଙ୍ଗେ ମାଡ଼ ଖାଇ ଏ ଘରେ ପଡ଼ିରହିବି ? ସ୍ନେହ, ପ୍ରେମ ଯେଉଁଠି ମିଳେନା, ସେଇଠି ରହିବାକୁ ମୁଁ ଘୃଣାକରେ । ମାଆ ଘରକୁ ଗଲେ ଏ ଦୁର୍ନୀତି ଅନ୍ତତଃ ରହିବ ନାହିଁ । ସେ ଯଦି ଏଭଳି ଇଚ୍ଛା କରନ୍ତି, ତେବେ ଏହାହିଁ ହେଉ । ମୁଁ ବି ବିଧବା ବୋଲି ନିଜକୁ ମନେ କରି ନେବି ।

 

ରାତି ଯେତିକି ବଢ଼ୁଥିଲା, ଦେବୀରାଣୀଙ୍କ ପ୍ରାଣ ସେତିକି ଶୁଖିଶୁଖି ଯାଉଥିଲା । ତାଙ୍କର ଭୟ ହେଉଥିଲା କାଳେ ଶ୍ୟାମକିଶୋର ଫେରିଆସି ମାରପିଟ ଆରମ୍ଭ କରିଦେବେ । ସେ ଭାବିଲେ–କ୍ରୋଧରେ ସେ ଏଠାରୁ ଯାଇଚନ୍ତି । ହାୟରେ କପାଳ ! ମୁଁ କ’ଣ ଏଡ଼େ ନୀଚ ହୋଇଗଲି ଯେ, ମେହେନ୍ତର, ଜୋତାବାଲା ସଙ୍ଗେ ସମ୍ୱନ୍ଧ ସ୍ଥାପନ କଲି ! ଏଭଳି କଥା ମୁହଁରୁ ବାହାର କରିବାପାଇଁ ଏହାଙ୍କୁ ଲାଜ ମାଡ଼ୁନି ? ଏହାଙ୍କ ମନରେ ଏଭଳି କଥାର ଉଦ୍ରେକ ଅବା କିପରି ହୁଏ କେଜାଣି !! ସ୍ପଷ୍ଟ ଜଣାଯାଏ–ଏ ହେଉଚନ୍ତି ସ୍ୱଭାବରେ ନୀଚ, କପଟୀ ଏବଂ ସ୍ୱାର୍ଥପର-। ନୀଚ ସହିତ ନୀଚ ହେବାହିଁ ଉଚିତ । ଗାଳି ଶୁଣି ଏଠାରେ ପଡ଼ିରହିବା ମୋର ଭୁଲ୍‌ ହେଇଚି-। ଯେଉଁଠି ଇଜ୍ଜତ ନାହିଁ, ମର୍ଯ୍ୟାଦା ନାହିଁ, ପ୍ରେମ ନାହିଁ, ବିଶ୍ୱାସ ନାହିଁ ସେଠାରେ ପଡ଼ିରହିବା ମୂର୍ଖତା-। ମୁଁ ତ ଏହାଙ୍କ ହାତକୁ ବିକା ହୋଇ ଆସି ନାହିଁ ଯେ, ଏ ଯାହା ଚାହିଁବେ ତାହା କରିଯିବେ ଏବଂ ଏହାଙ୍କର ଗାଳି ମାଡ଼ ମୁଁ ସହ୍ୟ କରିଯିବି ! ସୀତାଙ୍କ ଭଳି ପତ୍ନୀପାଇଁ ରାମଙ୍କ ଭଳି ପତି ମଧ୍ୟ ସେ କାଳରେ ଥିଲେ ।

 

ବର୍ତ୍ତମାନ ଦେବୀରାଣୀ ଆଶଙ୍କା କରିବାକୁ ଲାଗିଲେ ଯେ ଶ୍ୟାମକିଶୋର ଆସୁଆସୁ ହୁଏତ ତାଙ୍କର ତଟି ଚିପି ଦେବେ କିମ୍ୱା ଛୁରାରେ ଭୁଷିଦେବେ । ସମ୍ୱାଦପତ୍ରରୁ ଏଭଳି କେତୋଟି ଦୁର୍ଘଟଣାର ଖବର ତାଙ୍କୁ ମିଳିଥିଲା । ସହର ଭିତରେ ମଧ୍ୟ ଏପରି କେତୋଟି ଘଟଣା ଘଟି ଯାଇଥିଲା । ଭୟରେ ସେ ଥରିବାକୁ ଲାଗିଲେ । ଏଠି ରହିବା ଆଉ ମଙ୍ଗଳକର ନୁହ ।

 

ଦେବୀରାଣୀ ଲୁଗାପଟାର ଗୋଟିଏ ଛୋଟିଆ ବୁଜୁଳା ବାନ୍ଧି ଭାବିବାକୁ ଲାଗିଲେ–ଏଠାରୁ ଯିବି କେମିତି ? ଯଦି ଯାଏଁ, ଯିବି କୁଆଡ଼େ ? ଏକ୍ଷଣି ମୁନ୍ନୁର ଠିକଣା ମିଳି ପାରନ୍ତା ଯଦି ଖୁବ୍‌ ଭଲ ହୁଅନ୍ତା । ସେ କ’ଣ ମତେ ମୋର ମାଆ ଘରେ ନେଇ ଛାଡ଼ିଦେଇ ଆସି ପାରନ୍ତାନି ? କୌଣସି ପ୍ରକାରେ ମାଆ ଘରେ ଯାଇ ଯଦି ପହଞ୍ଚି ପାରନ୍ତି ତେବେ ତାଙ୍କର ଲକ୍ଷେ ଚେଷ୍ଟାରେବି ଆଉ ଫେରନ୍ତି ନାହିଁ । ଏ ମଧ୍ୟ କ’ଣ ମନେ ପକାଇବେ ? ଆଚ୍ଛା ଏଠି ଟଙ୍କା ଛାଡ଼ି ଯିବି କାହିଁକି ? ଏ ମଜା ମାରିବେ ବୋଲି ମୁଁ ତ ଘର ଖର୍ଚ୍ଚରୁ କାଟକସୋର କରି ଜମା କରିନି । ଏହାଙ୍କର ଉପାର୍ଜନ ଯାହା, ଖର୍ଚ୍ଚ କରିଥିଲେ କଉଡ଼ି କଡ଼ାଏ ବଳି ନଥାନ୍ତା । ଯାହା ଅଛି ବହୁ କଷ୍ଟରେ ସଂଚୟ କରି ପାରିବି ।

 

ଦେବୀରାଣୀ ତଳକୁ ଓହ୍ଲାଇ ସମସ୍ତ ଝରକା ଦୁଆର ବନ୍ଦ କରିଦେଲେ । ସିନ୍ଦୁକ ଖୋଲି ନିଜର ସମସ୍ତ ଅଳଙ୍କାର ଏବଂ ଟଙ୍କାପଇସା ବୁଜୁଳିରେ ବାନ୍ଧିଦେଲେ । ଷାଠିଏ ଟଙ୍କା ! ସବୁଗୁଡ଼ିକ କିନ୍ତୁ କାଗଜ ନୋଟ୍‌ ଥିବାରୁ ବିଶେଷ ବୋଝ ବୋଧ ହେଲାନାହିଁ ।

 

ହଠାତ୍‌ କିଏ ଜଣେ ସଦର ଫାଟକରେ ଖୁବ୍‌ ଧକ୍କା ଦେଲା । ଦେବୀରାଣୀ ଡରିଗଲେ । ଉପରେ ଥାଇ ଦେଖନ୍ତିତ ଶ୍ୟାମକିଶୋର । ଯାଇ ଦୁଆର ଖୋଲିଦେବା ପାଇଁ ତାଙ୍କର ସାହସ ହେଲାନି । ଫେର୍‌ ଶ୍ୟାମକିଶୋର ଏଭଳି ଆଉ ଏକ ଧକ୍କା ଦେଲେ ଯେ କବାଟ ଗୋଟାକ ଭାଙ୍ଗିପଡ଼ିବା ଭଳି ବୋଧହେଲା । ଯେପରିକି ଦୁଆର ଭାଙ୍ଗି ଘର ଭିତରକୁ ପଶିଯିବା ପାଇଁ ତାଙ୍କର ଇଚ୍ଛା ହେଉଥିଲା ବର୍ତ୍ତମାନ ସିଂହ ମୁହଁକୁ ଯିବାଲାଗି ଦେବୀରାଣୀଙ୍କର ସାହସ ନଥିଲା ।

 

ଶେଷରେ ଶ୍ୟାମକିଶୋର ପାଟିକରି ଉଠିଲେ–ଓ ଡ୍ୟାମ୍‌ କବାଟ ଖୋଲ୍‌,...ବ୍ଲଡ଼ି ! କବାଟ ଖୋଲ୍‌... ଖୋଲ୍‌... !

 

ଶ୍ୟାମକିଶୋରଙ୍କର ପାଟି ଶୁଣି ଦେବୀରାଣୀ ନିଜର ସାହସ ଟିକକ ହରାଇ ବସିଲେ । ଶ୍ୟାମକିଶୋର ନିଶା ଖାଇ ଉନ୍ମତ୍ତ ଥାଆନ୍ତି । ଦେବୀରାଣୀ ମନକୁ ମନ କହିବାକୁ ଲାଗିଲେ–ହୋସ୍‍ରେ ଥିଲେ କାଳେ ଦୟା ଆସିଯିବ ବୋଲି ବାବୁ ମଦ ପିଇ ଆସିଚନ୍ତି । କବାଟ ଭାଙ୍ଗିଯାଉ ପଛେ ମୁଁ ଖୋଲିବିନି । ଏକ୍ଷଣି ତମେ ମତେ ଆଉ ଏ ଘରେ ପାଇ ପାରିବନି ! ମାରିବ ଆଉ କୁଆଡ଼ୁ ? ମୁଁ ତୁମକୁ ଖୁବ୍‌ ଚିହ୍ନିସାରିଚି ।

 

ଶ୍ୟାମକିଶୋର ପନ୍ଦର କୋଡ଼ିଏ ମିନିଟ୍‌ ଯାଏଁ କବାଟ ବାଡ଼େଇ ଖୁବ୍‌ ପାଟିତୁଣ୍ଡ କରି ସେଠାରୁ ଫେରିଲେ । ଦି’ ଚାରି ଜଣ ପଡ଼ୋଶୀ ତାଙ୍କୁ ଗାଳିଦେଇ କହିଲେ–ଆପଣ ପଢ଼ାଶୁଣା କରିଥିବା ଲୋକ ହୋଇ ମଧ୍ୟ ଅଧରାତିରେ ଘରକୁ ଫେରୁଛନ୍ତି ? ନିଦ ଭାଙ୍ଗୁନି ଯଦି କ’ଣ କରାଯାଇପାରେ ? ଯାଆନ୍ତୁ, କୌଣସି ସାଙ୍ଗସାଥୀଙ୍କ ଘରେ ଗଡ଼ପଡ଼ ହୋଇ ସକାଳେ ଆସିବେ ।

 

ଶ୍ୟାମକିଶୋର ଚାଲି ଯାଉଯାଉ ଦେବୀରାଣୀ ଲୁଗାବୁଜୁଳିଟାକୁ ଧରି ତଳକୁ ଓହ୍ଲାଇଲେ-। କାଳେ ଶ୍ୟାମକିଶୋର ଥାଇପାରନ୍ତି ଭାବି ଦୁଆର ପାଖରେ ସେ କିଛି ସମୟ କାନ ଡେରି ରହିଲେ । ଦେବୀରାଣୀ ଯେତେବେଳେ ଜାଣିପାରିଲେ ଯେ, ଶ୍ୟାମକିଶୋର ସେଠାରେ ଆଉ ନାହାନ୍ତି, ସେତେବେଳେ ସେ ଦୁଆର ଖୋଲି ପଦାକୁ ଚାଲି ଆସିଲେ । ତାଙ୍କର ଏତେ ଟିକେ ଦୁଃଖ କିମ୍ୱା କ୍ଷୋଭ ନଥିଲା । କେବଳ ସେ ସେଠାରୁ ଖସି ପଳାଇବା ଚାହୁଁଥିଲେ । ଏଭଳି ସଙ୍କଟ ସମୟରେ ମୁନ୍ନୁକୁ ଛାଡ଼ିଦେଲେ ଆଉ କେହି ସାହାଯ୍ୟ କରିପାରିବ ବୋଲି ତାଙ୍କର ଭରସା ନଥିଲା-। ସୁତରାଂ ମୁନ୍ନୁ ସହିତ ମିଶିବାପାଇଁ ସେ ଉଦ୍‌ବିଗ୍ନ ହୋଇ ଉଠିଲେ । ମୁନ୍ନୁକୁ ମିଶିବା ପରେ କୁଆଡ଼େ ଯିବେ, କେଉଁଠି ରହିବେ ସେ ସ୍ଥିର କରିବେ । ବାପା ଘରକୁ ଯିବାପାଇଁ ତାଙ୍କର ଆଉ ଅଭିପ୍ରାୟ ନଥିଲା । ବାପା ଘରକୁ ଗଲେ ଶ୍ୟାମକିଶୋରଙ୍କଠାରୁ ମୁକ୍ତି ମିଳିବା କଠିନ ବୋଲି ସେ ଭୟ କରୁଥିଲେ । କାରଣ, ଦେବୀରାଣୀଙ୍କୁ ଘରେ ନ ଦେଖିଲେ ସେ ନିଶ୍ଚୟ ତାଙ୍କ ବାପ ଘରକୁ ଯିବେ ଏବଂ ଜବରଦସ୍ତ ତାଙ୍କୁ ଟାଣି ଆଣିବେ । ଅବଶ୍ୟ ଦେବୀରାଣୀ ସମସ୍ତ ନିର୍ଯାତନା, ସମସ୍ତ ଅପମାନ ସହ୍ୟ କରିବାଲାଗି ପ୍ରସ୍ତୁତ ଥାଆନ୍ତି; କିନ୍ତୁ ଶ୍ୟାମକିଶୋରଙ୍କ ରୂପ ତାଙ୍କ ପକ୍ଷେ ଅସହ୍ୟ । ଅପମାନିତ ହେଲେ ପ୍ରେମ ଦ୍ୱେଷର ରୂପ ଧାରଣ କରିଥାଏ ।

 

ଅଳ୍ପ ଦୂର ପରେ ଗୋଟିଏ ଛକ । କେତେଜଣ ଟାଙ୍ଗାବାଲା ଠିଆ ହୋଇଥାନ୍ତି ସେଠାରେ । ଦେବୀରାଣୀ ଗୋଟିଏ ଘୋଡ଼ାଗାଡ଼ିରେ ଚଢ଼ିଲେ ଏବଂ ଷ୍ଟେସନ୍‌ ଯିବାକୁ ନିର୍ଦ୍ଦେଶ ଦେଲେ ।

 

(୧୦)

 

ଦେବୀରାଣୀ ସେଇ ରାତିଟି ଷ୍ଟେସନ୍‌ରେ କଟାଇ ଦେଲେ । ଗୋଟିଏ ଟାଙ୍ଗା ଭଡ଼ା ନେଇ, ପରଦା ଟାଣି ବଜାରରେ ଯାଇ ପହଞ୍ଚିଲେ । ଦୋକାନଗୁଡ଼ିକ ଖୋଲି ନଥାଏ; କିନ୍ତୁ ପଚରାଉଚରା କରିବାରେ ରଜାମିଆଁର ଠିକଣା ମିଳିଲା । ଗୋଟାଏ ଟୋକା ତା’ ଦୋକାନ ଝାଡ଼ୁ କରୁଥାଏ, ଦେବୀରାଣୀ ତାକୁ ଡାକି କହିଲେ–ଆରେ ଟୋକା ! ଯା ତ ରଜାମିଆଁକୁ କହିବୁ–‘‘ଶାରଦାର ମା’ ତମ ସହିତ ଦେଖା କରିବାକୁ ଆସିଚନ୍ତି । ଶୀଘ୍ର ଆସ ।’’

 

ଦଶ ମିନିଟ୍‌ ମଧ୍ୟରେ ରଜାମିଆଁ ଆଉ ମୁନ୍ନୁ ଆସି ପହଞ୍ଚିଗଲେ ।

 

ଦେବୀରାଣୀ ସଜଳ ଆଖିରେ କହିଲେ–ତୁମମାନଙ୍କ ଲାଗିହିଁ ମତେ ଘର ଛାଡ଼ିବାକୁ ହେଲା । ତୁମେମାନେ କାଲି ମୋ ଘରକୁ ଯାଇଥିଲ ବୋଲି ଏ ବିପତ୍ତି, ବାକି କଥା ପରେ କହିବି । ପହିଲେ ମୋର ରହିବାପାଇଁ ଗୋଟିଏ ଘର ଠିକ୍‌ କରିଦିଅ । ଅବଶ ବାବୁଙ୍କୁ ମୋର ଠିକଣା ନ ଲାଗି ପାରିଲା ଭଳି ଗୋଟିଏ ଘର ଦରକାର । ସେ ଯଦି ମୋର ଠିକଣା ପାଆନ୍ତି, ତାହାହେଲେ ଜିଇଁ ଥାଉଁଥାଉଁ ମତେ ଛାଡ଼ିବେନି ।

 

ରଜା ମୁନ୍ନୁକୁ ଚାହିଁଲା, ଯେମିତିକି କହିବାକୁ ଚାହୁଁଥିଲା–ଦେଖିଲୁ, ଆମର ଉପାୟ କିଭଳି ସଫଳ ହୋଇଚି ! ପରେ ସେ ଦେବୀରାଣୀଙ୍କୁ କହିଲା–ଆପଣ ନିଶ୍ଚିନ୍ତ ହୁଅନ୍ତୁ । ଇମିତି ଗୋଟିଏ ଘର ଠିକଣା କରିଦେବି ଯେ, ବାବୁ ତ ବାବୁ, ତାଙ୍କ ବାପାବି ଜାଣିପାରିବେନି । କିଛି ହେବନି । ଆପଣଙ୍କର ଝାଳପାଇଁ ଆମେ ରକ୍ତ ବୁହାଇପାରୁ । ବୁଝିଲେ ବୋହୂରାଣୀ ! ସତ କହିବାକୁ ଗଲେ ଶ୍ୟାମକିଶୋରବାବୁ ଆପଣଙ୍କର ମନଲାଖି ନୁହନ୍ତି ।

 

ମୁନ୍ନୁ–କି କଥା କହୁଚ ଭାଇ ! ସେ ରାଣୀ ହେବା ଯୋଗ୍ୟ । ମାଆଙ୍କୁ ଥରେ ମୁଁ କହିଥିଲି, ବାବୁଙ୍କୁ ଦାଲମଣ୍ଡିର ହାଉଆ ବାଜିଚି; କିନ୍ତୁ ଆଦୌ ସେ ସତ କରୁନାହାନ୍ତି । ଗତ ରାତିରେ ମୁଁ ତାଙ୍କୁ ଗୁଲାବ୍‌ଜାନ୍‌ର କୋଠାରୁ ଓହ୍ଲାଉଥିବା ଦେଖିଚି । ସେତିକିବେଳକୁ ସେ ଖୁବ୍ ନିଶା ଖାଇଥାନ୍ତି ମଧ୍ୟ ।

 

ଦେବୀ–ମିଛ କଥା, ତାଙ୍କର ସେ ବଦଭ୍ୟାସ ନାହିଁ । ସେ ଖୁବ୍‌ ରାଗନ୍ତି ସତ ଏବଂ ରାଗିଲେ ଭଲମନ୍ଦ କିଛି ଜାଣନ୍ତିନି; କିନ୍ତୁ ତାଙ୍କର ସେ ବଦଭ୍ୟାସ ନାହିଁ ।

 

ମୁନ୍ନୁ–ଆପଣ ବିଶ୍ୱାସ କରୁନାହାନ୍ତି ଯେତେବେଳେ ମୁଁ ଆଉ କ’ଣ କହିବି ? ଆଚ୍ଛା, ତେବେ ଦେଖାଇ ଦେଲେ ଆପଣ ନିଶ୍ଚୟ ମାନିଯିବେ ।

 

ରଜା–ଆବେ ! ପରେ ଦେଖାଇବୁ । ଏକ୍ଷଣି ୟାଙ୍କୁ ମୋ ଘରକୁ ନେଇଯା । ଉପରମହଲାକୁ ନେଇଯିବୁ, ବୁଝିଲୁ ? ମୁଁ ଗୋଟାଏ ଘର ଦେଖିବାକୁ ଯାଉଚି । ଘରଟି ଖୁବ୍‌ ମନଲାଖି ହେବ ।

 

ଦେବୀ–ତମ ଘରେ ବହୁତ ମାଇକିନିଆ ଥିବେ ତ !

 

ରଜା–କେହି ନାହାନ୍ତି । କେବଳ ମା’ ବୁଢ଼ୀଟି ଅଛି । ସେ ଆପଣଙ୍କ ପାଇଁ ଗୋଟାଏ ଚାକରାଣୀ ଠିକ୍‌ କରିଦେବ । କୌଣସି କଥାରେ ଆପଣଙ୍କୁ କଷ୍ଟ ହେବନି । ମୁଁ ଘର ଦେଖି ଆସିବି ଯାଉଚି ।

 

ଦେବୀ–ବାବୁଙ୍କୁ ଟିକେ ଦେଖି ଆସିବ । ଘରକୁ ଫେରିଚନ୍ତି କି ନାହିଁ ଦେଖିବ ।

 

ରଜା–ବାବୁଙ୍କ ଉପରେ ମୁଁ ଖୁବ୍‌ ରାଗିଯାଇଚି । ସାମନାରେ ଦେଖେ ଯଦି ତାଙ୍କ ମୋ ଭିତରେ ଖୁବ୍‌ ଝଗଡ଼ା ହୋଇପାରେ । ଯେ ଆପଣଙ୍କର ଭଳି ସୁନ୍ଦରୀ ସ୍ତ୍ରୀର ସମ୍ମାନ ରକ୍ଷା କରିପାରେନା, ସେ ମଣିଷ ନୁହ ।

 

ମୁନ୍ନୁ–ଠିକ୍‌ କହିଚ ଭାଇ ! କିଭଳି କେଜାଣି ସେ ଏହାଙ୍କୁ ଗାଳି ଦେଉଥିଲେ । ମୁଁ ଏତେ ଦିନ ହଜୁରଙ୍କ ଗୋଲାମି କରିଚି–ଦିନେ ମତେ କିଛି କହି ନାହାନ୍ତି ।

 

ରଜା ଘର ଦେଖିବାକୁ ଗଲା ଏବଂ ଦେବୀରାଣୀଙ୍କ ଟାଙ୍ଗା ରଜାମିଆଁର ଘର ଆଡ଼କୁ ଆଗେଇଲା ।

 

ଏତିକିବେଳେ ଦେବୀରାଣୀ ଆଶଙ୍କା କରିବାକୁ ଲାଗିଲେ, ଏ ଦୁହେଁ ବାସ୍ତବରେ ବଦମାସ ଆଉ ଲମ୍ପଟୀ ନୁହନ୍ତି ତ ? କିମିତି ଜଣାଯିବ ? ଏକଥା ସତ ଯେ ଦେବୀରାଣୀ ନିଜ ସ୍ୱାମୀଙ୍କୁ ଜୀବନ ଥିବା ଯାଏଁ ପରିତ୍ୟାଗ କଲେ ବୋଲି ମନେମନେ ଠିକ୍‌ କରି ଦେଇଥିଲେ । ବହୁତ ସମୟ ବିତି ଯିବା ପରେ ସେ ପଶ୍ଚାତ୍ତାପ କରିବାକୁ ଲାଗିଲେ । ବର୍ତ୍ତମାନ ଏକା ସେ ଗୋଟାଏ ଘରେ ରହିବେ କିମିତି ? ବସିବସି କରିବେ କ’ଣ ? ସେ କିଛି ବୁଝିପାରୁ ନଥାନ୍ତି । ମନରେ ସେ ଭାବିଲେ–ଘରକୁ ଲେଉଟି ନଯିବେ କାହିଁକି ? ଭଗବାନ କରନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଘରକୁ ଫେରି ନଥାନ୍ତୁ । ମୁନ୍ନୁକୁ କହିଲେ–ତୁ ଟିକେ ଧାଇଁ ଯାଇ ଦେଖ ତ ବାବୁ ଘରକୁ ଫେରିଲେଣି କି ନା ?

 

ମୁନ୍ନୁ–ଆପଣ ଚାଲନ୍ତୁ ଟିକେ ଆରାମରେ ବସିବେ । ପରେ ମୁଁ ଯାଇ ଦେଖି ଆସିବି ।

 

ଦେବୀ–ମୁଁ କିନ୍ତୁ ଘର ଭିତରକୁ ଯିବି ନାହିଁ ।

 

ମୁନ୍ନୁ–ଯୋଉ ରାଣ କହିଲେ ସେହି ରାଣ, ଘର ବିଲ୍‌କୁଲ୍‌ ଖାଲି ପଡ଼ିଚି । ଆପଣ ଆମ ଉପରେ ସନ୍ଦେହ କରୁଚନ୍ତି ? ଆପଣଙ୍କର ହୁକୁମ ପାଇ ଆମେ ନିଆଁରେ ବୁଡ଼ି ପଡ଼ିବା ଲୋକ, ବୁଝିଲେ ?

 

ଦେବୀରାଣୀ ଟାଙ୍ଗାରୁ ଓହ୍ଲାଇ ଘର ଭିତରକୁ ଗଲେ । ଚିଡ଼ିଆଟି ଜାଲରେ ପଡ଼ି ଫଡ଼ଫଡ଼ ହେବାକୁ ଲାଗିଲା, କିନ୍ତୁ ପରଗୁଡ଼ିକ ଫାଶରେ ଛନ୍ଦି ହୋଇ ପଡ଼ିଥିବା ଯୋଗୁଁ ଆଉ ଉଡ଼ି ଯାଇପାରିଲା ନାହିଁ ଏବଂ ଶିକାରୀ ତାକୁ ନିଜ ଝୁଲିରେ ପୂରାଇଲା । ସେଇ ହତଭାଗିନୀଟି କ’ଣ ଆଉ ବିହଙ୍ଗମ ଭଳି ମୁକ୍ତ ଆକାଶରେ ଉଡ଼ି ପାରିବ ? ଡାଳରେ ବସି ମନ ଖୁସିରେ ଗୀତ ଗାଇବା ତା’ ଭାଗ୍ୟରେ କ’ଣ ଆଉ ଲେଖା ଅଛି !!

 

ଶ୍ୟାମକିଶୋର ଘରକୁ ଲେଉଟିବାବେଳକୁ ଚିତ୍ତ ଶାନ୍ତ ଥାଏ । ସେ ଆଶଙ୍କା କରୁଥିଲେ ଦେବୀରାଣୀ ହୁଏତ ଘରେ ନଥିବେ । ଘର ଦୁଇପଟ ଦୁଆର ଖୋଲା ଥିବା ଦେଖି ତାଙ୍କ ହୃଦୟର ବେଗ ଖୁବ୍‌ ବଢ଼ିଗଲା । ଏତେ ସକାଳୁ କବାଟଗୁଡ଼ିକ ଖୋଲା ରହି ଅମଙ୍ଗଳର ସୂଚନା ଦେଉଥାନ୍ତି-। ଦୁଆରେ କ୍ଷଣେ ଠିଆ ହୋଇ ସେ ଘର ଭିତରର ଶବ୍ଦ ବାରିବାକୁ ଚେଷ୍ଟା କଲେ । କୌଣସି ଶବ୍ଦ ଶୁଣାଗଲା ନାହିଁ । ଅଗଣାକୁ ଯାଇ ଦେଖନ୍ତି ତ ସବୁ ନିଃଶବ୍ଦ । ଉପରକୁ ଯାଇ ଦେଖନ୍ତି ତ ସବୁ ଶୂନ୍ୟ ! ଘରସାରା ଖାଁ ଖାଁ ଗୋଡ଼ଉଚି । ଶ୍ୟାମକିଶୋର ଏଥର ଟିକେ ସତର୍କରେ ଚାରିଆଡ଼ ଦେଖିବାକୁ ଲାଗିଲେ । ସିନ୍ଦୁକରେ ଟଙ୍କା ନାହିଁ । ଗହଣା ସିନ୍ଦୁକ ଖାଲି । ଆଉ ସନ୍ଦେହ କ’ଣ-? ଗଙ୍ଗାସ୍ନାନରେ ଗଲେବି କେହି ଘରୁ ଟଙ୍କାପଇସା ନେଇ ଚାଲିଯାଏନି । ଦେବୀରାଣୀ ନିଶ୍ଚୟ ଘର ଛାଡ଼ି ଚାଲିଯାଇଚନ୍ତି । ଶ୍ୟାମକିଶୋରଙ୍କର ଆଉ ସନ୍ଦେହ ରହିଲାନି । ତାଙ୍କର ଗନ୍ତବ୍ୟ ସ୍ଥଳ ଶ୍ୟାମକିଶୋରଙ୍କୁ ଅଗୋଚର ନଥିଲା । ଏକ୍ଷଣି ଯଦି ଦଉଡ଼ି ଯିବେ ହୁଏତ ଦେବୀରାଣୀଙ୍କୁ ଫେରାଇ ଆଣିବା ସମ୍ଭବ ହୋଇପାରେ । ଦୁନିଆ କିନ୍ତୁ କ’ଣ କହିବ ?

 

ଶ୍ୟାମକିଶୋର ଖଟ ଉପରେ ବସି ଏକଥା ବିବେଚନା କରିବାକୁ ଲାଗିଲେ । ରଜାମିଆଁ ଓ ତା’ର ଚେଲା ମୁନ୍ନୁ, ଦେବୀରାଣୀଙ୍କୁ ଯେ ଲକ୍ଷ୍ୟଭ୍ରଷ୍ଟ କରିଚନ୍ତି ଏଇଥିରେ ତାଙ୍କର ଆଉ ସନ୍ଦେହ ରହିଲା ନାହିଁ । ତେବେ ତାଙ୍କର ଆଉ କି କର୍ତ୍ତବ୍ୟ ଥିଲା ? ଏଇଥିପାଇଁ ପୁରୁଣା ଘର ଛାଡ଼ି, ଦେବୀରାଣୀଙ୍କୁ ସେ ସମସ୍ତ କଥା ବୁଝାଇଥିଲେ । ଏହାଠାରୁ ଅଧିକ ଆଉ ସେ କ’ଣ କରିଥାନ୍ତେ ? ମାରିବା କ’ଣ ଅନୁଚିତ ହେଇଚି ? ଆଚ୍ଛା, କ୍ଷଣିକପାଇଁ ଅନୁଚିତ ମନେ କରାଯାଉ; ତେବେ ଦେବୀରାଣୀ ଏଭଳି ଘର ଛାଡ଼ି ଚାଲିଯିବା କ’ଣ ଉଚିତ ହେଲା ? କୌଣସି ସ୍ତ୍ରୀ, ଯାହା ହୃଦୟରେ ପହିଲୁ ବିଷଭରି ଦିଆଯାଇ ନଥାଏ, କେବଳ ମାଡ଼ ଖାଇ ସେ ଘରୁ ପଳାଇ ଯାଏନି । ଦେବୀରାଣୀଙ୍କର ହୃଦୟ ନିଶ୍ଚୟ କଳୁଷିତ ଥିଲା ।

 

ଶ୍ୟାମକିଶୋର ପୁଣି ଚିନ୍ତା କରିବାକୁ ଲାଗିଲେ–‘‘ଆଉ ଟିକେ ଗଲେ ମାହାରୀ ଆସି ପହଞ୍ଚିବ । ଦେବୀରାଣୀ ଘରେ ନଥିବା କଥା ସେ ପଚାରେ ଯଦି କି ଉତ୍ତର ଦିଆଯିବ । କ୍ଷଣକ ମଧ୍ୟରେ ସାହିସାରା ଏ ଖବର ବ୍ୟାପିଯିବ । ହାୟ ଭଗବାନ ! କ’ଣ କରିବି ?’’ ଶ୍ୟାମକିଶୋରଙ୍କ ମନରେ ଏକ୍ଷଣି ଟିକେ ବୋଲି ଅନୁତାପ କି ଦୟା ନଥିଲା । କୌଣସି ପ୍ରକାରେ ସେ ଯଦି ଦେବୀରାଣୀଙ୍କୁ ସାମନାରେ ପାଆନ୍ତେ ତେବେ ତାଙ୍କୁ ହତ୍ୟା କରିବାପାଇଁ ସେ କୁଣ୍ଠାବୋଧ କରନ୍ତେନି । ଘରୁ ଚାଲିଯିବାଟା ହୁଏତ ତା’ର ମନର ଆବେଗ ଯୋଗୁଁ ହୋଇଥାଇପାରେ; କିନ୍ତୁ ତାହା ଅକ୍ଷମଣୀୟ । ଏଭଳି ଅପମାନ ସେ କୌଣସି ପ୍ରକାରେ ସହ୍ୟ କରି ପାରୁ ନଥିଲେ । ହୁଏତ ମୃତ୍ୟୁ ଏହା ଅପେକ୍ଷା ଶ୍ରେୟସ୍କର । ଅନେକ ସମୟରେ କ୍ରୋଧରୁ ବିରକ୍ତି ଆସି ଯାଇଥାଏ । ସଂସାର ପ୍ରତି ଶ୍ୟାମକିଶୋରଙ୍କର ଘୃଣା ଆସିଗଲା । ବିବାହିତା ସ୍ତ୍ରୀ ଯଦି ଏଭଳି ଦଗା ଦେଇପାରେ, ତେବେ ଆଉ କାହାଠାରୁ କି ଆଶା କରାଯାଇପାରେ ? ଯେଉଁ ସ୍ତ୍ରୀ ଲାଗି ଆମେ ଜିଉଁ ଆଉ ମରୁ, ଯାହାକୁ ସୁଖୀ କରିବାପାଇଁ ଆମେ ପ୍ରାଣ ପର୍ଯ୍ୟନ୍ତ ବଳିଦାନ କରୁ, ସେ ଯଦି ଆପଣାର ନହୁଏ, ତେବେ କିଏ ଆଉ ଆପଣାର ହେବ ! ଦେବୀରାଣୀଙ୍କୁ ପ୍ରସନ୍ନ ରଖିବା ଲାଗି କ’ଣ ସେ ନ କରିଚନ୍ତି ? ଘରେ ଅଶାନ୍ତି ଲାଗି, ଭାଇମାନଙ୍କଠାରୁ ସମ୍ୱନ୍ଧ ତୁଟାଇ ଏଇ ସ୍ତ୍ରୀ ଲାଗି କେବଳ ସେ ଚାଲି ଆସିଥିଲେ । ବର୍ତ୍ତମାନ ତାଙ୍କର ଛାଇ ସୁଦ୍ଧା ମାଡ଼ିବାକୁ ଭାଇମାନେ ନିତାନ୍ତ ଅନିଚ୍ଛୁକ । ଦେବୀରାଣୀଙ୍କର ଏଭଳି କୌଣସି ଆକାଂକ୍ଷା ନଥିଲା ଯାହା କି ଶ୍ୟାମକିଶୋର ପୂରଣ କରି ନାହାନ୍ତି ? ଦେବୀରାଣୀଙ୍କର ସାମାନ୍ୟ ମୁଣ୍ଡବ୍ୟଥାରେ ଶ୍ୟାମକିଶୋର ନିଜକୁ ଜ୍ଞାନଶୂନ୍ୟ ମନେ କରୁଥିଲେ । ରାତିସାରା ସେ ତାଙ୍କର ସେବା କରୁଥିଲେ । ସେଇ ସ୍ତ୍ରୀ ଆଜି ତାଙ୍କୁ ଦଗା ଦେଇଯାଇଚି । ଗୋଟାଏ ଗୁଣ୍ଡାର ପ୍ରେରଣାରେ ତାଙ୍କ ମୁହଁରେ କାଳି ବୋଳି ଚାଲିଯାଇଚି ସେ । ଗୁଣ୍ଡାମାନଙ୍କୁ ଦୋଷ ଦେବା ଅର୍ଥ ନିଜ ମନକୁ ସାନ୍ତ୍ୱନା ଦେବା । ହୃଦୟ ଯାହାର ନିର୍ମଳ, ତାକୁ କେହି କେବେ ପଥଭ୍ରଷ୍ଟ କରିପାରେ ? ପୁଣି ଶ୍ୟାମକିଶୋର ଭାବିବାକୁ ଲାଗିଲେ–‘‘ଏଇ ସ୍ତ୍ରୀ ମତେ ଯେତେବେଳେ ଠକି ଚାଲିଯାଇଛି, ତେବେ ବୁଝିନେବା ଉଚିତ ଯେ, ଏ ସଂସାରରେ ପ୍ରେମ ଆଉ ବିଶ୍ୱାସର ଅସ୍ତିତ୍ୱ ନାହିଁ । ଏହା କିନ୍ତୁ ଭାବୁକମାନଙ୍କର କଳ୍ପନା । ଏ ସଂସାରରେ ଦୁଃଖ ଆଉ ଦୁରାଶାକୁ ଛାଡ଼ି ଦେଲେ କ’ଣ ଅବା ଆଉ ମିଳିପାରେ । ହାୟରେ ଦୁଷ୍ଟା ସ୍ତ୍ରୀ ! ଯାଅ, ତୁ ଆଜିଠାରୁ ସ୍ୱତନ୍ତ୍ର । ଯାହା ଇଚ୍ଛା ତାହା କର । ଏକ୍ଷଣି ତୋର କାର୍ଯ୍ୟରେ ବାଧା ଦେବାପାଇଁ କେହି ନାହିଁ । ଯାହାକୁ ତୁ ‘ପ୍ରିୟତମ’, ‘ପ୍ରିୟତମ’ କହି ଠକୁ ନଥିଲୁ, ତା’ ସହିତ ତୁ ଏଭଳି କୁଟିଳ ବ୍ୟବହାର କରି ପାରିଲୁ ? ଚାହିଁବି ଯଦି ତୋତେ ଅଦାଲତକୁ ନେଇ ଏ ପାପର ପ୍ରାୟଶ୍ଚିତ୍ତ କରାଇପାରେ । କିନ୍ତୁ ଲାଭ ? ଭଗବାନ ତତେ ଏହାର ଉଚିତ ଫଳ ଦେବେ ।’’

 

ଶ୍ୟାମକିଶୋର ଚୁପ୍‌ଚାପ୍‌ ତଳକୁ ଓହ୍ଲାଇଲେ । କାହାକୁ କିଛି ନ କହି କିମ୍ୱା କାହା କଥା ପ୍ରତି କର୍ଣ୍ଣପାତ ନ କରି, ଦୁଆର ଖୋଲା ଛାଡ଼ି ଦେଇ, ଶ୍ୟାମକିଶୋର ଗଙ୍ଗା ତଟ ଆଡ଼କୁ ପାଦ ବଢ଼ାଇଲେ ।

Image